ଦୁର୍ଗନ୍ଧଯୁକ୍ତ ହେଲେ ବି ସ୍ୱାସ୍ଥ୍ୟ ପାଇଁ ଉପକାରୀ ପସାରୁଣୀ। ଏହାର ଫାଇଦା ସମ୍ପର୍କରେ ଜାଣନ୍ତୁ।
ଆଣ୍ଟି-ଇନ୍ଫ୍ଲାମେଟୋରି, ଆଣ୍ଟି ଅକ୍ସିଡାଣ୍ଟ, ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟି-ହାଇପରଗ୍ଲାଇସେମିକ୍ ଗୁଣରେ ଭରପୂର ଥାଏ ପସାରୁଣୀ। ଏହା ବାହ୍ୟ ସଂକ୍ରମଣ, ଅଣ୍ଟା ଯନ୍ତ୍ରଣା, ପ୍ରଦାହ ଓ ଗ୍ୟାସ୍ ଭଳି ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ।
ଥଣ୍ଡା ଦୂର କରେ
ଥଣ୍ଡା, ସର୍ଦ୍ଦି ଦୂର କରେ ପସାରୁଣୀ ପତ୍ର। କିଛି ପସାରୁଣୀ ପତ୍ରକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାପରେ ଏହାକୁ ଫୁଟଣ, ରସୁଣ ଫୁଟାଇ ସୁପ୍ ପ୍ରସ୍ତୁତ କରନ୍ତୁ। ଏହି ସୁପ୍କୁ ଗରମାଗରମ ପିଅନ୍ତୁ। ଏହାଦ୍ୱାରା ଥଣ୍ଡା ଦୂର ହୋଇଥାଏ।
ଅଣ୍ଟା ବିନ୍ଧା ଦୂର କରେ
ଗ୍ୟାସ୍ ଓ କୋଷ୍ଠକାଠିନ୍ୟ ସମସ୍ୟା ଯୋଗୁଁ ବେଳେ ବେଳେ ଅଣ୍ଟା ବିନ୍ଧା ହୋଇଥାଏ। ଏଭଳି କ୍ଷେତ୍ରରେ ୮ରୁ ୧୦ଟି ପସାରୁଣୀ ପତ୍ର ସହିତ ୧୦ଟି ଗୋଲମରିଚକୁ ବାଟି ଦିଅନ୍ତୁ। ଏହି ମିଶ୍ରଣରେ ଗୋଟେ ଚାମଚ କଞ୍ଚା କ୍ଷୀର ମିଶାଇ ପ୍ରତିଦିନ ସକାଳେ ଖାଲିପେଟରେ ଖାଆନ୍ତୁ। ଏହାଦ୍ଵାରା ପେଟରୁ ଗ୍ୟାସ୍ ଯାଇଥାଏ ଓ ଅଣ୍ଟା ବିନ୍ଧା ମଧ୍ୟ ଭଲ ହୋଇଥାଏ। ଏହାକୁ ନିୟମିତ ସେବନ କରିବା ଦ୍ୱାରା ଗ୍ୟାଷ୍ଟ୍ରିକ୍ ଓ ପେଟ ରୋଗ ଭଲ ହୋଇଥାଏ।
କୋଷ୍ଠକାଠିନ୍ୟ
କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ ପସାରୁଣୀ। ଏହି ପତ୍ରକୁ ତରକାରୀ, ପିଠଉ କରି ସେବନ କରିପାରିବେ।
ଆଣ୍ଠୁଗଣ୍ଠି ବିନ୍ଧା ହେଉଥିଲେ ପସାରୁଣୀ ପତ୍ରରେ ପ୍ରସ୍ତୁତ ତେଲକୁ ମାଲିସ୍ କରିବା ଦ୍ୱାରା ଉପଶମ ମିଳିଥାଏ।
ତେଲ ପ୍ରସ୍ତୁତି ପ୍ରଣାଳୀ
୧୦୦ ଗ୍ରାମ୍ ପସାରୁଣୀ ପତ୍ରକୁ ଛେଚି ଏହାର ରସ ବାହାର କରନ୍ତୁ। ଏହାକୁ ୮୦୦ ଗ୍ରାମ୍ ପାଣିରେ ସିଝାଇ ଦିଅନ୍ତୁ। ପାଣି ମରି ମରି ୧୦୦ ଗ୍ରାମ୍ ହୋଇଗଲେ ଏଥିରେ ସୋରିଷ ତେଲ ମିଶାଇ ଗରମ କରନ୍ତୁ। ତେଲରୁ ପାଣି ଅଂଶ ଶୁଖିଗଲେ ଏହାକୁ ଥଣ୍ଡା କରିବାକୁ ଛାଡ଼ିଦିଅନ୍ତୁ। ଏହି ତେଲକୁ ଆଣ୍ଠୁଗଣ୍ଠିରେ ମାଲିସ କରିବା ଦ୍ୱାରା ଲାଭ ମିଳିଥାଏ।