ମୁଗଡାଲି ହେଉଛି ଓଡିଆଙ୍କ ପ୍ରିୟ ଡାଲି। ଓଡ଼ିଶାରେ ଗାଁରୁ ସହର ପର୍ଯ୍ୟନ୍ତ ସମସ୍ତେ ମୁଗଡାଲିରୁ ପ୍ରସ୍ତୁତ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ଖାଇବାକୁ ପସନ୍ଦ କରନ୍ତି। ଏହା ହେଉଛି ଶକ୍ତିବର୍ଦ୍ଧନକାରୀ ଖାଦ୍ୟ, ଯାହା ସହଜରେ ହଜମ ହେବା ସହିତ ଶରୀରକୁ ସୁସ୍ଥ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଶାକାହାରୀଙ୍କ ପାଇଁ ମୁଗଡାଲି ହେଉଛି ପ୍ରୋଟିନ୍‌ର ଏକ ପ୍ରମୁଖ ସ୍ରୋତ।

ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ତ୍ରୁଟିପୂର୍ଣ୍ଣ ଜୀବନଚର୍ଯ୍ୟା ଯୋଗୁଁ ଦେଖାଦେଉଥିବା ବିଭିନ୍ନ ପ୍ରକାରର ରୋଗ ଯାହାକୁ ଆଜିକାଲିର ଭାଷାରେ ଲାଇଫ୍‌ଷ୍ଟାଇଲ୍‌ ଡିଜିଜ୍‌ ବୋଲି କୁହାଯାଉଛି, ମୁଗଡାଲି ଖାଇଲେ ସେହି ସବୁ ରୋଗ ହେବା ଆଶଙ୍କା ମଧ୍ୟ କମ୍‌ ହୋଇଥାଏ ବୋଲି ବିଭିନ୍ନ ଗବେଷଣାରୁ ଜଣାପଡ଼ିଛି। ଆସନ୍ତୁ, ଜାଣିବା ମୁଗଡ଼ାଲି ଖାଇବାର ଫାଇଦା ବିଷୟରେ।

ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ: ମୁଗଡାଲିରେ ପ୍ରଚୁର ପରିମାଣରେ ଫାଇବର୍‌ ରହିଛି। ଏହାସହିତ ଏଥିରେ ଭରପୂର ମାତ୍ରାରେ ଫୋଲେଟ୍‌ ଓ ମ୍ୟାଗ୍ନେସିୟମ ମଧ୍ୟ ରହିଛି। ଫୋଲେଟ ଆମ ଶରୀରରେ ହୃଦ୍‌ରୋଗର ଏକ ପ୍ରମୁଖ କାରକ ହୋମୋସିଷ୍ଟିନ୍‌ର ସ୍ତର କମ୍‌ କରି ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

କୋଲେଷ୍ଟେରୋଲ୍‌ ସ୍ତର କମ୍‌ ହୋଇଥାଏ: ମୁଗଡାଲିଲେ ଅଧିକ ପରିମାଣରେ ଦ୍ରବଣୀୟ ଫାଇବର୍‌ ମହଜୁଦ ଥିବାରୁ ଏହାକୁ ଖାଇବା ଦ୍ୱାରା ରକ୍ତରେ କୋଲେଷ୍ଟେରୋଲ୍‌ର ପରିମାଣ ହ୍ରାସ ହୋଇଥାଏ। ଏଣୁ ମୁଗଡାଲି ଖାଇଲେ ଧମନୀରେ ରକ୍ତ ସୁଚାରୁରୂପେ ପ୍ରବାହିତ ହୋଇଥାଏ ଯାହାଫଳରେ ହୃଦ୍‌ରୋଗ ଓ ଷ୍ଟ୍ରୋକ୍‌ର ଆଶଙ୍କା କମ୍‌ ହୋଇଥାଏ।

ରକ୍ତଚାପ ଓ ରକ୍ତଶର୍କରା ସ୍ତର କମ୍‌ ହୋଇଥାଏ: ମୁଗଡାଲିରେ ଅତ୍ୟଧିକ ପରିମାଣର ମ୍ୟାଗ୍ନେସିୟମ୍‌ ଭରି ରହିଛି, ଯାହା ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ। ସେହିପରି ଏହା ନିମ୍ନ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ଯୁକ୍ତ ଖାଦ୍ୟ ହୋଇଥିବାରୁ ଏହାକୁ ଖାଇଲେ ରକ୍ତରେ ଶର୍କରାର ସ୍ତର ବୃଦ୍ଧି ପାଏନାହିଁ। ତେଣୁ ମୁଗଡାଲିକୁ ଉଭୟ ରକ୍ତଚାପ ରୋଗୀ ଓ ମଧୁମେହ ରୋଗୀ ନିଜ ଆହାରରେ ସାମିଲ କରିପାରିବେ।

ଓଜନ ହ୍ରାସରେ ସହାୟକ ହୋଇଥାଏ: ମୁଗଡାଲି ହେଉଛି ଏକ ନିମ୍ନ କ୍ୟାଲୋରି ଯୁକ୍ତ ଖାଦ୍ୟ। ୧୦୦ ଗ୍ରାମ ମୁଗଡାଲିରୁ ପ୍ରାୟ ୩୩୦ କ୍ୟାଲୋରି ମିଳିଥାଏ। ଏହାସହିତ ଏଥିରେ ଫାଇବର୍‌ର ମାତ୍ରା ଅଧିକ ରହିଥିବାରୁ ଏହାକୁ ଖାଦ୍ୟରେ ସାମିଲ କରିବାଦ୍ୱାରା ବହୁସମୟ ପର୍ଯ୍ୟନ୍ତ ଭୋକ ଲାଗେନାହିଁ। ଏଣୁ ଓଜନ ହ୍ରାସ କରିବା ପାଇଁ ଏହା ହେଉଛି ଏକ ଉତ୍ତମ ଖାଦ୍ୟ।

ହାଡ଼ ଶକ୍ତ କରିଥାଏ: ମୁଗଡାଲିରୁ ପ୍ରାକୃତିକ କ୍ୟାଲସିୟମ ମିଳିଥାଏ। କ୍ୟାଲ୍‌ସିୟମ ହାଡ଼କୁ ଶକ୍ତ କରିଥାଏ।

ଶାରୀରିକ ବିକାଶରେ ସହାୟକ ହୋଇଥାଏ: ମୁଗଡାଲି ହେଉଛି ପ୍ରୋଟିନ୍‌ର ଏକ ଉତ୍ତମ ସ୍ରୋତ। ଏଥିରେ ଶରୀର ବୃଦ୍ଧି ପାଇଁ ଆବଶ୍ୟକ ପ୍ରାୟ ସମସ୍ତ ଭିଟାମିନ୍‌ ଓ ମିନେରାଲ୍‌ ମଧ୍ୟ ମହଜୁଦ ରହିଛି। ଏଣୁ ଏହା ପିଲାଙ୍କ ଶାରୀରିକ ବିକାଶରେ ଏହା ସହାୟକ ହୋଇଥାଏ।

କୋଷ୍ଠକାଠିନ୍ୟ ଦୂର ହୋଇଥାଏ: ମୁଗଡାଲିରେ ଫାଇବର ଭରପୂର ମାତ୍ରାରେ ଥିବାରୁ ଏହା କୋଷ୍ଠକାଠିନ୍ୟ ଦୂର କରିଥାଏ। ମୁଗଡାଲି ଶୀଘ୍ର ହଜମ ହେବା ସହ ପେଟରେ ଗ୍ୟାସ୍‌ ତିଆରି ହେବାରୁ ରୋକିଥାଏ।