ବାଇଗଣକୁ ନେଇ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇପାରେ। ଏଣୁ ଆମ ରୋଷେଇ ଘରେ ବାଇଗଣର ଭାରି ଆଦର। ପ୍ରାୟ ସମସ୍ତେ ବାଇଗଣରୁ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନ ଖାଇବାକୁ ପସନ୍ଦ କରିଥାନ୍ତି। ତେବେ ବାଇଗଣ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭକାରୀ ତାହା ଅଧିକାଂଶ ଜାଣନ୍ତି ନାହିଁ। ଅନ୍ୟ ପରିବା ପରି ବାଇଗଣ ମଧ୍ୟ ବିଭିନ୍ନ ପୋଷକ ତତ୍ତ୍ୱରେ ଭର୍‌ପୂର୍‌ ଏକ ପରିବା।

eggplant_benefit

ଏଥିରେ ଫ୍ଲାବୋନୋଏଡ୍‌ସ୍‌ ରହିଥିବାରୁ ଏହା ବିଭିନ୍ନ ରଙ୍ଗରେ ଉପଲବ୍ଧ ହୋଇଥାଏ। ଏହି ଫ୍ଲାବିନୋଏଡ୍‌ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକାରୀ। ସେହିପରି ଏଥିରେ ଅଧିକ ଖାଦ୍ୟତନ୍ତୁ ଥିବାରୁ ଏହା ପାଚନ ତନ୍ତ୍ର ଠିକ୍‌ ରଖିଥାଏ ଓ ଏହାସହିତ ଶରୀରରେ କୋଲେଷ୍ଟେରଲ୍‌ ମାତ୍ରା କମ୍‌ କରିଥାଏ। ସେହିପରି କମ୍‌ କ୍ୟାଲୋରୀ ଯୁକ୍ତ ଖାଦ୍ୟ ହୋଇଥିବାରୁ ଏହାକୁ ଓଜନ ହ୍ରାସ କରିବାକୁ ଚାହୁଁଥିବା ଲୋକମାନେ ମଧ୍ୟ ଖାଇପାରିବେ। ନିୟମିତ ଭାବେ ବାଇଗଣକୁ ନିଜ ଖାଦ୍ୟରେ ସାମିଲ୍‌କଲେ ମଧୁମେହ, ହୃଦ୍‌ରୋଗ, ମେଦବହୁଳତା ପରି ଜୀବନଶୈଳୀ ରୋଗ ହେବା ଆଶଙ୍କା କମ୍‌ ହୋଇଥାଏ। ତେବେ ଆସନ୍ତୁ ଜାଣିବା ବାଇଗଣର ବଭିନ୍ନ ଉପକାରୀତା ବିଷୟରେ।

heart attack

 

  • ହୃତ୍ପିଣ୍ଡକୁ ସୁସ୍ଥ ରଖିଥାଏ

ବାଇଗଣ ଖାଇଲେ ହୃଦୟ ସୁସ୍ଥ ରହେ। ଏଥିରେ ଭିଟାମିନ ବି-6, ଭିଟାମିନ୍‌ ସି, ଫାଇଟୋନିଉଟ୍ରିଏଣ୍ଟସ ଓ ଖାଦ୍ୟ ତନ୍ତୁ ରହିଛି ଯାହା ହୃତୁପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏଥିରେ ଥିବା ଫାଇଟୋନିଉଟ୍ରିଏଣ୍ଚ ଫ୍ଲାବିନୋଏଡ୍‌ ଆନ୍ଥୋସିଆନିନ୍‌ କାର୍ଡିଓଭାସ୍‌କୁଲାର୍‌ ରୋଗର ଆଶଙ୍କା କମ୍‌ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସେହିପରି କ୍ଲୋରୋଜେନିକ ଏସିଡ୍‌ର ଉପସ୍ଥିତି ଯୋଗୁ ଏହାକୁ ଖାଇଲେ ଏଲ୍‌ଡିଏଲ୍‌ (LDL)ସ୍ତର ମଧ୍ୟ କମିଥାଏ। ଏହାବ୍ୟତୀତ ବାଇଗଣ ଖାଇଲେ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିଥାଏ।

  • ମଧୁମେହକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ

ବାଇଗଣରେ କାର୍ବୋହାଇଡ୍ରେଟ୍‌ର ପରିମାଣ କମ୍‌ ଥିବାବେଳେ ଖାଦ୍ୟତନ୍ତୁ ଅଧିକ ପରିମାଣରେ ରହିଛି। ଏଣୁ ମଧୁମେହ ରୋଗୀମାନେ ଏହାକୁ ନିଜ ଖାଦ୍ୟରେ ସାମିଲ୍‌ କରିପାରିବେ। ସେହିପରି ବାଇଗଣର ଗ୍ଲାଇସେମିକ୍‌ ଇଣ୍ଡେକ୍ସ ଭେଲ୍ୟୁ ନିମ୍ନ ହୋଇଥିବାରୁ ଏହାକୁ ଖାଇଲେ ରକ୍ତ ଶର୍କରା ସ୍ତର ମଧ୍ୟ ବୃଦ୍ଧି ପାଏନାହିଁ।

foot pain

  • ହାଡ ମଜବୁତ ହୋଇଥାଏ

ବାଇଗଣରେ ଭିଟାମିନ କେ ତଥା ମ୍ୟାଗ୍‌ନେସିୟମ୍‌ ଓ କପର୍‌ ଭଳି ମିନେରାଲ୍‌ସ ରହିଛି ଯାହା ହାଡକୁ ମଜବୁତ କରିଥାଏ । ଭିଟାମିନ କେ ହାଡର ମିନେରାଲ୍‌ ଡେନ୍‌ସିଟି ବୃଦ୍ଧି ହେବାରେ ପ୍ରମୂଖ ଭୂମିକା ଗ୍ରହଣ କରୁଥିବା ବେଳେ କପର୍‌ କୋଲାଜେନ୍‌ ନିର୍ମାଣରେ ସହାୟତା କରିଥାଏ । ଏଣୁ ଏହାକୁ ଖାଦ୍ୟରେ ସାମିଲ୍‌ କରିବାଦ୍ୱାରା ହାଡ ମଜବୁତ ହେବା ସହିତ ଅଷ୍ଟିଓପୋରୋସିସ୍‌ ହେବା ଆଶଙ୍କା କମ୍‌ ହୋଇଥାଏ ।

  • ରକ୍ତହୀନତା ବା ଏନିମିଆ ହେବା ଆଶଙ୍କା କମ୍ହୋଇଥାଏ

ଶରୀରରେ ଆଇରନ୍‌ର ପରିମାଣ କମ୍‌ ହେଲେ ରକ୍ତହୀନତା ବା ଏନିମିଆ ହୋଇଥାଏ। ବାଇଗଣରେ ଭର୍‌ପୂର୍‌ ମାତ୍ରାରେ ଆଇରନ୍‌ ରହିଛି। ଏହାସହିତ ଲୋହିତ ରକ୍ତ କୋଷିକା ନିର୍ମାଣ କରିବାରେ ସହାୟକ କପର୍‌ ମଧ୍ୟ ଉଚିତ୍‌ ମାତ୍ରାରେ ରହିଛି। ଏଣୁ ନିୟମିତ ନିଜ ଖଦ୍ୟରେ ବାଇଗଣକୁ ସାମିଲ କଲେ ଏନିମିଆ ହେବା ଆଶଙ୍କା କମ୍‌ ହୋଇଥାଏ।

weight loose

  • ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ

ପୋଷକ ତତ୍ତ୍ୱରେ ଭର୍‌ପୂର୍‌ ବାଇଗଣ ହେଉଛି ଏକ ନିମ୍ନ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଓ ଏଥିରେ ପାଣିର ମାତ୍ରା ମଧ୍ୟ ଅଧିକ ଅଟେ। ଏଣୁ ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ନିୟମିତ ବାଇଗଣ ଖାଇଲେ ସୁଫଳ ମିଳିଥାଏ। ଏହା ଶରୀରରେ ସେଲ୍ୟୁଲାଇଟ୍‌ ତିଆରି ହେବାକୁ ଦିଏନାହିଁ ଓ ପାଚନରେ ମଧ୍ୟ ସହାୟକ ହୋଇଥାଏ। ଅଧିକନ୍ତୁ, ଏଥିରେ ଖାଦ୍ୟତନ୍ତୁ ଅଧିକ ପରିମାଣରେ ଥିବାରୁ ଏହାକୁ ଖାଇଲେ ପେଟ ଶୀଘ୍ର ପୂରିଯାଏ ଓ ବହୁ ସମୟ ପର୍ଯ୍ୟନ୍ତ ଭୋକ ମଧ୍ୟ ହୁଏନାହିଁ।

SwasthyaPlus

  • କ୍ୟାନ୍ସର୍ ହେବା ସମ୍ଭାବନା କମ୍ହୋଇଥାଏ

ବାଇଗଣରେ ପ୍ରଚୁର ପରିମାଣର ପଲିଫେନଲ୍‌ ରହିଛି, ଯାହା କ୍ୟାନ୍‌ସର୍‌ର ପ୍ରତିରୋଧ କରିବା ପାଇଁ ସକ୍ଷମ ଅଟେ। ଆଣ୍ଟିଅକ୍ସିଡେଣ୍ଟ ଓ ଆଣ୍ଟି-ଇନ୍‌ଫ୍ଲେମେଟୋରୀ ଗୁଣ ଯୁକ୍ତ ଏହି ପଲିଫେନଲ୍‌ଗୁଡିକ ଫ୍ରି ରାଡିକାଲ୍‌ ଜନିତ କ୍ଷତିରୁ ଆମ ଶରୀରକୁ ରକ୍ଷା କରିଥାଏ, ଯାହାଫଳରେ କ୍ୟାନ୍‌ସର୍‌ କୋଷିକାଗୁଡିକର ବୃଦ୍ଧି ଓ କ୍ରମ ପ୍ରସାର ସମ୍ଭବ ହୋଇନଥାଏ। ସେହିପରି ଏହି ପରିବାରେ ମହଜୁଦ୍‌ ଥିବା ଖାଦ୍ୟତନ୍ତୁ ପାଚନ ତନ୍ତ୍ରରୁ ବିଷାକ୍ତ ପଦାର୍ଥ ନିଷ୍କାସନ କରିବାରେ ସହାୟତା କରିଥାଏ, ଯାହାଫଳରେ କୋଲନ୍‌ କ୍ୟାନ୍‌ସର୍‌ ନିବାରଣ ସମ୍ଭବ ହୋଇପାରିବ ବୋଲି ଅଧ୍ୟୟନରୁ ଜାଣାପଡିଛି।

ବାଇଗଣ ବର୍ଷରେ ବାରମାସ ସହଜରେ ଉପଲବ୍ଧ ହୋଇଥାଏ। ଏହାର ମୂଲ୍ୟ ଅପେକ୍ଷାକୃତ କମ୍‌ ହୋଇଥିବା ବେଳେ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରୀ ଅଟେ। ଏଣୁ ସୁସ୍ଥ ରହିବା ପାଇଁ ଏହି ଉତ୍କୃଷ୍ଟ ଖାଦ୍ୟକୁ ନିୟମିତ ଖାଆନ୍ତୁ। ତେବେ କଞ୍ଚା ବାଇଗଣ କେବେ ମଧ୍ୟ ଖାଆନ୍ତୁ ନାହିଁ। କାରଣ ଏଥିରେ ସୋଲାନାଇନ୍‌ ନାମକ ଏକ ଆଲ୍‌କାଲୋଏଡ୍‌ ରହିଛି ଯାହା ଆମ ଶରୀର ପାଇଁ କ୍ଷତିକାରକ ଅଟେ ଓ ଏହାର ପ୍ରଭାବରେ ମୁଣ୍ଡବ୍ୟଥା ଓ ପେଟବ୍ୟଥା ହେବା ସମ୍ଭାବନା ରହିଛି।