ହାତରେ କେତେକ ମୁଦ୍ରା କରିବା ଦ୍ୱାରା ମାନସିକ ସ୍ଥିରତା ଆସିଥାଏ। ସେସବୁ ମୁଦ୍ରା ବିଷୟରେ ଆସନ୍ତୁ ଜାଣିବା। (Benefits of Hand Mudras in Odia)

ଯୋଗ କରିବା ଦ୍ୱାରା ଶାରୀରିକ ଏବଂ ମାନସିକ ଭାବେ ବ୍ୟକ୍ତି ନିରୋଗ ଏବଂ ସତେଜ ରହିପାରେ। ଯୋଗରେ ଏପରି କେତେକ ମୁଦ୍ରା ରହିଛି ଯାହା ମଣିଷକୁ ମାନସିକ ଅବସାଦରୁ ମୁକ୍ତି ଦେଇଥାଏ। ଏହି ସମସ୍ତ ମୁଦ୍ରା ମସ୍ତିଷ୍କରେ ଏକାଗ୍ରତା ଏବଂ ସ୍ଥିରତା ଆଣିବାରେ ସାହାଯ୍ୟ କରେ। ଏହି ପ୍ରକାର ଯୋଗ କରିବା ଦ୍ୱାରା ଶରୀରରେ ଶକ୍ତି ପ୍ରବାହରେ ନିୟନ୍ତ୍ରଣ ଆସିଥାଏ। ଏହି ମୁଦ୍ରାଶୈଳୀ ଆପଣ ବସଷ୍ଟାଣ୍ଡ, ସିନେମା ଥିଏଟର କିମ୍ବା ଅଫିସରେ ଥିବା ସମୟରେ କରିପାରିବେ।

ଜ୍ଞାନ ମୁଦ୍ରା

ଜ୍ଞାନ ମୁଦ୍ରା ହେଉଛି ସବୁଠାରୁ ସାଧାରଣ ମୁଦ୍ରା ଏବଂ ଏହି ମୁଦ୍ରା ବ୍ୟକ୍ତିର ଏକାଗ୍ରତା, ଜ୍ଞାନ ଏବଂ ସ୍ମୃତିଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ। ଜ୍ଞାନ ମୁଦ୍ରାକୁ ଆପଣ ବସି କରି କିମ୍ବା ଠିଆ ହୋଇ କରିପାରିବେ। ଏହି ମୁଦ୍ରା କରିବା ସମୟରେ ଆପଣଙ୍କ ପିଠି ସିଧା ହୋଇଥିବା ଉଚିତ।

ଜ୍ଞାନ ମୁଦ୍ରା କରିବା ପାଇଁ ପ୍ରଥମେ ବଜ୍ରାସନ କିମ୍ଵା ଯେ କୌଣସି ଆସନରେ ବସି ଦୁଇ ହାତ ଆଣ୍ଠୁ ଉପରେ ରଖନ୍ତୁ। ଚାପ ପ୍ରୟୋଗ ନ କରି ହାତର ବୁଢା ଆଙ୍ଗୁଠି ଟିପ ସହ ତର୍ଜନୀ ଆଙ୍ଗୁଠିକୁ ମିଶାନ୍ତୁ। ଆଉ ଅନ୍ୟ ତିନୋଟି ଆଙ୍ଗୁଠିକୁ ସିଧା ଓ ଢିଲା ରଖନ୍ତୁ।ଏହି ମୁଦ୍ରାକୁ ଆପଣ ଯେତେ ସମୟ ଓ ଯେ କୌଣସି ସମୟରେ ମଧ୍ୟ କରିପାରିବେ। ଜ୍ଞାନ ମୁଦ୍ରାକୁ ଶୋଇଲା ବେଳେ ମଧ୍ୟ କରିପାରିବେ।

ଜ୍ଞାନ ମୁଦ୍ରାର ଉପକାରିତା

ଜ୍ଞାନ ବଢ଼ାଇବା ସହ ସ୍ମରଣ ଶକ୍ତି ବୃଦ୍ଧି କରେ।

ମସ୍ତିଷ୍କ ପ୍ରଖର କରାଏ।

ଭଲ ନିଦ୍ରା ହୁଏ।

ନକରାତ୍ମକ ଭାବନା ଦୂର କରିବା ସହ ଏକାଗ୍ରତା ବଢ଼ାଏ।

ମାନସିକ ଅବସାଦ ଦୂର କରେ।

ମାନସିକ ରୋଗରୁ ମୁକ୍ତି ଦେଇଥାଏ।

ଜ୍ଞାନ ମୁଦ୍ରା କରିବା ଫଳରେ କାମରେ ଅଧିକ ମନ ଲାଗିଥାଏ।

ପ୍ରାଣ ମୁଦ୍ରା

ପ୍ରାଣ ମୁଦ୍ରାରେ ଅନାମିକା ଆଙ୍ଗୁଠି ଏବଂ କନିଷ୍ଠ ଆଙ୍ଗୁଠିକୁ ତଳକୁ ବଙ୍କା କରି ବୃଦ୍ଧ ଆଙ୍ଗଠି ଉପରେ ରଖିବା ସହ ଅନ୍ୟ ଦୁଇ ଆଙ୍ଗୁଠିକୁ ଟାଣିକରି ରଖନ୍ତୁ। ଶୋଇବା ସମୟରେ ଏହି ମୁଦ୍ରା କରନ୍ତୁ ନାହିଁ।

ପ୍ରାଣ ମୁଦ୍ରାର ଉପକାରିତା

ନିୟମିତ ପ୍ରାଣ ମୁଦ୍ରା ଅଭ୍ୟାସ କଲେ ଶରୀରରେ ଭିଟାମିନ ପରିମାଣ ନିୟନ୍ତ୍ରିତ ରହେ।

ପ୍ରାଣ ମୁଦ୍ରା କରିବା ଫଳର ବ୍ୟକ୍ତିର ଶକ୍ତି ଉପରେ ନିୟନ୍ତ୍ରଣ ଆସିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।

ପ୍ରାଣ ମୁଦ୍ରା କଲେ ଆଖିର ବିଭିନ୍ନ ସମସ୍ୟା ଦୂର ହୁଏ।

ଥକ୍କାପଣ ଏବଂ ନିଦ୍ରାହୀନତା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।

ପୃଥ୍ୱୀ ମୁଦ୍ରା

ଏଥିରେ ଅନାମିକା ଆଙ୍ଗୁଠିକୁ ବୁଢ଼ା ଆଙ୍ଗୁଠି ସହ ଯୋଡ଼ି ଅନ୍ୟ ତିନୋଟି ଆଙ୍ଗୁଠି ଖୋଲା ରଖନ୍ତୁ। ପ୍ରାଣ ମୁଦ୍ରା ପରି ଏହି ମୁଦ୍ରା ଶୋଇବା ସମୟରେ କରିବା ଉଚିତ ନୁହେଁ।

ପୃଥ୍ୱୀ ମୁଦ୍ରା ଶରୀରକୁ ମଜଭୁତ କରିବା ସହ ସତେଜ ରଖେ।

ଥକ୍କାପଣ କମାଇବା ଏବଂ ମାନସିକ ଦୁଶ୍ଚିନ୍ତା ଦୂର ହୋଇଥାଏ।

ବାୟୁ ମୁଦ୍ରା

ବାୟୁ ମୁଦ୍ରାରେ ବିଶି ଆଙ୍ଗୁଠିକୁ ବୃଦ୍ଧା ଆଙ୍ଗୁଠି ତଳେ ରଖି ଚାପିବା ସହ ଅନ୍ୟ ୩ ଆଙ୍ଗୁଠିକୁ ସିଧା ରଖନ୍ତୁ। ଏହି ମୁଦ୍ରା ଆପଣ ନିୟମିତ ୧୦ ରୁ ୧୨ ଥର କରିପାରିବେ।

ବାୟୁ ମୁଦ୍ରା କଲେ ଡର, ଚିନ୍ତା ଏବଂ ନିଦ୍ରାହୀନତା ଦୂର ହୋଇଥାଏ।

ବାୟୁ ମୁଦ୍ରା ଆପଣଙ୍କ ଶରୀର ଭିତରେ ବାୟୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।

ବାୟୁ ମୁଦ୍ରା କରିବା ଦ୍ୱାରା ଗଣ୍ଠି ଯନ୍ତ୍ରଣାରୁ ଉପଶମ ମିଳିଥାଏ।

ଆର୍ଥ୍ରାଇଟିସ୍, ଗୁଟ୍, ରିଉମାଟିଜିମ୍ ଏବଂ ସର୍ଭିକାଲ ସ୍ପଣ୍ଡିଲାଇଟିସ୍ ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ବାୟୁ ମୁଦ୍ରା ଅତ୍ୟନ୍ତ ସହାୟକ ହୋଇଥାଏ।

ବାୟୁ ମୁଦ୍ରା କଲେ ପୋଲିଓ ଏବଂ ପାର୍କିନ୍ସନ୍ ରୋଗରୁ ମୁକ୍ତି ମିଳେ।

ବାତଜନିତ ସମସ୍ୟା ଦୂର ହୋଇଥାଏ।

ସୂର୍ଯ୍ୟ ମୁଦ୍ରା

ସୂର୍ଯ୍ୟ ମୁଦ୍ରାରେ ବୃଦ୍ଧା ଆଙ୍ଗୁଠିକୁ ଅନାମିକା ଆଙ୍ଗୁଠି ଉପରେ ରଖି ଚାପ ପ୍ରୟୋଗ କରନ୍ତୁ। ଏହି ମୁଦ୍ରା କୋଲେଷ୍ଟରଲ୍‌କୁ କମ କରିବା ସହ ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରେ। ଏହ ମୁଦ୍ରାକରିବା ଦ୍ୱାରା ପାଚନ ପ୍ରକ୍ରିୟା ଠିକ୍‌ ରହିଥାଏ।

ସୂର୍ଯ୍ୟ ମୁଦ୍ରାକୁ ଅଗ୍ନି ମୁଦ୍ରା ମଧ୍ୟ କୁହାଯାଏ। ସୂର୍ଯ୍ୟ ମୁଦ୍ରା ଆପଣଙ୍କ ଶରୀରରେ ଉତ୍ତାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏହି ମୁଦ୍ରା ଆପଣଙ୍କ ଶରୀରର ମେଟାବୋଲିଜିମରେ ମଧ୍ୟ ସାହାଯ୍ୟ କରିଥାଏ। ମେଦବହୁଳତା, ଆଖି ଦୃଷ୍ଟିଶକ୍ତିରେ ଉନ୍ନତି, କୋଷ୍ଠକାଠିନ୍ୟ, ସାଧାରଣ ଥଣ୍ଡା ଏବଂ ଅନ୍ୟାନ୍ୟ ମେଟାବୋଲିଜିମ୍ ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ।

ଶୂନ୍ୟ ମୁଦ୍ରା

ଶୂନ୍ୟ ମୁଦ୍ରାରେ ମଧ୍ୟମ ଆଙ୍ଗୁଠିକୁ ବୃଦ୍ଧ ଆଙ୍ଗୁଠି ତଳେ ରଖନ୍ତୁ ଏବଂ ବୃଦ୍ଧା ଆଙ୍ଗୁଠି ସାହାଯ୍ୟରେ ମଝି ଆଙ୍ଗୁଠିକୁ ଦବାନ୍ତୁ। ଏହା ପରେ ଦୁଇ ହାତକୁ ଆଣ୍ଠୁ ଉପରେ ରଖନ୍ତୁ ଯେପରି ଆପଣଙ୍କ ହାତର ପାପୁଲି ଉପରକୁ ରହିବ। ପ୍ରତିଦିନ ଏହାକୁ ୨୦-୩୦ ମିନିଟ କରିବା ଦ୍ୱାରା ମୁଣ୍ଡ ବୁଲାଇବା, ବାନ୍ତି ହେବା ଏବଂ ଥାଇରଏଡ ଭଳି ଅସୁବିଧାକୁ ମୁକ୍ତି ମିଳିଥାଏ।