ଆଜିକାଲି ଲୋକମାନେ ମୃଦୁପାନୀୟ ତୁଳନାରେ ବଜାରରେ ପ୍ୟାକେଟ୍ରେ ମିଳୁଥିବା ଫଳରସ ପିଇବାକୁ ଅଧିକ ପସନ୍ଦ କରୁଛନ୍ତି। ମୃଦୁପାନୀୟର କୁପ୍ରଭାବ ବିଷୟରେ ଲୋକମାନେ ସଚେତନ ହେଉଥିବା କଥା ଏଥିରୁ ସୁସ୍ପଷ୍ଟ, ଯାହା ଦ୍ୱାରା ସେମାନେ କେତେକ ଜୀବନଶୈଳୀ ସମ୍ବନ୍ଧିତ ରୋଗରୁ ନିଜକୁ ଦୂରେଇ ରଖିପାରିବେ। ତେବେ, ବଜାରରେ ଟେଟ୍ରା ପ୍ୟାକ୍ରେ ଉପଲବ୍ଧ ହେଉଥିବା ଫଳରସ କଣ ଲୋକମାନେ ଯେପରି ଭାବୁଛନ୍ତି ସେତେ ପରିମାଣରେ ଶରୀର ପାଇଁ ଲାଭପ୍ରଦ ହୋଇଥାଏ? ତାଜା ଫଳ, ତାଜା ଫଳରସ ଓ ବଜାରର ପ୍ୟାକେଟ୍ରେ ମିଳୁଥିବା ଫଳରସ ମଧ୍ୟରୁ କେଉଁଟି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଅଧିକ ନିରାପଦ, ସେ ବିଷୟରେ ଆସନ୍ତୁ ଜାଣିବା,
- ବଜାରରେ ପ୍ୟାକେଟ୍ରେ ଉପଲବ୍ଧ ଫଳରସରେ ଭିଟାମିନ୍, ଅନ୍ୟ ପୋଷକ ତତ୍ତ୍ୱ ତଥା ଆଣ୍ଟି-ଅକ୍ସିଡେଣ୍ଟ ମହଜୁଦ୍ ଥାଇପାରେ କିନ୍ତୁ ଏହା ତାଜା ଫଳ ପରି ତନ୍ତୁ ଯୁକ୍ତ ନୁହେଁ। ଏଣୁ ଗୋଟିଏ ଗ୍ଲାସ୍ ଫଳରସ ପିଇବା ପରିବର୍ତ୍ତେ ଗୋଟିଏ ତାଜା ଫଳ ଖାଇଲେ ଅଧିକ ସମୟ ପର୍ଯ୍ୟନ୍ତ ଭୋକ ଲାଗେନାହିଁ।
- ପ୍ୟାକେଟ୍ରେ ଉପଲବ୍ଧ ଫଳରସରେ ଶର୍କରାର ପରିମାଣ ଯେକୌଣସି ମୃଦୁପାନୀୟର ଶର୍କରାର ପରିମାଣ ସହିତ ସମାନ। ଅନ୍ୟପକ୍ଷରେ ଫଳରସରେ ତନ୍ତୁ ନଥିବାରୁ ଏହି ଶର୍କରା ଅତି ଶୀଘ୍ର ଶରୀରରେ ଅବଶୋଷିତ ହୋଇ ରକ୍ତରେ ଶର୍କରାର ପରିମାଣ ବୃଦ୍ଧି କରିଥାଏ। ଯାହାଫଳରେ ଓଜନ ବୃଦ୍ଧି ଓ ମଧୁମେହ ହେବା ସମ୍ଭାବନା ରହିଛି।
- ଫଳରସରୁ ଶରୀରକୁ ମିଳୁଥିବା କ୍ୟାଲୋରୀ ଓ ତାଜା ଫଳରୁ ମିଳୁଥିବା କ୍ୟାଲୋରୀ ଶରୀରକୁ ସମାନ ଶକ୍ତି ଯୋଗାଇନଥାନ୍ତି।
- ପ୍ୟାକେଟ୍ରେ ଥିବା ଫଳରସକୁ ବହୁଦିନ ପର୍ଯ୍ୟନ୍ତ (ପ୍ରାୟ ଏକ ବର୍ଷ) ସାଇତି ରଖାଯାଇ ପାରିବ, ଯାହାଫଳରେ ବାରମ୍ବାର ଫଳରସ ବାହାର କରିବାକୁ ପରିଶ୍ରମ କରିବାକୁ ପଡିବନାହିଁ। କିନ୍ତୁ ସତକଥା ହେଉଛି ଏତେଦିନ ଯାଏ ଏହାକୁ ସାଇତି ରଖିବା ପାଇଁ ଏଥିରେ ଯେଉଁ ହିଟ୍ ଟ୍ରିଟ୍ମେଣ୍ଟ କରାଯାଏ, ସେହି ପ୍ରକ୍ରିୟାରେ ଭିଟାମିନ୍ର ପରିମାଣ ବହୁପରିମାଣରେ ହ୍ରାସ ପାଇଥାଏ।
- ଅନେକ ସମୟରେ ଫଳରସରେ ପାଟୁଲିନ୍ ମହଜୁଦ ଥାଏ ଯାହା ଏହାକୁ ପ୍ରସ୍ତୁତ କରିବାରେ ନିମ୍ନମାନର ଫଳ ବ୍ୟବହାର କରାଯାଇଥିବା ସୂଚୀତ କରିଥାଏ।
- ପ୍ରାୟତଃ ଫଳରସକୁ ଅଧିକ ଦିନ ସଂରକ୍ଷିତ ରଖିବା ପାଇଁ ଏଥିରେ ବିଭିନ୍ନ ପ୍ରକାରର ପ୍ରିଜର୍ଭେଟିଭ୍ ବ୍ୟବହାର କରାଯାଇଥାଏ ଯାହା ଏହାକୁ ସୁସ୍ୱାଦୁ ଓ ଅଧିକ ମିଠା କରିଥାଏ। ତେବେ ପ୍ରକ୍ରିୟାକରଣ ବେଳେ ଫଳରସର ସ୍ୱାଦ ବୃଦ୍ଧି କରିବା ପାଇଁ ଏଥିରେ କୁତ୍ରିମ ବାସନା ଓ ଶର୍କରା ମିଶା ଯାଇଥାଏ ଯାହା ଶରୀର ପକ୍ଷେ କ୍ଷତିକାରକ ଅଟେ।
- ବଜାରରେ ‘ପ୍ରିଜର୍ଭେଟିଭ୍ ମୁକ୍ତ’ ଫଳରସ ଉପଲବ୍ଧ ହେଉଛି, ଯେଉଁଥିରୁ ପ୍ରକ୍ରିୟାକରଣ ବେଳେ ଅମ୍ଳଜାନ ବାହାର କରିଦିଆଯାଏ। ଫଳରସରୁ ଅମ୍ଳଜାନ ଅପସାରଣ କରିବା ଦ୍ୱାରା ଏହାର ଗୁଣବତ୍ତା ହ୍ରାସ ପାଇଥାଏ।
ବଜାରରେ ଟେଟ୍ରା ପ୍ୟାକ୍ରେ ଉପଲବ୍ଧ ଫଳରସ ତୁଳନାରେ ଘରେ ପ୍ରସ୍ତୁତ କରାଯାଇଥିବା ତାଜା ଫଳରସର ଗୁଣବତ୍ତା ନିଶ୍ଚିତ ଭାବେ ଅଧିକ। ଯଦିଓ ଏଥିରେ ଭର୍ପୁର ଭିଟାମିନ ଓ ଆଣ୍ଟିଅକ୍ସିଡେଣ୍ଟ ତଥା ଅନ୍ୟ ପୋଷକତତ୍ତ୍ୱମାନ ମିଳିଥାଏ , ତେବେ ଏଥିରେ ତନ୍ତୁର ପରିମାଣ ଖୂବ୍ ନଗଣ୍ୟ। ଗୋଟିଏ ଗ୍ଲାସ୍ ଫଳରସ ଅର୍ଥାତ୍ 3-4ଟି ଫଳ। ଅର୍ଥାତ୍ ଅଧିକ ଶର୍କରା, ଅଧିକ କ୍ୟାଲୋରୀ କିନ୍ତୁ କମ୍ ତନ୍ତୁ। ଗୋଟିଏ ଗ୍ଲାସ୍ ଆପଲ୍ ଜୁସ୍ରୁ ୧୨୦କିଲୋକ୍ୟାଲୋରୀ ମିଳିଥାଏ ଯେତେବେଳେକି ଗୋଟିଏ ଏପଲ୍ ଖାଇଲେ ମାତ୍ର ୭୮କ୍ୟାଲୋରୀ ମିଳିଥାଏ। ଅପରପକ୍ଷରେ ତାଜାଫଳ ଖାଇଲେ ଶରୀରକୁ ଅଧିକ ତନ୍ତୁ ମିଳିଥାଏ ଯାହା ଦ୍ୱାରା ଅଧିକ ସମୟ ପର୍ଯ୍ୟନ୍ତ ଭୋକ ନିୟନ୍ତ୍ରଣ କରିବା ସମ୍ଭବ ହୁଏ, ଏହା ସହିତ ଏଥିରେ ଭିଟାମିନ୍ ଓ ଫ୍ଲାବିନୋଏଡ୍ ମଧ୍ୟ ରହିଛି ଯାହାକି ଶରୀରରେ ପୋଷକ ତତ୍ତ୍ୱକୁ ବୃଦ୍ଧି କରିବା ସହିତ ବିଭିନ୍ନ ଭୂତାଣୁ ଜନିତ ସଂକ୍ରମଣରୁ ଶରୀରକୁ ରକ୍ଷା କରିଥାଏ।
‘ଶତକଡା ୧୦୦ ପ୍ରତିଶତ ତାଜା ଫଳରସରୁ ପ୍ରସ୍ତୁତ’ ବୋଲି ବଜାରରେ ଉପଲବ୍ଧ ସମସ୍ତ ଫଳରସ ପ୍ୟାକେଟ୍ ଉପରେ ଉଲ୍ଲେଖ କରାଯାଇଥାଏ। ତେବେ ସତକଥା ହେଉଛି ଏଥିରେ ଫଳରସର ପରିମାଣ ମାତ୍ର ୨୫ ପ୍ରତିଶତ। ଏହାସହିତ ପ୍ରକ୍ରିୟାକରଣ ବେଳେ ଏଥିରେ ଥିବା ଉପକାରୀ ପୋଷକତତ୍ତ୍ୱ, ଭିଟାମିନ୍ ଆଦି ପ୍ରାୟତଃ ନଷ୍ଟ ହୋଇଯାଉଥିବା ବେଳେ ଏଥିରେ ଶର୍କରାର ପରିମାଣ ଅଧିକ ଥିବାରୁ ଏହା ଶରୀର ପାଇଁ ହାନୀକାରକ ହୋଇପାରେ। ପ୍ୟାକେଟ୍ରେ ଉପଲବ୍ଧ ଫଳରସ ତୁଳନାରେ ଘରେ ତାଜା ଫଲରୁ ସଙ୍ଗେସଙ୍ଗେ ରସ ବାହାର କରି ପିଇବା ଅଧିକ ଲାଭପ୍ରଦ ହେଲେ ସୁଦ୍ଧା ତାଜା ଫଳ ଖାଇବା ଯେ ସବୁଠାରୁ ସ୍ୱସ୍ଥ୍ୟପ୍ରଦ ସେଥିରେ ସନ୍ଦେହ ନାହିଁ।