ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ
କରୋନା ସହ ଏବେ ବି ଲଢ଼େଇ ଜାରି ରହିଛି। ହେଲେ ସୋଫିଆ ଜାଣିଛନ୍ତି, ସେ ଜିତିବେ ଓ କରୋନା ହାରିବ।
‘‘କ‘ଣ ହେଉଛି, ମୁଁ ଜାଣି ନଥିଲି। ମୁଁ ଯେତେବେଳେ ଡାକ୍ତରମାନଙ୍କୁ ପଚାରିଲି, ସେମାନେ କହିଥିଲେ ଯେ ସବୁକିଛି ଠିକ୍ ଅଛି।’’ କେରଳରେ ଜଣେ ୨୦ ବର୍ଷୀୟ ଡାକ୍ତରୀ ଛାତ୍ରୀ ସୋଫିଆ (ଛଦ୍ମ ନାମ) ଏହା କହିଛନ୍ତି। ଯିଏ ଭାରତର ପ୍ରଥମ କରୋନା ଆକ୍ରାନ୍ତ।
ସୋଫିଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ କହିନ୍ତି, ‘‘ମୋର ନମୁନା ଆସିବାରେ ବିଳମ୍ବ ହୋଇଥିଲା। ମତେ କେହି କିଛି କହୁ ନଥିଲେ। ମତେ ଗୋଟେ ରୁମ୍ରେ ଏକାନ୍ତ ଭାବେ ରଖାଯାଇଥିଲା। ଯେଉଁଠି ମୁଁ ଧୈର୍ଯ୍ୟ ଧରି ରହିଥିଲି। ହଠାତ୍ ମତେ ଏକ ମେସେଜ୍ ଆସିଥିଲା। ମୋର ଜଣେ ସାଙ୍ଗ ଟିଭି ନ୍ୟୁଜ୍ର ଏକ କ୍ଲିକ୍ ହ୍ଵାଟ୍ସଆପ୍ କରିଥିଲା।’’
ତାଙ୍କ ସାଙ୍ଗ ପଠାଇଥିବା ନ୍ୟୁଜ୍ କ୍ଲିକ୍ ଜଣେ ମେଡିକାଲ ଛାତ୍ରୀଙ୍କର ଥିଲା। ଯିଏକି ଉହାନରୁ ଆସିଥିଲେ ଓ ତାଙ୍କର କରୋନା ଟେଷ୍ଟ ପଜିଟିଭ୍ ଆସିଥିଲା। ସୋଫିଆ ସହଜରେ ଜାଣିଗଲେ ଯେ ଏ ନ୍ୟୁଜ୍ ଆଙ୍କର କହୁଥିବା ତଥ୍ୟ ଆଉ କାହା ବିଷୟରେ ନୁହେଁ ଖୋଦ୍ ତାଙ୍କ ବିଷୟରେ ହିଁ।
ସେ କହନ୍ତି, ‘‘ଟିଭି ନ୍ୟୁଜ୍ରୁ ମୁଁ ଜାଣିବାକୁ ପାଇଲି ଯେ ମୁଁ କରୋନା ସଂକ୍ରମିତ।’’
‘‘ନ୍ୟୁଜ୍ ଦେଖିବାର ଗୋଟେ ଘଣ୍ଟା ମଧ୍ୟରେ ଡାକ୍ତର ଆସିଲେ ଏବଂ କହିଲେ ମୁଁ କରୋନା ପଜିଟିଭ୍। ଆଉ ମତେ ହସ୍ପିଟାଲରେ ଅଧିକ ଦିନ ରହିବାକୁ ପଡ଼ିବ। ଡାକ୍ତରଙ୍କ କଥା ଶୁଣିକି ମୁଁ ଡରି ନଥିଲି। କାରଣ ମୁଁ ଠିକ୍ ଥିଲି। ଆଉ ମୁଁ ଜାଣିଛି ବହୁତ ଲୋକ ଏହି ଭୂତାଣୁରୁ ଠିକ୍ ବି ହେଉଛନ୍ତି’’, କହିଛନ୍ତି ସୋଫିଆ।
ତାଙ୍କୁ ଜଣାଥିଲା ଯେ ଏହି ଭୂତାଣୁ ବୃଦ୍ଧ ଓ ଶ୍ୱାସଜନିତ ସମସ୍ୟା ଥିବା ଲୋକଙ୍କ ପାଇଁ ବେଶି କ୍ଷତିକାରକ। ଏହାପରେ ପ୍ରଶାସନ ଆକ୍ସନ ମୋଡ୍ରେ ଆସି ତାଙ୍କୁ ଭାରତ ଆସିବା ପରେ ଭେଟିଥିବା ସମସ୍ତ ଲୋକଙ୍କ ବିଷୟରେ ପଚରାଉଚରା କରିଥିଲା।
ଆଇସୋଲେସନ୍ରେ ସୋଫିଆଙ୍କ ପୂରା ପରିବାର
‘‘ମୋ’ ଯୋଗୁଁ ମୋ’ ପରିବାରକୁ ବହୁ ପରିସ୍ଥିତିର ସାସ୍ନା କରିବାକୁ ପଡ଼ିଥିଲା। ମୋ’ ମା’ଙ୍କୁ ତ୍ରିଶୁର ମେଡିକାଲ କଲେଜ ହସ୍ପିଟାଲରେ ଏକାନ୍ତରେ ରଖାଗଲା। ମୋର ଓ ମା’ଙ୍କର ଗୋଟେ ସ୍ଥାନରେ ଚିକିତ୍ସା କରାଯାଉଥିଲା, ହେଲେ ଆମେ ଦୁହେଁ ପରଷ୍ପର ସହ ଭେଟ ହୋଇପାରୁ ନଥିଲୁ। ତାଙ୍କ ଭାଇ ଓ ବାପାଙ୍କୁ ମଧ୍ୟ ଘରେ ଆଇସୋଲେସନ୍ରେ ରଖାଯାଇଥିଲା।’’
ସୋଫିଆ କହନ୍ତି ଯେ ଭାଇରସକୁ ନେଇ ବୁଲେଇବା ଅପେକ୍ଷା ଏକାନ୍ତରେ ରହିବା ହିଁ ବୁଦ୍ଧିମାନର ପରିଚୟ। ମେଡିକାଲରେ ତାଙ୍କୁ ସାଧାରଣ ଖାଦ୍ୟ, ପାନୀୟ ଦିଆଯାଉଥିଲା। ତାଙ୍କ ରୁମ୍କୁ ଦୁଇ ଥର ସଫା କରାଯାଉଥିଲା। ଡାକ୍ତରମାନେ ପରୀକ୍ଷା ପାଇଁ ଆସିଲା ବେଳେ ପୂରା ପ୍ରୋଟେକ୍ସନରେ ଆସୁଥିଲେ। ଯେହେତୁ ସେ ଚୀନରେ ରହୁଥିଲେ, ଏହି ଭାଇରସ ବିଷୟରେ ଅବଗତ ଥିଲେ।
ଉହାନରେ ସୋଫିଆଙ୍କ ସଫର
ସୋଫିଆ ଗତ ତିନି ବର୍ଷ ଧରି ଉହାନରେ ଡାକ୍ତରୀ ଛାତ୍ରୀ ଭାବେ ଅଧ୍ୟୟନ କରୁଥିଲେ। ତାଙ୍କ କହିବାଅନୁସାରେ, ୯ ଜାନୁଆରି ଯାଏଁ ତାଙ୍କର କ୍ଲାସ୍ ଚାଲିଥିଲା। ଏହାପରେ ସେମାନେ ୪ ସପ୍ତାହ ଯାଏଁ ଛୁଟିରେ ରହିଥା’ନ୍ତେ। ସେତେବେଳକୁ ଚୀନରେ କରୋନା କାୟା ମେଲାଇ ଚାଲିଥିଲା।
‘’୨୦ ଜାନୁଆରି ବେଳକୁ ଆମେ ଜାଣିବାକୁ ପାଇଲୁ ଯେ କରୋନା ଭୂତାଣୁ ଦ୍ରୁତ ଗତିରେ ମାଡ଼ି ଚାଲିଛି। ମୁଁ ସେଠାରୁ ବାହାରିବା ପାଇଁ ନିଷ୍ପତ୍ତି ନେଲି ଓ ଫ୍ଲାଇଟ୍ ଟିକେଟ୍ ବୁକ୍ କଲି’’, କହିଛନ୍ତି ସୋଫିଆ।
ସହର ପୂରା ବନ୍ଦ ହେବା ପୂର୍ବରୁ ସୋଫିଆ ସେଠାରୁ ପଳାଇ ଆସିଥିଲେ। ଉହାନରୁ ଫେରି ସେ କୋଲକତା ଏୟାରପୋର୍ଟରେ ପହଞ୍ଚିଥିଲେ ଓ ସେଠାରୁ କୋଚି ପାଇଁ ଅନ୍ୟ ଏକ ଫ୍ଲାଇଟ୍ ଧରିଥିଲେ।
ସ୍କ୍ରିନିଂରେ ମିଳିଲାନି କୌଣସି ଲକ୍ଷଣ
କୋଲକତା ଏୟାରପୋର୍ଟ ଓ କୋଚି ଏୟାର ପୋର୍ଟରେ ଥର୍ମାଲ ସ୍କ୍ରିନିଂ ସୋଫିଆଙ୍କର କରାଯାଇଥିଲା। ହେଲେ କୌଣସି ଲକ୍ଷଣ ବାହାରି ନଥିଲା। ଗୋଟେ ଦିନ ପରେ ବେଜିଂସ୍ଥିତ ଭାରତୀୟ ଦୂତବାସ ପକ୍ଷରୁ ମେସେଜ୍ ଆସିଥିଲା ଯେ, କୌଣସି ବ୍ୟକ୍ତି ଚୀନରୁ ବାହାରକୁ ଯାଉଛନ୍ତି ସେମାନେ ସେମାନଙ୍କ ମେଡିକାଲ ଚେକ୍ଅଫ୍ କରାଇ ନିଅନ୍ତୁ।
ଏହି ମେସେଜ୍ ପରେ ସୋଫିଆ ତାଙ୍କ ଚେକ୍ଅପ୍ କରିଥିଲେ ଓ କୌଣସି ଭୂତାଣୁର ଳକ୍ଷଣ ବାହାରି ନଥିଲା। ହେଲେ ୨ ଦିନ ପରେ ଜାନୁଆରି ମାସ ୨୭ ତାରିଖ ବେଳକୁ ତାଙ୍କ ତଣ୍ଟି କାଟିବା ଆରମ୍ଭ କରିଥିଲା। ସେ ତୁରନ୍ତ ହସ୍ପିଟାଲରେ ଆଡ୍ମିଟ୍ ହୋଇଥିଲେ ଏବଂ ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା।
ନିଜ ଉପରେ ଥିଲା ଭରସା
ପାଖାପାଖି ୨୦ ଦିନ ଯାଏଁ ସୋଫିଆଙ୍କୁ ଗୋଟେ ଛୋଟ ରୁମ୍ରେ ରହିବାକୁ ପଡ଼ିଥିଲା। କେବଳ ଗୋଟେ ଛୋଟ ଝରକା ଥିଲା ସୋଫିଆଙ୍କ ସାହାରା। ସୋଫିଆ ସେହି ଝରକା ବାଟେ ହିଁ ଯାହା ସୂର୍ଯ୍ୟର ଆଲୋକ ଦେଖିପାରୁଥିଲେ।
‘‘ମୋର ନିଜ ଉପରେ ଦୃଢ଼ ବିଶ୍ୱାସ ଥିଲା। ମୋର ରୋଗପ୍ରତିରୋଧକ ଶକ୍ତି କରୋନାକୁ ନିଶ୍ଚିତ ହରାଇବ। ମୋର ଜୀବନରେ ଏହା ଏକ ନୂଆ ଅନୁଭବ। ମତେ ମୋର ନୁହଁ, ମୋ’ ପରିବାରର ଚିନ୍ତା ଅଧିକ ଥିଲା’’, କହିଛନ୍ତି ସୋଫିଆ।
ଏବେ ବି ସୋଫିଆ ଦୃଢ଼ତାର ସହ କହୁଛନ୍ତି ଯେ, ଯେବେ ପରିସ୍ଥିତି ଠିକ୍ ହୋଇଯିବ ସେ ପୁଣି ଉହାନ ଯିବେ ଓ ତାଙ୍କର ମେଡିକାଲ କୋର୍ସ ଶେଷ କରିବେ।