ଅଧିକ ପଢ଼ନ୍ତୁ: ରାତିରେ କଦଳୀ ଖାଇବା କେତେ ଠିକ୍‌?

ବର୍ତ୍ତମାନ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଲୋକଙ୍କର ଖାଇବା ପିଇବାରେ ଏପଟସେପଟ ହେଉଛି। ସାଧାରଣତଃ ଆମେ ସକାଳେ ଅଧିକ ଖାଇବା ଦରକାର, ଦ୍ଵିପହରେ ତା’ଠୁ ଅଳ୍ପ ଓ ରାତିରେ ପୂରା କମ୍‌ ମାତ୍ରାରେ ଖାଇବା ଜରୁରୀ। ହେଲେ ଆଜିକାଲି ଲୋକେ ବ୍ରେକ୍‌ଫାଷ୍ଟରେ ବିଲକୁଲ ଖାଉ ନାହାନ୍ତି, ଦ୍ୱିପହରେ ଅଳ୍ପ ଖାଉଛନ୍ତି ଓ ରାତିରେ ରେଷ୍ଟୁରାଣ୍ଟ ଯାଇ ଅଧିକ ତେଲ ମସଲା ଖାଦ୍ୟ ପେଟ ପୂର୍ଣ୍ଣ କରି ଖାଇଥାଆନ୍ତି। ବିଶେଷଜ୍ଞଙ୍କ କହିବାନୁସାରେ ରାତି ବେଳେ ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ କରିବା ଦରକାର। କାରଣ ରାତିରେ ଖାଦ୍ୟ ହଜମ ହେବାର ଅସୁବିଧା ହୋଇଥାଏ, ଫଳରେ ରାତିରେ ଭଲ ନିଦ ହୁଏ ନାହିଁ, ଗ୍ୟାସ୍‌ ଏବଂ ଏସିଡିଟି ଭଳି ସମସ୍ୟା ହୋଇଥାଏ। ଆସନ୍ତୁ ଜାଣିବା ରାତିରେ କେଉଁ ଭଳି ଖାଦ୍ୟ ଖାଇବା ଦରକାର?

ରାତି ୮ଟା କିମ୍ବା ସାଢ଼େ ୮ଟା ଭିତରେ ରାତି ଖାଇବା ସାରନ୍ତୁ। ଖାଇବାର ଦୁଇ ଘଣ୍ଟା ପରେ ଶୁଅନ୍ତୁ। କାରଣ ଖାଇବାର ସଙ୍ଗେ ସଙ୍ଗେ ଶୋଇବା ଦ୍ୱାରା କ୍ୟାଲୋରିଗୁଡ଼ିକ ଚର୍ବି ହୋଇ ଜମା ହୁଏ, ଫଳରେ ମୋଟାପା ଦେଖାଦେଇଥାଏ।

ରାତିରେ ହାଲକା, କମ୍‌ କ୍ୟାଲୋରି ଏବଂ ଚର୍ବି ଓ ତେଲ ମସଲା କମ୍‌ ଥିବା ଖାଦ୍ୟ ଖାଆନ୍ତୁ। ତେଣୁ, ରାତିରେ ରୁଟି, ସନ୍ତୁଳା, ସାଲାଡ୍‌, ଡାଲି ଏବଂ ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଆନ୍ତୁ। 

କମ୍ ଖାଆନ୍ତୁ 

ସାଧାରଣତଃ ରାତି ଭୋଜନରେ ଖାଦ୍ୟର ପରିମାଣ କମ୍‌ କରିବା ଦରକାର। ରାତିରେ ଶରୀର ବିଶ୍ରାମ ନେଇଥାଏ ସେଥିପାଇଁ ହାଲକା ଖାଦ୍ୟ ଖାଇଲେ ହଜମ କରିବାରେ ଶରୀରକୁ ସହଜ ହୋଇଥାଏ। 

ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ 

ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରର ଚର୍ବୀ ବଢ଼ିଯାଇଥାଏ। ରାତିରେ ଶରୀର ଅଧିକ ଚଲାବୁଲା କରେ ନାହିଁ, ତେଣୁ ଅଧିକ ଚର୍ବୀ ବଢ଼ିବାର ସମ୍ଭାବନା ରହିଛି।

ରାତିରେ ଆମିଷ ଖାଆନ୍ତୁ ନାହିଁ

ରାତିରେ ଆମିଷ କିମ୍ବା ଉତ୍ତେଜକ ଖାଦ୍ୟ ଖାଇବା ଦ୍ଵାରା ଶରୀରରେ ତାହା ଫ୍ୟାଟ୍‌ ହୋଇ ଜମା ହୋଇଯାଏ। ଏହାଛଡ଼ା ରାତିରେ ଆମିଷ ଖାଇଲେ ଆମ୍ବିଳା ହେକୁଡ଼ି, ବଦ୍‌ହଜମୀ ଭଳି ସମସ୍ୟା ହୋଇଥାଏ।

କଫି କି ଚା’ ପିଅନ୍ତୁ ନାହିଁ 

ସନ୍ଧ୍ୟା ପରେ ଚା’ କଫି ପିଇଲେ ନିଦରେ ବ୍ୟାଘାତ ସୃଷ୍ଟି ହୋଇଥାଏ। କାରଣ ଚା’ ଓ କଫିରେ କ୍ୟାଫେନ୍‌ ମାତ୍ରା ଅଧିକ ଥାଏ, ଯାହା ନିଦ ହେବାରେ ସମସ୍ୟା ସୃଷ୍ଟି କରେ। ତେଣୁ ଶୋଇବା ପୂର୍ବରୁ ଚା’ କିମ୍ବା କଫି ପିଅନ୍ତୁ ନାହିଁ।