ଜନ୍ମର ୬ ମାସରୁ ୨ ବର୍ଷ ପର୍ଯ୍ୟନ୍ତ ଶିଶୁକୁ କିପରି ଖାଦ୍ୟ ଖୁଆଇବା ଆବଶ୍ୟକ? ଆସନ୍ତୁ ଜାଣିବା।
ଜନ୍ମରୁ ୬ ମାସ ପର୍ଯ୍ୟନ୍ତ ଶିଶୁକୁ ସ୍ତନ୍ୟପାନ କରାଇବା ଜରୁରୀ। ସ୍ତନ୍ୟପାନ କରିବା ଦ୍ୱାରା ଶିଶୁର ଶାରୀରିକ ଏବଂ ମାନସିକ ବିକାଶ ହୋଇଥାଏ। ୬ ମାସଠାରୁ ୨ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କର ଖାଦ୍ୟକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ ଥାଆନ୍ତି।
ଛୋଟ ପିଲାମାନେ ସୁସ୍ଥ, ଶକ୍ତିଶାଳୀ ଏବଂ ସ୍ମାର୍ଟ ହେବା ପାଇଁ ପ୍ରତିଦିନ ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ଆବଶ୍ୟକ କରନ୍ତି। ଜନ୍ମଠାରୁ ପ୍ରାୟ ୨ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଶିଶୁଙ୍କୁ ମାନସିକ ଏବଂ ଶାରୀରିକ ଭାବେ ମଜଭୁତ ରଖିବା ପାଇଁ ପୋଷଣଯୁକ୍ତ ଖାଦ୍ୟ ଖୁଆଇବା ନିହାତି ଜରୁରୀ। ଉପଯୁକ୍ତ ପୃଷ୍ଟିକର ଖାଦ୍ୟ ଖାଇଲେ ପିଲାର ଶାରୀରିକ ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ହାଡ଼ ଶକ୍ତ ହୋଇଥାଏ। ସଠିକ ପୋଷଣ ପିଲାଦିନର ମେଦବହୁଳତା ହ୍ରାସ କରିବାରେ
ସାହାଯ୍ୟ କରିଥାଏ।
୬ ରୁ ୮ ମାସ
୬ ରୁ ୮ ମାସ ବୟସର ଶିଶୁ ଦିନକୁ ପ୍ରାୟ ୪ ରୁ ୬ ଥର ଖାଦ୍ୟ ଖାଇଥାଆନ୍ତି। କିନ୍ତୁ ଜନ୍ମର ପ୍ରଥମ ମାସ ଅପେକ୍ଷା ଏହି ମାସରେ ପିଲାମାନଙ୍କ ଖାଦ୍ୟର ମାତ୍ରା ସାମାନ୍ୟ ବଢ଼ିଥାଏ।
ଆପଣ ୬ ମାସ ବୟସରେ ଶିଶୁକୁ କଠିନ ଖାଦ୍ୟ ଦେବା ଆରମ୍ଭ କରିପାରିବେ।
ସ୍ତନ୍ୟପାନରୁ ପର୍ଯ୍ୟାପ୍ତ ପରିମାଣର ଲୌହ ମିଳିପାରିନଥାଏ। ତେଣୁ ୬ ମାସ ପରେ ଶିଶୁଙ୍କୁ ଲୌହଯୁକ୍ତ ଖାଦ୍ୟ ଦିଅନ୍ତୁ। ଲୌହଯୁକ୍ତ ଖାଦ୍ୟକୁ କ୍ଷୀର ସହ ମିଶାଇ ପତଳା ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ଆପଣ ଦିନରେ ୨ ଥର ଛୁଆକୁ ଖୁଆଇପାରିବେ। ଶିଶୁର ବୟସ ବଢ଼ିବା ସହିତ ଆପଣ ଏହି ମିଶ୍ରିତ ଖାଦ୍ୟକୁ ବହଳିଆ କରି ଖାଇବାକୁ ଦେଇପାରିବେ।
ଏହି ବୟସରେ ଆପଣ ପିଲାକୁ ଫଳ ଏବଂ ସବୁଜ ପନିପରିବା ଖୁଆନ୍ତୁ। ସବୁଜ ମଟର, ଗାଜର, ମିଠା ଆଳୁ, ବନ୍ଧାକୋବି ଖାଦ୍ୟରେ ଦେଇପାରିବେ।
୭ ମାସ ବୟସରେ ପିଲାମାନଙ୍କର ହଜମ ଠିକ କରିବା ପାଇଁ ଡାଲି ପାଣି ଦେଇପାରିବେ। ସେଓ ସିଝା ଖାଇବା ଦ୍ୱାରା ସେମାନଙ୍କର ପେଟରେ କୌଣସି ସମସ୍ୟା ଦେଖାଦେଇନଥାଏ।
ଶିଶୁର ଓଜନରେ ପରିବର୍ତ୍ତନ ଆସିଲେ, ଶିଶୁ ତାର ମୁଣ୍ଡ ଏବଂ ବେକର ଗତିରେ ନିୟନ୍ତ୍ରଣ ଆସିଲେ କିମ୍ବା ଶିଶୁ ବସିବା ଆରମ୍ଭ କଲେ ଆପଣ କଠିନ ଖାଦ୍ୟ ଖାଇବାକୁ ଦେଇପାରିବେ।
ଏହି ବୟସରେ ଅଧିକାଂଶ ପିଲାଙ୍କର ପାଟି ଖୋଲିନଥାଏ। ତେଣୁ ସେମାନେ ଇଙ୍ଗିତ ମାଧ୍ୟମରେ ଅନ୍ୟମାନେ ଖାଉଥିବା ଖାଦ୍ୟ ଖାଇବାକୁ ଇଚ୍ଛା କରିଥାଆନ୍ତି। ପିଲାର ମନ ଅନୁସାରେ ପିଲାକୁ ଆପଣଙ୍କ ଖାଦ୍ୟରୁ କିଛି ଖାଦ୍ୟ ଖାଇବାକୁ ଦେଇପାରିବେ।
ମନେରଖନ୍ତୁ, ଛୁଆଙ୍କୁ ଏହି ବୟସରେ ମହୁ ଖାଇବାକୁ ଦିଅନ୍ତୁ ନାହିଁ। ମହୁରେ ବଟୁଲିଜମ ଜୀବାଣୁ ରହିଥାଏ ଯାହା ଶିଶୁର ସ୍ୱାସ୍ଥ୍ୟ ପ୍ରତି ହାନିକରକ ହୋଇଥାଏ।
ଶିଶୁ ୧ ବର୍ଷ ବୟସ ପର୍ଯ୍ୟନ୍ତ ଗାଈ କ୍ଷୀର ଦିଅନ୍ତୁ ନାହିଁ। ୧ ବର୍ଷରୁ କମ ବୟସର ପିଲା ଗାଈ କ୍ଷୀର ହଜମ କରିପାରନ୍ତି ନାହିଁ।
ଲାକ୍ଟୋଜେନ କିମ୍ବା କୌଣସି ତରଳ ଖାଦ୍ୟ ପିଲାକୁ ଦେବା ପରେ ସେମାନଙ୍କ ମୁହଁରୁ ବୋତଲ କାଢ଼ି ନିଅନ୍ତୁ। ଅଧିକ ସମୟ ପାଟିରେ ବୋତଲ ରହିଲେ ଦାନ୍ତ କ୍ଷୟ ହୋଇଥାଏ।
ଆପଣଙ୍କ ଶିଶୁକୁ ଖାଇବାକୁ ଦେବାବେଳେ ଏକ ଛୋଟ ଚାମଚ ବ୍ୟବହାର କରନ୍ତୁ। ଚାମଚରେ ଖାଇବା ଦ୍ୱାରା ସଠିକ ଖାଦ୍ୟ ଶରୀର ମଧ୍ୟକୁ ଯାଇଥାଏ। ଖାଇବା ସମୟରେ ଧୀରେ ଧୀରେ ପିଲାକୁ ପାଣି ଦେବା ଆରମ୍ଭ କରନ୍ତୁ। ଖାଦ୍ୟରେ ଲୁଣ କିମ୍ବା ଚିନି ମିଶାନ୍ତୁ ନାହିଁ।
୮ ରୁ ୧୨ ମାସ ବୟସ
୮ ରୁ ୧୨ ବୟସରେ ଆପଣ ଅଳ୍ପ ପରିମାଣରେ କଠିନ ଖାଦ୍ୟ ଦେଇପାରିବେ। ଏହି ବୟସରେ ପିଲାମାନେ ଚାମଚରେ ଖାଇବା ଅପେକ୍ଷା ନିଜ ହାତରେ ଖାଇବାକୁ ପସନ୍ଦ କରିଥାନ୍ତି।
ଖାଦ୍ୟରେ କ’ଣ ଦେଇପାରିବେ?
ନରମ ରନ୍ଧା ପନିପରିବା
ଚୋପାଯୁକ୍ତ ଫଳ ଧୋଇ କରି ଦିଅନ୍ତୁ।
ନୁଡୁଲ୍ସ
ବିସ୍କୁଟକୁ ପାଣିରେ ଓଦା କରି ଦିଅନ୍ତୁ।
କଟା ସେଓ,ଅଙ୍ଗୁର, ବିରି, କିସମିସ୍, ଶୁଖିଲା ଫ୍ଲେକ୍ ଶସ୍ୟ, ସସ୍, କଦଳୀ ବଟା, ପପକର୍ଣ୍ଣ, ବାଦାମ, ମଞ୍ଜି ଏବଂ କଞ୍ଚା ପନିପରିବା ଖାଇବାକୁ ଦିଅନ୍ତୁ ନାହିଁ। ଏହା ଆପଣଙ୍କ ପିଲାର ତଣ୍ଟିରେ ଲାଗିଯାଇ ବିଭିନ୍ନ ସମସ୍ୟା ହୋଇପାରେ।
ପିଲାଙ୍କୁ ସପ୍ତାହରେ ୩ ରୁ ୪ ଥର ଅଣ୍ଡାର ହଳଦିଆ କେଶର ଖାଇବାକୁ ଦେଇପାରିବେ। କେତେକ ଶିଶୁ ଅଣ୍ଡାର ଧଳା ଅଂଶ ଖାଇବାକୁ ପସନ୍ଦ କରନ୍ତି। ତେଣୁ ୧ ବର୍ଷ ବୟସ ପର୍ଯ୍ୟନ୍ତ କେବଳ କେଶର ହିଁ ଖାଇବାକୁ ଦିଅନ୍ତୁ। ଆପଣ ଅଳ୍ପ ପରିମାଣର ପନିର, କୁଟିଜ ପନିର, ଏବଂ ଦହି ଦେଇପାରିବେ। କିନ୍ତୁ ଗାଈ କ୍ଷୀର ପିଇବାକୁ ଦିଅନ୍ତୁ ନାହିଁ।
୧ ବର୍ଷ ବୟସ
୧ ବର୍ଷ ବୟସରେ, ଆପଣ ସ୍ତନ୍ୟପାନ କିମ୍ବା ବୋତଲ କ୍ଷୀର ବ୍ୟତୀତ ଗାଈ କ୍ଷୀର ଖାଇବାକୁ ଦିଅନ୍ତୁ। ଗାଈ କ୍ଷୀର ସହ ସ୍ତନ୍ୟପାନ କରାଇବା ଭଲ। ଏହି ବୟସରେ ଶିଶୁକୁ ପ୍ରୋଟିନ୍, ଫଳ ଏବଂ ପନିପରିବା, ରୁଟି ଏବଂ ଶସ୍ୟ, ଏବଂ ଦୁଗ୍ଧ ଜାତୀୟ ଖାଦ୍ୟ ଦିଅନ୍ତୁ। ପିଲା ଚାଲିବା ଆରମ୍ଭ କରିଲେ ଏବଂ ଅଧିକ ସକ୍ରିୟ ହୋଇଗଲେ ସେମାନଙ୍କୁ ଦିନକୁ ୪ ରୁ ୬ ଥର ଖାଇବାକୁ ଦିଅନ୍ତୁ।
ଯଦି ପିଲା କୌଣସି ଖାଦ୍ୟକୁ ନାପସନ୍ଦ କରୁଛି ତେବେ ଏହାକୁ ପୁନର୍ବାର ଦେବାକୁ ଚେଷ୍ଟା କରନ୍ତୁ। ଅନେକ ସମୟରେ ପିଲାମାନେ ନୂଆ ଖାଦ୍ୟ ଗ୍ରହଣ କରିବାକୁ ରାଜି ହୋଇନଥାନ୍ତି।
ପିଲାକୁ ମିଠା କିମ୍ବା ମିଠା ପାନୀୟ ଦିଅନ୍ତୁ ନାହିଁ। ଏହା ସେମାନଙ୍କର ଭୋକକୁ ନଷ୍ଟ କରିବା ସହ ଦାନ୍ତ କ୍ଷୟ କରିପାରେ।ମୃଦୁ ପାନୀୟ, କଫି, ଚା, ଏବଂ ଚକୋଲେଟ ସହିତ ଲୁଣ, ଶକ୍ତିଶାଳୀ ମସଲା ଏବଂ କଫିନ୍ ଉତ୍ପାଦରୁ ଦୂରେଇ ରୁଖନ୍ତୁ।
୨ ବର୍ଷ ବୟସ
ଆପଣଙ୍କ ପିଲା ୨ ବର୍ଷ ହେବା ପରେ, ଖାଦ୍ୟରେ ଚର୍ବିର ମାତ୍ରା କମ ହେବା ଉଚିତ। ଅଧିକ ଚର୍ବିଯୁକ୍ତ ଖାଦ୍ୟ ହୃଦଘାତ, ମେଦବହୁଳତା ଏବଂ ଜୀବନରେ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ରୁଟି ଏବଂ ଶସ୍ୟ, ପ୍ରୋଟିନ୍, ଫଳ ଏବଂ ପନିପରିବା ଓ ଦୁଗ୍ଧ ଖାଇବାକୁ ଦିଅନ୍ତୁ। ସେମାନଙ୍କୁ ରନ୍ଧା ଶାଗ ଏବଂ ସିଝା ମାଂସ ଖାଇବାକୁ ଦିଅନ୍ତୁ। ୨ ବର୍ଷ ପରେ ଆପଣ ପିଲାକୁ ସାଧାରଣ ଖାଦ୍ୟ ଖାଇବାକୁ ଦେଇପାରିବେ।