କାହିଁକି ହୁଏ କିଡ୍ନି ଷ୍ଟୋନ୍? କେମିତି ହୁଏ ଏହାର ଚିକିତ୍ସା? ଏନେଇ ବିଶିଷ୍ଟ ନେଫ୍ରୋଲୋଜିଷ୍ଟ ଡାକ୍ତର ଦେବ ପ୍ରସାଦ କର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
- କିଡ୍ନି ଷ୍ଟୋନ୍ କ’ଣ ଓ ଏହା କେତେ ପ୍ରକାର?
- କିଡ୍ନି ଷ୍ଟୋନ୍ର କାରଣ
- କିଡ୍ନି ଷ୍ଟୋନ୍ର ଲକ୍ଷଣ
- କିଡ୍ନି ଷ୍ଟୋନ୍ର ପରୀକ୍ଷା
- କିଡ୍ନି ଷ୍ଟୋନ୍ର ଚିକିତ୍ସା
- କିଡ୍ନି ଷ୍ଟୋନ୍ର ନିରାକରଣ
- ସୁସ୍ଥ କିଡ୍ନି ପାଇଁ ଡାକ୍ତରଙ୍କ ପରାମର୍ଶ
ଆମ ଶରୀରରେ ଦୁଇଟି କିଡ୍ନି ରହିଛି। ରକ୍ତରେ ଥିବା ବର୍ଜ୍ୟ ବସ୍ତୁକୁ ଛାଣି ଶରୀରରୁ ନିଷ୍କାସନ କରିବା ହେଉଛି କିଡ୍ନିର ମୁଖ୍ୟ କାମ।
ଅନେକ ସମୟରେ କିଡ୍ନି ମଧ୍ୟରେ ବିଭିନ୍ନ ପଦାର୍ଥ ଜମା ହୋଇ ଛୋଟ ଛୋଟ ପଥର ଆକାର ନେଇଥାଏ। ଏହି ପଦାର୍ଥଗୁଡ଼ିକ ଧୀରେ ଧୀରେ ଜମା ହୋଇ ଶେଷରେ କିଡ୍ନିର ରାସ୍ତାକୁ ଅବରୋଧ କରିଥାଏ। ଏହାକୁ କିଡନି ଷ୍ଟୋନ୍ କୁହାଯାଏ।
ପ୍ରତିଦିନ ଆମେ ବିଭିନ୍ନ ପ୍ରକାର ଖାଦ୍ୟ, ବିଭିନ୍ନ ପ୍ରକାର ଔଷଧ ସେବନ କରୁଛେ। ଏସବୁ ଶରୀର ଭିତରେ ମେଟାବୋଲିଜିମ୍ ହେଉଛି ଏବଂ ଏଥିରୁ ଟକ୍ସିନ୍ ବାହାରୁଛି। ଏହି ଟକ୍ସିନ ଶରୀର ପାଇଁ କ୍ଷତିକାରକ ହୋଇଥାଏ।
କିଡ୍ନିରୁ ରିଥ୍ରୋପୋଏଟିନ୍ ନାମକ ହରମୋନ୍ ବାହାରେ, ଯାହାକି ରକ୍ତ ତିଆରି କରିବାରେ ସାହାଯ୍ୟ କରିଥାଏ। କିଡ୍ନି ଫେଲ୍ୟୁୟର ହେଲେ ରିଥ୍ରୋପୋଏଟିନ୍ ହରମୋନ୍ ତିଆରି ହେବା କମିଯାଏ ଓ ରକ୍ତ ତିଆରି କମିଯାଏ। ରକ୍ତ ପରିସ୍କାର କରିବାଠାରୁ ଆରମ୍ଭ କରି ଶରୀରରେ କ୍ୟାଲସିୟମ୍, ଫସ୍ଫରସ୍ର ସ୍ତରକୁ ନିୟନ୍ତ୍ରଣ କରିବା, ରକ୍ତର ପିଏଚ୍ ସ୍ତର ସନ୍ତୁଳିତ ରଖିବା ଏବଂ ରକ୍ତ ତିଆରି କରିବା ହେଉଛି କିଡ୍ନିର ମୂଖ୍ୟ କାମ।
ଅଧିକ ପଢ଼ନ୍ତୁ: ଅତ୍ୟଧିକ ପେନ୍କିଲର ଖାଇବା ହୋଇପାରେ କିଡ୍ନି ଫେଲ୍ୟୁଅରର କାରଣ
କିଡ୍ନି ଷ୍ଟୋନ୍ କ’ଣ ଓ ଏହା କେତେ ପ୍ରକାର? (What is a kidney stone & types of kidney stones)
ବେଳେ ବେଳେ କିଡ୍ନିରେ କେତେଗୁଡ଼ିଏ କ୍ରିଷ୍ଟାଲ ଭଳି ଜମା ହୋଇଯାଏ, ଯାହାକୁ ଆମେ କିଡ୍ନି ଷ୍ଟୋନ୍ କହିଥାଉ। କିଡ୍ନି ଷ୍ଟୋନ୍ କିଡ୍ନିରେ ସୃଷ୍ଟି ହୋଇଥାଏ। କିନ୍ତୁ କେତେକ କ୍ଷେତ୍ରରେ ଷ୍ଟୋନ୍ ୟୁରେଟର, ବ୍ଲାଡର କିମ୍ବା ୟୁରେଥ୍ରାରେ ମଧ୍ୟ ହୋଇପାରେ।
କିଡ୍ନି ଷ୍ଟୋନ୍ କେତେ ପ୍ରକାରର ଜାଣନ୍ତୁ
କ୍ୟାଲ୍ସିୟମ୍ ଅକ୍ସାଲାଇଟ୍ ଷ୍ଟୋନ୍: ଅକ୍ସାଲାଇଟ୍ ଜାତୀୟ ଖାଦ୍ୟ ଅଧିକ ଖାଇଲେ କ୍ୟାଲ୍ସିୟମ୍ ଅକ୍ସାଲାଇଟ୍ ଷ୍ଟୋନ୍ ସୃଷ୍ଟି ହୁଏ। ବିଟ୍ରୁଟ୍, ଚକୋଲେଟ୍ ଆଦି ଅଧିକ ଖାଉଥିବା ଲୋକଙ୍କର କ୍ୟାଲ୍ସିୟମ୍ ଅକ୍ସାଲାଇଟ୍ ଷ୍ଟୋନ୍ ହେବାର ଆଶଙ୍କା ଥାଏ।
କ୍ୟାଲସିୟମ୍ ଫସ୍ଫେଟ୍ ଷ୍ଟୋନ୍: ବିନା ଡାକ୍ତରଙ୍କ ପରାମର୍ଶରେ ଯେଉଁମାନେ ଅଧିକ କ୍ୟାଲସିୟମ୍ ଔଷଧ ଖାଇଥା’ନ୍ତି, ସେମାନଙ୍କଠାରେ କ୍ୟାଲସିୟମ୍ ଫସ୍ଫେଟ୍ ଷ୍ଟୋନ୍ ହେବାର ଆଶଙ୍କା ଥାଏ।
ୟୁରିକ୍ ଏସିଡ୍ ଷ୍ଟୋନ୍: ଯେଉଁ ଲୋକମାନଙ୍କର ରକ୍ତରେ ୟୁରିକ୍ ଏସିଡ୍ ପରିମାଣ ଅଧିକ ଥାଏ, ସେମାନଙ୍କୁ ୟୁରିକ୍ ଏସିଡ୍ ଷ୍ଟୋନ୍ ହେବାର ଆଶଙ୍କା ଥାଏ। କାରଣ ରକ୍ତରେ ଥିବା ୟୁରିକ୍ ଏସିଡ୍ ସଫା ହୋଇ କିଡ୍ନିରେ ଜମା ହେଲେ ୟୁରିକ୍ ଏସିଡ୍ ଷ୍ଟୋନ୍ ହୋଇଥାଏ।
ସିଷ୍ଟାଇନ୍ ଷ୍ଟୋନ: ଏହି ଷ୍ଟୋନ୍ ବଂଶଗତ କାରଣରୁ ହୋଇଥାଏ। କିଡ୍ନିରେ ସିଷ୍ଟାଇନ୍ର ମାତ୍ରା ବଢ଼ିଗଲେ ଏହି ପ୍ରକାର ଷ୍ଟୋନ୍ ହୋଇଥାଏ।
ଷ୍ଟୁଭାଇଟ୍ ଷ୍ଟୋନ୍: ଏହି ଷ୍ଟ୍ରୋନ୍ ସାଧାରଣତଃ ସଂକ୍ରମଣ ଯୋଗୁଁ ତିଆରି ହୋଇଥାଏ। ବାରମ୍ବାର ସଂକ୍ରମଣ ହେଲେ ଏହି ଷ୍ଟୋନ୍ ହୋଇପାରେ। ଏହି ଷ୍ଟୋନ୍ ବଡ଼ ଆକାରର ହୋଇଥାଏ।
ଅଧିକ ପଢ଼ନ୍ତୁ: ଲକ୍ଷଣରୁ ଜାଣନ୍ତୁ କିଡ୍ନି ସୁସ୍ଥ କି ଅସୁସ୍ଥ
କିଡ୍ନି ଷ୍ଟୋନ୍ର କାରଣ (Causes of kidney stone)
କିଡ୍ନି ଷ୍ଟୋନ୍ର ମୁଖ୍ୟ କାରଣ ହେଉଛି ଡିହାଇଡ୍ରେସନ୍। ବହୁତ ଲୋକମାନେ ପାଣି କମ୍ ପିଅନ୍ତି। ଏହାଦ୍ୱାରା କିଡ୍ନିରେ ଯେଉଁ କ୍ରିଷ୍ଟାଲ ଜମା ହୁଏ ସେଗୁଡ଼ା ୟୁରିନ୍ ବାଟରେ ବାହାରିପାରେ ନାହିଁ।
ଲୁଣ ଅଧିକ ଖାଇବା ଦ୍ୱାରା କିଡ୍ନି ଷ୍ଟୋନ୍ ସୃଷ୍ଟି ହୋଇଥାଏ।
ଅଧିକ ପ୍ରୋଟିନ୍ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କିଡ୍ନିରେ ଷ୍ଟୋନ୍ ହେବାର ଆଶଙ୍କା ଅଧିକ ଥାଏ।
ଅକ୍ସାଲେଟ୍ ଜାତୀୟ ଖାଦ୍ୟ ଯେପରିକି ଚକୋଲେଟ୍, ବିଟ୍, ପାଳଙ୍ଗ ଅଧିକ ଖାଇବା ଦ୍ୱାରା କିଡ୍ନିରେ ଷ୍ଟୋନ୍ ହୋଇପାରେ।
ବଂଶଗତ କାରଣରୁ ବି ଷ୍ଟୋନ୍ ହୋଇପାରେ।
କିଡ୍ନି ଷ୍ଟୋନ୍ର ଲକ୍ଷଣ (Symptoms of kidney stones)
କିଡ୍ନିରେ ଷ୍ଟୋନ୍ ହେଲେ ଅଣ୍ଟା ପାଖ ବିନ୍ଧା ହୁଏ।
ବାନ୍ତି ଲାଗିବା କିମ୍ବା ବାନ୍ତି ହେବା।
ଜ୍ୱର ହେବା।
ପରିସ୍ରାରେ ରକ୍ତ ପଡ଼ିପାରେ।
କିଡ୍ନି ଷ୍ଟୋନ୍ର ପରୀକ୍ଷା (How to test for Kidney stones)
କିଡ୍ନି ଷ୍ଟୋନ୍ ଜାଣିବାକୁ ହେଲେ ରକ୍ତ ପରୀକ୍ଷା କରି କ୍ୟାଲସିୟମ୍, ଫସ୍ଫରସ୍, ଇଲେକ୍ଟ୍ରୋଲାଇଟ୍, ୟୁରିକ୍ ଏସିଡ୍ ସ୍ତର, ପାରାଥାଇରଏଡ୍ ହରମୋନ୍ ସ୍ତର ପରୀକ୍ଷା କରିବାକୁ ହୋଇଥାଏ। ଏହାଛଡ଼ା ପରିସ୍ରାର ବି ପରୀକ୍ଷା କରାଯାଏ। ୨୪ ଘଣ୍ଟା ମଧ୍ୟରେ ଯେତିକି ପରିସ୍ରା ଯାଉଛି, ସେଥିରେ କେତେ ମାତ୍ରାରେ କ୍ୟାଲସିୟମ୍, ଫସ୍ଫରସ୍, ୟୁରିକ୍ ଏସିଡ୍, ଅକ୍ସାଲାଇଟ୍ ସ୍ତର, ସିଷ୍ଟାଇନ୍ ସ୍ତର ପରୀକ୍ଷା କରି ଷ୍ଟୋନ୍ର ପ୍ରକାର ଜାଣି ହୋଇଥାଏ।
ବର୍ତ୍ତମାନ ସମୟରେ ସିଟି ସ୍କାନ୍ର ବହୁଳ ମାତ୍ରାରେ କରାଯାଉଛି। ଏହାଦ୍ୱାରା ଷ୍ଟୋନ୍ କେଉଁ ସ୍ଥାନରେ ଓ ଏହାର ଆକାର ଜଣାପଡ଼ିଥାଏ। ତାହାଛଡ଼ା ଅଲଟ୍ରାସାଉଣ୍ଡ କରି ଷ୍ଟୋନ୍ ବିଷୟରେ ଜଣାପଡ଼ିଥାଏ।
କିଡ୍ନି ଷ୍ଟୋନ୍ର ଚିକିତ୍ସା (Treatment of kidney stone)
ରୋଗୀଙ୍କର ଅବସ୍ଥାକୁ ଦେଖି ଚିକିତ୍ସା ଭିନ୍ନ ଭିନ୍ନ। କିଡ୍ନି ଷ୍ଟୋନ୍ କାରଣରୁ ରୋଗୀଙ୍କର ଅତ୍ୟଧିକ ଯନ୍ତ୍ରଣା ହେଲେ ଔଷଧ ବା ଇନ୍ଜେକ୍ସନ ମାଧ୍ୟମରେ ପ୍ରଥମେ ଯନ୍ତ୍ରଣା କମ୍ କରାଯାଏ। ଏହାପରେ ଷ୍ଟୋନ୍ କେଉଁ ସ୍ଥାନରେ ଅଛି ଦେଖାଯାଏ। ରୋଗୀଙ୍କର ଅପରେସନ୍ର ଆବଶ୍ୟକତା ଅଛି କି ନାହିଁ ଦେଖାଯାଏ।
କିଡ୍ନି ଷ୍ଟୋନ୍ର ଆକାର ୫ ମିଲିମିଟରରୁ ଅଧିକ ହୋଇଥିଲେ ସର୍ଜରୀର ଆବଶ୍ୟକତା ପଡ଼ିଥାଏ। ସାଉଣ୍ଡ ଓ୍ୱେଭ୍ ଜରିଆରେ ଷ୍ଟୋନ୍କୁ ଛୋଟ ଛୋଟ ଆକାରରେ ଭାଙ୍ଗିଦିଆଯାଏ। ଏହାପରେ ଏହି ଛୋଟ ଛୋଟ ଷ୍ଟୋନ୍ ପରିସ୍ରା ବାଟରେ ବାହାରିଯାଏ। ଏହି ଚିକିତ୍ସାରେ ଆନ୍ଥେସିଆ ଦିଆଯାଏ। ଏଥିରେ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇପାରେ।
ଏହାଛଡ଼ା ୟୁରେଟରୋସ୍କୋପି ଜରିଆରେ ମଧ୍ୟ ଚିକିତ୍ସା କରାଯାଏ।
କିଡ୍ନି ଷ୍ଟୋନ୍ର ନିରାକରଣ (Prevention of kidney stone)
ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ।
ଯଦି ପରିବାରରେ ବାପା କିମ୍ବା ମା’ଙ୍କୁ କିଡ୍ନି ଷ୍ଟୋନ୍ ହୋଇସାରିଛି, ତେବେ ସେମାନଙ୍କ ପିଲାମାନେ ଅଧିକ ପରିମାଣରେ ପାଣି ପିଇବା ଦରକାର। ଦିନକୁ ପାଖାପାଖି ୪ ଲିଟର ପାଣି ପିଇବା ଜରୁରୀ।
ଲୁଣର ମାତ୍ରା ଖାଇବାରେ କମ୍ କରିବାକୁ ପଡ଼ିବ।
ଜଙ୍କଫୁଡ୍, ଛଣାଛଣି ଖାଦ୍ୟ ଖାଇବାରୁ ନିଜକୁ ଦୂରେଇ ରଖନ୍ତୁ।
ଆମିଷର ମାତ୍ରା କମ୍ କରିବା।
ପଇଡ଼୍ ପାଣି ପିଇବା ଭଲ। ପ୍ରତିଦିନ କିଛି ନା କିଛି ଫଳ ଖାଇବା।
ଅଧିକ ପଢ଼ନ୍ତୁ: କିଡ୍ନିକୁ ସୁସ୍ଥ ରଖିବା ପାଇଁ ବଦଳାନ୍ତୁ ଆପଣଙ୍କ ଲାଇଫ୍ଷ୍ଟାଇଲ୍
ସୁସ୍ଥ କିଡ୍ନି ପାଇଁ ଡାକ୍ତରଙ୍କ ପରାମର୍ଶ (Doctor’s advice for healthy kidney)
ପ୍ରଥମ କଥା ହେଲା ପ୍ରଚୁର ପାଣି ପିଇବା ଜରୁରୀ। ନିଜକୁ ହାଇଡ୍ରେଟ୍ କରି ରଖନ୍ତୁ।
ଡାଏବେଟିସ୍ ରୋଗୀମାନେ ସେମାନଙ୍କ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରନ୍ତୁ। କାରଣ ଡାଏବେଟିସ୍ ହିଁ କିଡ୍ନିକୁ ନଷ୍ଟ କରିବାର ପ୍ରଥମ କାରଣ।
ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖନ୍ତୁ।
ମୋଟାପଣ ବି କିଡ୍ନି ରୋଗର କାରଣ ହୋଇଥାଏ। ମୋଟାପଣ ଯୋଗୁଁ ଡାଏବେଟିସ୍, ଉଚ୍ଚ ରକ୍ତଚାପ ଭଳି ସମସ୍ୟା ହୋଇଥାଏ, ଯାହାକି ପରବର୍ତ୍ତୀ ଅବସ୍ଥାରେ କିଡ୍ନି ରୋଗର କାରଣ ପାଲଟେ।
ସନ୍ତୁଳିତ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଜରୁରୀ।
ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା ମୋଟାପଣ ହେବ ନାହିଁ। ଏହାଦ୍ୱାରା କିଡ୍ନି ରୋଗର ଆଶଙ୍କା ବି କମ୍ ହୋଇଥାଏ।
ମେଡିସିନ୍, ପେନ୍କିଲର, ଆଣ୍ଟିବାୟୋଟିକ୍ ଡାକ୍ତରଙ୍କ ବିନା ପରାମର୍ଶରେ ଖାଇବା ଅନୁଚିତ। ଏହାଯୋଗୁଁ କିଡ୍ନିରେ ଷ୍ଟୋନ୍ ହୋଇପାରେ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଦେବ ପ୍ରସାଦ କରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: A brief medical advice, in Odia language, on causes, symptoms, and treatment of Kidney stone based on the interview with Dr. Deba Prasad Kar, Nephrologist.