ଶିଶୁ ଅଧିକ କାନ୍ଦିବା ଫଳରେ ବାପାମା’ ଚିନ୍ତିତ ହୋଇପଡ଼ନ୍ତି। କିନ୍ତୁ ଜାଣି ରଖନ୍ତୁ ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ପାଇଁ ଶିଶୁ କାନ୍ଦିବା ନିହାତି ଆବଶ୍ୟକ।
ଶିଶୁ କାନ୍ଦିବା ନିହାତି ଜରୁରୀ। ଅଧିକାଂଶ ଶିଶୁ ଅଧିକ କାନ୍ଦିଥାନ୍ତି। ଫଳରେ ବାପା ମା’ମାନେ ଚିନ୍ତାଗ୍ରସ୍ତ ହୋଇପଡ଼ନ୍ତି। ଏଥିରେ ଚିନ୍ତା କରିବାର କୌଣସି ବିଷୟ ନାହିଁ। ଅବଶ୍ୟ ଛୋଟ ପିଲା କାନ୍ଦିଲେ ସେମାନଙ୍କୁ ବୁଝେଇବା କଷ୍ଟକର ହୋଇପଡ଼େ। ଏପରି କ୍ଷେତ୍ରରେ ଆପଣ ବିଚଳିତ ହୋଇପଡ଼ନ୍ତୁ ନାହିଁ। କାରଣ ପିଲା କାନ୍ଦିବା ଶରୀର ପକ୍ଷେ ହିତକର ହୋଇଥାଏ। ପିଲା କାନ୍ଦିବା ଫଳରେ ଶାରୀରିକ ଏବଂ ମାନସିକ ସ୍ତରରେ ପିଲାର ବିକାଶ ହୋଇଥାଏ।
ଶିଶୁ କାହିଁକି କାନ୍ଦେ?
ଛୋଟ ବେଳେ ପିଲାମାନେ ଖେଳିବାକୁ ପସନ୍ଦ କରନ୍ତି। ତେଣୁ ଅଧିକ ସମୟ ଖେଳିବା ହେତୁ ସେମାନେ କ୍ଲାନ୍ତ ହୋଇପଡ଼ନ୍ତି। ତେଣୁ ସେମାନଙ୍କୁ କାନ୍ଦ ଲାଗିଥାଏ।
ଶିଶୁମାନଙ୍କୁ ଭୋକ ଲାଗିଲେ ସେମାନେ କାନ୍ଦିଥାନ୍ତି। ସେମାନଙ୍କୁ ଦିନରେ ବାରମ୍ବାର ଖାଇବାକୁ ଦେବାକୁ ପଡ଼ିଥାଏ। ଛୋଟ ବେଳେ ସେମାନଙ୍କ ପାକସ୍ଥଳୀ ଠିକ ଭାବେ ବିକଶିତ ହୋଇପାରିନଥାଏ। ତେଣୁ ଭୋକ ଲାଗିଲେ ସେମାନେ ବାରମ୍ବାର କାନ୍ଦିଥାନ୍ତି।
ଅଧିକାଂଶ ବାପା ମା’ମାନେ କାର୍ଯ୍ୟ ବ୍ୟସ୍ତତା ହେତୁ ପିଲାଙ୍କୁ ସମୟ ଦେଇପାରନ୍ତି ନାହିଁ। ଵିଶେଷ କରି ୩-୪ ବର୍ଷର ପିଲାମାନେ ଏହି କାରଣ ଯୋଗୁଁ ନିଜକୁ ଏକାକୀ ଅନୁଭବ କରିଥାନ୍ତି। ତେଣୁ ଅଧିକ ସମୟ କାନ୍ଦିବାକୁ ପସନ୍ଦ କରିଥାନ୍ତି।
ଶିଶୁ କାନ୍ଦିବା କେତେ ଗୁରୁତ୍ୱପୂର୍ଣ୍ଣ?
ଜନ୍ମରୁ ପ୍ରାୟ ଦେଢ଼ ମାସ ପର୍ଯ୍ୟନ୍ତ ଶିଶୁ ଅଧିକ କାନ୍ଦିବା ଆବଶ୍ୟକ। ଏହା ଫଳରେ ସେମାନଙ୍କ ଶାରୀରିକ ଏବଂ ମାନସିକ କ୍ଷମତା ମଜଭୁତ ହୋଇଥାଏ।
ତିନି ମାସରୁ ୧୮ମାସ ପର୍ଯ୍ୟନ୍ତ ପିଲାଙ୍କୁ କାନ୍ଦିବା ପାଇଁ ଛାଡ଼ି ଦେବା ଉଚିତ। ପିଲା କାନ୍ଦି କାନ୍ଦି କିଛି ସମୟ ପରେ ଆପେ ଚୁପ ହୋଇଯିବ।
ପିଲା ଯଦି କାନ୍ଦୁଛି ତେବେ ତୁରନ୍ତ ପିଲା ପାଖକୁ ଯାଆନ୍ତୁ ନାହିଁ। କିଛି ସମୟ ବ୍ୟବଧାନରେ ଶିଶୁ ପାଖକୁ ଯାଆନ୍ତୁ। ଏପରି ଅଭ୍ୟାସ କରିବା ଫଳରେ ଶିଶୁ ଆଉ ଅଧିକ ସମୟ ଧରି କାନ୍ଦି ନଥାଏ।
ପିଲା କାନ୍ଦୁଥିବା ସମୟରେ ତା’ପାଖକୁ ଯିବା ଫଳରେ ତା’ ନିଜ ଉପରେ ଆତ୍ମ ଅନୁଶାସନ ଆଣିଦେଇଥାଏ। ଯାହାକି ପର ମୁହୂର୍ତ୍ତରେ ସମସ୍ୟା ଦେଖାଇଥାଏ।
ଶିଶୁ କାନ୍ଦିବା ସମୟରେ ତା’ ଉପରେ ଧ୍ୟାନ ରଖନ୍ତୁ। କାନ୍ଦିବା ସମୟରେ ସେମାନେ କ’ଣ କରୁଛନ୍ତି ଜାଣିପାରନ୍ତି ନାହିଁ। ତେଣୁ ଅଜାଣତରେ ନିଜର କ୍ଷତି କରି ବସନ୍ତି। ସେଥିପାଇଁ ଛୁଆମାନେ କାନ୍ଦିବା ସମୟରେ ସେମାନଙ୍କୁ କିଛି ସମୟ ଏକାକୀ ଛାଡ଼ି ଦିଅନ୍ତୁ। ପରେ ସମସ୍ୟା ବାବଦରେ ଛୁଆଙ୍କଠାରୁ ବୁଝିବାକୁ ଚେଷ୍ଟା କରନ୍ତୁ।