ଆଖି ଆମ ଶରୀରର ଏକ ମୁଖ୍ୟ ଅଙ୍ଗ। ସକାଳେ ଉଠିଲେ ଆଖିର କାମ ଆରମ୍ଭ ହୋଇଯାଏ। ଦିନ ତମାମର କାର୍ଯ୍ୟ କରିବା ପାଇଁ ଆଖି ଉପରେ ନିର୍ଭର କରିବାକୁ ପଡ଼ିଥାଏ। ତେଣୁ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ଭଳି ଆଖିର ଯତ୍ନ ନେବା ଜରୁରୀ।
ଆଖି ଏକ ସମ୍ବେଦନଶୀଳ ଅଙ୍ଗ ହୋଇଥିବା କାରଣରୁ ଶୀଘ୍ର ସଂକ୍ରମଣ ହେବାର ଆଶଙ୍କା ରହିଛି।। ଆଖିରେ କୌଣସି ଦୂଷିତ ପାଣି କିମ୍ବା ଔଷଧ ପକାଇବା ଦ୍ଵାରା ଆଖି ସଂକ୍ରମିତ ହୋଇ ଖରାପ ହେବାର ଆଶଙ୍କା ରହିଛି।
ଆଖିରେ ଅବଧି ସରିଥିବା ଔଷଧ ବ୍ୟବହାର କରନ୍ତୁ ନାହିଁ
ଆଖିରେ ଅବଧି ଶେଷ ହୋଇଯାଇଥିବା ଔଷଧ ବ୍ୟବହାର କରିବା ଦ୍ୱାରା ଆଖି କୁଣ୍ଡାଇ ହେବା ଭଳି ଆଲର୍ଜି ହୋଇଥାଏ। ତେଣୁ ଯେବେ ବି ଆଖିରେ ଡ୍ରପ ପକାଉଛନ୍ତି ସେତେବେଳେ ଔଷଧଟି ଏକ୍ସପାଇଆର ହୋଇଛି କି ନାହିଁ ଚେକ୍ କରିନିଅନ୍ତୁ।
କମ୍ପ୍ୟୁଟର ପରଦାକୁ ଲଗାତାର ଦେଖି ରହିବା
ସବୁଦିନ କମ୍ପ୍ୟୁଟର, ମୋବାଇଲ କିମ୍ୱା ଟିଭିର ପରଦାକୁ ଲଗାତାର ଭାବେ ଚାହିଁ ରହିବା ଦ୍ୱାରା ଆଖି ଖରାପ ହେବାର ସମ୍ଭାବନା ରହିଥାଏ। ତେଣୁ ପ୍ରତି ୨୦ ମିନିଟ୍ରେ ଥରେ ଥରେ ୨୦ ସେକେଣ୍ଡ ପାଇଁ ଦୂର ଜାଗାକୁ ଚାର୍ହି ରହନ୍ତୁ। ଏହା କରିବା ଦ୍ୱାରା ଧରି ଆଖିକୁ ଆରାମ ମିଳିଥାଏ।
ଅନ୍ୟ କାହାର ଚଷମା ବ୍ୟବହାର କରିବା
ଆଖିର ସମସ୍ୟା ଅନୁଯାୟୀ ଅଲଗା-ଅଲଗା ପାଓ୍ୱାର ଚଷମା ମିଳିଥାଏ। ତେଣୁ ଅନ୍ୟ କାହାର ଚଷମା ବ୍ୟବହାର କରନ୍ତୁ ନାହିଁ। ଏହାଦ୍ୱାରା ମୁଣ୍ଡବିନ୍ଧା, ଆଖିରେ ପାଓ୍ୱାର କମ୍ ହେବାର ଆଶଙ୍କା ରହିଛି।
ଆଖି ନଧୋଇବା
ଦିନରେ ଅତି କମ୍ରେ ୨ କିମ୍ୱା ୩ ଥର ସଫା ପାଣିରେ ଆଖି ଧୁଅନ୍ତୁ। ବାହାରୁ ଆସିବା ପରେ ଆଖିରେ ଧୂଳି ଲାଗି ରହିଥାଏ। ତେଣୁ ଥଣ୍ଡା ପାଣିରେ ଆଖିକୁ ଆଖି ପତାକୁ ଧୁଅନ୍ତୁ। ନଚେତ୍ ଆଖିରେ ସଂକ୍ରମଣ ହୋଇ ଆଖି କୁଣ୍ଡେଇ ହେବା ସହ ଆଖି ନାଲି ପଡ଼ିଯାଏ।
ଆଖି ମକଚିବା
ଅଧିକାଂଶ ଲୋକ ଆଖି କୁଣ୍ଡେଇ ହେଲେ ଆଖିକୁ ମକଚି ଦିଅନ୍ତି। ଏହାଦ୍ୱାରା ହାତରେ ଥିବା ବ୍ୟାକ୍ଟେରିଆ ଆଖିରେ ଅତି ସହଜରେ ଚାଲିଯାଇଥାଏ। ତେଣୁ ହାତରେ ଆଖିକୁ ମକଚନ୍ତୁ ନାହିଁ।
ଆଖିର ମେକ୍ଅପ୍ ନ ଛଡ଼ାଇ ଶୋଇବା
ରାତିରେ ଶୋଇବା ପୂର୍ବରୁ ଆଖିରେ ବ୍ୟବହାର କରିଥିବା କାଜଲ, ଲାଇନର କିମ୍ବା ଅନ୍ୟାନ୍ୟ ମେକ୍ଅପ୍କୁ ତୂଳା ସାହାଯ୍ୟରେ ପୋଛି ଦିଅନ୍ତୁ। ନଚେତ୍ ଏଥିରେ ଥିବା ରାସାୟନିକ ପଦାର୍ଥ ଆଖି ଉପରେ ଖରାପ ପ୍ରଭାବ ପକାଇ ଥାଏ। ଏହାଦ୍ୱାରା ଆଖି କୁଣ୍ଡାଇ ହେବା ସହ, ଆଲର୍ଜି, ସଂକ୍ରମଣ, ଆଖି ନାଲି ପଡ଼ିବା, ଆଖିରୁ ପାଣି ବାହାରିବା ଭଳି ସମସ୍ୟା ହୋଇଥାଏ।
ଆଖି ପରୀକ୍ଷା ନକରିବା
ଯଦି ଆପଣଙ୍କ ଆଖିରେ କିଛି ବି ସମସ୍ୟା ହେଲେ, ତେବେ ଆଖି ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ। ବିନା ଡାକ୍ତରଙ୍କ ପରାମର୍ଶରେ କୌଣସି ଔଷଧ ଆଖିରେ ପକାନ୍ତୁ ନାହିଁ। ଆଖିର ପାଓ୍ୱାର କମିଗଲେ ଯଥାଶୀଘ୍ର ଡାକ୍ତର ପରାମର୍ଶ କରିଥିବା ଚଷମା ବ୍ୟବହାର କରନ୍ତୁ।