ଫଙ୍ଗଲ ଇନଫେକ୍ସନ କାହିଁକି ହୁଏ ଏବଂ ଏହାର ନିରାକରଣକୁ ନେଇ ଚର୍ମ ବିଷେଷଜ୍ଞ କୁମାର ଅଭିଷେକ କଣ କହୁଛନ୍ତି ଆସନ୍ତୁ ଜାଣିବା। (fungal infections: causes and treatment on Odia)

ଫଙ୍ଗଲ ଇନଫେକ୍ସନ ବା କବକ ସଂକ୍ରମଣ ଏକ ପ୍ରକାର ଚର୍ମ ରୋଗ। ଏହି ସଂକ୍ରମଣକୁ ଆମେ ଯାଦୁ ବୋଲି କହିଥାଉ। ଏହା ମାରତ୍ମକ ନଥିଲେ ମଧ୍ୟ ରୋଗୀକୁ ସବୁବେଳେ ଅସହଜ ମନେ ହୁଏ। ଏହି ସଂକ୍ରମଣ ଶରୀରର ଗୋଟିଏ ଜାଗାରୁ ଆରମ୍ଭ ହୋଇ ଦେହ ସାରା ବ୍ୟାପି ଯାଏ।

କାହିଁକି ହୋଇଥାଏ ଫଙ୍ଗଲ ଇନଫେକ୍ସନ? (Causes of fungal infections in Odia)

ଚର୍ମ ସଫା ନଥିଲେ

ଅଧିକ ଝାଳ ବୋହିଲେ।

ବେଶୀ ସମୟ ଓଦା ପୋଷାକ ପିନ୍ଧି ରହିଲେ।

ଟାଇଟ ପୋଷାକ ପିନ୍ଧିଲେ।

ଓଜନ ବଢ଼ିଗଲେ।

ଶରୀରର କେଉଁଠି ଦେଖାଦିଏ ଫଙ୍ଗଲ୍ ଇନ୍‌ଫେକ୍ସନ୍?

ଆମ ଶରୀରର ଜଙ୍ଘ ସନ୍ଧି, ପେଟ, ପିଚା, ଗୋଡ଼, ଗୋଇଠି, ହାତ ଏବଂ ଆଙ୍ଗୁଳି ସନ୍ଧିରେ ଫଙ୍ଗଲ ଇନଫେକ୍ସନ ଅଧିକ ହୋଇଥାଏ। ଅଧିକ ସମୟ ଝାଳ ଲାଗି ରହିବା ଯୋଗୁଁ କାଖ ତଳ, ବେକ ତଳରେ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଏହି ସଂକ୍ରମଣ ବୃଦ୍ଧି ପାଏ। ନଖ, ପାଦର ଆଙ୍ଗୁଳି ଓ ମୁଣ୍ଡରେ ଏହି ସଂକ୍ରମଣ ଗୋଲାକାର ଆକାରରେ ହୋଇଥାଏ, ଯାହାକୁ ରିଙ୍ଗ ଓ୍ଵାର୍ମ ବୋଲି ମଧ୍ୟ କୁହାଯାଏ।

ଫଙ୍ଗଲ ଇନ୍‌ଫେକ୍ସନ ମହିଳା, ପୁରୁଷ ଏବଂ ଛୋଟଛୁଆ ପାଖରେ ଦେଖାଯାଏ। ପରିଷ୍କାର ପରିଚ୍ଛନ୍ନ ନ ରହିଲେ ଏବଂ ପରିଶ୍ରମରେ ଅଧିକ ଝାଳ ବୋହିଲେ ଏହି ସଂକ୍ରମଣ ହେବାର ଆଶଙ୍କା ରହିଛି। ପୁରୁଷମାନେ ଅଧିକ ସମୟ ବେଲ୍ଟ ପିନ୍ଧିବା ଯୋଗୁଁ ସେମାନଙ୍କ ଅଣ୍ଟାରେ ଇନଫେକ୍ସନ ହୋଇଯାଏ। ମହିଳାମାନଙ୍କ କ୍ଷେତ୍ରରେ ମଧ୍ୟ ସମାନ ପରିସ୍ଥିତି ହୋଇଥାଏ। ବେଶୀ ସମୟ ଶାଢ଼ି ପିନ୍ଧିବା ଫଳରେ ଅଣ୍ଟାରେ ସଂକ୍ରମଣ ହୋଇଯାଏ। ଡାଇବେଟିସ କିମ୍ବା ଗୁରୁତର ରୋଗର ଆକ୍ରାନ୍ତ ରୋଗୀଙ୍କୁ ଏହି ସଂକ୍ରମଣ ହେବାର ସମ୍ଭାବନା ଅଧିକ। ପରିଵେଶରେ ଅଧିକ ଗରମ କିମ୍ବା ଥଣ୍ଡା ରହିଲେ ଫଙ୍ଗଲ ଇନଫେକ୍ସନ ଅଧିକ ହୋଇଯାଏ। ଖରାଦିନେ ଓ ବର୍ଷାଦିନେ ଏହି ସଂକ୍ରମଣ ଅଧିକ ହୁଏ।

ଫଙ୍ଗଲ ଇନଫେକ୍ସନର ଜଟିଳତା (Complications of fungal infections in Odia)

ଫଙ୍ଗଲ ଇନଫେକ୍ସନ କୌଣସି ମାରାତ୍ମକ ରୋଗ ନ ହେଲେ ମଧ୍ୟ ରୋଗୀ ବିରକ୍ତି ମନେ କରେ। ଏହି ରୋଗ ଥରେ ଆରମ୍ଭ ହୋଇଗଲେ ବହୁତ ଶୀଘ୍ର ଦେହ ସାରା ବ୍ୟାପି ଯାଏ। ସଂକ୍ରମଣ ପ୍ରଭାବ ସ୍ଥାନଗୁଡ଼ିକ ପ୍ରବଳ କୁଣ୍ଡାଇ ହେବା ସହ ଲାଲ ହୋଇଯାଏ ଏବଂ ଯନ୍ତ୍ରଣା ମଧ୍ୟ ହୋଇଥାଏ। ଏହି ରୋଗ ଜଣଙ୍କ ଶରୀରରୁ ଅନ୍ୟ ଶରୀରକୁ ସଂକ୍ରମିତ ହୋଇପାରେ। ସଠିକ ସମୟରେ ଟିକିତ୍ସା ନ କରାଗଲେ ପରିବାର ଲୋକ ଏବଂ ସାଙ୍ଗସାଥୀଙ୍କୁ ମଧ୍ୟ ସଂକ୍ରମଣ ବ୍ୟାପିପାରେ। ତେଣୁ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ବ୍ୟବହାର କରିବା ଉଚିତ।

ଚିକିତ୍ସା (Treatment of fungal infections in Odia)

ଫଙ୍ଗଲ ଇନ୍‌ଫେକ୍ସନ ହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧର ବ୍ୟବହାର କରନ୍ତୁ। ଭୁଲ ଔଷଧ ବ୍ୟବହାର କରନ୍ତୁ ନାହିଁ। ଅନ୍ୟାନ୍ୟ ମେଡିସିନ ବ୍ୟବହାର ଫଳରେ ସଂକ୍ରମଣ ଅଧିକ ଗୁରୁତର ହୋଇପଡ଼େ ଏବଂ ଶରୀର ଉପରେ ଏହାର କୁପ୍ରଭାବ ପଡ଼େ।

ଫଙ୍ଗଲ ଇନଫେକ୍ସନ ପାଇଁ କ୍ରିମ, ବଟିକା, କ୍ୟାପସୁଲ, ସାମ୍ପୁ ଏବଂ ଲୋସନ ରହିଛି। ଆଜୋଲ ଓ କିଟୋକୋନୋଜେଲ ଭଳି ସାମ୍ପୁ ଏବଂ ଇଟ୍ରାକୋନୋଜେଲ ଭଳି ଟାବଲଏଡ ବ୍ୟବହାର କରନ୍ତୁ। ବୃଦ୍ଧ, ଗର୍ଭବତୀ ଏବଂ ଛୋଟପିଲାମାନଙ୍କ ପାଇଁ ଅଲଗା ଅଲଗା ଔଷଧ ରହିଛି।

dry skin of diabetes patient

ଗର୍ଭାବସ୍ଥାରେ ଫଙ୍ଗଲ ଇନ୍‌ଫେକ୍ସନ ହେଲେ କ’ଣ କରିବେ?
ଫଙ୍ଗଲ ଇନଫେକ୍ସନରୁ ଉପଶମ ପାଇଁ ଗର୍ଭବତୀ ମହିଳାମାନଙ୍କୁ ବଟିକା ଦିଆଯାଏନାହିଁ। ବଟିକା ଖାଇବା ଦ୍ଵାରା ପେଟରେ ବଢୁଥିବା ଶିଶୁ ଉପରେ ପ୍ରତିକୂଳ ପ୍ରଭାବ ପଡ଼େ। ଏହି ସମୟରେ ଡାକ୍ତରମାନେ ସେମାନଙ୍କୁ କ୍ରିମ ବ୍ୟବହାର କରିବାକୁ ପରାମର୍ଶ ଦେଇଥା’ନ୍ତି। ଆବଶ୍ୟକସ୍ଥଳେ ସାବୁନ ବ୍ୟବହାର ପାଇଁ ଅନୁମତି ଦିଅନ୍ତି। ଆରମ୍ଭରୁ ଚିକିତ୍ସା ନ କରାଗଲେ ଜନ୍ମ ହୋଇଥିବା ଶିଶୁକୁ ମଧ୍ୟ ଏହି ସଂକ୍ରମଣ ହେବାର ଆଶଙ୍କା ରହିଥାଏ।

ନିରାକରଣ (Eradication of fungal infections in Odia)

ନିଜକୁ ପରିଷ୍କାର ରଖନ୍ତୁ।

ସଫାସୁତରା ଲୁଗା ପିନ୍ଧନ୍ତୁ।

ଅନ୍ତବସ୍ତ୍ର ଏବଂ ମୌଜା ବାରମ୍ବାର ବଦଳାନ୍ତୁ।

ଝାଳରେ ଅଧିକ ସମୟ ରହନ୍ତୁ ନାହିଁ।

ଟାଇଟ ଜୋତା ପିନ୍ଧନ୍ତୁ ନାହିଁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର କୁମାର ଅଭିଷେକଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on causes and treatment of fungal infections based on the interview with Dr. Kumar Abhishek, Consultant Dermatologist.