ଅଧିକ ମାତ୍ରାରେ ମଦ୍ୟପାନ କରିବା ଦ୍ୱାରା ଲିଭର ସିରୋସିସ ହୋଇଥାଏ। ଲିଭର ସିରୋସିସ କ’ଣ ଏବଂ ଏହାର ଚିକିତ୍ସା ବିଷୟରେ ଆସନ୍ତୁ ଜାଣିବା।
ଯକୃତ ହେଉଛି ମଣିଷ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଯକୃତରେ କୌଣସି ସମସ୍ୟା ଦେଖାଦେଲେ ବ୍ୟକ୍ତି ଅସୁସ୍ଥ ହୋଇପଡ଼େ। ମଣିଷର ଯକୃତଜନିତ ମାରାତ୍ମକ ରୋଗ ଭାବେ ଲିଭର ସିରୋସିସ ପରିଚିତ। ହେପଟାଇଟିସ ଏବଂ ଅତ୍ୟଧିକ ମଦ୍ୟପାନ ଯୋଗୁଁ ଏହି ରୋଗ ହେବାର ଆଶଙ୍କା ରହିଛି।
ଲିଭର ସିରୋସିସ କ’ଣ?
ଲିଭର ସିରୋସିସରେ ରୋଗୀକୁ ଅଧିକ ଯନ୍ତ୍ରଣା ହୋଇନଥାଏ। କିନ୍ତୁ ଏହି ରୋଗ ପରବର୍ତ୍ତୀ ସମୟରେ ବ୍ୟକ୍ତି ପାଇଁ ଅସୁବିଧା ଆଣିଦେଇଥାଏ। ଏହି ରୋଗରେ ରୋଗୀର ଯକୃତ ପାଖାପାଖି ୯୦ ପ୍ରତିଶତ କ୍ଷତି ହୋଇନଥିବା ପର୍ଯ୍ୟନ୍ତ ରୋଗୀ କଷ୍ଟ ଅନୁଭବ କରିପାରିନଥାଏ। ତେଣୁ ବାହାରୁ ଏହି ରୋଗ ବାବଦରେ ଜାଣିବା ବା ବୁଝିବା ଏତେ ସହଜ ନୁହେଁ।
ଲିଭର ସିରୋସିସର କାରଣ
ହେପଟାଇଟିସ ବି ଓ ସି ଭାଇରସ ସଂକ୍ରମଣ ଦ୍ୱାରା ଯକୃତରେ ଏହି ସମସ୍ୟା ଦେଖାଦେଇଥାଏ।
ଅପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟ କାରଣରୁ ଲିଭରରେ ଅନାବଶ୍ୟକ ଚର୍ବି ଜମା ହୋଇ ସିରୋସିସ ହୋଇପାରେ।
ଅତ୍ୟଧିକ ନିଶାଦ୍ରବ୍ୟ ସେବନ ଲିଭର ସିରୋସିସର ପ୍ରମୁଖ କାରଣ।
ମଧୁମେହ, ପିତ୍ତକୋଷ ରୋଗ କିମ୍ବା ଅତ୍ୟଧିକ ଲୌହ ଜମିଗଲେ ଲିଭରରେ ତନ୍ତୁ ସୃଷ୍ଟି ହୁଏ ଏବଂ ଯକୃତ ସଙ୍କୁଚିତ ହୋଇ ଉପରିଭାଗରେ ଛୋଟ ଛୋଟ ଫୁଲା ବା ଗ୍ରନ୍ଥିକା ତିଆରି ହୋଇ ସିରୋସିସ ରୋଗରେ ରୂପାନ୍ତରିତ ହୋଇଥାଏ।
ଲିଭର ସିରୋସିସର ଲକ୍ଷଣ
ରୋଗୀର ପାଚନ ଶକ୍ତି ହ୍ରାସ ପାଇ କମ ଭୋକ ଲାଗିବା।
ଦୁର୍ବଳ ଲାଗିବା।
ଶରୀରର ବିଭିନ୍ନ ସ୍ଥାନରେ କୁଣ୍ଡାଇ ହେବା ସହ ଅସହଜ ମନେ ହେବା।
ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଲାଗିବା।
ମହିଳାମାନଙ୍କର ୠତୁଚକ୍ରରେ ଅନିୟମିତତା।
ଓଜନ ହ୍ରାସ ପାଇବା।
ଗୋଡ଼ ହାତ ଫୁଲିଯିବା।
ଅତ୍ୟଧିକ ରକ୍ତପାତ ହେବା।
ଚିକିତ୍ସା
ଲିଭର ସିରୋସିସରେ ରୋଗୀର ମୃତ୍ୟୁ ହେବାର ସମ୍ଭାବନା କମ ଥାଏ। ଲିଭର ପ୍ରତିରୋପଣ ହେଉଛି ସିରୋସିସର ସଫଳ ଚିକିତ୍ସା। ଏହି ରୋଗରେ ଯକୃତ ଉପରେ ଜମି ରହିଥିବା ଗ୍ରନ୍ଥିକାକୁ ମାପିବା ପାଇଁ ଲିଭରରୁ ଜୀବନ୍ତ ତନ୍ତୁ ନେଇ ପରୀକ୍ଷା କରାଯାଏ। ଏକ ଛୁଞ୍ଚି ସାହାଯ୍ୟରେ ଯକୃତରୁ ଏକ ଛୋଟ ଅଂଶ କଟା ଯାଇ ଅଣୁବୀକ୍ଷଣ ଯନ୍ତ୍ର ମାଧ୍ୟମରେ ପରୀକ୍ଷା କରାଯାଏ।
ଅନେକ ସମୟରେ ଆଭ୍ୟନ୍ତରୀଣ ରକ୍ତସ୍ରାବ କାରଣରୁ ରୋଗୀ କଷ୍ଟ ପାଇଥାଏ। ତେଣୁ ବର୍ତ୍ତମାନ କୌଣସି ପ୍ରକାରର ଛୁଞ୍ଚି ବ୍ୟବହାର ନ କରାଯାଇ ଫାଇବ୍ରୋସ୍କାନ ଜରିଆରେ ଏହି ତନ୍ତୁର ପରୀକ୍ଷା କରାଯାଉଛି।
ରୋଗୀର ପେଟ ପରିଷ୍କାର ରହିବା ପାଇଁ ଲ୍ୟାକଟୁଲୋଜ ସିରପ ଦିଆଯାଏ। ଯଦି ଯକୃତ ଭିଟାମିନ କେ ତିଆରି କରିପାରେନାହିଁ ତେବେ ରୋଗୀକୁ ଭିଟାମିନ କେ ଇଞ୍ଜେକସନ ଦିଆଯାଏ। ରୋଗୀର ଖାଦ୍ୟନଳୀ ଏବଂ ପାକସ୍ଥଳୀ ଭ୍ୟାରୀକସରୁ ରକ୍ତ ବାହାରୁ ଥିଲେ ଭ୍ୟାରିକସ ଇଞ୍ଜେକସନ ଦିଆଯାଏ। ଲିଭର ସମ୍ପୂର୍ଣ୍ଣ ଭାବେ କାମ କରୁନଥିଲେ ଲିଭର ଡାଇଲିସିସ କରାଯାଏ।
ଫାଇବ୍ରୋସ୍କାନ କ’ଣ?
ଫାଇବ୍ରୋସ୍କାନ ଏକ ସୁକ୍ଷ୍ମମାନର ପରୀକ୍ଷା ଯନ୍ତ୍ର। ଅଲଟ୍ରାସାଉଣ୍ଡର ପ୍ରୋବ ପରି ଏହାର ମଧ୍ୟ ଏକ ଯନ୍ତ୍ର ରହିଛି ଯାହାକି ଛାତିର ନିମ୍ନଭାଗରେ ରଖି ବୋତମ ଟିପିଲେ କଲିଜାର କଠିନତା ବାବଦରେ ଜାଣିହୁଏ। କମ୍ପୁଟର ପର୍ଯ୍ୟବେକ୍ଷଣ ପରେ ପରଦାରେ ଲିଖିତ ଆକାରରେ ତଥ୍ୟ ଜଣାପଡ଼େ। ଏଥିରେ କୌଣସି କଷ୍ଟ ହୁଏ ନାହିଁ କିମ୍ବା ରକ୍ତ ବାହାରେ ନାହିଁ। ପରୀକ୍ଷା ପୂର୍ବରୁ ପେଟ ଖାଲି ରହିବା ଆବଶ୍ୟକ।
ନିରାକରଣ
ରୋଗୀକୁ ସଠିକ ପୃଷ୍ଟିକର ଖାଦ୍ୟ ଖାଇବାକୁ ଦିଅନ୍ତୁ।
ଲୁଣ, ରାଗ, ମସଲା ଏବଂ ପ୍ରବଳ ମିଠାଠାରୁ ଦୂରେଇ ରଖନ୍ତୁ।
ସତେଜ ପନିପରିବା, ଫଳ, ଶାଗ ଓ ପଇଡ଼ ପାଣି ପିଇବାକୁ ଦିଅନ୍ତୁ।
ରୋଗୀକୁ ଭାରୀ କାମଠାରୁ ଦୂରରେ ରଖନ୍ତୁ।
ରୋଗୀକୁ କୌଣସି ପ୍ରକାର ମାନସିକ ଚାପ ଦିଅନ୍ତୁ ନାହିଁ।
ଖାଦ୍ୟ ଏବଂ ପାଣି ଯେପରି ସଂକ୍ରମଣ ନ ହୁଏ ସେ ଦିଗରେ ବିଶେଷ ଧ୍ୟାନ ଦିଅନ୍ତୁ।
ପ୍ରାଥମିକ ସ୍ତରରେ ଲିଭର ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।