ଅପସ୍ମାରରୋଗର ଲକ୍ଷଣ ଓ ନିରାକରଣ କ’ଣ? ଏନେଇ ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ୍ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ବ୍ରେନ୍ ବା ମସ୍ତିଷ୍କ ଆମ ଶରୀରର ଏକ ମୁଖ୍ୟ ଅଙ୍ଗ। ମସ୍ତିଷ୍କ ଆମ ଶରୀରର ସମସ୍ତ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିଥାଏ। ଏହିସବୁ କାର୍ଯ୍ୟ ମସ୍ତିଷ୍କରେ ଥିବା ବିଭିନ୍ନ କୋଷିକା ମାଧ୍ୟମରେ ହୋଇଥାଏ। ଏହି କୋଷିକାଗୁଡ଼ିକ ଏକ ପ୍ରକାରର ଇଲେକ୍ଟ୍ରିକ କରେଣ୍ଟ ମାଧ୍ୟମରେ ନିଜ ନିଜ କାର୍ଯ୍ୟ କରନ୍ତି। ଏହି ଇଲେକ୍ଟ୍ରିକ କରେଣ୍ଟ ନିୟନ୍ତ୍ରଣ ବାହାରକୁ ଚାଲିଗଲେ ମସ୍ତିଷ୍କରେ ଏକ ଝଡ଼ ଭଳି ସୃଷ୍ଟି ହୋଇଥାଏ। ଫଳରେ ବ୍ୟକ୍ତିଜଣକ ଥରି ଥରି ତଳେ ପଡ଼ିଯା’ନ୍ତି। ଏଭଳି ସମସ୍ୟା ଲଗାତାର ହେଲେ ଏହାକୁ ଅପସ୍ମାର ବା ମୂର୍ଚ୍ଛାରୋଗ ବୋଲି କୁହାଯାଏ।
ଅପସ୍ମାରରୋଗର ଲକ୍ଷଣ (Symptoms of Epilepsy in Odia)
ଅପସ୍ମାରକୁ ଦୁଇଭାଗରେ ବିଭକ୍ତ କରାଯାଇଛି।
ଜେନେରାଲାଇଜ୍ଡ ଫିଟ୍ସ: (Generalized seizures in Odia) ବାତ ମାରିଲେ ବ୍ୟକ୍ତି ଜଣକର ହଠାତ୍ ଗୋଡ଼ ହାତ ଥରି ହୋଇ ତଳେ ପଡ଼ିଯିବେ, ଜିଭ କାମୁଡ଼ିଦେବେ, ମୁହଁରେ ଫେଣ ଆସିବ, ଆଖି ଡୋଳା ଉପରକୁ ହୋଇଯିବ, ବେଳେ ବେଳେ ପରିସ୍ରା ହୋଇଯିବ। ଅଚେତ୍ ହେବାର ୨ରୁ ୩ ମିନିଟ୍ ପରେ ଧୀରେ ଧୀରେ ବ୍ୟକ୍ତିଙ୍କ ଚେତା ଫେରିଥାଏ।
ଫୋକାଲ ଫିଟ୍ସ: (Focal (partial) seizures in Odia) ବାତ ମାରିଲେ ବ୍ୟକ୍ତିଙ୍କ ଶରୀରର ଗୋଟିଏ ପାର୍ଶ୍ୱ ପ୍ରଭାବିତ ହୋଇଥାଏ। ଗୋଟିଏ ପାର୍ଶ୍ୱର ହାତ ଗୋଡ଼ ଥରି ଉଠେ। ଏଭଳି ହେଲେ ରୋଗୀ ଅଚେତ ହୁଅନ୍ତି ନାହିଁ।
ଅପସ୍ମାର ଏକ ମସ୍ତିଷ୍କ ରୋଗ। ଏହା କୌଣସି ମାନସିକ ରୋଗ ନୁହେଁ। ମସ୍ତିଷ୍କର ବୈଦ୍ୟୁତିକ କାର୍ଯ୍ୟକଳାପ ଯୋଗୁଁ ଆମ ଶରୀରରେ ଏଭଳି ହୋଇଥାଏ। ଔଷଧ ସଠିକ୍ ଭାବରେ ଖାଇଲେ ଏହି ରୋଗର ନିୟନ୍ତ୍ରଣ କରାଯାଇ ପାରିବ।
ଅପସ୍ମାର ହେଲେ କ’ଣ କରିବେ?
ଅପସ୍ମାର ବା ଫିଡ୍ସ ହେଲେ ବ୍ୟକ୍ତିଙ୍କୁ ନିରାପଦ ସ୍ଥାନକୁ ନେଇଯିବେ। ଏକ ପାଖିଆ କରି ରୋଗୀଙ୍କୁ ଶୁଆଇ ଦିଅନ୍ତୁ ଫଳରେ ପାଟିରୁ ଲାଳ ବାହାରି ଯିବ। ଯଦି ବ୍ୟକ୍ତି ପିନ୍ଧିଥିବା ପୋଷାକ ଟାଇଟ୍ ଥାଏ, ତେବେ ତାକୁ ଖୋଲା କରି ଦିଅନ୍ତୁ। ପାଟିରେ କୌଣସି ଜିନିଷ ଯେପରିକି ପାଣି ଦିଅନ୍ତୁ ନାହିଁ। କେତେ ସମୟ ଯାଏଁ ବ୍ୟକ୍ତି ମୂର୍ଚ୍ଛା ହେଉଛି ସମୟ ଟିପି ରଖନ୍ତୁ। ଅଧିକାଂଶ ଫିଡ୍ସ ୨ରୁ ୩ ମିନିଟ୍ ମଧ୍ୟରେ ଠିକ୍ ହୋଇଯାଏ। କିନ୍ତୁ ଯଦି ବାରମ୍ବାର ଫିଡ୍ସ ଲାଗି ରହୁଛି, ରୋଗୀଙ୍କୁ ଡାକ୍ତରଖାନାକୁ ନେଇ ଯାଆନ୍ତୁ।
ଅପସ୍ମାରରୋଗର ଚିକିତ୍ସା (Epilepsy Treatment in Odia)
ମସ୍ତିଷ୍କର ବିଭିନ୍ନ ପରୀକ୍ଷା କରିବା ପରେ ଡାକ୍ତର ମୂର୍ଚ୍ଛାରୋଗକୁ ଚିହ୍ନଟ କରିଥା’ନ୍ତି। ଏହାସହ ଡାକ୍ତରମାନେ EEG ପରୀକ୍ଷା କରି ଫିଡ୍ସ ବିଷୟରେ ଜାଣିହୁଏ। ମୂର୍ଚ୍ଛାରୋଗ ଥିଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ଜରୁରୀ। ୬୦ରୁ ୭୦ ପ୍ରତିଶତ ଅପସ୍ମାର ରୋଗ ଔଷଧ ଖାଇବା ଦ୍ୱାରା ଭଲ ହୋଇଥାଏ। ୨୦ରୁ ୩୦ ପ୍ରତିଶତ କ୍ଷେତ୍ରରେ ଅପରେସନ ଦରକାର ପଡ଼େ। ମୂର୍ଚ୍ଛାରୋଗ ଥିଲେ ଔଷଧ ଖାଇବାରେ ଅବହେଳା କରନ୍ତୁ ନାହିଁ। ଠିକ୍ ଭାବେ ଔଷଧ ଖାଇଲେ ୨ରୁ ୩ ବର୍ଷ ମଧ୍ୟରେ ରୋଗ ସମ୍ପୂର୍ଣ୍ଣ ଭଲ ହୋଇଯିବ।
ଅପସ୍ମାର ବା ମୂର୍ଚ୍ଛାରୋଗ ପାଇଁ ସତର୍କତା
ଅପସ୍ମାର ଥିବା ରୋଗୀଙ୍କୁ ସାଧାରଣତଃ ନିଆଁ, ପାଣି ଓ ଉଚ୍ଚ ସ୍ଥାନକୁ ଯିବା ପାଇଁ ବାରଣ କରାଯାଏ। ନିୟମିତ ଔଷଧ ଖାଇବେ, ଠିକ୍ ଭାବରେ ଶୋଇବା ଦରକାର। ମୋବାଇଲ କିମ୍ବା ଟିଭି ଅଧିକ ସମୟ ଯାଏଁ ଦେଖନ୍ତୁ ନାହିଁ।
ରୋଗୀଙ୍କୁ ଏକ ପରିଚୟ କାର୍ଡ ଦିଆଯାଏ କାରଣ ସର୍ବସାଧାରଣ ସ୍ଥାନରେ ଫିଡ୍ସ ହେଲେ ଏହି କାର୍ଡ ଜରିଆରେ ତାଙ୍କ ପରିବାର ସହ ଯୋଗାଯୋଗ କରିହୁଏ।
ଏହା ଏକ ସ୍ନାୟୁଗତ ରୋଗ। ସଠିକ୍ ଭାବେ ଔଷଧ ଖାଇଲେ ଭଲ ହୋଇଯିବ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: A brief medical advice, in Odia language, symptoms and treatment of Epilepsy, based on the interview with Dr Subhransu Sekhar Jena, Neurologist.