ସକାଳ ଖାଦ୍ୟ ଉପରେ ଆମ ପୂରା ଦିନ ନିର୍ଭର କରିଥାଏ। ସକାଳେ ଭଲ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀର ଓ ମସ୍ତିଷ୍କ ସକ୍ରିୟ ରହିଥାଏ। ତେଣୁ ବ୍ରେକଫାଷ୍ଟରେ କିପରି ଖାଦ୍ୟ ଖାଇବା ଜରୁରୀ ଆସନ୍ତୁ ଜାଣିବା।

ସକାଳ ଖାଦ୍ୟ ପ୍ରୋଟିନଯୁକ୍ତ ହେବା ଜରୁରୀ। ଏହି ଖାଦ୍ୟରେ ଗ୍ଲୁକୋଜ ସହ ପୋଷକ ତତ୍ୱ ରହିଲେ ଶରୀର ନିରୋଗ ରହିବ। ଗ୍ଲୁକୋଜ ଏବଂ ପୋଷକ ତତ୍ୱ ଶରୀରରେ ଶକ୍ତି ଜାଗ୍ରତ କରେଇଥାଏ। ଖାଇବାରେ କ’ଣ ରହିବା ଆବଶ୍ୟକ ଏ ନେଇ ଅଧିକାଂଶ ଲୋକ ଦ୍ଵନ୍ଦ୍ୱରେ ଥାଆନ୍ତି। ଅଧିକାଂଶ ଲୋକ ସକାଳୁ କଫି କିମ୍ବା ଚା’ ପିଇ ଦ୍ଵିପହର ପର୍ଯ୍ୟନ୍ତ ଭୋକିଲା ରହିଯାଆନ୍ତି। କିନ୍ତୁ ଏହା ସ୍ୱାସ୍ଥ୍ୟପ୍ରତି ହାନିକାରକ। ଆପଣଙ୍କୁ ସ୍ୱାସ୍ଥ୍ୟବାନ ଓ ଫୁର୍ତ୍ତି ରଖିବା ପାଇଁ କିମ୍ବା ଦିନସାରା ଥକ୍କା ଓ ଅଳସରୁ ମୁକ୍ତି ରହିବା ପାଇଁ ବ୍ରେକଫାଷ୍ଟରେ ପ୍ରୋଟିନଯୁକ୍ତ ଖାଇବା ଉଚିତ। ପୁଷ୍ଟିକର ଖାଦ୍ୟ ଆପଣଙ୍କ ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ।

ଅଣ୍ଡା- ସକାଳୁ ଗୋଟିଏ ଅଣ୍ଡା ଖାଇଲେ ଦେହକୁ ଶକ୍ତି ମିଳେ। ଯଦି ସମ୍ଭବ ତେବେ ପ୍ରତିଦିନ ଦୁଇଟି ସିଝା ଅଣ୍ଡା ଖାଇପାରନ୍ତି। ଅଣ୍ଡାରେ ଅଧିକ ପରିମାଣରେ ପ୍ରୋଟିନ ଥାଏ। ଶରୀରରେ ମାଂସପେଶୀକୁ ମଜଭୁତ କରିବା ପାଇଁ ଅଣ୍ଡା ଖାଇବା ଜରୁରୀ। ଅଣ୍ଡାର କେଶର ନଖାଇ ଧଳା ଅଂଶ ଖାଇପାରିବେ।

ମାଂସ ସିଝା- ମାଂସ ସିଝେଇ ଖାଇବା ଫଳରେ ସେଥିରେ ଥିବା ଭିଟାମିନ ନଷ୍ଟ ହୁଏ ନାହିଁ, ଯାହା ଶରୀର ବିକାଶ ଦିଗରେ ସାହାଯ୍ୟ କରେ। ତେଣୁ ପ୍ରତିଦିନ ସକାଳେ ଆପଣ ନିଜ ଖାଇବା ପରିମାଣ ଅନୁଯାୟୀ ମାଂସ ସିଝା ଖାଇ ପାରିବେ।

କଦଳୀ- ପ୍ରତିଦିନ ସକାଳୁ ୧ରୁ ୨ଟି କଦଳୀ ଖାଇବା ନିହାତି ଜରୁରୀ। ଏହା ଶରୀରରେ ସୁଗାରର ମାତ୍ରାକୁ ସନ୍ତୁଳିତ ରଖେ ଏବଂ ଅଳସୁଆ ଦୂର କରିଥାଏ।

ଓଟ୍‌ସ- ଏହା ପାଚନ ପ୍ରକ୍ରିୟାକୁ ତ୍ୱରିତ କରିଥାଏ। ଶରୀରକୁ ହାଲୁକା ଅନୁଭବ କରାଇବା ସହ ସତେଜ ରଖେ।

ପରଟା ଭଜା- ପରଟାରେ କାର୍ବୋହାଇଡ୍ରେଟ ପ୍ରଚୁର ମାତ୍ରାରେ ରହିଛି ଯାହା ହାଡ଼କୁ ମଜଭୁତ କରିଥାଏ। ତେଣୁ ସକାଳୁ କିଛି ପରିମାଣରେ ପରଟା ସହ ପନିପରିବା ଭଜା ଖାଇବା ଆବଶ୍ୟକ।

ଗ୍ରୀନ ଟି- ସକାଳୁ ଗ୍ରୀନ ଟି ପିଇଲେ ମାନସିକ ଅବସାଦ ଦୂର ହୁଏ ଏବଂ ମସ୍ତିଷ୍କ ତାଜା ଲାଗେ। ତେଣୁ ଏକ କପ ଗ୍ରୀନ ଟିରୁ ସକାଳ ଆରମ୍ଭ କରିବା ଶରୀର ପାଇଁ ଉପାଦେୟ।

ଚକୋଲେଟ କ୍ଷୀର- ସାଧାରଣତଃ ସକାଳେ ସମସ୍ତେ କ୍ଷୀର ପିଅନ୍ତି। କ୍ଷୀର ସେବନ ଦ୍ୱାରା ଶରୀରରେ ହାଡ଼ ମଜଭୁତ ହୋଇଥାଏ। କ୍ଷୀରରେ ଥିବା ପ୍ରୋଟିନ୍ ମସ୍ତିଷ୍କକୁ ଫିଟ୍ ରଖିଥାଏ। ଆଜିକାଲି ଅଧିକାଂଶ ଲୋକ କ୍ଷୀରରେ ଚକଲେଟ ମିଶାଇ ପିଉଛନ୍ତି ଯାହାକି ଶରୀରକୁ ଅଧିକ ଶକ୍ତି ଦେଇଥାଏ।

ଦଲିଆ- ଦଲିଆରେ ପ୍ରଚୁର ପରିମାଣରେ ଫାଇବର ଏବଂ ଅନ୍ୟ ପୋଷକ ତତ୍ତ୍ୱ ରହିଥାଏ। ଯାହାକି ଓଜନ କମାଇବାରେ ସହାୟକ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ପେଟ ଅଧିକ ସମୟ ଯାଏ ପୂରା ରହିବା ଭଳି ଅନୁଭବ ହୋଇଥାଏ। ଫଳରେ ଭୋକ ଶୀଘ୍ର ହୁଏ ନାହିଁ। ତେଣୁ ଶରୀରରୁ ଚର୍ବି ବି କମିଯାଏ।

ସେଓ- ବ୍ରେକଫାଷ୍ଟରେ ଗୋଟିଏ ସେଓ ଖାଇବା ଉଚିତ। ସେଓ ଖାଇବା ଦ୍ୱାରା ଶରୀରକୁ ଅନେକ ପୋଷକ ତତ୍ୱ ମିଳିବା ସହ ଦେହ ଫୁର୍ତ୍ତି ରହେ। ସେଓ ଖାଇବା ଦ୍ୱାରା ଡାଇବେଟିସ, ହୃଦରୋଗ, ବ୍ଲଡ୍ ପ୍ରେସର ଓ ଅନ୍ୟାନ୍ୟ ରୋଗ ସମସ୍ୟା ଦୂର ହୋଇଥାଏ। ଗୋଟିଏ ସେଓରେ ୧୩ ଗ୍ରାମ ସୁଗାର ଥାଏ।