ଆପଣ କଣ ନିୟମିତ ଜଳଖିଆ ଖାଆନ୍ତି? ଯଦି ଆପଣ ମଧ୍ୟ ଅନ୍ୟମାନଙ୍କ ଭଳି ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନକୁ ଜଳଖିଆ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭାବୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁମାନେ ସକାଳେ ଉଠିବାର ୧ ରୁ ୨ ଘଣ୍ଟା ମଧ୍ୟରେ ଜଳଖିଆ ଖାଆନ୍ତି ନାହିଁ ସେମାନଙ୍କ ଶରୀରର ଓଜନ ବୃଦ୍ଧି ହେବା ସହିତ ମଧୁମେହ ଓ ଉଚ୍ଚରକ୍ତଚାପ ଭଳି ରୋଗ ହେବା ଆଶଙ୍କା ରହିଥାଏ।
ଜଳଖିଆ ହେଉଛି ସକାଳର ପ୍ରଥମ ଭୋଜନ। ରାତ୍ରି ଭୋଜନ ପରେ ଆମେ ଅତିକମ୍ରେ ୬-୭ ଘଣ୍ଟା ପର୍ଯ୍ୟନ୍ତ ଶୋଇପଡୁଥିବାରୁ ଆମେ କିଛି ଖାଇନଥାଉ ଅର୍ଥାତ୍ ଆମେ ଏତିକି ସମୟ ଉପାସରେ ରହିଥାଉ। ତେଣୁ ସକାଳେ ଉଠିବାର ୧ ରୁ ୨ ଘଣ୍ଟା ମଧ୍ୟରେ ଜଳଖିଆ ଖାଇ ଆମେ ଏହି ଉପବାସ ଭାଙ୍ଗିବା ଉଚିତ୍। ଯଦି ଆପଣ ଜଳଖିଆ ଖାଇବେନି ତେବେ ଆପଣଙ୍କ ଏହି ଉପବାସ ଅବଧି ବୃଦ୍ଧି ପାଇବ ଯାହା ଆପଣଙ୍କ ମେଟାବୋଲିଜମ୍କୁ ପ୍ରଭାବିତ କରିବ। ସେହିପରି ସକାଳର ଜଳଖିଆ ସଠିକ୍ ଭାବେ ନଖାଇଲେ ପରବର୍ତ୍ତୀ ସମୟରେ ଅଧିକ ଭୋକ ଲାଗିଥାଏ। ଏପରିହେଲେ ଆପଣ ଦ୍ୱିପହର ଭୋଜନରେ ଅଧିକ ଖାଦ୍ୟ ଖାଇବେ ବା ଏପରି ମଧ୍ୟ ହୋଇପାରେ ଯେ କିଛି ଜଙ୍କ୍ଫୁଡ୍ ଖାଇ ଆପଣ ନିଜର କ୍ଷୁଧା ନିବାରଣ କରିବାକୁ ଚେଷ୍ଟା କରିବେ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଆଦୌ ହିତକାରୀ ନୁହେଁ। ଅନ୍ୟପକ୍ଷରେ ସକାଳ ବେଳା ଜଳଖିଆ ଖାଇଲେ ରକ୍ତରେ ଗ୍ଲୁକୋଜ୍ର ସ୍ତର ନିୟନ୍ତ୍ରିତ ରହିବା ସହିତ ଷ୍ଟ୍ରେସ୍ ଲେବଲ୍ ମଧ୍ୟ କମ୍ ହୋଇଥାଏ। ସକାଳେ ଠିକ୍ ସମୟରେ ସନ୍ତୁଳିତ ଜଳଖିଆ ଖାଇବା ଦ୍ୱାରା କଣ ସବୁ ଲାଭ ହୋଇଥାଏ, ଆସନ୍ତୁ ଆଜିର ଆଲେଖ୍ୟରେ ସେ ବିଷୟରେ ଜାଣିବା।
ମଧୁମେହ ଆଶଙ୍କା ହ୍ରାସ ପାଇଥାଏ
ନିୟମିତ ଜଳଖିଆ ଖାଇଲେ ଟାଇପ୍ ୨ ମଧୁମେହ ହେବା ଆଶଙ୍କା କମ୍ ହୋଇଥାଏ। ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁମାନେ ଜଳଖିଆ ଖାଆନ୍ତିନି ସେମାନଙ୍କ କ୍ଷେତ୍ରରେ ଇନ୍ସୁଲିନ୍ ସ୍ତର ପ୍ରଥମେ କମିଯାଏ ଓ ମଧ୍ୟାହ୍ନ ଭୋଜନ ଖାଇବା ପରେ ତାହା ହଠାତ୍ ବୃଦ୍ଧି ପାଇଥାଏ ଯାହା ଫଳରେ ଟାଇପ୍ ୨ ମଧୁମେହ ହେବା ଆଶଙ୍କା ବୃଦ୍ଧି ପାଇଥାଏ।
ସ୍ମୃତି ଶକ୍ତି ବୃଦ୍ଧି ପାଇଥାଏ
ଯେଉଁମାନେ ନିୟମିତ ଭାବେ ସକାଳବେଳା ଜଳଖିଆ ଖାଇଥାନ୍ତି ସେମାନଙ୍କ ଜଳଖିଆ ଖାଉନଥିବା ବ୍ୟକ୍ତିଙ୍କ ତୁଳନାରେ ଅଧିକ ବୁଦ୍ଧିମାନ ହୋଇଥାନ୍ତି। ସକାଳ ବେଳା ଜଳଖିଆରେ ବିଭିନ୍ନ ପ୍ରକାରର ଫଳ, ପନିପରିବା, ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସାମିଲ କରିବା ଦ୍ୱାରା ଏକାଗ୍ରତା ବଢିବା ସହିତ ଆପଣ ଅଧିକ କାମ କରିପାରିବେ।
କାର୍ଯ୍ୟଦକ୍ଷତା ବୃଦ୍ଧି କରିଥାଏ
ବିଭିନ୍ନ ପ୍ରକାରର ପୋଷକତତ୍ତ୍ୱରେ ଭର୍ପୂର୍ ଜଳଖିଆ ଖାଇବା ଦ୍ୱାରା ଆପଣଙ୍କୁ ଦିନସାରା କାମ କରିବା ପାଇଁ ଶକ୍ତି ମିଳିଥାଏ ଯାହା ଫଳରେ ଆପଣଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥାଏ। ଦିନସାରା ସତେଜ ଓ ସକ୍ରିୟ ରହିବା ପାଇଁ ସକାଳ ଜଳଖିଆରେ ଉଚିତ୍ ପରିମାଣରେ କାର୍ବୋହାଇଡ୍ରେଟ୍, ଫ୍ୟାଟ୍, ପ୍ରୋଟିନ୍ ସହିତ ଫଳ ତଥା ପନିପରିବା ସାମିଲ୍ କରନ୍ତୁ।
ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ
ସକାଳେ ପେଟଭର୍ତ୍ତି କରି ଜଳଖିଆ ଖାଇଲେ ଦିନସାରା ଭୋକ ଉପରେ ନିୟନ୍ତ୍ରଣ ରଖିବା ସହଜ ହୋଇଥାଏ । ଫଳରେ ଆପଣ ମଧ୍ୟାହ୍ନ ବା ରାତ୍ରି ଭୋଜନରେ ଅଧିକ ଖାଦ୍ୟ ଖାଇବାକୁ ଆଗ୍ରହୀ ହେବେ ନାହିଁ। ସେହିପରି ଜଳଖିଆରେ ଉପଯୁକ୍ତ ମାତ୍ରାର ପ୍ରୋଟିନ୍ଯୁକ୍ତ ଖାଦ୍ୟ ସାମିଲ୍ କଲେ ବହୁ ସମୟ ପର୍ଯ୍ୟନ୍ତ ଭୋକ ଲାଗେନାହିଁ ଫଳରେ ଆପଣ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ଖାଦ୍ୟ ଠାରୁ ଦୂରେଇ ରହିବା ସହିତ କ୍ୟାଲୋରୀ ନିୟନ୍ତ୍ରଣ କରିପାରେବ। ଏଣୁ ଯଦି ଆପଣ ନିଜର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତାହାହେଲେ କେବେ ମଧ୍ୟ ଜଳଖିଆ ନଖାଇବା ବିଷୟରେ ଭାବନ୍ତୁ ନାହିଁ।