ଅଧିକ ପଢ଼ନ୍ତୁ: ବ୍ରେକ୍ଫାଷ୍ଟରେ କ’ଣ ଖାଇବେ ଓ କ’ଣ ନାହିଁ?
ସନ୍ତୁଳିତ ଖାଦ୍ୟର ଅର୍ଥ ହେଉଛି ଯେଉଁ ଖାଦ୍ୟରେ ପୋଷକ ତତ୍ଵ ଭରିରହିଥାଏ, ଯାହା ଶରୀର ଗଠନ ଓ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିଥାଏ। ଶରୀରର ବିକାଶ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରୋଟିନ୍, ଯାହା ଉଭୟ ଶାକାହାରୀ ଏବଂ ମାଂସାହାରୀ ଖାଦ୍ୟରୁ ମିଳିଥାଏ। ଡାଲି ଚାଉଳରୁ ପ୍ରସ୍ତୁତ ଖାଦ୍ୟ ଯେପରିକି ଖେଚୁଡ଼ି, ଓଟମିଲ୍, ଭାତ ଡାଲି, ଦୋସା, ଇଡ୍ଲି, ସୋୟାବିନ୍, କ୍ଷୀର ଆଦି ଶାକାହାରୀ ଖାଦ୍ୟରୁ ପ୍ରୋଟିନ୍ ମିଳିଥାଏ। ଏହାଛଡ଼ା ଅଣ୍ଡାର ଧଳା ଅଂଶ, ମାଛ, ଚିକେନ୍ରେ ପ୍ରଚୁର ପରିମାଣର ପ୍ରୋଟିନ୍ ଥାଏ।
ଚିନିରେ କାର୍ବୋହାଇଡ୍ରେଟ୍ ଅଧିକ ପରିମାଣରେ ଥାଏ, ତେଣୁ ଏହାକୁ କମ୍ ପରିମାଣର ଖାଆନ୍ତୁ। କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ୍ଯୁକ୍ତ ଖାଦ୍ୟ ଯେପରିକି ମକା, ମାଣ୍ଡିଆ, ମସୁର ଡାଲି, ଫଳ ଏବଂ ପନିପରିବା ଇତ୍ୟାଦି ଆପଣଙ୍କ ଖାଦ୍ୟରେ ସ୍ଥାନ ଦେଇଥାଏ। ଏହାସହିତ, ଚର୍ବିର ପରିମାଣକୁ ସୀମିତ କରନ୍ତୁ।
ଦିନସାରା ପ୍ରଚୁର ପାଣି ପିଅନ୍ତୁ ଏବଂ ଶରୀରକୁ ହାଇଡ୍ରେଟ୍ ରଖନ୍ତୁ।
ଅଧିକ ପଢ଼ନ୍ତୁ: କୋଭିଡ୍ ବେଳେ ଡାଏବେଟିସ୍ ରୋଗୀ କ’ଣ ଖାଇବେ?
ଭୋଜନ ସମୟ କେତେ ଗୁରୁତ୍ୱପୂର୍ଣ୍ଣ?
କ’ଣ ଖାଇବେ ଯେତିକି ଗୁରୁତ୍ୱପୂର୍ଣ୍ଣ କେଉଁ ସମୟରେ ଖାଇବେ ତାହା ସେତିକି ଗୁରୁତ୍ୱପୂର୍ଣ୍ଣ। ରାତିରେ ୯ଟା ପୂର୍ବରୁ ଖାଇବା ଆବଶ୍ୟକ। ସକାଳେ ଜଳଖିଆ ବା ବ୍ରେକ୍ଫାଷ୍ଟ କରିବା ଅତ୍ୟନ୍ତ ଜରୁରୀ। ସକାଳ ଜଳଖିଆ ଆପଣଙ୍କୁ ଦିନସାରା ଶକ୍ତି ଯୋଗାଇଥାଏ ଏବଂ ଆପଣଙ୍କୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ। ଅଳ୍ପ ଅଳ୍ପ କରି ଅଧିକ ଥର ଖାଆନ୍ତୁ।
କ’ଣ ଖାଇବେ, କ’ଣ ଖାଇବେ ନାହିଁ?
ପ୍ରତିଦିନ ଖାଦ୍ୟରେ ସମସ୍ତ ପୋଷକ ତତ୍ତ୍ୱ ସହିତ ସଠିକ୍ ପରିମାଣର ଫାଇବର ଏବଂ ପାଣି ଅନ୍ତର୍ଭୂକ୍ତ କରନ୍ତୁ। ପ୍ରତ୍ୟେକ ମିଲ୍ରେ ପୋଷକ ତତ୍ତ୍ୱ ଅଳ୍ପ ପରିମାଣରେ ରହିବା ଆବଶ୍ୟକ।
ଶରୀରକୁ ମଧ୍ୟ ଅଳ୍ପ ପରିମାଣର ଚର୍ବି ଏବଂ ଲୁଣ ଆବଶ୍ୟକ ହୋଇଥାଏ। ତେଣୁ ଖାଦ୍ୟରେ କିଛି ମାତ୍ରାରେ ଲୁଣ ଓ ଫ୍ୟାଟ୍କୁ ସାମିଲ କରନ୍ତୁ। ଅତ୍ୟଧିକ ଲୁଣ ଜାତୀୟ ଖାଦ୍ୟ ଯେପରିକି ଆଚାର, ପାମ୍ପଡ଼, ସସ୍, ଚଟଣୀ ଇତ୍ୟାଦି କମ୍ ଖାଆନ୍ତୁ, କାରଣ ଏଥିରେ ଅଧିକ ଲୁଣ ଥାଏ।
ଜଙ୍କ ଫୁଡ୍, ଫାଷ୍ଟଫୁଡ୍ ଏବଂ ବାହାର ଖାଦ୍ୟ କମ୍ କରନ୍ତୁ। ଘରେ ତିଆରି ଖାଦ୍ୟ ଖାଆନ୍ତୁ, ଯାହା ହଜମ ହେବା ସହଜ ଏବଂ ସମସ୍ତ ପ୍ରକାରର ପୋଷକ ତତ୍ତ୍ୱରେ ଭରପୂର ଥାଏ।