ଜଣାଶୁଣା ଡାକ୍ତର ନିରୋଜ ମିଶ୍ରଙ୍କଠାରୁ ଆସନ୍ତୁ ଜାଣିବା ମାରାତ୍ମକ କରୋନା ଭାଇରସ ସଂକ୍ରମଣରୁ କେମିତି ନିଜକୁ ସୁରକ୍ଷିତ ରଖିବା? (HOW TO KEEP AWAY FROM COVID-19 INFECTION AFTER LOCKDOWN, IN ODIA?)

  • କେମିତି ବ୍ୟାପୁଛି କରୋନା ଭାଇରସ୍‌?
  • କରୋନା ଭାଇରସର ଲକ୍ଷଣ ଓ ଚିକିତ୍ସା?
  • ଲକ୍‌ଡାଉନ୍‌ ଖୋଲିବା ପରେ କେମିତି ରହିବେ ସୁରକ୍ଷିତ?
  • ଅଫିସ, ସ୍କୁଲ୍‌, ବଜାର ଓ ଅନ୍ୟ ସ୍ଥାନରେ କେମିତି ଜଗିବା ସାମାଜିକ ଦୂରତା?
  • କରୋନା ସମୟରେ କେମିତି ରହିବେ ଫିଟ୍‌?

ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ (କୋଭିଡ୍‌-୧୯) ସାରା ବିଶ୍ୱରେ କାୟା ବିସ୍ତାର କରିଛି। ଅନ୍ୟ ଭୂତାଣୁଠାରୁ କୋଭିଡ୍‌-୧୯ ଅଧିକ ମାରାତ୍ମକ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ଔଷଧ ବାହାରିନି। ତେଣୁ ସଚେତନ ହେବା ଦ୍ୱାରା ହିଁ ଏହି ଭାଇରସ ସଂକ୍ରମଣରୁ ରକ୍ଷା ପାଇହେବ।

Covid 19

କେମିତି ବ୍ୟାପୁଛି କରୋନା ଭାଇରସ? (How does COVID-19 spread, in Odia?)

ଅନ୍ୟ ଭୂତାଣୁଠାରୁ ଅଧିକ ଘାତକ ହେଉଛି କରୋନା ଭାଇରସ୍‌। ଯେ କୌଣସି ସ୍ଥିତିରେ ବି ବଞ୍ଚିପାରେ କରୋନା ଭୂତାଣୁ। ସଂକ୍ରମିତ ଲୋକର କାଶ, ଛିଙ୍କ, ନିଃଶ୍ୱାସ ମାଧ୍ୟମରେ ଏହି ଭାଇରସ୍‌ ବାହାରିଥାଏ। ସଂକ୍ରମିତ ବ୍ୟକ୍ତିଙ୍କଠାରୁ ପ୍ରାୟ ୧ ମିଟର ଭିତରେ ରହିଲେ ସଂକ୍ରମଣ ହେବାର ଅଧିକ ଆଶଙ୍କା ରହିଛି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବସ୍ତୁକୁ ଛୁଇଁଲେ ମଧ୍ୟ ଭୂତାଣୁ ବ୍ୟାପିବାର ସମ୍ଭାବନା ରହିଛି।

ମନେକରନ୍ତୁ ଜଣେ କରୋନା ସଂକ୍ରମିତ ବ୍ୟକ୍ତି କାଶିବା ବା ଛିଙ୍କିବା ପରେ କୌଣସି ବସ୍ତୁ ଯେ ପରିକି ଡୋର ନବ୍‌, ଲିପ୍ଟ ସୁଇଚ୍ ବା ରେଲିଂ ଛୁଇଁଛନ୍ତି। ଏହାପରେ ସେହି ଡୋର ନବ୍‌କୁ ବା ଅନ୍ୟ ଜିନିଷକୁ ଜଣେ ସୁସ୍ଥ ବ୍ୟକ୍ତି ଧରିଛନ୍ତି। ତେବେ ସୁସ୍ଥ ବ୍ୟକ୍ତି ଆକ୍ରାନ୍ତ ହେବାର ଆଶଙ୍କା ଅଧିକ। ଏଥିପାଇଁ ବାହାରୁ ଆସିଲେ ହାତକୁ ୨୦ ସେକେଣ୍ଡ ପାଇଁ ସାବୁନ ବା ହ୍ୟାଣ୍ଡଓ୍ୱାସରେ ଭଲକରି ଧୋଇବା ଜରୁରୀ। ହାତକୁ ଅତିକମ୍‌ରେ ଦିନକୁ ୫ ଥର ପାଇଁ ଧୁଅନ୍ତୁ।

ଜରୁରୀ କାମରେ ବାହାରକୁ ଯାଉଥିଲେ ମାସ୍କ ପିନ୍ଧନ୍ତୁ। ସମସ୍ତଙ୍କଠାରୁ ସାମାଜିକ ଦୂରତା ବଜାୟ ରଖନ୍ତୁ। ସମସ୍ତ ବ୍ୟବହୃତ ଜିନିଷ ବା ବାରମ୍ବାର ବ୍ୟବହାର କରୁଥିବା ଜିନିଷ, ଯେପରିକି ମୋବାଇଲ, କିବୋର୍ଡ, ମାଉସ୍‌, ଡୋର ହ୍ୟାଣ୍ଡଲକୁ ସଫା କରନ୍ତୁ। ଛିଙ୍କ, କାଶ ଓ ଥଣ୍ଡା ହୋଇଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରହନ୍ତୁ।

corona symptoms_Dr Niroj Kumar Mishra_Doctor Advice in odia

ଆସନ୍ତୁ ଜାଣିବା କେଉଁ ମାଧ୍ୟମରେ କେତେ ସମୟ ସକ୍ରିୟ ରହିପାରେ କରୋନା ଭୂତାଣୁ:

କରୋନା ଭାଇରସର ଲକ୍ଷଣ ଓ ଚିକିତ୍ସା (COVID-19 Symptoms and Treatment, in Odia)

କରୋନା ଭାଇରସ ବା କୋଭିଡ୍‌-୧୯ର ପ୍ରଥମ ଲକ୍ଷଣ ହେଲା ଜ୍ୱର, କାଶ ଓ ଧଇଁସଇଁ ଲାଗିବା। କିନ୍ତୁ କିଛି ଲୋକଙ୍କର ଏହିସବୁ ଲକ୍ଷଣ ମଧ୍ୟରୁ କେତେକ ଲକ୍ଷଣ ଜଣାପଡ଼ିଥାଏ ଏବଂ କେତେକ ଲୋକଙ୍କର ଆଦୌ କୌଣସି ଲକ୍ଷଣ ଜଣାପଡ଼ି ନଥାଏ। ବେଳେ ବେଳେ କରୋନା ଭୂତାଣୁର ଲକ୍ଷଣ ସାମାନ୍ୟ ଥଣ୍ଡା ଭଳି ଥାଏ ଯେପରିକି ନାକ ଚୁଁଟି ହେବା, ତଣ୍ଟି ଦରଜ ହେବା ଓ ଦେହ ହାତରେ ସାମାନ୍ୟ ଯନ୍ତ୍ରଣା ହେବା।

ତେଣୁ ସାମାନ୍ୟ ଜ୍ୱର, କାଶ ସହ ଧଇଁସଇଁ ଲାଗିଲେ ରାଜ୍ୟ ହେଲପଲାଇନ୍‌ ନମ୍ବର ୧୦୪କୁ ଫୋନ୍‌ କରିବେ। ୧୦୪କୁ ଫୋନ୍‌ କଲେ ସେମାନେ ଆପଣଙ୍କ ପାଇଁ ସବୁ ପ୍ରକାର ସୁବିଧା ଯୋଗାଇ ଦେବେ।

ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ଲୋକ ବା ଅଧିକ ବୟସ୍କଙ୍କ କ୍ଷେତ୍ରରେ କରୋନା ସଂକ୍ରମଣର ଆଶଙ୍କା ଏବଂ ଏହାର ପ୍ରଭାବ ଅଧିକ। ଏହାଛଡ଼ା ଉଚ୍ଚ ରକ୍ତଚାପ, ଡାଇବେଟିସ୍‌, ହୃଦରୋଗୀ, ଫୁସ୍‌ଫୁସ୍‌ ରୋଗୀ, ଶ୍ୱାସ, କିଡ୍‌ନି ରୋଗୀଙ୍କୁ ମଧ୍ୟ କରୋନା ଭୂତାଣୁ ସଂକ୍ରମିତ ହେଲେ ସମସ୍ୟା ହୋଇପାରେ।

ମୋଟାମୋଟି ଭାବେ ଦେଖିବାକୁ ଗଲେ କରୋନା ଭୂତାଣୁ ସଂକ୍ରମିତଙ୍କ ମଧ୍ୟରେ ମାତ୍ର ୪ ପ୍ରତିଶତ ବ୍ୟକ୍ତିଙ୍କଠାରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଯେ ପର୍ଯ୍ୟନ୍ତ କୋଭିଡ୍‌-୧୯ ପାଇଁ ସ୍ୱତନ୍ତ୍ର ପରୀକ୍ଷା କରାଯାଇ ନାହିଁ, ସେ ପର୍ଯ୍ୟନ୍ତ କହିହେବନି କି ରୋଗୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ।

lab test

କେମିତି ହୁଏ ପରୀକ୍ଷା (How COVID-19 Test is being done, in Odia)

ରୋଗୀର ନାକ ଏବଂ ତଣ୍ଟିରୁ ସ୍ୱାବ୍ ନେଇ କରୋନା ଭୂତାଣୁର ପରୀକ୍ଷା କରାଯାଇଥାଏ। ସାଧାରଣ ଥଣ୍ଡା, ଜ୍ୱର ହେଲେ ଟେଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ। ଯଦି ନିମୋନିଆ ହୁଏ କିମ୍ବା ନିଃଶ୍ୱାସ ଓ ପ୍ରଶ୍ୱାସ ନେବାରେ ଅସୁବିଧା ହୁଏ ତା’ହେଲେ ପରୀକ୍ଷା କରିବା ଦରକାର। କାହାଠାରେ କରୋନା ଭଳି ଲକ୍ଷଣ ଦେଖାଗଲେ କୌଣସି ଡାକ୍ତରଖାନାକୁ ସିଧାସଳଖ ନଯାଇ ପ୍ରଥମେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪ରେ ଫୋନ୍‌ କରନ୍ତୁ ଏବଂ ପରାମର୍ଶ ନିଅନ୍ତୁ। ସରକାର ମାଗଣାରେ କରୋନା ପରୀକ୍ଷା ଏବଂ ଚିକିତ୍ସା କରୁଛନ୍ତି। ତେଣୁ ଭୟ କରିବାର କିଛି ନାହିଁ, କରୋନା ଭୂତାଣୁରେ ସୁସ୍ଥ ହେବାର ସମ୍ଭାବନା ଅଧିକ।

corona awareness_niroj kumar mishra

ଲକ୍‌ଡାଉନ୍‌ ଖୋଲିବା ପରେ କରୋନା ସତର୍କତା (Precautions against COVID-19 infections  after Lockdown, in Odia) 

କରୋନା କ୍ଷେତ୍ରରେ ଆମକୁ ଏକ ଲମ୍ବା ସମୟ ପର୍ଯ୍ୟନ୍ତ ଲଢ଼ିବାକୁ ହେବ। ଆଗକୁ ଲକ୍‌ଡାଉନ୍‌ ଖୋଲିବ, କିନ୍ତୁ ସ୍ୱାସ୍ଥ୍ୟ ସଚେତନତା ବା କଟକଣା ବନ୍ଦ ହେବ ନାହିଁ। ଲକ୍‌ଡାଉନ୍‌ ଖୋଲିବା ପରେ ଯଦି ଆମେ ପୁଣି ପୂର୍ବଭଳି ସଚେତନ ନ ରହିବା, ତେବେ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି।

ଲକ୍‌ଡାଉନ୍‌ ଖୋଲିବା ପରେ ସାଧାରଣ ଲୋକଙ୍କୁ ମହାମାରୀ କରୋନା ଭାଇରସରୁ ସୁରକ୍ଷିତ ରହିବା ପାଇଁ ପୂର୍ବଭଳି ସଚେତନ ରହିବାକୁ ହେବ। ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଆମକୁ ଯତ୍ନବାନ ରହିବାକୁ ପଡ଼ିବ। ଲାଇଫଷ୍ଟାଇଲ୍‌ରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ପୂର୍ବରୁ ସିନେମା ହଲ୍‌ରେ ବସିବା ବେଳେ ମିଳିମିଶି ବସୁଥିଲେ। କିନ୍ତୁ ବର୍ତ୍ତମାନ ଗୋଟେ ଗୋଟେ ସିଟ୍‌ ଛାଡ଼ି ବସିବାକୁ ପଡ଼ିବ।

ବଜାରକୁ ଗଲା ବେଳେ ସମସ୍ତଙ୍କଠାରୁ ୧ ମିଟର ଦୂରତା ରକ୍ଷା କରିବାକୁ ହେବ। ଗ୍ରୋସରି, ପରିବା ବା କିଛି ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବେଳେ ଗୋଟେ ସ୍ଥାନରେ ଗହଳି ନ ହୋଇ ଜଣେ ପରେ ଜଣେ ଯାଇ ଜିନିଷ କିଣିବାକୁ ହେବ। ଆଗାମୀ ୬ରୁ ୮ ମାସ ଯାଏଁ ବଡ଼ ବଡ଼ ପାର୍ଟି, ଯେପରିକି ବାହାଘର, ସଭାସମିତି, ଜନ୍ମଦିନ ଭଳି ଉତ୍ସବରୁ ଦୂରେଇ ରହନ୍ତୁ। ଗୋଟେ ସ୍ଥାନରେ ୫ରୁ ଅଧିକ ଲୋକ ଗହଳି କରନ୍ତୁ ନାହିଁ।

kids going school wearing mask

ଯେତେବେଳେ ପିଲାମାନେ ସ୍କୁଲ ଯିବା ଆରମ୍ଭ କରିବେ, ସେତେବେଳେ ପିଲାମାନେ ବି ସାମାଜିକ ଦୂରତା ବଜାୟ ରଖିବା ଉଚିତ୍‌। ପିଲାମାନଙ୍କୁ ଏ ନେଇ ସେମାନଙ୍କ ବାପା ମା’ ଓ ଶିକ୍ଷକମାନେ ବୁଝେଇବା ଜରୁରୀ। ପିଲାମାନଙ୍କ ମଧ୍ୟରେ ୩ ଫୁଟ୍‌ର ଦୂରତା ବଜାୟ ରଖିବା ଜରୁରୀ। ସ୍କୁଲ ବେଞ୍ଚଗୁଡ଼ିକ ମଧ୍ୟରେ ଦୂରତା ରହିବା ଜରୁରୀ।

ଗୋଟେ ଜାଗାରେ ଗହଳି ନ କରିବାକୁ ପିଲାମାନଙ୍କୁ ବାରଣ କରିବା ଆବଶ୍ୟକ। ପିଲାମାନଙ୍କୁ ପୂର୍ବଭଳି ୨୦ ସେକେଣ୍ଡ ପାଇଁ ହାତ ଧୋଇବାକୁ ପରାମର୍ଶ ଦିଅନ୍ତୁ ଓ ପିଲାମାନଙ୍କୁ ମାସ୍କର ବ୍ୟବହାର ବିଷୟରେ ବୁଝାନ୍ତୁ। କାଶ, ଛିଙ୍କ ଓ ଥଣ୍ଡା ହେଉଥିବା ପିଲାମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଅନ୍ତୁ।

ଲକ୍‌ଡାଉନ୍‌ ସରିବା ପରେ ଅଫିସ୍‌ରେ ପୂର୍ବଭଳି ସଚେତନ ରହିବା ନିହାତି ଜରୁରୀ। ପ୍ରତ୍ୟେକ ଅଫିସରେ ପ୍ରତିଷେଧକ ଉପାୟ ଅବଲମ୍ଵନର ବିଶେଷ ଆବଶ୍ୟକତା ରହିଛି। ଆପଣଙ୍କ କାର୍ଯ୍ୟାଳୟରେ ସ୍ଵଚ୍ଛତା ଉପରେ ଧ୍ୟାନ ଦିଅନ୍ତୁ। ବ୍ୟବହାର କରୁଥିବା ଟେବୁଲ, କମ୍ପ୍ୟୁଟର, କିବୋର୍ଡ, ମାଉସ୍‌, ଫୋନ ଓ ଅନ୍ୟାନ୍ୟ ଉପକରଣକୁ ସାନିଟାଇଜର ଦ୍ଵାରା ନିୟମିତ ପୋଛନ୍ତୁ। ଅଫିସରେ କାଶ, ଛିଙ୍କ, ଦ୍ଵାରା ହେଉଥିବା ସଂକ୍ରମଣ ବର୍ତ୍ତିବା ପାଇଁ ଟିସୁ ପେପର ବ୍ୟବହାର କରନ୍ତୁ। ବ୍ୟବହୃତ ଟିସୁ ପେପରକୁ ତୁରନ୍ତ ଢାଙ୍କୁଣି ଥିବା ଡଷ୍ଟବିନ୍‌ରେ ପକାନ୍ତୁ। କରମର୍ଦ୍ଦନ କରନ୍ତୁ ନାହିଁ। ଅଫିସ୍‌ରେ ଅଧିକ ଲୋକ ଏକାଠି ହୋଇ ମିଟିଂ କରନ୍ତୁ ନାହିଁ। ଆଗାମୀ ବର୍ଷେ ପାଇଁ ବାୟୋମେଟ୍ରିକ ଉପସ୍ଥାନ ମେସିନ ବ୍ୟବହାର କରନ୍ତୁ ନାହିଁ।

ଯଦି କାହାର କାଶ, ଛିଙ୍କ ହେଉଛି ତେବେ ସେ ମାସ୍କ ପିନ୍ଧିବା ଦରକାର। ଫଳରେ ଅନ୍ୟମାନେ ସୁରକ୍ଷିତ ରହିବେ। ଘରେ, ସୋସାଇଟିରେ ବା ଅଫିସରେ ଲୋକଙ୍କ ସହ ମିଳାମିଶା କଲା ବେଳେ ହାତ ମିଳାନ୍ତୁ ନାହିଁ। କାହାର କାଶ ବା ଛିଙ୍କ ହେଉଥିଲେ ତାଙ୍କଠାରୁ ଅନ୍ତତଃ ୧ ମିଟର ଦୂରତା ରକ୍ଷା କରନ୍ତୁ। ନିୟମିତ ବ୍ୟବଧାନରେ ସାବୁନରେ ବା ହ୍ୟାଣ୍ଡ ଓ୍ୱାସରେ ହାତ ଧୁଅନ୍ତୁ। ମଝିରେ ମଝିରେ ଆଲକହଲଯୁକ୍ତ ସାନିଟାଇଜରରେ ହାତ ପୋଛନ୍ତୁ। ହାତକୁ ଆଖି, ପାଟି ଓ ନାକରେ ଲଗାନ୍ତୁ ନାହିଁ। ବାରମ୍ବାର ବ୍ୟବହାର ହେଉଥିବା ଜିନିଷ ଯେପରିକି ମୋବାଇଲ ଫୋନ, ଲାପଟପ୍‌, କମ୍ପ୍ୟୁଟର କିବୋର୍ଡ ଆଦିକୁ ପରିସ୍କାର ରଖନ୍ତୁ। ଗୋଟେ ଲିପ୍ଟରେ ଯେତେ କମ୍‌ ଲୋକ ସମ୍ଭବ ଯାଆନ୍ତୁ।

exercise

ନିଜକୁ ରଖନ୍ତୁ ଫିଟ୍‌ (Physical Exercises during COVID-19, in Odia)

ଲକ୍‌ଡାଉନ୍‌ ଯୋଗୁଁ ପାର୍କ ଜିମ୍‌ ସବୁ ବନ୍ଦ। ଏଥିପାଇଁ ଲୋକେମାନେ ମର୍ଣ୍ଣିଂଓ୍ୱାକ୍‌ କି ଜିମ୍‌ରେ ଯାଇ ବ୍ୟାୟାମ କରିପାରୁ ନାହାନ୍ତି। ଏଥିପାଇଁ ଲୋକମାନେ ଘରେ ଯୋଗ, ପ୍ରାଣାୟମ୍‌, ଏରୋବିକ୍ସ, ଯୁମ୍ବା ଭଳି ବ୍ୟାୟାମ କରିପାରିବେ। ପ୍ରତିଦିନ ୩୦ ମିନିଟ୍‌ ଏକ୍ସରସାଇଜ୍‌ କରିବା ଦ୍ୱାରା ଶରୀର ଫିଟ୍‌ ରହିଥାଏ।

କୋଭିଡ୍‌-୧୯ ଭୂତାଣୁ ନ ହେବା ପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତିର ବଡ଼ ଭୂମିକା ରହିଛି। ଯଦି ଜଣେ ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ଭଲ ଓ ଶାରୀରିକ ଭାବେ ଫିଟ୍‌, ତେବେ କରୋନା ଭୂତାଣୁ ସଂକ୍ରମଣ ହେବାର ଆଶଙ୍କା କମ୍‌। ତେଣୁ ନିଜ ଖାଦ୍ୟରେ ସବୁଜ ପନିପରିବା, ଫଳ, ଅଖରୋଟ, ରାଜମା, ମାଛ, ଚିକେନ ଆଦିକୁ ସାମିଲ କରିବା ନିହାତି ଭଲ।

(Dr Niroj Mishra, renowned medicine specialist giving medical advices on how to keep away from COVID-19 infection even after the lockdown, in Odia? Odia health tips.)