ଥାଇରଏଡ୍ ରୋଗର ପ୍ରକାର, ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଜଣାଶୁଣା ବିଶେଷଜ୍ଞ ଡାକ୍ତର ଅଭୟ କୁମାର ସାହୁ କ’ଣ କହୁଛନ୍ତି? ଆସନ୍ତୁ ଜାଣିବା। (Thyroid Problem: Types, SYMPTOMS AND TREATMENT IN ODIA)
- ଥାଇରଏଡ୍ ରୋଗ କ’ଣ?
- ଥାଇରଏଡ୍ ରୋଗ କେତେ ପ୍ରକାରର?
- ଥାଇରଏଡ୍ ରୋଗର ଲକ୍ଷଣ
- ଥାଇରଏଡ୍ ରୋଗର ଚିକିତ୍ସା
ଥାଇରଏଡ୍ ଗ୍ରନ୍ଥି ଆମ ଶରୀରର ବେକରେ ଥାଏ। ଆମ ଶରୀରର ସବୁ କାର୍ଯ୍ୟ ଥାଇରଏଡ୍ ହରମୋନ ଉପରେ ନିର୍ଭର କରିଥାଏ। ଆମର ମୁଣ୍ଡର କେଶରୁ ନେଇକି ଗୋଡ଼ର ନଖ ପର୍ଯ୍ୟନ୍ତ ସବୁ କିଛି ନା କିଛି ମାତ୍ରାରେ ଥାଇରଏଡ୍ ହରମୋନ୍ ଉପରେ ନିର୍ଭର କରିଥାଏ। ସବୁ ବୟସର ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି ଥାଇରଏଡ୍ ରୋଗ। ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଏହି ରୋଗ ଅଧିକ ଦେଖିବାକୁ ମିଳିଥାଏ। ଏହା ଏକ ଅଟୋ-ଇମ୍ୟୁନ୍ ରୋଗ।
ଆସନ୍ତୁ ଜାଣିବା ଥାଇରଏଡ୍ ଯୋଗୁଁ କେଉଁ ପ୍ରକାରର ରୋଗ ହୋଇଥାଏ, ଏହି ରୋଗର ଲକ୍ଷଣ ସବୁ କ’ଣ?
ଥାଇରଏଡ୍ କାରଣରୁ ଦୁଇ ପ୍ରକାର ରୋଗ ହୋଇଥାଏ।
ହାଇପୋ ଥାଇରଏଡିଜିମ୍ – ଥାଇରଏଡ୍ ଗ୍ରନ୍ଥିରୁ ଥାଇରଏଡ୍ ହରମୋନ୍ କମ୍ କ୍ଷରଣ ହେଲେ, ତାହାକୁ ହାଇପୋ ଥାଇରଏଡିଜିମ୍ କୁହାଯାଏ।
ହାଇପର ଥାଇରଏଡିଜିମ୍ – ଥାଇରଏଡ୍ ଗ୍ରନ୍ଥିରୁ ଥାଇରଏଡ୍ ହରମୋନ୍ ଅଧିକ କ୍ଷରଣ ହେଲେ ତାହାକୁ ହଇପର ଥାଇରଏଡିଜିମ୍ ବୋଲି କହିବା।
ଥାଇରଏଡ୍ ରୋଗ ହାଇପୋ ହେଉବା ହାଇପର ଏହା ପ୍ରାୟତଃ ପୁରୁଷଙ୍କ ଅପେକ୍ଷା ଝିଅଙ୍କଠାରେ ଅଧିକ ଦେଖାଯାଏ।
ହାଇପୋ ଥାଇରଏଡିଜିମ୍ର ଲକ୍ଷଣ (Hypothyroidism Symptoms in Odia)
ଯେକୌଣସି ବୟସର ଲୋକଙ୍କୁ ହୋଇପାରେ ହାଇପୋ ଥାଇରଏଡିଜିମ୍। ଜନ୍ମଠାରୁ ଆରମ୍ଭ କରି ଗର୍ଭାବସ୍ଥା ଓ ବୃଦ୍ଧ ବୟସରେ ବି ଏହି ରୋଗ ହୋଇପାରେ।
ଜନ୍ମରୁ ହାଇପୋ ଥାଇରଏଡିଜିମ୍ ହେଲେ ପିଲାଙ୍କଠାରେ ଏହିସବୁ ଲକ୍ଷଣ ଦେଖାଦିଏ:
- ପିଲା ବୋକା ହୋଇଯା’ନ୍ତି
- ପିଲାର ବୁଦ୍ଧିର ବିକାଶ ହୋଇ ନଥାଏ, ହୁଣ୍ଡା ହୋଇଯା’ନ୍ତି
- ବାଙ୍ଗରା ହୋଇଯିବେ
- ପାଠପଢ଼ାରେ ଦୁର୍ବଳ ହୋଇଯିବେ
- ପିଲାଙ୍କଠାରେ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦିଏ
- ଜନ୍ମିତ ଶିଶୁର ନାଭି ଫୁଲିଯିବ
- ଜନ୍ମ ହେବା ପରେ ଜଣ୍ଡିସ ହେବ
- ଚର୍ମ ଶୁଖିଲା ଥାଏ
୪-୫ ବର୍ଷ ବୟସରେ ହାଇପୋ-ଥାଇରଏଡ୍ ହେଲେ:
- ଉଚ୍ଚତା ବଢ଼ିବ ନାହିଁ
- ପାଠପଢ଼ା ମନେ ରହିବ ନାହିଁ ବା ହୁଣ୍ଡା ହୋଇଯିବା
- ସ୍ମରଣ ଶକ୍ତି କମିଯିବ
- କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଦିଏ।
୧୫ରୁ ୧୬ ବର୍ଷୀୟ ଝିଅଙ୍କୁ ହାଇପୋ-ଥାଇରଏଡ୍ ହୋଇଥିଲେ:
- ଋତୁସ୍ରାବ ଉପରେ ପ୍ରଭାବ ପଡ଼ିଥାଏ
- ଓଜନ ବଢ଼ିଯାଏ
- କୌଣସି କାର୍ଯ୍ୟରେ ମନ ଲାଗି ନଥାଏ
- ସବୁବେଳେ ନିଦ ଲାଗିବ
- ଥକ୍କାପଣ
- ଏକାଗ୍ରତା କମିଯାଏ
୩୦ରୁ ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ଥାଇରଏଡ୍ ରୋଗ ହେଲେ ବି ଏହିସବୁ ଲକ୍ଷଣ ଦେଖାଦିଏ। ଏହାଛଡ଼ା ସ୍ମରଣ ଶକ୍ତି ମଧ୍ୟ କମିଯାଏ।
ହାଇପୋ-ଥାଇରଡିଜିମ୍ ରୋଗୀ ଯଦି ଲମ୍ବା ସମୟ ଧରି ଔଷଧ ନ ଖାଇବେ ତେବେ ହୃଦୟ ଚାରିପଟେ ପାଣି ଜମିଯାଏ (ପେରିକାର୍ଡିଆଲ ଇଫ୍ୟୁଜନ୍), ଫୁସ୍ଫୁସ୍ ଏବଂ ପାକସ୍ଥଳୀରେ ପାଣି ଜମେ (ପ୍ଲିଉରାଲ ଇଫ୍ୟୁଜନ୍)। ଯଦି ଏହିସବୁ ସମସ୍ୟା ହେଲା ପରେ ବି ବ୍ୟକ୍ତି ଜଣକ ଡାକ୍ତରଙ୍କ ସହ ପରାମର୍ଶ ନ କରନ୍ତି ତଥା ଔଷଧ ନ ଖାଆନ୍ତି ତେବେ ଏନ୍କେଫାଲୋପାଥି ବା ମସ୍କିଷ୍କ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ହାଇପୋ-ଥାଇରଏଡଜିମ୍ର ପରୀକ୍ଷା
T3, T4, TSH ପରୀକ୍ଷା କରି ଥାଇରଡ୍ ସମସ୍ୟା ଜଣାପଡ଼ିଥାଏ। ଏହି ପରୀକ୍ଷାରୁ ଜଣାପଡ଼ି ଯାଏ ଯେ ଜଣେ ବ୍ୟକ୍ତିର ହାଇପୋ ଥାଇରଏଡ୍ ଅଛି ବା ନାହିଁ। ପରୀକ୍ଷା ବେଳେ ଯଦି T3, T4 କମ୍ ଅଛି ଏବଂ TSH ଅଧିକ ଅଛି, ତେବେ ଏହାକୁ ପ୍ରାଇମେରୀ ହାଇପୋ-ଥାଇରଏଡିଜିମ୍ କୁହାଯାଏ।
ହାଇପୋ-ଥାଇରଏଡଜିମ୍ର ଚିକିତ୍ସା (Hypothyroidism Treatment in odia)
ଯଦି କୌଣସି ବ୍ୟକ୍ତିଙ୍କର TSH ବହୁତ ଅଧିକା ଅଛି ,ତାଙ୍କୁ ସଙ୍ଗେ ସଙ୍ଗେ ଔଷଧ ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଥାଏ। କିଛି କ୍ଷେତ୍ରରେ TSH ୧୦ରୁ କମ୍ ଥିଲେ ମଧ୍ୟ ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଥାଏ। TSH ୧୦ରୁ କମ୍ ଥିଲେ ଥାଇରଏଡ୍ ପେରୋକ୍ସାଇଡ୍ ଆଣ୍ଟିବଡି ପରୀକ୍ଷା କରାଯାଏ, ଯଦି ଥାଇରଏଡ୍ ପେରୋକ୍ସାଇଡ୍ ଆଣ୍ଟିବଡି ଅଧିକା ଅଛି ତାହେଲେ ଔଷଧ ଖାଇବାକୁ ନିହାତି ଆବଶ୍ୟକ।
ଯଦି ଜଣେ ମହିଳାଙ୍କର ସପ୍ଟନିକାଲ ହାଇପୋ ଥାଇରଏଡିଜିମ୍ (TSH ୧୦ରୁ କମ୍) ଥାଏ, ତେବେ ଓଭାରିରେ ପିଲା ରହିବାର ସମ୍ଭାବନା ବହୁତ କମ୍। ଏଭଳି କ୍ଷେତ୍ରରେ ମା’କୁ ଥାଇରଏଡ୍ ମେଡିସିନ୍ ଖାଇବାକୁ ଦିଆଯାଏ।
ଯେହେତୁ ଥାଇରଏଡ୍ ଗ୍ରନ୍ଥି ଥାଇରଏଡ୍ ହରମୋନ୍ ତିଆରି କରିବା ଥରେ ବନ୍ଦ କଲେ ଜୀବନସାରା ଆଉ ତିଆରି କରିପାରେ ନାହିଁ। ତେଣୁ ଜୀବନସାରା ହାଇପୋ ଥାଇରଏଡ୍ ଥିବା ଲୋକକୁ ହରମୋନ୍ ମେଡିସିନ୍ ଖାଇବାକୁ ପଡ଼ିଥାଏ।
ଥାଇରଏଡ୍ ଔଷଧର ବ୍ୟବହାର
ଥାଇରଏଡ୍ ମେଡିସିନ୍ ଖାଇବା ଦ୍ୱାରା କୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ହୁଏ ନାହିଁ। ଥାଇରଏଡ୍ ଔଷଧକୁ ଯଦି ଜଣେ ବ୍ୟକ୍ତି ଠିକ୍ ମାତ୍ରାରେ, ଠିକ୍ ପ୍ରଣାଳୀରେ ଓ ଠିକ୍ ସମୟରେ ଖାଇବ ତେବେ ଜୀବନସାରା ଖାଇଲେ ବି ତା’ର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ନାହିଁ।
ଥାଇରଏଡ୍ ମେଡିସିନ୍କୁ ସକାଳୁ ଉଠିବା ପରେ ଖାଲିପେଟରେ ଖାଇବା ଜରୁରୀ। ଥାଇରଏଡ୍ ଔଷଧ ଖାଇବାର ଗୋଟେ ଘଣ୍ଟା ପର୍ଯ୍ୟନ୍ତ ପାଣି ଛଡ଼ା ଅନ୍ୟ କୌଣସି ଜିନିଷ ଖାଇବା ମନା। ଯାହା ବି ଆପଣ ଖାଇବେ ଗୋଟେ ଘଣ୍ଟା ପରେ ଖାଇବେ।
ଧରାଯାଉ, ଆପଣ ଅନ୍ୟ କୌଣସି ରୋଗ ପାଇଁ କିଛି ଔଷଧ ଖାଉଛନ୍ତି ଏବଂ ଡାକ୍ତର ଆପଣଙ୍କୁ ଖାଲିପେଟରେ ଖାଇବାକୁ ପରାମର୍ଶ ଦେଇଛନ୍ତି ତେବେ ସେହି ମେଡିସିନ୍କୁ ଥାଇରଏଡ୍ ମେଡିସିନ୍ ଖାଇବାର ଗୋଟେ ଘଣ୍ଟା ପରେ ଖାଇପାରିବେ।
ଗର୍ଭବତୀ ମହିଳାମାନଙ୍କୁ ଗର୍ଭାବସ୍ଥା ସମୟରେ ସାଧାରଣତଃ ଆଇରନ୍ ଓ କ୍ୟାଲସିୟମ୍ ଔଷଧ ଖାଇବାକୁ ଦିଆଯାଇଥାଏ। ଏଭଳି କ୍ଷେତ୍ରରେ ଥାଇରଏଡ୍ ଔଷଧ ଓ କ୍ୟାଲସିୟମ୍, ଆଇରନ୍ ଔଷଧ ଖାଇବା ଭିତରେ ଅଧିକ ବ୍ୟବଧାନ ରହିବା ଦରକାର। ଥାଇରଏଡ୍ ଔଷଧ ସକାଳୁ ଖାଇବେ ଓ କ୍ୟାଲସିୟମ୍ ଓ ଆଇରନ୍ ମେଡିସିନ୍କୁ ଖରାବେଳେ ଖାଇପାରିବେ।
ଲୋକଙ୍କର ଭ୍ରାନ୍ତ ଧାରଣା ଥାଏ ଯେ ଖାଦ୍ୟପେୟ ଓ ବ୍ୟାୟାମ ନ କରିବା ଯୋଗୁଁ ଥାଇରଏଡ୍ ରୋଗ ହୋଇ ଥାଏ। କିନ୍ତୁ ଥାଇରଏଡ୍ ସମସ୍ୟାର ଖାଦ୍ୟପେୟ ଓ ବ୍ୟାୟାମ ସହ କୌଣସି ସମ୍ପର୍କ ନଥାଏ। ଏହା ଅଟୋ ଇମ୍ୟୁନ୍ ଡିଜିଜ। ଆମ ଶରୀରରେ ହରମୋନ୍ ପରିବର୍ତ୍ତନ ଯୋଗୁଁ ଥାଇରଏଡ୍ ସମସ୍ୟା ହୋଇଥାଏ।
ପୂର୍ବରୁ ଥାଇରଏଡ୍ ଆୟୋଡିନ୍ର ଅଭାବ ଯୋଗୁଁ ହେଉଥିଲା। ହେଲେ ବର୍ତ୍ତମାନ ଲୋକେ ଆୟୋଡାଇଜ୍ ଲୁଣ ଖାଉଛନ୍ତି ଯାହାଫଳରେ ଲୋକଙ୍କୁ ଲୁଣ ସାଙ୍ଗରେ ଆୟୋଡିନ୍ ମିଳିଥାଏ। ବର୍ତ୍ତମାନ ସମୟରେ ଆୟୋଡିନ୍ ଅଭାବ ନୁହେଁ ବରଂ ଅଟୋ ଇମ୍ୟୁନ୍ ଡିଜିଜ୍ କାରଣରୁ ଥାଇରଏଡ୍ ହେଉଛି। ତେଣୁ ଥାଇରଏଡ୍ ପାଇଁ ଜୀବନଶୈଳୀରେ କୌଣସି ପରିବର୍ତ୍ତନର ଆବଶ୍ୟକତା ନାହିଁ। ହେଲେ ହାଇପୋ ଥାଇରଏଡ୍ ହେଲେ ଓଜନ ବଢ଼ିଥାଏ। ତେଣୁ ସେହି ଓଜନକୁ କମେଇବାକୁ ହେଲେ ଦୈନନ୍ଦିନ ବ୍ୟାୟାମ କରିବା ଜରୁରୀ।
ହାଇପର ଥାଇରଏଡିଜିମ୍ର ଲକ୍ଷଣ (Symptoms of Hyperthyroidism in Odia)
ହାଇପୋ ଥାଇରଏଡିଜିମ୍ରେ ଯାହା ଲକ୍ଷଣ ଥାଏ, ତାହାର ଠିକ୍ ଓଲଟା ଲକ୍ଷଣ ହାଇପର ଥାଇରଏଡିଜିମ୍ରେ ଦେଖାଦିଏ। ଏହାର ଲକ୍ଷଣଗୁଡ଼ିକ ହେଉଛି:
- ଓଜନ କମିଯିବା
- ପ୍ରବଳ ଭୋକ ଲାଗିବ
- ଯଥେଷ୍ଠ ଖାଦ୍ୟ ଖାଇଲେ ମଧ୍ୟ ଓଜନ କମି କମି ଯାଏ
- ଝାଳ ବୋହିବ, ଶୀତଦିନରେ ବି ଅତ୍ୟଧିକ ଝାଳ ବୋହିବା
- ଦିନକୁ ୫ରୁ ୭ଥର ଝାଡ଼ା ହେବ
- ଅନେକଙ୍କର ଆଖିର ଆକାର ବଢ଼ିଯାଏ
- ଚିଡ୍ଚିଡ଼ା ଲାଗିବା
- ଛୋଟ ଛୋଟ କଥାରେ ରାଗିଯିବା
- ହାତ ଗୋଡ଼ ଥରିବା ଭଳି ଲକ୍ଷଣ ଦେଖାଦିଏ
ଏସବୁ ଲକ୍ଷଣ ହେଉଛି ହାଇପର ଥାଇରଏଡିଜିମ୍ର ଲକ୍ଷଣ।
ହାଇପର ଥାଇରଏଡିଜିମ୍ ଚିକିତ୍ସା (Treatment of Hyperthyroidism in Odia)
ହାଇପର ଥାଇରଏଡିଜିମ୍ରେ ବି T3, T4, TSH ପରୀକ୍ଷା କରାଯାଏ। ଏଥିରେ T3, T4 ବଢ଼ିଯିବ ଓ TSH କମିଯିବ। ବର୍ତ୍ତମାନ ହାଇପର ଥାଇରଏଡ୍ ରୋଗ ପାଇଁ ଥାଇରଏଡ୍ ଗ୍ରନ୍ଥି ସ୍କାନ କରି ବିଭିନ୍ନ ପ୍ରକାରର ଥାଇରଏଡ୍ ରୋଗ ବିଷୟରେ ଜଣାପଡ଼େ।
ହାଇପର ଥାଇରଏଡିଜିମ୍ ଔଷଧ ଜୀବନସାରା ଖାଇବାକୁ ପଡ଼େ ନାହିଁ। ସାଧାରଣତଃ ୨ରୁ ୩ ବର୍ଷ ପର୍ଯ୍ୟନ୍ତ ଔଷଧ ଖାଇଲେ ହାଇପର ଥାଇରଏଡିଜିମ୍ ଠିକ୍ ହେବାର ସମ୍ଭାବନା ଥାଏ। କିନ୍ତୁ କିଛି ଲୋକଙ୍କର ଔଷଧ ଖାଇବା ପରେ ବି ହାଇପର ଥାଇରଏଡ୍ ଠିକ୍ ହୁଏ ନାହିଁ। ଏଭଳି କ୍ଷେତ୍ରରେ ରେଡିଓ ଆୟୋଡିନ୍ ଥେରାପି ଦିଆଯାଏ।
ଯଦି ଜଣେ ମହିଳା ଗର୍ଭବତୀ ଅଛନ୍ତି ତେବେ ତାଙ୍କୁ ରେଡିଓ ଆୟୋଡିନ୍ ଦିଆଯାଏ ନାହିଁ। ଏହାଛଡ଼ା ଜଣେ ବ୍ୟକ୍ତିଙ୍କର ଗଳଗଣ୍ଡର ଆକାର ବଡ଼ ଅଛି ତେବେ ରେଡିଓ ଆୟୋଡିନ୍ ନ ଦିଆଯାଇ ସର୍ଜରୀ କରି ଗ୍ରନ୍ଥିର ୯୦ ପ୍ରତିଶତ କାଢ଼ି ଦିଆଯାଏ। କିଛି ଲୋକଙ୍କର ପୂରା ଗ୍ରନ୍ଥି କଢ଼ାଯାଏ। ଯାହା ଫଳରେ ହାଇପୋ ଥାଇରଏଡ୍ ଠିକ୍ ହୋଇଯାଏ। ଏହାପରେ ବ୍ୟକ୍ତିଙ୍କୁ ଥାଇରଏଡ୍ ହରମୋନ୍ ଔଷଧ ଦିଆଯାଏ। ଫଳରେ ରୋଗୀ ଜୀବନସାରା ସୁସ୍ଥ ରହିବେ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଅଭୟ କୁମାର ସାହୁଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: A brief medical advice, in Odia language, on types, symptoms and treatment of thyroid, based on the interview with Professor Dr. Abhay Kumar Sahoo, Senior Consultant, Endocrinology.