ଅଫିସରେ ଲଗାତାର ୮ରୁ ୯ ଘଣ୍ଟା ବସି ରହି ଡେସ୍କ କାମ କରୁଥିବା ଲୋକ ସାଧାରଣତଃ ପିଠି ଦରଜ, ଅଣ୍ଟା ବିନ୍ଧା, ମୋଟାପଣ, ଆଖିରେ ଜ୍ୱଳନ, ମୁଣ୍ଡବିନ୍ଧା ବା ଅଳସୁଆପଣର ଶିକାର ହୋଇଥା’ନ୍ତି। ଏପରିସ୍ଥଳେ ଏହି ସମସ୍ୟାରୁ କିପରି ରକ୍ଷା ପାଇପାରିବେ ଜାଣନ୍ତୁ।
ଅଫିସରେ ନିଜର ଡେସ୍କ ଉପରେ ପାଣି ବୋତଲ ନିହାତି ରଖନ୍ତୁ। ପ୍ରଥମ କଥା ହେଲା ପାଣି ପିଇବା ଫଳରେ ଶରୀରରେ ଜଳୀୟ ଅଂଶ କମ୍ ହେବନାହିଁ। ଦ୍ୱିତୀୟତଃ ଶରୀରରେ ଶକ୍ତିର ସ୍ତର ନିୟନ୍ତ୍ରିତ ହୋଇ ରହିବ। ତୃତୀୟ କଥା ହେଲା ପାଣି ଅଧିକ ପିଇଲେ ଚର୍ବି କମିଥାଏ।
ପ୍ରତି ଅଧ ଘଣ୍ଟାରେ ଟିକେ ବ୍ରେକ୍ ନିଅନ୍ତୁ ଓ ୩୦ ସେକେଣ୍ଡ ପାଇଁ ଛିଡ଼ା ହୁଅନ୍ତୁ ବା ଚାଲନ୍ତୁ। ଏହି ସମୟରେ ଶିଡ଼ିରେ ଏପଟସେପଟ ହୁଅନ୍ତୁ। ନହେଲେ ନିଜର ପାଣି ବୋତଲ ନିଜେ ଭରି ଆଣନ୍ତୁ।
କମ୍ପ୍ୟୁଟର ସାମ୍ନାରେ ଅଧିକ ସମୟ ଧରି କାମ କରିବାକୁ ପଡୁଥିଲେ ମଝିରେ ମଝିରେ ଆଖିକୁ ବନ୍ଦ ରଖନ୍ତୁ। ଡାକ୍ତରମାନଙ୍କ କହିବାନୁସାରେ ଏକ ମିନିଟ୍ ବ୍ୟବଧାନରେ ଆଖି ପତାକୁ ବାରମ୍ବାର ତଳ ଉପର କରିବା ଦ୍ୱାରା ଆଖିର ବ୍ୟାୟାମ ହୋଇଥାଏ ଓ ଆଖିକୁ ରିଲାକ୍ସ ମିଳିଥାଏ।
ସବୁବେଳେ ସିଧା ବସନ୍ତୁ। ଅଫିସ୍ରେ ବସିବା ବେଳେ ଗୋଡ଼ ଉପରେ ଗୋଡ଼ ପକାଇ ବସନ୍ତୁ ନାହିଁ।
କମ୍ପ୍ୟୁଟରକୁ ସବୁବେଳେ ମୁହଁ ସିଧାରେ ରଖନ୍ତୁ, ଯେପରିକି ଆପଣଙ୍କ ମନିଟର ଆପଣଙ୍କ ଆଖିର ସିଧାରେ ଥିବ। ଫଳରେ କମ୍ପ୍ୟୁଟରକୁ ସିଧା ଦେଖିପାରିବେ।
କମ୍ପ୍ୟୁଟରକୁ ଅତି ନିକଟରୁ ଦେଖିଲେ ଆଖି ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ସେହିପରି ଦୂରରେ ରଖିଲେ ଆଖିରେ ଜ୍ୱଳନ ହେବାର ଆଶଙ୍କା ଅଧିକ ଥାଏ। କମ୍ପ୍ୟୁଟରକୁ ସବୁବେଳେ ହାତେ ବ୍ୟବଧାନରେ ରଖନ୍ତୁ।
ଅଫିସରେ କାର୍ଯ୍ୟ କରିବା ପାଇଁ ସଠିକ୍ ଚେୟାର ଚୟନ କରନ୍ତୁ। ଫଳରେ ଅଣ୍ଟା, ପିଠି ଦରଜ ହେବ ନାହିଁ।