ଡିପ୍ରେସନ ବା ମାନସିକ ଅବସାଦର କାରଣ କ’ଣ? ଏହାର ନିରାକରଣକୁ ନେଇ ବିଶିଷ୍ଟ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (Depression: Causes, Symptoms, Treatment in Odia)

ଦୁଇ ସପ୍ତାହରୁ ଅଧିକ ସମୟ ଯାଏଁ ମନ ଦୁଃଖ ବା ଚାପରେ ରହିଲେ ଏହା ମାନସିକ ଅବସାଦ ବା ଡିପ୍ରେସନର ଲକ୍ଷଣ ହୋଇପାରେ। ଆଜିକାଲି ପ୍ରାୟତଃ ସମସ୍ତେ ବ୍ୟସ୍ତବହୁଳ ଜୀବନ ବିତାଉଛନ୍ତି। କାମର ଅଧିକ ଚାପ ହେଉ କିମ୍ବା କୌଣସି ପରିସ୍ଥିତି ମଣିଷକୁ ଚାପଗ୍ରସ୍ତ ବା ଦୁଃଖୀ କରିଦେଉଛି। ଯଦି ଏହି ଚାପ ୨ ସପ୍ତାହରୁ ଅଧିକ ଦିନ ରହେ, ତାହାକୁ ମାନସିକ ଅବସାଦ ବା ଡିପ୍ରେସନ କୁହାଯାଏ। ଏହି ଡିପ୍ରେସନ ମଣିଷକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥାଏ।

ଅନ୍ୟ ଦେଶ ତୁଳନାରେ ଭାରତରେ ଡିପ୍ରେସନ ସର୍ବାଧିକ ଦେଖାଦିଏ। ବିଶେଷକରି ମହିଳା, ଛୋଟପିଲାଙ୍କ ପାଖରେ ଏହା ଦେଖାଯିବାର ସମ୍ଭାବନା ରହିଥାଏ। ୨୦ ରୁ ୪୦ ବର୍ଷ ବୟସ୍କ ଲୋକମାନେ ଡିପ୍ରେସନର ବଶବର୍ତ୍ତୀ ଅଧିକ ହୋଇଥା’ନ୍ତି।

ମାନସିକ ଅବସାଦର କାରଣ କ’ଣ? (Causes of Depression in Odia)

କେବଳ ବୟସ୍କ ନୁହଁନ୍ତି ଛୋଟପିଲା ମଧ୍ୟ ମାନସିକ ଅବସାଦର ଶିକାର ହେଉଛନ୍ତି। ଅଫିସରେ ଅଧିକ କାମର ଚାପ, ଘରୋଇ କଳି କିମ୍ବା କୌଣସି ପରିସ୍ଥିତି ଯୋଗୁଁ ଡିପ୍ରେସନ ଦେଖାଦିଏ। ସ୍କୁଲରେ ପିଲାମାନଙ୍କୁ ପରୀକ୍ଷା ଚିନ୍ତା, ପାଠପଢ଼ାକୁ ନେଇ ବାପା ମା’ଙ୍କର ଚାପ ମାନସିକ ଅବସାଦର ପ୍ରମୁଖ କାରଣ।

ବର୍ତ୍ତମାନ ସମୟରେ ଲୋକମାନଙ୍କ ଜୀବନଶୈଳୀ ଡିପ୍ରେସନର ଏକ ମୁଖ୍ୟ କାରଣ ପାଲଟିଛି। ଅନେକ ସମୟରେ ଆମେ ନିଜର ସମସ୍ୟା କାହା ସାମ୍ନାରେ ପରିପ୍ରକାଶ କରିପାରୁ ନାହାନ୍ତି। ବହୁତ ଦିନ ପର୍ଯ୍ୟନ୍ତ ସେସବୁ କଥା ମସ୍ତିଷ୍କରେ ରହିଲେ ବ୍ୟକ୍ତି ଡିପ୍ରେସନର ଆଡ଼କୁ ଗତି କରିଥାଏ।

ବେଳେ ବେଳେ ପ୍ରସବ ପରେ ମହିଳାଙ୍କଠାରେ ଡିପ୍ରେସନ ରୋଗ ଦେଖାଦିଏ, ଯାହାକୁ ଆମେ ପୋଷ୍ଟପାର୍ଟମ ଡିପ୍ରେସନ କହିଥାଉ। ମାନସିକ ଉଦ୍‌ବେଗ ଏବଂ ଚାପ ଡିପ୍ରେସନର ପ୍ରମୁଖ କାରଣ।

ମଣିଷ ମସ୍ତିଷ୍କରେ କେତେକ ରାସାୟନ ପଦାର୍ଥ କମିଗଲେ ଡିପ୍ରେସନ ଦେଖାଦିଏ। ଜିନଗତ କାରଣ, ଅଧିକ ନିଶାଦ୍ରବ୍ୟ ସେବନ, ମଧୁମେହ, ଥାଇରଏଡ ଭଳି ଶାରୀରିକ ରୋଗ ମାନସିକ ଅବସାଦର କାରଣ।

depression

ମାନସିକ ଅବସାଦର ଲକ୍ଷଣ (Symptoms of Depression in Odia)

ମାନସିକ ଅବସାଦରେ ତିନୋଟି ମୁଖ୍ୟ ଲକ୍ଷଣ ଦେଖାଯାଏ।

ପ୍ରଥମ ଲକ୍ଷଣ ହେଉଛି ହୋପ୍‌ଲେସ୍‌ନେସ ଯାହାକୁ ଆମେ ନିରାଶପଣ ବୋଲି କହିଥାଉ। ଏହି ରୋଗରେ ଶିକାର ହୋଇଥିବା ବ୍ୟକ୍ତି ନିଜକୁ ନିରାଶ ବୋଲି ମନେକରେ। ସେ କୌଣସି କାମ କରିପାରିବ ନାହିଁ ଭାବେ। ତାକୁ ବେଳେବେଳେ କାନ୍ଦ ଲାଗିଥାଏ।

ହେଲ୍ପଲେସନେସ୍‌ ହେଉଛି ଅନ୍ୟ ଲକ୍ଷଣ। ଡିପ୍ରେସନରେ ଥିବା ବ୍ୟକ୍ତି ନିଜକୁ ଏକୁଟିଆ ଅନୁଭବ କରିଥାଏ। ନିଜର ସମସ୍ୟା ସେ କାହା ପାଖରେ କହିପାରେ ନାହିଁ।

ଡିପ୍ରେସନ୍‌ର ଅନ୍ୟ ପ୍ରମୁଖ ଲକ୍ଷଣ ହେଉଛି ଓର୍ଥଲେସନେସ। କୌଣସି କାମରେ ସଫଳ ନ ପାଇବା ଯୋଗୁଁ ମାନସିକ ଅବସାଦ ଦେଖାଦିଏ। ନିଦ, ଭୋକ କମିଯିବା, ରାତିରେ ନିଦ ଆସିବାରେ ଅସୁବିଧା ହେବା, ବାରମ୍ବାର ନିଦ ଭାଙ୍ଗିବା, ଭୋର ସମୟରେ କାନ୍ଦ ଲାଗିବା ଡିପ୍ରେସନର ଲକ୍ଷଣ।

ଅନେକ ସମୟରେ ଭୋକ ଏବଂ ନିଦ ବଢ଼ିଯାଏ। ମାତ୍ର ଅଧିକାଂଶଙ୍କ ନିକଟରେ ସାମାନ୍ୟ ବ୍ୟତିକ୍ରମ ଦେଖାଯାଏ। କଥା କହିବା ସମୟରେ ଚିଡ୍‌ଚିଡ୍‌ ଲାଗିବା, ନିଜକୁ ଏକୁଟିଆ ଅନୁଭବ କରିବା, ଧୀରେ ଧୀରେ ସ୍ମରଣ ଶକ୍ତି କମିଯିବା ଡିପ୍ରେସନର କାରଣ।

ମାନସିକ ଅବସାଦର ଅନ୍ୟସବୁ ଲକ୍ଷଣ ହେଉଛି କୌଣସି କାମରେ ମନ ନ ଲାଗିବା, କ୍ଲାନ୍ତ ହୋଇଯିବା, ଏକାଗ୍ରତା ହ୍ରାସ ପାଇବା।

ଡିପ୍ରେସନ୍ ରୋଗର ଚିକିତ୍ସା (Treatment of Depression in Odia)

ଏହି ରୋଗର ନିରାକରଣ ପାଇଁ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ କରିବା ଆବଶ୍ୟକ। ମାନସିକ ଅବସାଦର ଚିକିତ୍ସା ନିମନ୍ତେ ମୁଖ୍ୟତଃ ଆଣ୍ଟି ଡିପ୍ରେସନ୍‌ ମେଡିସନ୍‌ର ବ୍ୟବହାର କରାଯାଇଥାଏ।

ଦୁଇରୁ ତିନି ତୃତୀୟାଂଶ ଡିପ୍ରେସନ ଶିକାର ବ୍ୟକ୍ତି ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରନ୍ତି। ୧୫ ରୁ ୨୦ ପ୍ରତିଶତ ମାନସିକ ଅବସାଦରେ ପୀଡ଼ିତ ବ୍ୟକ୍ତି ଆତ୍ମହତ୍ୟା କରିଥା’ନ୍ତି। ତେଣୁ ଡାକ୍ତରଙ୍କୁ ଏ ବାବଦରେ ଅବଗତ କରିବା ଉଚିତ। ଏହାର ଚିକିତ୍ସା ପାଇଁ ନିର୍ଦ୍ଦିଷ୍ଟ କୋର୍ସ ରହିଛି। ରୋଗର ତୀବ୍ରତା ଅନୁସାରେ ମନସାତ୍ତ୍ଵିକ ଚିକିତ୍ସା କରାଯାଏ। ସିବିଟି, ଫ୍ୟାମିଲି ଥେରାପି ମଧ୍ୟ କରାଯାଏ। ବାରମ୍ବାର ଡିପ୍ରେସନରେ ପୀଡ଼ିତ ହେଉଥିବା ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଥେରାପି ରହିଛି।

ମାନସିକ ଅବସାଦର ନିରାକରଣ (Elimination of Depression in Odia)

ମାନସିକ ଅବସାଦ ବା ଚାପରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ। ମସ୍ତିଷ୍କକୁ ଶାନ୍ତ ରଖିବା ପାଇଁ ବିଭିନ୍ନ ବ୍ୟାୟାମ, ଯୋଗ, ମେଡିଟେସନ କରନ୍ତୁ। ନିଶାଦ୍ରବ୍ୟଠାରୁ ନିବୃତ୍ତ ରହିବା ସହ ଫାଷ୍ଟଫୁଡ୍‌ ବା ତେଲମସଲା ଖାଦ୍ୟ କମ୍‌ ଖାଇବେ। ନିଜର ସମସ୍ୟା ଘରଲୋକ, ସାଙ୍ଗସାଥୀମାନଙ୍କ ସହ ଆଲୋଚନା କରିବା ଫଳରେ ମାନସିକ ଅବସାଦ ଦେଖାଦିଏ ନାହିଁ। ଅବସାଦରୁ ନିଜକୁ ମୁକ୍ତି ରଖିବାକୁ ହେଲେ ଏକ ସୁସ୍ଥ ଜୀବନଶୈଳୀ ଆପଣେଇବା ଉଚିତ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସତ୍ୟକାମ ମହାପାତ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on Depression based on the interview with Dr. Satyakam Mohapatra, Neuropsychiatrist.