ପିଲାଙ୍କ ଦାନ୍ତର ସଠିକ ଭାବେ ଯତ୍ନ ନ ନେଲେ ଦାନ୍ତ ପୋକ ଖାଇବାଠାରୁ ଆରମ୍ଭ କରି ପାଇରିଆ ଭଳି ସମସ୍ୟା ଦେଖାଦିଏ।
ଦାନ୍ତ ଆମ ଶରୀରର ଏକ ମୁଖ୍ୟ ଅଙ୍ଗ। ଆମ ଶରୀରରେ ଦୁଇ ପ୍ରକାର ଦାନ୍ତ ଥାଏ, କ୍ଷୀର ଦାନ୍ତ ଏବଂ ସ୍ଥାୟୀ ଦାନ୍ତ। ଛୋଟ ଛୁଆଙ୍କ କ୍ଷୀର ଦାନ୍ତ ଥରେ ପଡ଼ିଲେ ଆଉଥରେ ଉଠିଥାଏ। କିନ୍ତୁ ସ୍ଥାୟୀ ଦାନ୍ତ ଥରେ ଉପୁଡ଼ିଲେ ଆଉ ଉଠେ ନାହିଁ।
ଛୋଟ ଛୁଆଙ୍କ ଦାନ୍ତର ସଠିକ୍ ଯତ୍ନ ନେବା ନିହାତି ଜରୁରୀ। ଛୋଟ ଛୁଆମାନେ ବୋତଲରେ କ୍ଷୀର ଖାଇବା ବେଳେ ବୋତଲ ପାଟିରେ ଚାପି କରି ଶୋଇପଡ଼ନ୍ତି। ଫଳରେ ଖାଦ୍ୟ ଦାନ୍ତରେ ପଶି ରହିଯାଏ। ଯଦି ପିଲାଙ୍କ ଦାନ୍ତର ସଠିକ୍ ଯତ୍ନ ନ ନେବା ଭବିଷ୍ୟତରେ ତାହା ସଂକ୍ରମଣ ହୋଇ ମାଢ଼ି ଫୁଲିଯାଏ। ଫଳରେ ଦାନ୍ତ ଉପାଡ଼ିବାକୁ ପଡ଼ିଥାଏ। ଦାନ୍ତ ଉପାଡ଼ିବା ପାଇଁ ଠିକ୍ ସମୟ ହୋଇ ନଥିଲେ ସ୍ଥାୟୀ ଦାନ୍ତ ତେଢ଼ା ହୋଇପାରେ। ତେଣୁ ଛୋଟବେଳୁ ପିଲାମାନଙ୍କ ଦାନ୍ତର ଯତ୍ନନେବା ଜରୁରୀ।
ଖାଇସାରିବା ପରେ ଛୋଟ ପିଲାଙ୍କୁ ବ୍ରସ୍ କରାଇବା ଦରକାର। ଦିନକୁ ଅତିକମ୍ରେ ଦୁଇଥର ଦାନ୍ତ ଘଷିବା ଦରକାର। ଶୋଇବା ପୂର୍ବରୁ ଛୁଆମାନଙ୍କୁ କୁଳକୁଚା କରାଇବା ଦରକାର। ନଚେତ୍ ସ୍ଥାୟୀ ଦାନ୍ତ ଉଠିବା ବେଳକୁ ସମସ୍ୟା ଦେଖାଦେଇପାରେ।
ଛୋଟ ପିଲାମାନେ ନିୟମିତ ଭାବେ ଚିନିଯୁକ୍ତ ଖାଦ୍ୟ ଖାଇବା ବା ପିଇବା ଦ୍ୱାରା ସେମାନଙ୍କର ଦାନ୍ତ ସଢ଼ିଥାଏ। ସାଧାରଣତଃ ସ୍ତନ୍ୟପାନ କରୁଥିବା ପିଲାମାନେ କ୍ଷୀର ପିଇବା ସମୟରେ ଶୋଇଯାଇଥା’ନ୍ତି। ସେଥିଯୋଗୁଁ ସେମାନଙ୍କର ପାଟିରେ କିଛି କ୍ଷୀର ରହିଯାଏ। ସେହି କ୍ଷୀର କାରଣରୁ ବ୍ୟାକ୍ଟେରିଆ ହୋଇଥାଏ, ଯାହାକି ପରବର୍ତ୍ତୀ ସମୟରେ ଦାନ୍ତ ସଢ଼ିବାର କାରଣ ପାଲଟେ। ବୋତଲରେ କ୍ଷୀର ପିଉଥିଲେ ମଧ୍ୟ ଏହି ସମସ୍ୟା ହୋଇଥାଏ। ଏଥିରୁ ରକ୍ଷା ପାଇବା ଲାଗି ଯତ୍ନବାନ ହେବା ଜରୁରୀ। ଦିନରେ ପିଲାମାନଙ୍କର ବୋତଲରେ କ୍ଷୀର ବା ମିଠା ପାଣି ବଦଳରେ ସାଧା ପାଣି ଦିଅନ୍ତୁ। ଖାଇବାରେ ମଧ୍ୟ ଚିନିର ବ୍ୟବହାର କମ କରନ୍ତୁ।
– କ୍ଷୀର ପିଆଇବା ପରେ ପିଲା ଶୋଇବା ଆରମ୍ଭ କରିବା କ୍ଷଣି ତା’ ପାଟି ପାଖରୁ ବୋତଲ ବାହାର କରି ଦିଅନ୍ତୁ।
– ପ୍ରତି ଥର ଖାଦ୍ୟ ଖୁଆଇବା ବା ପିଆଇବା ପରେ ପିଲାର ଦାନ୍ତ ଓ ପାଟିକୁ ଓଦା କପଡ଼ାରେ ସଫା କରି ନିଅନ୍ତୁ। ଏହାଯୋଗୁଁ ଚିନି ଓ ଅନ୍ୟ କେତେକ ମଇଳା ବାହାରିଯିବ।
-ପିଲା ବର୍ଷକର ହୋଇଯିବା ପରେ କପ୍ରେ କ୍ଷୀର କିମ୍ବା ଅନ୍ୟ ଜିନିଷ ପିଆନ୍ତୁ।
ପିଲାର ଦାନ୍ତକୁ ସଫା ରଖିବେ କିପରି
ସାଧାରଣତଃ ୩ ବର୍ଷ ମଧ୍ୟରେ ପିଲାର ଦାନ୍ତ ଉଠିଯାଇଥାଏ ଏବଂ ୬ ବର୍ଷ ହେବାବେଳକୁ ଦାନ୍ତ ପଡ଼ିବା ଆରମ୍ଭ ହୁଏ। ତା’ ସ୍ଥାନରେ ସ୍ଥାୟୀ ଦାନ୍ତ ଆସିଯାଏ। ୧୩ ବର୍ଷ ବୟସ ବେଳକୁ ପିଲାର ସ୍ଥାୟୀ ଦାନ୍ତ ଆସିଯାଇଥାଏ। ଏଭଳିସ୍ଥଳେ ଦିନରେ ଦୁଇଥର ତାକୁ ଫ୍ଲୋରାଇଡ୍ ଯୁକ୍ତ ଟୁଥପେଷ୍ଟରେ ଦାନ୍ତ ଘଷିବାକୁ ବାଧ କରନ୍ତୁ। ପ୍ରତି ୬ ମାସରେ ଥରେ ଡାକ୍ତରଙ୍କ ପାଖକୁ ନେଇ ଦାନ୍ତ ଚେକଅପ୍ କରନ୍ତୁ। ଡାଏଟରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ଡିକୁ ଭରପୁର ମାତ୍ରାରେ ଦିଅନ୍ତୁ। କ୍ୟାଣ୍ଡି ଏବଂ ସୋଡାଯୁକ୍ତ ଡ୍ରିଙ୍କସ ପିଇବାକୁ ଦିଅନ୍ତୁ ନାହିଁ।