କରୋନା ସଂକ୍ରମିତଙ୍କଠାରେ ସାଧାରଣ, ମଧ୍ୟମ ଏବଂ ଗୁରୁତର ଲକ୍ଷଣ ଦେଖିବାକୁ ମିଳୁଛି। ଅନେକଙ୍କଠାରେ କୌଣସି ଲକ୍ଷଣ ଦେଖାଦେଉ ନାହିଁ। ଏନେଇ ଲୋକେ ଦ୍ୱନ୍ଦ୍ୱରେ ଥାଆନ୍ତି କ’ଣ କରିବେ କ’ଣ ନାହିଁ।
ସାଧାରଣ ଲକ୍ଷଣ ଥିଲେ କ’ଣ କରିବେ?
ସାଧାରଣ ଲକ୍ଷଣ ଥିଲେ ବ୍ୟକ୍ତିଙ୍କଠାରେ ଜ୍ୱର, କାଶ ଏବଂ ଥଣ୍ଡା ଭଳି ଲକ୍ଷଣ ଦେଖାଦିଏ।
କ’ଣ କରିବା ଦରକାର?
- ଘରେ ସଙ୍ଗରୋଧରେ ରହନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ, ମାସ୍କ ପିନ୍ଧନ୍ତୁ ଏବଂ ବାରମ୍ବାର ସାବୁନରେ ହାତ ଧୁଅନ୍ତୁ।
- ଶରୀରର ଜଳୀୟ ଅଂଶକୁ ବଜାୟ ରଖିବା ପାଇଁ ପ୍ରଚୁର ପାଣି ପିଅନ୍ତୁ।
- ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ।
- ଶରୀରର ଅମ୍ଳଜାନ ସ୍ତର, ତାପମାତ୍ରା ପରୀକ୍ଷା କରନ୍ତୁ।
କେତେବେଳେ ଡାକ୍ତରଖାନା ଯିବେ?
- ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେଲେ,
- ପୂର୍ବରୁ କୌଣସି ରୋଗରେ ପୀଡ଼ିତ ଥିବା ବା ୬୦ ବର୍ଷରୁ ଅଧିକ ବୟସ ହୋଇଥିବା ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେଲେ ଡାକ୍ତରଖାନାରେ ଭର୍ତ୍ତି କରାନ୍ତୁ।
- ପ୍ରବଳ ଜ୍ୱର, କଫ ଏବଂ ଶରୀର ଥରି ଉଠିଲେ ଡାକ୍ତରଖାନାରେ ଭର୍ତ୍ତି କରନ୍ତୁ।
ମଧ୍ୟମ ଲକ୍ଷଣ ଥିବା ଆକ୍ରାନ୍ତ କ’ଣ କରିବା ଦରକାର?
ମଧ୍ୟମ ଲକ୍ଷଣ ଯେପରିକି ଜ୍ୱର, କାଶ ଓ ମୁଣ୍ଡ ବିନ୍ଧା ହେବା ଏବଂ ଶରୀରରେ ଅମ୍ଳଜାନ ୯୫ରୁ ୯୦କୁ କମିଯିବା ଏବଂ ଗୋଟିଏ ମିନିଟ୍ରେ ୨୪ରୁ ଅଧିକଥର ନିଶ୍ୱାସ ନେଉଥିବାର ଦେଖିବାକୁ ମିଳିଥାଏ।
ଏହି ରୋଗୀ କ’ଣ କରିବା ଦରକାର?
- ଏହି ଲକ୍ଷଣ ଥିବା ବ୍ୟକ୍ତି ଡାକ୍ତଖାନାରେ ଭର୍ତ୍ତି ହୁଅନ୍ତୁ।
- ଅମ୍ଲଜାନ ଦିଅନ୍ତୁ ଏବଂ ଶରୀରରେ ଅମ୍ଳଜାନ ସ୍ତର ବୃଦ୍ଧି କରିବା ପାଇଁ ପ୍ରତି ଦୁଇ ଘଣ୍ଟାକୁ ଥରେ ପ୍ରୋନିଂ କରନ୍ତୁ।
- ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ।
କିପରି କରିବେ ନିରୀକ୍ଷଣ
- ଆକ୍ରାନ୍ତଙ୍କ ଶ୍ୱାସକ୍ରିୟା, ରକ୍ତ ସଞ୍ଚାଳନ ପ୍ରକ୍ରିୟା ଏବଂ ଆବଶ୍ୟକତା ଅନୁସାରେ ଅମ୍ଳଜାନ ଦିଅନ୍ତୁ। ସ୍ୱାସ୍ଥ୍ୟ ଅତ୍ୟନ୍ତ ଗୁରୁତର ହେଲେ ଏଚ୍ ଆର୍ ସିଟି ପରୀକ୍ଷା କରାନ୍ତୁ।
ଗୁରୁତର ଲକ୍ଷଣ ଥିବା ବ୍ୟକ୍ତି କ’ଣ କରିବେ?
- ଉପରୋକ୍ତ ସମସ୍ତ ଲକ୍ଷଣ ସହିତ ଗୋଟିଏ ମିନିଟ୍ରେ ୩୦ରୁ ଅଧିକ ଥର ନିଶ୍ୱାସ ପ୍ରଶ୍ୱାସ ନେବା ଏବଂ ଅଣନିଶ୍ୱାସୀ ଭଳି ଲକ୍ଷଣ ଦେଖାଯାଏ। ଏହା ସହିତ ଶରୀରରେ ଅମ୍ଳଜାନର ସ୍ତର ୯୦ ପ୍ରତିଶତରୁ କମ୍ ହୋଇଯିବା ଦେଖିବାକୁ ମିଳେ।
- ଏହି ଲକ୍ଷଣ ଥିବା ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଏବଂ ଆଇ.ସି.ୟୁରେ ଭର୍ତ୍ତି କରାନ୍ତୁ।