କୋଭିଡ୍‌ ଦ୍ୱିତୀୟ ଲହରିରେ ଅଧିକରୁ ଅଧିକ ଶିଶୁ ସଂକ୍ରମଣ ହେଉଛନ୍ତି। କରୋନାର ସଂକ୍ରମଣଠାରୁ ପିଲାମାନଙ୍କୁ କିଭଳି ସୁରକ୍ଷିତ ରଖାଯାଇପାରିବ, ଆସନ୍ତୁ ଜାଣିବା।

କୋଭିଡ୍‌ର ପ୍ରଥମ ଲହରିରେ ଅଧିକାଂଶ ବୟସ୍କ ଲୋକମାନେ ଶିକାର ହେଉଥିଲେ। ହେଲେ ଦ୍ୱିତୀୟ ଷ୍ଟ୍ରେନ୍‌ରେ ବୟସ୍କ ଲୋକଙ୍କ ତୁଳନାରେ ଯୁବକ ଓ ଶିଶୁମାନେ ବେଶୀ ଆକ୍ରାନ୍ତ ହେଉଛନ୍ତି।

ଯେହେତୁ ଶିଶୁମାନେ ସାଧାରଣତଃ ଘର ଭିତରେ ନିଜର ପରିବାର ସଦସ୍ୟଙ୍କ ଗହଣରେ ରହୁଛନ୍ତି, ଏଣୁ ପରିବାର ସଦସ୍ୟଙ୍କ ଦ୍ୱାରା ସଂକ୍ରମିତ ହେବା ଆଶଙ୍କା ଅଧିକ ଥାଏ। ଘରର ବଡ଼ ଲୋକମାନେ ହେଲେ କରୋନା ଭୂତାଣୁ ବାହକ। ତେଣୁ, ବୟସ୍କ ଲୋକମାନେ ଅଧିକ ସଚେତନ ରହିବା ଆବଶ୍ୟକ। ସେମାନେ ସଚେତନ ହେଲେ, ପିଲାମାନଙ୍କୁ ସୁରକ୍ଷିତ ରଖାଯାଇପାରିବ।

କୋଭିଡ୍‌ ଦ୍ଵିତୀୟ ଷ୍ଟ୍ରେନ୍‌ରୁ ଶିଶୁଙ୍କୁ କିପରି ସୁରକ୍ଷିତ ରଖିବେ?

ଶିଶୁମାନଙ୍କୁ ଯଦି କାଶ,କଫ,ସର୍ଦ୍ଦି ହେଉଛି ବା ଶୋଇବା ବେଳେ କଷ୍ଟ ହେଉଛି, ତାହାହେଲ ଡାକ୍ତରଙ୍କ ସହାୟତା ନିଅନ୍ତୁ। କୋଭିଡ୍‌-୧୯ଠାରୁ ପିଲାଙ୍କୁ ସୁରକ୍ଷିତ ରଖିବା କିଛି ପଦକ୍ଷେପ ଗ୍ରହଣ କରିପାରିବେ?

୧) ପିଲାମାନଙ୍କୁ ଘର ଭିତରେ ରଖନ୍ତୁ। ଘରର ଚଟାଣ ପରିଷ୍କାର ରଖନ୍ତୁ।

୨) ବାରମ୍ବାର ସାବୁନ ଲଗେଇ ଭଲଭାବେ ହାତ ଧୋଇବାକୁ ପ୍ରେରିତ କରନ୍ତୁ। ସାବୁନ ଉପଲବ୍ଧ ନହେଲେ ସାନିଟାଇଜର୍‌ ଲଗାନ୍ତୁ।

୩) ପିଲାମାନଙ୍କୁ ବାରମ୍ବାର ମୁହଁ, ନାକ, ଆଖି ଛୁଇଁବାକୁ ବାରଣ କରନ୍ତୁ।

୪) ଏହି ସମୟରେ ପିଲାଙ୍କୁ ବାହାରକୁ ନିଅନ୍ତୁ ନାହିଁ। ଖାସ୍‌କରି ଗହଳିପୂର୍ଣ୍ଣ ସ୍ଥାନକୁ ନିଅନ୍ତୁ ନାହିଁ।

୫) ପୋଷା ପ୍ରାଣୀଙ୍କଠାରୁ ଦୂରେଇ ରହନ୍ତୁ।

୬) ଶରୀରରୁ ଜଳୀୟ ଅଂଶ କମ୍‌ ହେବାକୁ ଦିଅନ୍ତୁ ନାହିଁ। ଏଥିପାଇଁ ଦିନସାରା ପାଣି, ଜୁସ୍‌ ଆଦି ପିଇବାକୁ ଦିଅନ୍ତୁ।

ଅଧିକ ପଢ଼ନ୍ତୁ: ପୁଣି କାହିଁକି ବଢୁଛି କରୋନା?

୭) ଘରୁ ବାହାରକୁ ବାହରିଲେ ମାସ୍କ ପିନ୍ଧାନ୍ତୁ।

୮) ଘରେ କାହାକୁ ଥଣ୍ଡା, ସର୍ଦ୍ଦି, କଫ ହୋଇଥିଲେ, ପିଲାମାନଙ୍କଠାରୁ ଦୂରରେ ରହନ୍ତୁ।

୯) ବାରମ୍ବାର ସ୍ପର୍ଶ କରାଯାଉଥିବା ଜିନିଷ ଯେପରିକି ଡେସ୍କଟପ୍‌, ଲାପ୍‌ଟପ୍‌, ସ୍ମାର୍ଟଫୋନ୍‌, ଟିଭି ତଥା ଏସି ଆଦିର ରିମୋଟ୍‌, ଟିଭି ରିମୋଟ୍‌, ମୋବାଇଲ, ଡୋର ହ୍ୟାଣ୍ଡେଲ ଆଦିକୁ ଭଲ ଭାବେ ବିଶୋଧିତ କରନ୍ତୁ।

୧୦)ପିଲାଙ୍କ ସହିତ ଅଧିକରୁ ଅଧିକ ସମୟ ବିତାନ୍ତୁ ତଥା ସେମାନଙ୍କୁ ବିଭିନ୍ନ ଗତିବିଧିରେ ବ୍ୟସ୍ତ ରଖନ୍ତୁ।

ବାପାମା ଶିଶୁର ସୁରକ୍ଷା ପାଇଁ ବର୍ତ୍ତମାନ କେଉଁସବୁ ବିଷୟ ପ୍ରତି ଧ୍ୟାନ ଦେବେ?

ବାପା,ମା’ ପିଲାମାନଙ୍କ ଖାଦ୍ୟ, ପାନୀୟ ଓ ବିଶ୍ରାମ ଆଦି ପ୍ରତି ଧ୍ୟାନ ଦିଅନ୍ତୁ। ସେମାନଙ୍କୁ କରୋନା ସମ୍ବନ୍ଧରେ ଜଣାନ୍ତୁ। ବିଶ୍ୱ ପରିସ୍ଥିତି ବିଷୟରେ ମଧ୍ୟ ଜଣାନ୍ତୁ। କରୋନା କିପରି ସଂକ୍ରମିତ ହୋଇଥାଏ ସେ ବିଷୟରେ ଜଣାନ୍ତୁ ଓ ଏଥିରୁ ସୁରକ୍ଷିତ ରହିବାର ଉପାୟଗୁଡ଼ିକ ବିଷୟରେ ଜଣାନ୍ତୁ। ବିଶେଷକରି ସେମାନଙ୍କୁ ବାରମ୍ବାର ନିଜ ହାତକୁ ସାବୁନ୍‌ରେ ଧୋଇବାକୁ ପ୍ରେରିତ କରନ୍ତୁ। ଏହା ସହିତ ସାମାଜିକ ଦୂରତା ରକ୍ଷା କରିବାର ଗୁରୁତ୍ୱ ବିଷୟରେ ବୁଝାନ୍ତୁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପିଲାମାନେ ପରିସ୍ଥିତି ଦୃଷ୍ଟିରୁ ଏବେ ଚବିଶ ଘଣ୍ଟା ଘର ଭିତରେ ରହିବାକୁ ବାଧ୍ୟ ହେଉଥିବାରୁ ସେମାନଙ୍କ ମାନସିକ ଅବସ୍ଥା ପ୍ରତି ଧ୍ୟାନ ଦିଅନ୍ତୁ। ସେମାନଙ୍କ ସହିତ ଅଧିକରୁ ଅଧିକ ସମୟ ବିତାନ୍ତୁ। ସେମାନଙ୍କ ମନରେ ସକରାତ୍ମକ ଚିନ୍ତାଧାରା ଜାଗ୍ରତ କରନ୍ତୁ।