ଓଡ଼ିଶାରେ କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି। ଦେଶରେ ସଂକ୍ରମଣ ବଢ଼ିବା ସଙ୍ଗେସଙ୍ଗେ ରାଜ୍ୟରେ ମଧ୍ୟ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ, ଦିନକରେ ୨୯୮୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର କ୍ୱାରେଣ୍ଟାଇନ ସେଣ୍ଟରରୁ ୧୭୩୩ ଜଣ ଚିହ୍ନଟ ହୋଇଥିବାବେଳେ, ୧୨୫୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।
ଆଜି ସର୍ବାଧିକ ୬୩୧ ପଜିଟିଭ୍ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ, ଖୋର୍ଦ୍ଧା ଜିଲ୍ଲାରୁ ୪୩୮ଜଣ ଚିହ୍ନଟ ହୋଇଛନ୍ତି। ଏଥିସହ କଟକ ଓ କଳାହାଣ୍ଡି ଜିଲ୍ଲାରୁ ମଧ୍ୟ ୨ଶହରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ପଜିଟିଭ୍ ସଂଖ୍ୟା ୩ଲକ୍ଷ ୫୮ହଜାର ୩୪୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରୁ ସୁସ୍ଥ ହୋଇଥିବା ୬୧୦ଜଣ ନୂଆ ଆକ୍ରାନ୍ତଙ୍କୁ ମିଶାଇ, ରାଜ୍ୟରେ ଏପର୍ଯ୍ୟନ୍ତ ସମୁଦାୟ ୩ଲକ୍ଷ ୪୧ହଜାର ୭୩୩ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ ୧୪ହଜାର ୬୨୧ ସକ୍ରିୟ ମାମଲା ରହିଛି।
ଅନ୍ୟପଟେ ଆଜି ରାଜ୍ୟରେ ୨ଜଣଙ୍କର ଜୀବନ ନେଇଛି କରୋନା। କେନ୍ଦୁଝର ଜିଲ୍ଲାର ଜଣେ ୭୦ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାବେଳେ, କଳାହାଣ୍ଡି ଜିଲ୍ଲାର ଜଣେ ୬୦ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ ପୂର୍ବରୁ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ଥିଲେ। ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ମିଳିଛି।
କରୋନା ନିୟନ୍ତ୍ରଣ ପାଇଁ ଟିକାକରଣ ପ୍ରକ୍ରିୟା ଚାଲୁରହିଛି। କିଛି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ଯୋଗୁଁ ସୀମା ସିଲ୍ କରାଯିବା ସହ ନାଇଟ କର୍ଫ୍ୟୁ, ଦୋକାନ ବଜାର ବନ୍ଦ, ଧର୍ମାନୁଷ୍ଠାନ ପ୍ରଭୃତି ବନ୍ଦ ଘୋଷଣା କରାଯାଇଛି। ଟିକାର ଅଭାବ ଯୋଗୁଁ ୧୦ଜିଲ୍ଲାରେ ଟିକାକରଣ ବନ୍ଦ ହୋଇଯାଇଛି।