ସ୍ନେହ ମିଶ୍ର
ଜୀବନ ଏକ ସୁନ୍ଦର ଅନୁଭୂତି। ଜୀବନର ଅବଶ୍ୟମ୍ଭାବୀରେ ପୃଥିବୀ ହୁଏ ପୁଲକିତ, ଭରିଦିଏ ମନ ଭିତରେ ଅସୁମାରୀ ସ୍ୱପ୍ନ। ଏହି ଜୀବନର ଆରମ୍ଭ ମାତୃଗର୍ଭରେ ଭ୍ରୂଣ ସଞ୍ଚାର ସମୟରୁ। ଭୃଣ ସଂଚାରର ପ୍ରଥମ ପାହାଚ ହେଉଛି ଋତୁସ୍ରାବ ଆଗମନ ବା ଝିଅଟିଏ ରଜଶ୍ୱଳା ହେବା। ଛୋଟ ଝିଅଟି ହସି ଖେଳି ବଡ଼ ହୋଇଥାଏ ଏବଂ ସମୟକ୍ରମେ ଏକ ପ୍ରାପ୍ତବୟସ୍କ ମହିଳାଟିରେ ପରିଣତ ହୋଇଥାଏ। ଏହି ସମୟ ଭିତରେ ଝିଅଟିର ଶରୀର ଓ ମନ ବିଭିନ୍ନ ପରିବର୍ତ୍ତନ ଦେଇ ଗତି କରିଥାଏ। ଏହି ସବୁ ପରିବର୍ତ୍ତନ ଆରମ୍ଭ ହୁଏ ଯେତେବେଳ ଝିଅମାନେ ରଜଶ୍ୱଳା ହୁଅନ୍ତି। ଏହା ପ୍ରକୃତିର ନିୟମ ଓ ଏହିଧାରାରେ ପ୍ରକୃତି କାର୍ଯ୍ୟ କରିଥାଏ। ଏହା ସାଧାରଣ କଥା। ତେଣୁ ମାତୃତ୍ୱ ଲାଭର ପ୍ରଥମ ପାହାଚ ହେଉଛି ଝିଅଟିଏ ଋତୁମତୀ ହେବା। କିନ୍ତୁ ବିଡ଼ମ୍ବନା ଯେ ଆମ ସମାଜରେ ମାତୃତ୍ୱକୁ ସମସ୍ତେ ଗୁରୁତ୍ୱ ଦେଲେ ମଧ୍ୟ ଋତୁସ୍ରାବକୁ ଏକ ଅଛୁଆଁ ଅପ-ବିଚାର ଆଖ୍ୟାଦେଇ ଗୋଟିଏ ଅସ୍ଥିଗତ ସ୍ଥିତିକୁ ନିଚ୍ଚା ଦେଖାଇବାର ପ୍ରଚେଷ୍ଟା କରାଯାଇଥାଏ। କିନ୍ତୁ ପ୍ରକାରାନ୍ତରେ ଏହି ଋତୁସ୍ରାବ ହିଁ ଜୀବନ ଧାରଣର ପ୍ରଥମ ବିନ୍ଦୁ ଏବଂ ପ୍ରତ୍ୟେକ ମଣିଷ ର ଅସ୍ଥିତ୍ୱ ଏହା ଉପରେ ପର୍ଯ୍ୟବେସିତ। ବିନା ଋତୁସ୍ରାବରେ ଜୀବନ ଧାରଣର ସମ୍ଭାବନା ନଥାଏ! ଆଜିର ଆଲୋଚ୍ୟ ବିଷୟ କାହିଁକି ଋତୁସ୍ରାବକୁ ନେଇ ଚର୍ଚ୍ଚା ହେବା ଜରୁରୀ!
ସାଧାରଣରେ ଋତୁସ୍ରାବ ସମ୍ବନ୍ଧୀୟ ସୂଚନା ମିଳିନଥାଏ କିମ୍ବା ଏହି ଆଲୋଚନାକୁ କେବେ ଉତ୍ସାହିତ କରାଯାଇ ନଥାଏ। ଏହି ବିଷୟଟି ଗୋଟିଏ ନିଷିଦ୍ଧ ଆଲୋଚ୍ୟ ବିଷୟ ହୋଇ ସବୁବେଳେ ରହିଆସିଛି। ଏପରିକି କିଶୋରୀ ବୟସରେ ଝିଅମାନେ ମଧ୍ୟ ଏ ବିଷୟରେ ବହୁତ ସମୟରେ ସୂଚନା ପାଇନଥାନ୍ତି। ପରିସଂଖ୍ୟାନରୁ ଜଣାଯାଇଛି ଯେ ଶତକଡ଼ା ୬୫ ଭାଗ ଝିଅ ଋତୁମତୀ ହେବା ପୂର୍ବରୁ ଏ ବିଷୟରେ କିଛି ଜାଣିନଥା’ନ୍ତି। ଯେତେବେଳେ ଜାଣିବାକୁ ପାଆନ୍ତି ତାହା ମଧ୍ୟ ସଠିକ୍ ତଥ୍ୟ ହୋଇନଥାଏ! ତଥ୍ୟ ଅପେକ୍ଷା ବେଶି ଭାଗରେ ସେମାନଙ୍କ ଉପରେ ଲଦି ଦିଆ ଯାଇଥିବା କଟକଣାଗୁଡିକୁ ସେମାନେ ସାମ୍ନା କରିଥା’ନ୍ତି ଯାହକିି ସେମାନଙ୍କୁ ନିଜ ଶରୀର ଏକ ରହସ୍ୟ ଭଳି ଲାଗେ ଯାହାଉପରେ ସେମାନଙ୍କର ଅକ୍ତିଆର କମ ବରଂ ପରିବାର ଓ ସମାଜର ଅକ୍ତିଆର ଅଧିକ ଥିଲାଭଳି ଲାଗେ ଏବଂ ନିଜକୁ ସେମାନେ ଘୃଣା କରିବାକୁ ବାଧ୍ୟ ହେଇଥାନ୍ତି। ଋତୁସ୍ରାବର ସେହି ପାଞ୍ଚ ଦିନ ସେମାନଙ୍କ ପାଇଁ ଅଭିଶାପ ପାଲଟିଯାଏ! କିନ୍ତୁ ଏହା ଯେ ଏ ଦୁନିଆର ସବୁଠାରୁ ସୁନ୍ଦର ଓ ମୂଲ୍ୟବାନ୍ ପ୍ରାକୃତିକ ପ୍ରକ୍ରିୟା ତାହା ସେମାନଙ୍କୁ ବୁଝିବାପାଇଁ ସୁଯୋଗ ନଥାଏ।
ଋତୁସ୍ରାବ ଦ୍ୱାରା ଗର୍ଭାଶୟ ଜୀବନଧାରଣର କ୍ଷମତାପ୍ରାପ୍ତି ବୋଲି ଘୋଷଣା କରେ। ସାଧାରଣରେ ୧୦ବର୍ଷରୁ ୧୬ବର୍ଷ ଭିତରେ ଗୋଟିଏ ଝିଅର ଶାରୀରିକ ପରିବର୍ତ୍ତନ ହୋଇଥାଏ ଏବଂ ଝିଅଟି ରଜସ୍ୱଳା ହୋଇଥାଏ। ଏହା ଏକ ଶାରୀରିକ ତଥା ମାନସିକ ସ୍ତରରେ ଏକ ବିରାଟ ପରିବର୍ତ୍ତନ ହୋଇଥିବାରୁ ଏହି ସମ୍ବନ୍ଧୀୟ ପ୍ରାକ୍ ପ୍ରସ୍ତୁତି ଖୁବ୍ ଜରୁରୀ। ଯାହାଦ୍ୱାରା କିଶୋରୀ ଝିଅଟିଏ ଏଥିପାଇଁ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରିଥାଏ ଏବଂ ନିଜର ପରିଚ୍ଛନ୍ନତା ପ୍ରତି ସଜାଗ ହୋଇଥାଏ। ତେଣୁ ଋତୁସ୍ରାବକୁ ଓ ଏହି ସମ୍ବନ୍ଧୀୟ ବିଭିନ୍ନ ଭୁଲ ଧାରଣା ଓ ଅଭ୍ୟାସଗୁଡିକରୁ ମୁକ୍ତ କରିବା ନିତ୍ୟାନ୍ତ ଆବଶ୍ୟକ। ଏବଂ ଅପବିତ୍ରତାର ଦ୍ୱାହି ଦେଇ ଝିଅଟିର ସ୍ୱାଧୀନତାକୁ ପ୍ରତିହତ କରିବା କୌଣସି ଅପରାଧରୁ କମ୍ ବୋଲି ବିବେଚନା କରିବା ଅତ୍ୟୁକ୍ତି ହେବନାହିଁ। ଯେଉଁ ସମୟରେ କିଶୋରୀ ଝିଅଟିର ବ୍ୟକ୍ତିତ୍ୱର ସାମଗ୍ରିକ ବିକାଶ ହେବା କଥା, ସେହି ସମୟରେ ସେମାନଙ୍କୁ ବଡ ହେବା ଆଳରେ ସହଭାଗିତାରୁ ଦୂରେଇରଖିବା ଆଦୌ ସମୀଚିନ ନୁହଁ। ଝିଅଟିକୁ ଘର କଣରେ ଲୁଚାଇରଖିବା ଭଳି ପ୍ରଥାଗୁଡିକ ତଥା ବିଭିନ୍ନ ଖାଇବା, ବାହାରକୁ ଯିବା, ଅନ୍ୟ ମାନଙ୍କ ସହ ମିଶିବା ଓ ସର୍ବୋପରି ଛୁଆଁ ଅଛୁଆଁ ଭଳି ପ୍ରଥାଗୁଡିକ କେବଳ ବ୍ୟକ୍ତିତ୍ୱ ବିକାସର ପରିପନ୍ଥି ନୁହଁ ବରଂ ପରିଚ୍ଛନ୍ନତା ପାଇଁ ପ୍ରତିବନ୍ଧକ ମଧ୍ୟ ହେଇଥାଏ। ପରିସଂଖ୍ୟାନରୁ ଜଣା ଯାଇଛି ଋତୁସ୍ରାବ ଯୋଗୁଁ ବର୍ଷକରେ ୫୦ ଦିନରୁ ଅଧିକ ଝିଅମାନେ ସ୍କୁଲରୁ ଅନୁପସ୍ଥିତ ରହିଥା’ନ୍ତି।
ବିଗତ ୨୦୧୪ ମସିହାଠାରୁ ବିଶ୍ୱସ୍ତରରେ ମେ ମାସ ୨୮ତାରିଖକୁ ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ହିସାବରେ ପାଳନ କରାଯାଇ ଆସୁଅଛି। ଋତୁମତୀ ମହିଳା ତଥା ଏହି ସମ୍ବନ୍ଧରେ କାର୍ଯ୍ୟରତ ପୁରୁଷମାନେ ଋତୁସ୍ରାବର ମହତ୍ତ୍ୱକୁ ଉପଲବ୍ଧି କରିଥିଲେ ଏବଂ ଏଥିସହିତ ଋତୁସ୍ରାବକୁ ନେଇ ବିଭିନ୍ନ ଅନ୍ଧବିଶ୍ୱାସ ଓ କୁପ୍ରଥାର କୁପ୍ରଭାବକୁ ଉପଲବ୍ଧି କରିଥିଲେ। ଯାହାକି ଋତୁସ୍ରାବ ସମୟରେ ପରିଚ୍ଛନ୍ନତା ପାଇଁ ଏକ ବିରାଟ ଆହ୍ୱାନ ହୋଇ ରହିଛି। ଯେହେତୁ ଏକ ଋତୁଚକ୍ରର ଅବଧି୨୮ଦିନ ଓ ପ୍ରତି ମାସରେ ୫ ଦିନ ପର୍ଯ୍ୟନ୍ତ ସ୍ରାବ ହେଉଥିବାରୁ ବର୍ଷର ୫ ମାସ ହିସାବରେ ମେ’ ମାସ ଓ ୨୮ଦିନ ହିସାବରେ ୨୮ ତାରିଖକୁ ପାଳନ କରାଯିବାର ବିଧି କରାଯାଇଅଛି। ତେଣୁ ପ୍ରତ୍ୟେକ ବର୍ଷ ମେ ମାସର ୨୮ ତାରିଖ ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଉପଲକ୍ଷେ ସାରା ବିଶ୍ୱରେ ପାଳନ କରାଯାଉଛି।
ଆମ ସମାଜର ଚଳଣୀ ଚିରାଚରିତ ଢାଞ୍ଚା ଅନୁସାରେ ପ୍ରଥମ କରି ରଜସ୍ୱଳା ହୋଇଥିବା ଝିଅଟିକୁ ଘରକୋଣରେ ଲୁଚାଇ ଦିଆଯାଏ ଓ ସେଇଠୁ ଆରମ୍ଭ ହୁଏ ଝିଅଟି ଉପରେ ବିଭିନ୍ନ କଟକଣା। ବାହାରକୁ ଯିବାରେ କଟକଣା, ଲୋକଙ୍କ ସହିତ ମିଶିବାରେ କଟକଣା, ଖେଳିବା, ବୁଲିବା, ବିଭିନ୍ନ ଖାଦ୍ୟ ପଦାର୍ଥ ଇତ୍ୟାଦି ଖାଇବାରେ କଟକଣା ବଳବତ୍ତର କରିଦିଆଯାଇଥାଏ। ୧୨-୧୩ ବର୍ଷର ଝିଅଟିଏ ହାଠାତ ଏକ ଶାରୀରିକ ପରିବର୍ତ୍ତନରେ ବିଚଳିତ ହୋଇପଡିବା ବେଳେ ବିଭିନ୍ନ କଟକଣା ଓ ଅତି ମାତ୍ରାରେ ରକ୍ଷଣଶୀଳ ମତବାଦର ସମ୍ମୁଖୀନ ହେବା ତା’ପାଇଁ ଖୁବ କଷ୍ଟକର ହୋଇପଡ଼େ। ଭୁଲ-ଠିକ୍ ‘କଣ କରିବ’, ‘କଣ ନ କରିବ’, ‘କ’ଣ ଖାଇବ’, ‘କଣ ନ ଖାଇବ’ ଇତ୍ୟାଦିର ତାଲିକା ତା’ପାଇଁ ଖୁବ୍ ଲମ୍ବା ହୋଇଯାଏ। ଯାହାକି ସାଧାରଣ ଜୀବନ ଜୀଇବା ତା’ପାଇଁ କଷ୍ଟକର ହୋଇପଡ଼େ।
ପ୍ରକୃତପକ୍ଷେ ଋତୁସ୍ରାବ ସମ୍ବନ୍ଧୀୟ ଜ୍ଞାନ, ସୂଚନା ଓ ପରିଚ୍ଛନ୍ନତା ପରିଚାଳନା ବାବଦରେ ସଚେତନତାର ଆବଶ୍ୟକ ଏହି ସମୟରେ ବସ୍ତୁତଃ ରହିଥାଏ। ଗର୍ଭାଶୟ ଓ ଡିମ୍ବକୋଷ ଓ ଡିମ୍ବବାହିନୀ ହେଉଛି ମହିଳାମାନଙ୍କ ଶରୀର ଭିତରେ ରହିଥିବା ପ୍ରଜନନ ଅଙ୍ଗ। ପ୍ରତି ୨୧-୪୦ ଦିନ ମଧ୍ୟରେ ଡିମ୍ବକୋଷ ଭିତରେ ରହିଥିବା ଶହ ଶହ ଡିମ୍ବାଣୁ ମଧ୍ୟରୁ ଗୋଟିଏ ଡିମ୍ବାଣୁର ବୃଦ୍ଧି ଘଟିଥାଏ ଏବଂ ଏହା ଡିମ୍ବବାହୀ ନଳୀ ଦେଇ ଗର୍ଭାଶୟ ମଧ୍ୟକୁ ଆସିଥାଏ। ଏହି ସମୟରେ ଡିମ୍ବଟିକୁ ଧାରଣ କରିବା ପାଇଁ ଗର୍ଭାଶୟ ମଧ୍ୟରେ ଥିବା ଆଭ୍ୟନ୍ତରୀଣ ଝିଲ୍ଲୀଗୁଡିକ ମୋଟା ହେବାରେ ଲାଗେ। କୌଣସି କାରଣରୁ ଏହା ପୁରୁଷ ଶୁକ୍ରାଣୁ ସହିତ ମିଳନ ନ ହୋଇ ପାରିଲେ ଏହା ଯୋନି ଦ୍ୱାର ଦେଇ ବାହାରକୁ ଯାଇଥାଏ। ଏବଂ ଗର୍ଭାଶୟରେ ପ୍ରସ୍ତୁତ ହୋଇଥିବା ଆଭ୍ୟନ୍ତରୀଣ ଝିଲ୍ଲୀଗୁଡ଼ିକ ଖଣ୍ଡ ଖଣ୍ଡ ହୋଇ ଯୋନି ଦ୍ୱାର ଦେଇ ବାହାରିଯାଏ। ଏହି ଝିଲ୍ଲିଗୁଡ଼ିକ ରକ୍ତକଣିକା ଓ ରକ୍ତବାହୀ ନଳୀ ହୋଇଥିବାରୁ ଏହା ରକ୍ତସ୍ରାବ ମାଧ୍ୟମରେ ବାହାରି ଯାଇଥାଏ, ଯାହାକୁ ଋତୁସ୍ରାବ କୁହାଯାଏ। ଏହି ରକ୍ତ କୌଣସି ଖରାପ ରକ୍ତ ନୁହଁ ବା ଏଥିରେ କୌଣସି ପାପ, ଛୁଆଁ-ଅଛୁଆଁର କଥା ନଥାଏ। ଏହି ପ୍ରକ୍ରିୟା ଯୋଗୁଁ ଋତୁସ୍ରାବ ସମୟରେ ମହିଳାମାନଙ୍କର ପେଟ କଷ୍ଟ, ଅଣ୍ଟା କଷ୍ଟ, ଗୋଡ଼ ହାତ ପ୍ରବଳ ଭାବେ ବିନ୍ଧା ହୋଇଥାଏ। ତେଣୁ ଏହି ସମୟରେ ସେମାନଙ୍କର ବିଶ୍ରାମ ନେବାର ଦରକାର ହୋଇଥାଏ। ଯେହେତୁ ଋତୁସ୍ରାବ ସମୟରେ ୪-୫ ଦିନ ଧରି ଋତୁସ୍ରାବ ହୋଇଥାଏ, ତେଣୁ ଏହି ସମୟରେ ମହିଳାମାନେ ହୁଏତ ପୂର୍ବପରି ଚଳଚଞ୍ଚଳ ହୋଇପାରନ୍ତି ନାହିଁ।
ରଜସ୍ୱଳା କିଶୋରୀ ଓ ମହିଳାମାନଙ୍କୁ ଲୌହଯୁକ୍ତ ସୁଷମ ଖାଦ୍ୟ ଖାଇବାର ଆବଶ୍ୟକତା ରହିଥାଏ। ଶେତ୍ୱସାର ଖାଦ୍ୟସହିତ ପୁଷ୍ଟିସାର, ଲୌହ ତଥା ଖଣିଜଜାତୀୟ ଖାଦ୍ୟ, ଜୀବସାରର ଅଧିକ ଆବଶ୍ୟକତା ଥାଏ। ତେଣୁ କୁହାଯାଏ ଏହି ସମୟରେ ବିଭିନ୍ନ ରଙ୍ଗର ଖାଦ୍ୟ ଖାଇବାର ଦରକାର ଯେପରିକି ଧଳା ଯାହାକି ସାଧାରଣତଃ କ୍ଷୀର, ଦହି ତଥା ଶେତ୍ୱସାରଜାତୀୟ ଖାଦ୍ୟ; ହଳଦିଆ- ଡାଲି, ଆମିଷଜାତୀୟ ତଥା ପୁଷ୍ଟିସାରଜାତୀୟ ଖାଦ୍ୟ ହଳଦିଆ ପନିପରିବା, ସବୁଜ ରଙ୍ଗ – ସବୁଜ ପନିପରିବା, ଶାଗଜାତୀୟ ଖାଦ୍ୟ, ଫଳ, ସବୁଜ ପନିପରିବା ଇତ୍ୟାଦି। ତେଣୁ ଏହି ସମୟରେ କିଶୋରୀ ଓ ମହିଳାମାନଙ୍କ ଖାଦ୍ୟପ୍ରତି ଯତ୍ନବାନ ହେବା ଆବଶ୍ୟକ। ଅଧିକାଂଶ ସମୟରେ ମହିଳାମାନଙ୍କୁ ଖାଦ୍ୟରେ କଟକଣା କରାଯାଇଥାଏ, ଯାହା ଏହି ସମୟରେ ଆବଶ୍ୟକତାର ପରିପନ୍ଥୀ। ଋତୁସ୍ରାବ ସମୟରେ ପରିଚ୍ଛନ୍ନତାର ନିତାନ୍ତ ଆବଶ୍ୟକତା ରହିଛି। ପ୍ରତ୍ୟେକ ଦିନ ଗାଧୋଇବା ଦରକାର। ପ୍ରତି ୬-୮ ଘଣ୍ଟା ମଧ୍ୟରେ ଶୋଷକ ଗୁଡିକୁ ବଦଳେଇବା, ଯୋନି ଓ ସଂଲଗ୍ନ ଅଞ୍ଚଳକୁ ସଫା କରିବା ତଥା ହାତକୁ ଭଲ ଭାବରେ ସାବୁନରେ ଧୋଇ ସଫା କରିବା ଦରକାର।
ଋତୁସ୍ରାବର ଶୋଷକ ହିସାବରେ କପଡ଼ା, ସାନିଟାରୀ ପ୍ୟାଡ୍, ଟାମ୍ପୋନ୍ ତଥା ମେନଷ୍ଟୁରାଲ କପ୍ର ବ୍ୟବହାର କରାଯାଏ। କପଡ଼ା ଓ ମେନଷ୍ଟୁରାଲ କପ୍ଗୁଡିକୁ ସଫାକରି ପୁନଃ ବ୍ୟବହାର କରାଯାଇଥାଏ। ଏବଂ ଏହାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ଯେପରି କପଡ଼ାଗୁଡିକ ଭଲବାବରେ ସାବୁନରେ ସଫାକରି ଖରାରେ ଶୁଖେଇବା ଦରକାର ଓ ଭଲଭାବରେ ସଫାଜାଗାରେ ପରବର୍ତ୍ତୀ ବ୍ୟବହାର ପାଇଁ ସାଇତି ରଖିବା ଦରକାର। ଯେହେତୁ ଆମ ଦେଶର ଅଧାରୁ ଅଧିକ ମହିଳା ପୁରୁଣା କପଡାଗୁଡିକୁ ଶୋଷକ ଭାବରେ ବ୍ୟବହାର କରନ୍ତି। ଏହି ବିଷୟରେ ଅଲୋଚନା କରିବା ଜରୁରୀ। ଦେଖାଯାଏ ବିଭିନ୍ନ କୁପ୍ରଥା ଓ ଭୁଲ ବିଶ୍ୱାସ ବା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମହିଳାମାନେ ଏହି କପଡାଗୁଡିକୁ ଲୁଚାଇ ଶୁଖାଇ ଥାଆନ୍ତି ଏବଂ ପରିତ୍ୟକ୍ତ ଜାଗାରେ ଲୁଚାଇ ରଖିଥାନ୍ତି। ଯେଉଁଥିପାଇଁ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ। ସାଧାରଣରେ ଦେଖା ଦେଇଥାଏ ଯେ ମହିଳାମାନଙ୍କର ପ୍ରଜନନ ମାର୍ଗଦ୍ୱାରା ସଂକ୍ରମଣ ସବୁଠାରୁ ଅଧିକ ହୋଇଥାଏ ଏବଂ ଗର୍ଭାଶୟ ଆକ୍ରାନ୍ତ ହେବା ଦ୍ୱାରା ଗର୍ଭର୍ପାତ ତଥା ଏଥି ସଂଲଗ୍ନ ଆନୁଷଙ୍ଗିକ ରୋଗଗୁଡିକ ହୋଇଥାଏ। ତେଣୁ କପଡ଼ାଗୁଡିକ ପରିଷ୍କାର ପରିଚ୍ଛନ୍ନ ରଖିବା ନିତାନ୍ତ ଆବଶ୍ୟକ। ୬-୭ ଥର ବ୍ୟବହାର କରିବା ପରେ କପଡ଼ାଗୁଡିକୁ ବର୍ଜନ କରିବା ଆବଶ୍ୟକ। ଏହାକୁ ମାଟିରେ ପୋତିଦେବା କିମ୍ବା ପୋଡ଼ି ଦେବା ଉଚିତ। ସାନିଟାରୀ ପ୍ୟାଡ୍ ଓ ଟାମ୍ପୋନଗୁଡିକୁ ଥରୁଟିଏ ବ୍ୟବହାର କରିବା ପରେ ତାକୁ ବର୍ଜନ କରାଯାଇଥାଏ। ସାଧାରଣତଃ ବଜାରରେ ମିଳୁଥିବା ସାନିଟାରୀ ପ୍ୟାଡ୍ଗୁଡିକ ମାଟିରେ ଜୈବିକ ବିଘଟନ ହୋଇପାରେ ନାହିଁ। ଗବେଷଣାରୁ ଜଣାଯାଏ ଯେ ଗୋଟିଏ ସାନିଟାରୀ ପ୍ୟାଡର ବିଘଟନ ୩୦୦ବର୍ଷରୁ ଅଧିକ ସମୟ ଲାଗିଯାଇଥାଏ। ତେଣୁ ଏଗୁଡିକ ଏଣେ ତେଣେ ନ ଫୋପାଡି ଅତ୍ୟନ୍ତ ଉଚ୍ଚଚାପ ଇନ୍ସିନେରେଟର (ସଦ୍ଭମସଦ୍ଭରକ୍ସବଗ୍ଧକ୍ଟକ୍ସ)ରେ ପୋଡିଦେବା ଉଚିତ୍। ଯେଉଁଠାରେ ସଦ୍ଭମସଦ୍ଭରକ୍ସବଗ୍ଧକ୍ଟକ୍ସ ନାହିଁ, ସେଠାରେ ପ୍ୟାଡ୍ଗୁଡିକୁ ଏକାଠି ରଖି ଋତୁସ୍ରାବ ସରିବା ପରେ ନିଆଁ ଲଗାଇ ପୋଡ଼ିଦେବା ଶ୍ରେୟସ୍କର। ସେହିପରି ଟାମ୍ପୋନଗୁଡିକୁ ମଧ୍ୟ ପୋତିଦେବା କିମ୍ବା ପୋଡ଼ି ଦେଇପାରିବା।
ଶୋଷକ ପଦାର୍ଥଗୁଡିକୁ ପୋଡ଼ିଲେ ଝିଅମାନେ ଗର୍ଭଧାରଣ ନକରି ପାରିବା ଭଳି ପ୍ରବାଦ ବା ଭୂଲଧାରଣାଗୁଡିକ ରକୌଣସି ସତ୍ୟାସତ୍ୟ ନଥାଏ। କାରଣ ଶୋଷକଗୁଡିକୁ ପୋଡି ବର୍ଜନ କରିବା ସହିତ ଗର୍ଭଧାରଣ କରିବାର କୌଣସି ସମ୍ପର୍କ ନଥାଏ।
ସେହିଭଳି ୮-୯ବର୍ଷ ବ୍ୟବହାର ପରେ ମେନ୍ଷ୍ଟ୍ରୁଆଲ୍ କପ୍ ଗୁଡିକୁ ମଧ୍ୟ ମାଟିରେ ବର୍ଜନ କରିବା ଦରକାର।
ଋତୁସ୍ରାବକୁ ନେଇ ସମାଜରେ ରହିଥିବା କୁପ୍ରଥା ଓ ଭୁଲ ବିଶ୍ୱାସ ସବୁରୁ ନିଜକୁ ଦୂରେଇ ରଖିବା ଦରକାର। ଯେପରିକି ଏହି ସମୟରେ ବାହାରକୁ ନ ବାହାରିବା, ଗଛକୁ ନ ଛୁଇଁବା, ଆଚାର ନ ଛୁଇଁବା, ରୋଷେଇ ନ କରିବା ଭଳି ବିଶ୍ୱାସଗୁଡିକର ଯୌକ୍ତିକତା ନଥାଏ। ବରଂ ଏହି ଋଢ଼ିବଦୀ ପ୍ରଥାଗୁଡ଼ିକୁ ପ୍ରୟୋଗ ଦ୍ୱାରା କିଶୋରୀ ଓ ମହିଳାମାନଙ୍କୁ ଦୁର୍ବଳ ଶ୍ରେଣୀ ବୋଲି ଆଖ୍ୟା କରାଯାଇଥାଏ। ଯାହାକି ପିତୃସତ୍ତାତ୍ମକ ଚିନ୍ତାଧାରାର ପତିଫଳନ। ତେଣୁ ଏହି ସମୟରେ କଟକଣା ନୁହଁ ବରଂ ପରିଚ୍ଛନ୍ନତାର ଶିକ୍ଷା ଦେବା ଦରକାର। ସ୍ନେହ ଓ ଆଦରର ଭାଷା କହିବା ଦରକାର। ସାଧାରଣ ସମୟରେ ଋତୁସ୍ରାବ କୁ ନେଇ ଏହି ସବୁ ସମସ୍ୟା ରହିଥାଏ।
କରୋନା ମହାମାରୀ ଅବସରରେ ମହିଳାମାନଙ୍କର ଏହି ମାସିକ ଋତୁସ୍ରାବକୁ ନେଇ ବହୁତ ସଂଖ୍ୟାରେ କିଶୋରୀ ଓ ମହିଳାମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତାଲାବନ୍ଦ ବା ଲକ୍ଡାଉନ୍ ସମୟରେ ଶୋଷକଗୁଡିକ ସହଜରେ ଉପଲବ୍ଧ ହୋଇପାରିନଥିଲା। ପାଖାପାଖି ଦୋକାନ ବଜାର ବନ୍ଦ ରହିଥିବାରୁ କିଶୋରୀ ଓ ମହିଳାମାନେ ପାଖରେ ପଇସା ଥାଇ ମଧ୍ୟ ଶୋଷକଗୁଡିକୁ କିଣିପାରିନଥିଲେ। ବହୁତ ଘରମାନଙ୍କରେ ପାଣିର ସୁବିଧା ନଥିବାରୁ ଦୂରରୁ ପାଣି ଆଣିବାକୁ ପଡୁଥିବାରୁ ଓ ଏହି ସମୟରେ ତଥା ବର୍ତମାନ ପର୍ଯ୍ୟନ୍ତ ହାତ ଧୋଇବାକୁ ପ୍ରାଥମିକତା ଦିଆଯାଉଥିବାରୁ ଋତୁସ୍ରାବ ସମୟରେ ପରିଚ୍ଛନ୍ନତା ବଜାୟ ରଖିବା କାଠିକର ହୋଇପଡିଥିଲା। ସହରମାନଙ୍କରେ ସ୍ଲମରେ ରହୁଥିବା କିଶୋରୀମାନଙ୍କ ପାଇଁ ସର୍ବସାଧାରଣ ପାଇଖାନା ଯିବାକୁ ପଡୁଥିବାରୁ ପରିଚ୍ଛନ୍ନତା ରକ୍ଷାକରିବା ସମସ୍ୟାଯୁକ୍ତ ହେଇପଡିଛି। ବିଶେଷ ଭାବରେ ଛୋଟ ଘରମାନଙ୍କରେ ବା ଗୋଟିଏ କୋଠରୀ ଯୁକ୍ତ ଘର ଗୁଡିକରେ ରହୁଥିବା ପରିବାର ମାନଙ୍କ ପାଇଁ ଏହା ଖୁବ୍ କଷ୍ଟକର। ଏହି ସମୟରେ ପ୍ରଥମକରି ଋତୁବତୀ ହୋଇଥିବା ଝିଅମାନଙ୍କ ପାଇଁ ଆହୁରି କଷ୍ଟକର ହୋଇପଡିଛି। ତେଣୁ ସମୟ ଆସିଛି, ଏ ବାବଦରେ ଖୋଲାଖୋଲି ଆଲୋଚନା କରିବାର, ସଠିକ୍ ତଥୟ ପ୍ରଦାନ କରିବାର ତଥା ଏହାକୁ ନେଇ ଭୁଲ୍ଧାରଣା ଗୁଡିକୁ ହଟାଇ ସଠିକ୍ ପରିଚ୍ଛନ୍ନତା ଓ ଯତ୍ନ ନେବାର।
ଋତୁସ୍ରାବ ଅସିଦ୍ଧ କିମ୍ବା ନିଷିଦ୍ଧ ଆଲୋଚନାର ବିଷୟ ନୁହଁ ବରଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଆବଶ୍ୟକୀୟ ଆଲୋଚନା। ଜୀବନ ଧାରାର ପ୍ରଥମ ବିନ୍ଦୁ ଏହି ଋତୁସ୍ରାବଠାରୁ ହିଁ ଆରମ୍ଭ ହୋଇଥାଏ। ତେଣୁ ଏହା ଅପବିତ୍ର ନୁହଁ ବରଂ ଅତ୍ୟନ୍ତ ପବିତ୍ର, ଏକ ନୈସର୍ଗିିକ ଅଭିଯାନର ଅୟମାରମ୍ଭ ମାତ୍ର। ଯେଉଁ ଶରୀର ଓ ଶାରୀରିକ ମାଧ୍ୟମରେ ମାନବ ସମାଜର ସ୍ଥିତି ବିବର୍ତ୍ତନ ପ୍ରଗତି ନିହିତ ତାକୁ ଉପଯୁକ୍ତ ଯତ୍ନ, ସ୍ନେହ ଓ ଶ୍ରଦ୍ଧା କରିବାକୁ ହେବ। ଋତୁସ୍ରାବର ମୌଳିକତା ଓ ତତ୍ ନିହିତ ସ୍ୱାସ୍ଥ୍ୟଗତ ଯତ୍ନର ପ୍ରାଥମିକତା ସାମଗ୍ରିକ ସମାଜର ଦାୟିତ୍ୱ ଓ ଧ୍ୟେୟ ହେବା ମାନବ ସମାଜର ମଙ୍ଗଳକାରୀ ହେବ।