କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ପିଲାଙ୍କଠାରେ କେଉଁ ସବୁ ଲକ୍ଷଣ ଦେଖାଯାଏ, ସଂକ୍ରମଣଠାରୁ କିଭଳି ପିଲାମାନଙ୍କୁ ସୁରକ୍ଷିତ ରଖାଯାଇ ପାରିବ? ଏନେଇ ଭୁବନେଶ୍ୱରର କିମ୍ସ ହସ୍ପିଟାଲ୍ ପେଡିଆଟ୍ରିକ୍ସ ବିଭାଗର ଆସୋସିଏଟ୍ ପ୍ରଫେସର୍ ଡାକ୍ତର ନିର୍ମଳ ମହାକୁଡଙ୍କ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ଜନ୍ମିତ ଶିଶୁଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ସଂକ୍ରମଣର ଶିକାର ହେବା ସମ୍ଭାବନା ରହିଛି। ଆଶ୍ୱସ୍ତିର ବିଷୟ ଏହା ଯେ କରୋନା ଭୂତାଣୁ ଦ୍ୱାରା ବୟସ୍କଙ୍କ ତୁଳନାରେ ପିଲାମାନେ କମ୍ ପ୍ରଭାବିତ ହେଉଥିବା ଦେଖାଯାଉଛି। ତଥାପି ପିଲାଙ୍କ ପ୍ରତି ଯେ ବିପଦ ନାହିଁ ତାହା କହିହେବ ନାହିଁ।
କରୋନା ଭୂତାଣୁ ଶିଶୁମାନଙ୍କ ପାଇଁ କେତେ ବିପଜ୍ଜନକ?
କରୋନା ଭୂତାଣୁ ଶିଶୁମାନଙ୍କ ପାଇଁ ମଧ୍ୟ ବିପଜ୍ଜନକ ଅଟେ। ସାରା ବିଶ୍ୱରେ ବ୍ୟାପିଥିବା ଏହି କୋଭିଡ୍-୧୯ ଦ୍ୱାରା ଶିଶୁ ସଂକ୍ରମିତ ହୋଇଛନ୍ତି। ହେଲେ, ଆଶ୍ୱସ୍ତିର ବିଷୟ ଏହା ଯେ ପିଲାଙ୍କ କ୍ଷେତ୍ରରେ ଅନ୍ୟମାନଙ୍କ ତୁଳନାରେ ଏହାର ଭୟାଭୟତା କମ୍ ଅଟେ। ଏହାର ମୃତ୍ୟୁହାର ୦.୯ ପ୍ରତିଶତ ରହିଛି । ମୁମ୍ବାଇରେ ସବୁଠାରୁ ଛୋଟ ତିନି ଦିନର ଏକ ଶିଶୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
କେଉଁଭଳି ଭାବେ ଶିଶୁମାନେ କରୋନାରେ ଆକ୍ରାନ୍ତ ହେବା ଆଶଂକା ରହିଥାଏ?
ଯେହେତୁ ଶିଶୁମାନେ ସାଧାରଣତଃ ଘର ଭିତରେ ନିଜର ପରିବାର ସଦସ୍ୟଙ୍କ ଗହଣରେ ରହୁଛନ୍ତି, ଏଣୁ ପରିବାର ସଦସ୍ୟଙ୍କ ଦ୍ୱାରା ସଂକ୍ରମିତ ହେବା ଆଶଙ୍କା ଅଧିକ ଅଟେ। ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିବା ଯୋଗୁଁ ବା ସଂକ୍ରମିତ ପୃଷ୍ଠ ସ୍ପର୍ଶ କରିବା କାରଣରୁ ମଧ୍ୟ ସଂକ୍ରମଣ ହେବା ସମ୍ଭାବନା ରହିଛି।ଶିଶୁମାନଙ୍କ ଠାରେ କୋଭିଡ-୧୯ର କ‘ଣ ସବୁ ଲକ୍ଷଣ ଦେଖାଯାଏ?
ଶିଶୁମାନଙ୍କ କ୍ଷେତ୍ରରେ ମଧ୍ୟ ଅନ୍ୟମାନଙ୍କ ଭଳି ଲକ୍ଷଣ ପ୍ରକାଶ ପାଇଥାଏ। ଅଧ୍ୟୟନରୁ ଜଣା ପଡିଛି ଯେ ଜ୍ୱର(୯୧%). କାଶ (୪୫%), ଗଳା ନାଲି ପଡି କଷ୍ଟ ଅନୁଭବ ହେବା (୪୬%), ନାକରୁ ପାଣି ବୋହିବା (୮%), ବାନ୍ତି (୭.୫%), ଛାତି ଧଡ ଧଡ କରିବା (୯୨%), ଜୋର୍ରେ ଶ୍ୱାସ ପ୍ରଶ୍ୱାସ ନେବା (୨୮%) ଆଦି ଲକ୍ଷଣ ଦେଖାଦେଇଥାଏ। ୨ ପ୍ରତିଶତରୁ କମ୍ ସଂକ୍ରମିତ ଶିଶୁଙ୍କ ପାଇଁ ମେକାନିକାଲ୍ ଭେଣ୍ଟିଲେସନ୍ ଆବଶ୍ୟକ ହେଉଛି।
ଏ ସମୟରେ ଶିଶୁଙ୍କ ଯତ୍ନ କିପରି ନିଆଯିବ?
ଉତ୍ତର: ଶିଶୁମାନଙ୍କୁ ଯଦି କାଶ,କଫ,ସର୍ଦ୍ଦି ହେଉଛି ବା ଶୋଇବା ବେଳେ କଷ୍ଟ ହେଉଛି, ତାହାହେଲ ଡାକ୍ତରଙ୍କ ସହାୟତା ନିଅନ୍ତୁ। କୋଭିଡ୍-୧୯ଠାରୁ ପିଲାଙ୍କୁ ସୁରକ୍ଷିତ ରଖିବା କିଛି ପଦକ୍ଷେପ ଗ୍ରହଣ କରିପାରିବେ?
୧) ପିଲାମାନଙ୍କୁ ଘର ଭିତରେ ରଖନ୍ତୁ। ଘରର ଚଟାଣ ପରିଷ୍କାର ରଖନ୍ତୁ।
୨) ବାରମ୍ବାର ସାବୁନ ଲଗେଇ ଭଲଭାବେ ହାତ ଧୋଇବାକୁ ପ୍ରେରିତ କରନ୍ତୁ। ସାବୁନ ଉପଲବ୍ଧ ନହେଲେ ସାନିଟାଇଜର୍ ଲଗାନ୍ତୁ।
୩) ପିଲାମାନଙ୍କୁ ବାରମ୍ବାର ହାତରେ ମୁହଁ, ନାକ, ଆଖି ଛୁଇଁବାକୁ ବାରଣ କରନ୍ତୁ।
୪) ବାହାରକୁ ଯାଇଥିଲେ ସାମାଜିକ ଦୂରତା ରକ୍ଷା କରନ୍ତୁ। ଅର୍ଥାତ୍ ଅନ୍ୟମାନଙ୍କ ଠାରୁ ଅତି କମ୍ରେ ଦୁଇ ମିଟର ଦୂରରେ ପିଲାଙ୍କୁ ରଖନ୍ତୁ।
୫) ପୋଷା ପ୍ରାଣୀଙ୍କଠାରୁ ଦୂରେଇ ରୁହନ୍ତୁ।
୬) ଶରୀରରୁ ଜଳୀୟ ଅଂଶ କମ୍ ହେବାକୁ ଦିଅନ୍ତୁ ନାହିଁ। ଏଥିପାଇଁ ଦିନସାରା ପାଣି, ଜୁସ୍ ଆଦି ପିଇବାକୁ ଦିଅନ୍ତୁ।
୭) ଘରୁ ବାହାରକୁ ବାହରିଲେ ମାସ୍କ ପିନ୍ଧାନ୍ତୁ।
୮) ଘରେ କାହାକୁ ଥଣ୍ଡା,ସର୍ଦ୍ଦି, କଫ ହୋଇଥିଲେ, ପିଲାମାନଙ୍କ ଠାରୁ ଦୂରରେ ରୁହନ୍ତୁ।
୯) ବାରମ୍ବାର ସ୍ପର୍ଶ କରାଯାଉଥିବା ଜିନିଷ ଯେପରିକି ଡେସ୍କଟପ୍, ଲାପ୍ଟପ୍, ସ୍ମାର୍ଟଫୋନ୍, ଟିଭି ତଥା ଏସି ଆଦିର ରିମୋଟ୍ ଆଦିକୁ ଭଲ ଭାବେ ବିଶୋଧିତ କରନ୍ତୁ।
୧୦)ପିଲାଙ୍କ ସହିତ ଅଧିକରୁ ଅଧିକ ସମୟ ବିତାନ୍ତୁ ତଥା ସେମାନଙ୍କୁ ବିଭିନ୍ନ ଗତିବିଧିରେ ବ୍ୟସ୍ତ ରଖନ୍ତୁ।ଆକ୍ରାନ୍ତ ଶିଶୁଙ୍କ ପାଇଁ କ’ଣ ରହିଛି ଚିକିତ୍ସା ବ୍ୟବସ୍ଥା?
ସଂକ୍ରମଣର ଲକ୍ଷଣ ପରିଲକ୍ଷିତ ହେଲେ ଡାକ୍ତରଙ୍କ ସହିତ ପରାମର୍ଶ କରାଯିବା ଉଚିତ। ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ମଧ୍ୟ ପଡ଼ିପାରେ। ସାଧାରଣତଃ ଅକ୍ସିଜେନ, ପାରାସିଟମଲ୍ ଆଦି ଦ୍ୱାରା ପିଲାଙ୍କ ଚିକିତ୍ସା କରାଯାଏ କିନ୍ତୁ ନିମୋନିଆ ହୋଇଥିଲେ ଇଣ୍ଟର୍ଫେରନ୍ ଆଲ୍ଫା, ଲୋପିନୋଭିର୍, ରେଟିନୋଭିର୍ ଦେଇ ଚିକିତ୍ସା କରାଯାଏ। ଅତ୍ୟାବଶ୍ୟକ ସ୍ଥଳେ ଭେଣ୍ଟିଲିଟର୍ ବ୍ୟବହାର କରାଯାଏ।
କେଉଁଭଳି ଶିଶୁଙ୍କ ପ୍ରତି ଏହି ସମୟରେ ଅଧିକ ବିପଦ ରହିଥାଏ?
କିଛି ଶିଶୁ ଯେଉଁମାନେ ଅନ୍ୟ ରୋଗ ଯେପରିକି ହାଇପୋଥାଇରୋଡିଜିମ୍, ନେଫ୍ରୋଟିକ୍ ସିଣ୍ଡ୍ରୋମ୍, କ୍ରୋନିକ୍ ଲଙ୍ଗ ଡିଜିଜ୍ ଦ୍ୱାରା ଆକ୍ରାନ୍ତ ବା ଷ୍ଟେରୋଏଡ୍ ନେଉଛନ୍ତି, ସେମାନଙ୍କ କ୍ଷେତ୍ରରେ ଏହା ଜଟିଳ ରୂପ ଧାରଣ କରିଥାଏ। ଏଭଳି ପିଲାମାନଙ୍କ ଅଭିବାଭକମାନଙ୍କୁ ଅଧିକ ସତର୍କ ରହିବାକୁ ହେବ।ବାପାମା ଶିଶୁର ସୁରକ୍ଷା ପାଇଁ ବର୍ତ୍ତମାନ କେଉଁ ସବୁ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ?
ବାପା,ମା’ ପିଲାମାନଙ୍କ ଖାଦ୍ୟ, ପାନୀୟ ଓ ବିଶ୍ରାମ ଆଦି ପ୍ରତି ଧ୍ୟାନ ଦିଅନ୍ତୁ। ସେମାନଙ୍କୁ କରୋନା ସମ୍ବନ୍ଧରେ ଜଣାନ୍ତୁ। ବିଶ୍ୱ ପରିସ୍ଥିତି ବିଷୟରେ ମଧ୍ୟ ଜଣାନ୍ତୁ। କରୋନା କିପରି ସଂକ୍ରମିତ ହୋଇଥାଏ ସେ ବିଷୟରେ ଜଣାନ୍ତୁ ଓ ଏଥିରୁ ସୁରକ୍ଷିତ ରହିବାର ଉପାୟଗୁଡିକ ବିଷୟରେ ଜଣାନ୍ତୁ । ବିଶେଷକରି ସେମାନଙ୍କୁ ବାରମ୍ବାର ନିଜ ହାତକୁ ସାବୁନ୍ରେ ଧୋଇବାକୁ ପ୍ରେରିତ କରନ୍ତୁ। ଏହା ସହିତ ସାମାଜିକ ଦୂରତା ରକ୍ଷା କରିବାର ଗୁରୁତ୍ୱ ବିଷୟରେ ବୁଝାନ୍ତୁ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପିଲାମାନେ ପରିସ୍ଥିତି ଦୃଷ୍ଟିରୁ ଏବେ ଚବିଶ ଘଣ୍ଟା ଘର ଭିତରେ ରହିବାକୁ ବାଧ୍ୟ ହେଉଥିବାରୁ ସେମାନଙ୍କ ମାନସିକ ଅବସ୍ଥା ପ୍ରତି ଧ୍ୟାନ ଦିଅନ୍ତୁ। ସେମାନଙ୍କ ସହିତ ଅଧିକରୁ ଅଧିକ ସମୟ ବିତାନ୍ତୁ। ସେମାନଙ୍କ ମନରେ ସକରାତ୍ମକ ଚିନ୍ତାଧାରା ଜାଗ୍ରତ କରନ୍ତୁ।