ଗୀତା ଦାସ
ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର ସମାଧାନ ଲାଗି ଏଠାରେ ସେ ଉତ୍ତର ଦେଉଛନ୍ତି।
ସବୁବେଳେ କୋଭିଡ ଖବର ଦେଖିବା ଓ ଶୁଣିବା ଦ୍ୱାରା ମନ ବିଚଳିତ ହେଉଛି। ଓ୍ଵାର୍କ ଫ୍ରମ ହୋମ୍ କରୁଥିଲେ ବି ମନ ଅସ୍ଥିର ଯୋଗୁଁ କାମ କରିପାରୁନାହାଁନ୍ତି। ଏମିତି ସ୍ଥିତିରେ କ’ଣ କରିବେ?
କୋଭିଡ୍ ୧୯ ବିଷୟରେ ଖବର ଶୁଣିଲାରୁ ଆପଣଙ୍କର ମାନସିକ ଚାପ ବଢ଼ୁଛି। ପ୍ରାୟ ସମସ୍ତେ ଘରେ ବନ୍ଦ ହେଇ ରହିଲାରୁ ସ୍ୱାଭାବିକ ଜୀବନକୁ କେମିତି ଫେରିହେବ ସେକଥା ଭାବି ମଧ୍ୟ ଥଳକୂଳ ପାଉନାହାନ୍ତି। ତେଣୁ କ’ଣ କଲେ ମନର କ୍ଳାନ୍ତି ଓ ଅବସାଦ କମିବ ସେ ବିଷୟ ଭାବିବେ। କ’ଣ କଲେ ମନର ସ୍ଥିତି ଓ ପ୍ରଶାନ୍ତି ବଢ଼ିବ ସେ ବିଷୟ ମଧ୍ୟ ଭାବିବେ। କାରଣ ପ୍ରତିଟି ଲୋକର Copying strategy ଅଲଗା।
ସାଧାରଣ ମତରେ ଦିନରେ ଥରେ ଖବର ଶୁଣିବେ ଓ ପ୍ରତି ପାଞ୍ଚ ମିନିଟରେ ମୋବାଇଲ୍ ଫୋନ୍ରେ ଖବର ଦେଖିବେ ନାହିଁ। ଯେଉଁ ଘଟଣା ନିଜ ଆୟତ୍ତରେ ବାହାରେ ସେ ବିଷୟରେ ଚିନ୍ତିତ ନ ହେଇ ଯାହା କରିବା ସମ୍ଭବ ସେ ଭଳି କାମରେ ମନ ଦେବେ। ମଝିରେ ମଝିରେ ବିଶ୍ରାମ ନେବେ। ମଜା କଥା ଶୁଣି ବା ଖୁସି ଗପ କରି ମନକୁ ଶାନ୍ତ କରିବେ।
ମାନସିକ ଚାପ ବଢ଼ିଲେ କାର୍ଯ୍ୟଦକ୍ଷତା କମିଯାଏ କି?
କେବଳ ଆପଣ ନୁହନ୍ତି, ଅଧିକାଂଶ ଲୋକଙ୍କର ବେଶୀ ଶାରୀରିକ ବା ମାନସିକ ଚାପ ପଡ଼ିଲେ କାର୍ଯ୍ୟଦକ୍ଷତା କମିଯାଏ। ମନର ଏକାଗ୍ରତା କମେ, କାମ ସାରି ନ ପାରିଲାରୁ କାମ ସାରିବାରେ ଡେରୀ ହୁଏ। ବିଚାର ଶକ୍ତି କମିଯିବାରୁ ଭୁଲ ସିଦ୍ଧାନ୍ତ ନିଅନ୍ତି। ଯିଏ ରୋଗୀ ସେବା କରେ, ପିଲାର ନେଘା କରି ରାତି ଅନିଦ୍ରା ହେଇଛି, ଉଡାଜାହାଜରେ ଦୀର୍ଘ ସମୟ ପାଇଁ ଯିବା ଆସିବା କରେ ସେମାନେ ନିଜ ଉପରେ ଚାପ ବଢ଼ିଲେ କେମିତି ଲାଗେ ଜାଣନ୍ତି। ଏଥିସହିତ ଭୟ, ଉତ୍କଣ୍ଠା, ଦୁଶ୍ଚିନ୍ତା ଓ ଆର୍ଥିକ ସମସ୍ୟାଗୁଡ଼ିକ ମିଶିଲେ କାର୍ଯ୍ୟଦକ୍ଷତା ନିଶ୍ଚୟ କମିବ। ଆଜିକାଲି ତେଣୁ ବିଦେଶରେ ସରକାର ଓ ପ୍ରାଇଭେଟ୍ କମ୍ପାନି ସମସ୍ତେ ମାନସିକ ବିଚଳନ ଓ ସାମୟିକ ଅସୁସ୍ଥତା ବିଷୟରେ ସଚେତନ ଥିବାରୁ, ନିଜ କର୍ମଚାରୀମାନଙ୍କ ପାଇଁ କାଉନସେଲର ବ୍ୟବସ୍ଥା କରିଛନ୍ତି। ଆପଣଙ୍କର କର୍ମସ୍ଥଳରେ ଯଦି ଏପରି ବ୍ୟବସ୍ଥା ଥାଏ, ତାହାହେଲେ ତା’ର ସୁଯୋଗ ନେବେ। ମାନସିକ ଅବସ୍ଥା ଭଲ ନ ଥିଲାବେଳେ, ଅନେକ ସିଗାରେଟ୍ ବା ବିଡି ପିଇ କିମ୍ବା ଡ୍ରିଙ୍କ୍ କରି ନିଜର ଟେନସନ୍ କମେଇ ଥାଆନ୍ତି। ମାତ୍ର ଏଭଳି ଶୈଳୀ ଖରାପ ଦିଗ ହେଲା ଥରେ ନିଶାର ଅଭ୍ୟାସ ହେଲେ ଛାଡ଼ିବା କଷ୍ଟ। ତେଣୁ ବୁଝିବିଚାରି କାମ କରିବା କଥା।
ସ୍ୱାସ୍ଥ୍ୟକର୍ମୀ ଭାବେ କାମ କରୁଛନ୍ତି, ଅଜାଣତରେ କୋଭିଡକୁ ଘରୁ ଆଣିଛନ୍ତି। ଏଥିପାଇଁ ମନସ୍ତାପରେ ଥିଲେ କ’ଣ କରିବେ?
ଏଭଳି କ୍ଷେତ୍ରରେ ମାନବିକତା ଦୃଷ୍ଟିରୁ ଛୁଟି ପାଇବାର ନିୟମ ନଥିଲେ ମଧ୍ୟ ବିଶେଷ କାରଣରୁ ନିୟମର ବ୍ୟତିକ୍ରମ କରି ଛୁଟି ଦେବା ଉଚିତ୍, କାରଣ ରୋଗୀମାନଙ୍କର ନିରାପତ୍ତା ନର୍ସ ଓ ମେଡିକାଲ୍ ଟେକ୍ନିସିଆନ୍ ମାନଙ୍କର ଧୈର୍ଯ୍ୟ ଓ ବିଚକ୍ଷଣତା ଉପରେ ନିର୍ଭର କରେ। ଏମାନେ ଯଦି ଭୁଲ କରିବେ ତାହାହେଲେ ବିପଦର ସମ୍ଭାବନା ବଢ଼ିବ। ଏମାନଙ୍କୁ ଚାକିରିରୁ ତଡ଼ିଦେଲେ ତାଲିମପ୍ରାପ୍ତ ଦକ୍ଷ ଲୋକଙ୍କୁ ହରାଇବେ। ଏଇ ସବୁ ଦିଗ ବିବେଚନା କରି ବହୁ ଦେଶରେ କର୍ମଚାରୀମାନଙ୍କର ଦେହ ଓ ମନ ସୁସ୍ଥ ରଖିବା ଦିଗରେ ପ୍ରଶାସନର (ମ୍ୟାନେଜମେଣ୍ଟ) ନୂଆ ନୀତି ନିୟମ ହେଲାଣି। ଆପଣଙ୍କର ଯଦି ୟୁନିୟନ ଥାଏ ତାହାହେଲେ ସେମାନେ ଆପଣଙ୍କର ଏଇ ଦାରୁଣ ଦୁଃସମୟରେ ସାହାରା ହେବା କଥା। ସାହି ପଡିଶା ସାଙ୍ଗସୁଖ ଏଭଳି ଶୋକ ସମୟରେ ପାଖରେ ଠିଆ ହୋଇ ସାହାଯ୍ୟ ନ କଲେ ନିଜ ଚେଷ୍ଟାରେ ବା କେବଳ ଡାକ୍ତରୀ ଚିକିତ୍ସାରେ ମନର ସ୍ୱାଭାବିକ ଅବସ୍ଥା ଫେରିବା ପାଇଁ ସମୟ ଲାଗିବ। ଚିକିତ୍ସା ସହିତ, ଘରଲୋକ ଓ ପାଖଲୋକ ମିଳିଲେ ମନ ଧୀରେ ଧୀରେ ଶାନ୍ତ ହେବ।
ଦୀର୍ଘ ଦିନରୁ କୋଭିଡ ସ୍ଥିତି ଲାଗି ରହିଥିବାରୁ ଗାଁ ଲୋକ ଅଧୈର୍ଯ୍ୟ ହୋଇପଡ଼ିଲେଣି, ସେମାନଙ୍କ ପାଇଁ କ’ଣ ପରାମର୍ଶ ରହିଛି?
ଦୀର୍ଘ ଦିନ ଧରି କୋଭିଡ୍୧୯ ଲାଗି ରହିଥିବାରୁ ଲୋକଙ୍କର ମାନସିକ ଅବସ୍ଥା ଶୋଚନୀୟ। ଲୋକେ ଅଧୈର୍ଯ୍ୟ ହେଲେଣି। ଗ୍ରାମାଞ୍ଚଳରେ ଥିଲେ ମଧ୍ୟ ଅନଲାଇନ୍ କାଉନସେଲିଂର ସାହାଯ୍ୟ ନେଇ ହେବ। ବର୍ତ୍ତମାନ ମୋବାଇଲ୍ ଫୋନର ବହୁଳ ପ୍ରସାର ଯୋଗୁଁ ଫୋନ୍ ଜରିଆରେ ଦୂର ଦୂରାନ୍ତର ଡାକ୍ତର ବା କାଉନସେଲରଙ୍କ ସହିତ ପରାମର୍ଶ କରିବା ସମ୍ଭବ। ମାତ୍ର ଯାହାର ଅଭାବ ଅଛି ସେ ଏସବୁ ସୁବିଧା ନେଇପାରିବ ନାହିଁ। ଓଡ଼ିଆରେ ଅନଲାଇନ କାଉନସେଲିଂର ବ୍ୟବସ୍ଥା କ’ଣ ଅଛି ସେ ବିଷୟ ସ୍ଥାନୀୟ ରେଡକ୍ରସ୍ ଅଫିସରୁ ବୁଝିବା କଥା। ପ୍ରାୟ ସବୁଦେଶରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ରେଡକ୍ରସ୍ ସଂସ୍ଥା ଟ୍ରମା କାଉନସେଲିଂର ବ୍ୟବସ୍ଥା କରିଥାଏ।
ଗ୍ରାମାଞ୍ଚଳରେ ବହୁ ଅଭିଜ୍ଞ ଓ ଦକ୍ଷ ସମାଜକର୍ମୀମାନେ ପାରିବାରିକ ସମସ୍ୟା ଓ ସ୍ୱାସ୍ଥ୍ୟ ସମସ୍ୟାର ଉନ୍ନତି ଦିଗରେ କାମ କରନ୍ତି। ସେମାନଙ୍କୁ ଟ୍ରମା କାଉନସେଲିଂରେ ସଂକ୍ଷିପ୍ତ ଟ୍ରେନିଂ ଦେଲେ, ସେମାନେ ଦରକାରୀ ପରାମର୍ଶ ଦେଇପାରିବେ। ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ହାଇଦ୍ରାବାଦ, ଚେନ୍ନାଇ ଇତ୍ୟାଦି ମହାନଗରଗୁଡ଼ିକରେ ବହୁ ଅଭିଜ୍ଞ ଟ୍ରମା କାଉନସେଲର ଅଛନ୍ତି। ରେଡକ୍ରସ୍ ବା ରୋଟାରୀ କ୍ଲବ ପରି ଜନ କଲ୍ୟାଣ ସଂସ୍ଥାଗୁଡ଼ିକ ଯଦି ମାନସିକ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ଗୁରୁତ୍ୱ ଦିଅନ୍ତି ତାହେଲେ ସେମାନେ ଟ୍ରମା କାଉନସେଲିଂରେ ତାଲିମ୍ ଦେବା ପାଇଁ ଅଗ୍ରଣୀ ହେବେ।
ଜାଣିବା କଥା ଯେ ମନରେ ଗୁରୁତର ଆଘାତର ଫଳ ଦୀର୍ଘଦିନ ଧରି କୁହୁଳୁ ଥାଏ। ପ୍ରଥମ ଅବସ୍ଥାରେ କିଏ ସମ୍ଭାଳି ନିଏ ଓ କିଏ ଅସମ୍ଭାଳ ହୁଏ। ପାଖ ଲୋକ ସାହାଯ୍ୟ କରନ୍ତି, ପରାମର୍ଶ ଦିଅନ୍ତି, ଆତ୍ମୀୟ ସ୍ୱଜନ ସ୍ଥାନ ପରିବର୍ତ୍ତନ ହେଲ ମନ ଭଲ ହେବ ଭାବି କିଛିଦିନ ପାଖରେ ରଖନ୍ତି। ଭବିଷ୍ୟତ ଜୀବନରେ କିନ୍ତୁ ଟ୍ରମା ଯୋଗୁଁ ପାଠ ପଢ଼ାରେ ବ୍ୟାଘାତ ଘଟେ, ଲୋକ ସମ୍ପର୍କରେ ଅବନତି ହୁଏ। ଡିପ୍ରେସନ୍ ଲାଗି ରହେ ଓ ବ୍ଲଡପ୍ରେସର, ଡାଇବେଟିସ୍ ପରି ରୋଗ ହେବାର ସମ୍ଭାବନା ବଢ଼େ। ଟ୍ରମା ଯୋଗୁଁ ଦେହର ଇମ୍ୟୁନ ସିଷ୍ଟମ ବା ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ହେଇଗଲାରୁ ଏସବୁ ରୋଗ ବଢ଼ିଥାଏ। ତେଣୁ ମାନସିକ ଆଘାତର ପ୍ରଭାବ ଆମର ବିଚାରଶକ୍ତି ବ୍ୟବହାର ଓ ଦୈହିକ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଏ।