ସମସ୍ତେ ନିଜ ସୁନ୍ଦରତାକୁ ନେଇ ବେଶ୍ ସଚେତନ ଥାଆନ୍ତି। କିନ୍ତୁ କିଛି ସାମାନ୍ୟ ଭୁଲ ଆମ ସୁନ୍ଦରତାକୁ ନଷ୍ଟ କରିଦେଇଥାଏ।
ବର୍ତ୍ତମାନ ସମୟରେ ଉଜ୍ୱଳ ଓ ଚମକଦାର ତ୍ୱଚା କିଏ ବା ନ ଚାହେଁ। ଏଥିପାଇଁ ମହିଳା ହୁଅନ୍ତୁ ବା ପୁରୁଷ ନିଜ ମୁହଁରେ ଅନେକ କ୍ରିମ ଏବଂ ଘରୋଇ ଉପଚାର ବ୍ୟବହାର କରିଥା’ନ୍ତି। କିନ୍ତୁ ଅନେକ ସମୟରେ ଏସବୁ ଆମ ତ୍ୱଚା ଉପରେ ଓଲଟା ପ୍ରଭାବ ପକାଇଥାଏ। ସୁନ୍ଦର ଦେଖାଯିବା ନିଶାରେ ଆମେ ପ୍ରତିଦିନ ଏଭଳି କିଛି ଛୋଟ ଛୋଟ ଭୁଲ କରିଥାଉ, ଯାହା ଚେହେରାର ସୁନ୍ଦରତାକୁ ନଷ୍ଟ କରିବା ସହ ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିଥାଏ। ତେଣୁ ସେହି ସବୁ ଛୋଟ ଛୋଟ ଭୁଲ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ।
ବାହାରୁ ଆସିବା ପରେ ମୁହଁକୁ ସଫା କରିବା ପାଇଁ ଅନେକ ଫେସ୍ଓ୍ଵାସ୍, କ୍ଲିନଜର ଲିକ୍ୟୁଡ ବା କ୍ରିମ ବ୍ୟବହାର କରିଥା’ନ୍ତି। କିନ୍ତୁ ଏହାର ଅଧିକ ବ୍ୟବହାର ତ୍ୱଚାର କୋମଳତାକୁ ନଷ୍ଟ କରିବା ସହିତ ଖୁବଶୀଘ୍ର ଚେହେରାରେ କୁଞ୍ଚନ ଆଣିଥାଏ।
ମେକ୍ଅପ୍ ଛଡ଼ାଇବା ପାଇଁ ନଡ଼ିଆ ତେଲର ବ୍ୟବହାର କରିପାରିବେ।
ତେଲମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଚେହେରାର ସୁନ୍ଦରତା ନଷ୍ଟ ହୋଇଯାଇଥାଏ। ଏହାଦ୍ଵାରା ମୁହଁରେ ବ୍ରଣ ବାହାରି ମୁହଁକୁ ଅସୁନ୍ଦର କରିଦେଇଥାଏ।
ମୁହଁକୁ ସଫା କରିବା ବେଳେ ଟାଓ୍ୱେଲରେ ରଗଡ଼ି ସଫା କରନ୍ତୁ ନାହିଁ। ହାଲ୍କା ଫେସ୍ୱାସ୍ ନେଇ ଚେହେରାରେ ଲଗାନ୍ତୁ ଓ ଧୀରେ ଧୀରେ ସଫା କରନ୍ତୁ।
ସପ୍ତାହକୁ ଥରେ ମୁହଁ ସ୍କ୍ରବିଂ କରନ୍ତୁ। ଏହାଦ୍ୱାରା ମୃତକୋଷିକା ବାହାରି ଯାଇଥାଏ।
ମେକ୍ଅପ୍ ଲଗାଇ ବେଶୀ ସମୟ ରହନ୍ତୁ ନାହିଁ।
ଅଧିକାଂଶ ଲୋକ ରିଲାକ୍ସ ହେବା ପାଇଁ ଷ୍ଟିମ ବାଥ୍ ନେଇଥା’ନ୍ତି। କିନ୍ତୁ ପ୍ରତିଦିନ ଏହା କରନ୍ତୁ ନାହିଁ।
ଖରାଦିନେ ବାହାରକୁ ଯିବାର ୧୫ ମିନିଟ୍ ପୂର୍ବରୁ ମୁହଁ, ବେକ, ହାତ ଓ ପାଦରେ ସନ୍ସ୍କ୍ରିନ୍ ଲଗାନ୍ତୁ। ବାହାରେ ବେଶୀ ସମୟ ରହିବାକୁ ପଡ଼ୁଥିଲେ ଦୁଇ ଘଣ୍ଟାରେ ଥରେ ସନ୍ସ୍କ୍ରିନ୍କୁ ପୁଣି ଥରେ ଲଗାନ୍ତୁ।
ସନସ୍କ୍ରିନ୍ ଲଗାଇଥିଲେ ମଧ୍ୟ ବାହାରକୁ ଯିବା ସମୟରେ ଫୁଲ୍ ହାତ ଥିବା ଡ୍ରେସ ଓ ମୁହଁରେ କପଡ଼ା ବାନ୍ଧି ବାହାରକୁ ଯାଆନ୍ତୁ।
ବଜାରରେ ମିଳୁଥିବା ବିୟୁଟି ପ୍ରଡକ୍ଟ ବଦଳରେ ନିଜ ଘରେ ପ୍ରସ୍ତୁତ ହୋଇପାରୁଥିବା କିଛି ବିୟୁଟି ପ୍ରଡକ୍ଟକୁ ପ୍ରାଧାନ୍ୟ ଦିଅନ୍ତୁ।
ନିଜ ବିୟୁଟି ପ୍ରଡକ୍ଟକୁ ବାରମ୍ବାର ବଦଳାନ୍ତୁ ନାହିଁ। ବିଭିନ୍ନ ପ୍ରଡକ୍ଟରେ ଥିବା କେମିକାଲ ମୁହଁର ଚମକକୁ ନଷ୍ଟ କରିଦେଇଥାଏ।
ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ଏହାଦ୍ୱାରା ଶରୀରରେ ଜଳୀୟଅଂଶ ସନ୍ତୁଳିତ ରହିବ ଏବଂ ତ୍ୱଚା ଗ୍ଲୋ କରେ।