ଆସନ୍ତୁ ଜାଣିବା ଟିଭି ଦେଖିବା ଫଳରେ ପିଲାମାନଙ୍କ ଉପରେ କି ଖରାପ ପ୍ରଭାବ ପଡ଼ିଥାଏ?
ସାଧାରଣତଃ ପିଲାମାନେ ଟିଭି ଦେଖିବାକୁ ପସନ୍ଦ କରନ୍ତି। ଫାଙ୍କା ସମୟରେ କିମ୍ବା ଖାଇବା ବେଳେ ଟିଭି ଦେଖିବା ଅଭ୍ୟାସ ଅନେକ ପିଲାମାନଙ୍କର ରହିଛି। କିନ୍ତୁ ଘଣ୍ଟାଘଣ୍ଟା ଧରି ଟିଭି ଦେଖିବା ଯୋଗୁଁ ସେମାନଙ୍କର ଶାରୀରିକ ଏବଂ ମାନସିକ ସ୍ତରରେ ଅବନତି ଘଟିଥାଏ। ପିଲାମାନଙ୍କ ନିକଟରେ ମେଦ ବହୁଳତା ଭଳି ସମସ୍ୟା ଦେଖାଦିଏ।
– କେହିକେହି ବାପାମା’ ପିଲାର ଏଭଳି ସମସ୍ୟାକୁ ଜନ୍ମଗତ ବୋଲି ଧରିନିଅନ୍ତି। କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଧାରଣା। ଅଧିକ ସମୟ ଟିଭି ଆଗରେ ବସିବା କାରଣରୁ ପିଲାମାନେ ଖାଇବା ପିଇବା ଠିକରେ କରିନଥାନ୍ତି। ଯାହାକି ସେମାନଙ୍କର ମୋଟାପଣ ସମସ୍ୟାର ପ୍ରମୁଖ କାରଣ ହୋଇଥାଏ।
– ପିଲାମାନେ ଟିଭି ଦେଖିବା ସମୟରେ ଖାଇବା ଉପରେ ସେମାନଙ୍କର ବିଶେଷ ଧ୍ୟାନ ରହିନଥାଏ। ସଠିକ ଭାବେ ଖାଦ୍ୟ ନଖାଇବା କାରଣରୁ ସେମାନଙ୍କ ବଡି ଇଣ୍ଡେକ୍ସ ମାସ ସନ୍ତୁଳିତ ରହେ ନାହିଁ ଏବଂ ସେମାନେ ମୋଟା ହୋଇଯାଆନ୍ତି।
– ଟିଭି ଦେଖିବା ସମୟରେ ପିଲାମାନେ କୌଣସି ଶାରୀରିକ କାର୍ଯ୍ୟକଳାପ କରିନଥାନ୍ତି। ଫଳରେ ଅଧିକ ସମୟ ଗୋଟିଏ ଜାଗାର ବସି ରହିବା କାରଣରୁ ପରେ ସେମାନଙ୍କର କାମ କରିବାର ଇଚ୍ଛା ଧୀରେଧୀରେ କମିବାରେ ଲାଗେ। କୌଣସି କାମ କରିବା ମାତ୍ରକେ ସେମାନେ କ୍ଳାନ୍ତ ଅନୁଭବ କରନ୍ତି ଏବଂ ବସିବା ପାଇଁ ପସନ୍ଦ କରିଥାଆନ୍ତି। ଏପରିସ୍ଥଳେ ପିଲାମାନେ ଦିନକୁ ଦିନ ମୋଟା ହୋଇଯାଆନ୍ତି।
– ଟିଭିରେ ଆସୁଥିବା ଅନେକ ଖାଦ୍ୟଭିତ୍ତିକ ବିଜ୍ଞାପନ ଦେଖି ପିଲାମାନେ ଖାଇବାକୁ ମନ ବଳାଇଥାଆନ୍ତି। ବାହାରେ ମିଳୁଥିବା ଅନେକ ଖାଦ୍ୟରେ ପ୍ରଚୁର ମାତ୍ରାରେ କ୍ୟାଲୋରୀ ଥାଏ। ଯାହାକୁ ଖାଇବା ଫଳରେ ପିଲାର ମେଦ ବହୁଳତାରେ ବୃଦ୍ଧି ହୁଏ।
– ଅଧିକାଂଶ ସମୟ ଟିଭି ଦେଖିବା ଯୋଗୁଁ ଶରୀରର ମେଟାବଲିଜିମ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି ହୁଏ। ଖାଇସାରି ବସିବା କାରଣରୁ ଠିକ ଭାବରେ ହଜମ ହୋଇପାରେ ନାହିଁ। ଶରୀରରେ ଅନେକ ସମସ୍ୟା ଦେଖାଦେବା ସହ ମେଦ ବହୁଳତା ବୃଦ୍ଧି ହୋଇଥାଏ।
ନିରାକରଣ
ଖାଇବା ସମୟରେ ପିଲାକୁ କାହାଣୀ କୁହନ୍ତୁ। ଯାହା ଫଳରେ ପିଲାମାନେ କିଛି ସମୟ ପାଇଁ ଟିଭି ଦେଖିବାରୁ ନିବୃତ୍ତ ରହିପାରିବେ।
ଅଧିକାଂଶ ସମୟ ପିଲାଙ୍କ ସହ ସମୟ ବିତାନ୍ତୁ।
ସେମାନଙ୍କୁ ବିଭିନ୍ନ ଇନଡୋର ଏବଂ ଆଉଟଡୋର ଖେଳ ଶିଖାନ୍ତୁ।
ଟିଭିରେ ଆସୁଥିବା ଅନେକ ଖାଦ୍ୟ ଖରାପ ବୋଲି ସେମାନଙ୍କୁ ବୁଝାନ୍ତୁ।