ଆଜିକାଲି ପିଲାଙ୍କଠାରେ ମୋଟାପଣ ଦେଖାଯିବା ଏକ ସାଧାରଣ କଥା। ତେବେ ଜାଣନ୍ତୁ, ମେଦ ବହୁଳତାର କାରଣ କ’ଣ ଓ ଏହାକୁ କେମିତି କରିବେ ନିୟନ୍ତ୍ରଣ?
ଛୋଟ ପିଲା ଏବଂ କିଶୋରମାନେ ମେଦବହୁଳତାର ଶିକାର ହେବା ଏକ ଗୁରୁତର ଅବସ୍ଥା। ପିଲାର ଉଚ୍ଚତା ଏବଂ ବୟସ ତୁଳନାରେ ତା’ର ଓଜନ ଅଧିକ ହୋଇଥିଲେ ସେ ମେଦବହୁଳତାର ଶିକାର ହୋଇଥିବା ଜଣାପଡ଼ିଥାଏ। ତେବେ ଚିନ୍ତାର କଥା ହେଲା ସାଧାରଣତଃ ବାପା ମା’ ମାନେ ଏହାକୁ ଅଧିକ ଗୁରୁତ୍ୱ ଦେଇନଥା’ନ୍ତି। ତେଣୁ ପିଲାର ଶରୀରରେ ଜମା ହୋଇଥିବା ଅତ୍ୟଧିକ ଚର୍ବି ଯୋଗୁଁ ତାର ବିକାଶ ଠିକ୍ ଭାବେ ହୋଇନପାରିବା ସହିତ ଭବିଷ୍ୟତରେ ସେ ବିଭିନ୍ନ ଗୁରୁତର ରୋଗରେ ପୀଡ଼ିତ ହେବାର ଆଶଙ୍କା ବଢ଼ିଯାଏ। କିଛି କ୍ଷେତ୍ରରେ ଏହାଯୋଗୁଁ ପିଲାର ଆତ୍ମବିଶ୍ୱାସ କମିଯାଏ। ତେଣୁ ସେ ମାନସିକ ଭାବେ ଅବସାଦଗ୍ରସ୍ତ ହୋଇପଡ଼େ।
ଲକ୍ଷଣ (Symptoms of Childhood obesity in Odia)
ସବୁ ପିଲାଙ୍କର ଶାରୀରିକ ବିକାଶ ଭିନ୍ନ ଭିନ୍ନ ଭାବେ ହୋଇଥାଏ। ତେଣୁ ମୋଟା ଦେଖାଯାଉଥିବା ସବୁ ପିଲା ମେଦବହୁଳତାର ଶିକାର ହୋଇନଥା’ନ୍ତି। କିଛି ପିଲା ଏହାଦ୍ୱାରା ଆକ୍ରାନ୍ତ ହୋଇଥା’ନ୍ତି। ଡାକ୍ତର ବଡି ମାସ୍ ଇଣ୍ଡେକ୍ସ(ବିଏମଆଇ) ଆଧାରରେ କିମ୍ବା ଗ୍ରୋଥ ଚାର୍ଟ ଆଧାରରେ ପିଲାକୁ ମେଦବହୁଳତା ହୋଇଛି କି ନାହିଁ ତାହା ଜାଣିଥାଆନ୍ତି। ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ୍ ଅନୁସାରେ ବିଏମ୍ଆଇ ୮୫-୯୪ ପରସେଣ୍ଟାଇଲ୍ସ ମଧ୍ୟରେ ଥିଲେ ପିଲାଟି ଓଭରୱେଟ୍ ହୋଇଥିବା ଜଣାପଡ଼େ। ସେହିପରି ବିଏମଆଇ ୯୫ ପରସେଣ୍ଟାଇଲ କିମ୍ବା ତା’ଠାରୁ ଅଧିକ ଥିଲେ ପିଲାଟି ମେଦବହୁଳତାର ଶିକାର ବୋଲି ଡାକ୍ତର କହିଥାନ୍ତି। ସମୟ ସମୟରେ ଏହା ଜାଣିବା ପାଇଁ ଡାକ୍ତର କୋଲେଷ୍ଟେରୋଲ ପରୀକ୍ଷା, ରକ୍ତ ଶର୍କରା ପରୀକ୍ଷା, ରକ୍ତରେ ହରମୋନ୍ର ଅସନ୍ତୁଳନ, ଭିଟାମିନ୍ ଡି ଅଭାବ ଅଛି କି ନାହିଁ ପରି ବିଭିନ୍ନ ପରୀକ୍ଷା କରାଇଥାନ୍ତି।
କାରଣ (Causes of Childhood obesity in Odia)
-ଯଦି ପରିବାରରେ କେହି ଓଭରୱେଟ୍ ହୋଇଥାନ୍ତି ତା’ ହେଲେ ପିଲାମାନଙ୍କର ଓଜନ ଅଧିକ ରହିବାର ଆଶଙ୍କା ଥାଏ। କାରଣ ସେଭଳି ପରିବାରରେ ପ୍ରାୟତଃ ଲୋକମାନେ ଅଧିକ କ୍ୟାଲୋରୀର ଖାଦ୍ୟ ଖାଇଥା’ନ୍ତି। କିନ୍ତୁ ଶାରୀରିକ ପରିଶ୍ରମ ଉପରେ କେହି ଗୁରୁତ୍ୱ ଦେଇନଥା’ନ୍ତି।
-ପିଲାଙ୍କୁ ମେଦହୁଳତା ହେବାର ମୁଖ୍ୟ କାରଣ ହେଲା ଖାଦ୍ୟ। ଫାଷ୍ଟ ଫୁଡ୍, ବେକେରି ପ୍ରସ୍ତୁତ ଖାଦ୍ୟ, ଚକୋଲେଟ, କୋଲ୍ଡଡ୍ରିଙ୍କସ, ଫ୍ରୋଜନ୍ ଫୁଡ଼୍ ପ୍ରଭୃତିକୁ ନିୟମିତ ଭାବେ ଖାଇଲେ ପିଲାଟି ମେଦବହୁଳତା ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ବଢ଼ିଯାଏ।
-ଯେଉଁ ପିଲାମାନେ ଅଧିକ ଖେଳାବୁଲା କରନ୍ତି ନାହିଁ ସେମାନେ ମେଦବହୁଳତାର ଶିକାର ହେବାର ଆଶଙ୍କା ବଢ଼ିଯାଏ। ସେମାନେ ଟିଭି ଦେଖିବା, ଭିଡିଓ ଗେମ୍ ଖେଳିବା ଭଳି କାମରେ ଲିପ୍ତ ରହିଥା’ନ୍ତି ଯାହାଦ୍ୱାରା ସେମାନେ ମାନସିକ ଭାବେ ଥକି ତ ଯାଆନ୍ତି କିନ୍ତୁ ଶରୀର କୌଣସି କ୍ୟାଲୋରୀ ଖର୍ଚ୍ଚ କରେନାହିଁ। ଏହି ଅବସ୍ଥା ଖୁବ୍ ବିପଜ୍ଜନକ।
ସମସ୍ୟା (Complications of Childhood obesity)
-ପିଲାଦିନରୁ ମେହବହୁଳତା ରହିଲେ ଭବିଷ୍ୟତରେ ତାହା ଟାଇପ୍-୨ ମଧୁମେହର ରୂପ ନେଇପାରେ।
-ଫାଷ୍ଟଫୁଡ, ଅଧିକ ଛଣାଛଣି ଜାତୀୟ ଖାଦ୍ୟ ଖାଇଲେ ଛୋଟ ପିଲାଙ୍କର କୋଲେଷ୍ଟେରୋଲ ଓ ରକ୍ତଚାପର ସ୍ତର ବଢ଼ିପାରେ। ଏହାଯୋଗୁଁ ଧମନୀରେ ପ୍ଲେକ୍ ସୃଷ୍ଟି ହୋଇପାରେ। ଧମନୀରେ ପ୍ଲେକ୍ ସୃଷ୍ଟିହେଲେ ତାହା ଧମନୀକୁ ସଙ୍କୁଚିତ ଏବଂ ଶକ୍ତ କରିଦେଇଥାଏ। ଭବିଷ୍ୟତରେ ଏହାଯୋଗୁଁ ପିଲାଟି ହୃଦଘାତର ଶିକାର ହୋଇପାରେ।
-ଅଧିକ ଓଜନ କିମ୍ବା ମେଦବହୁଳତାର ଶିକାର ପିଲାକୁ ଭବିଷ୍ୟତରେ ଆଜ୍ମା ଭଳି ସମସ୍ୟା ହେବାର ଆଶଙ୍କା ରହେ।
-ସମୟ ସମୟରେ ମେଦବହୁଳ ପିଲାମାନେ ନିଦ୍ରହୀନତାର ଶିକାର ହୋଇଥାନ୍ତି।
-ଏହା ମଧ୍ୟ ନନ୍ଆଲକୋହୋଲିକ୍ ଫ୍ୟାଟି ଲିଭର ଡିଜିଜ୍ର କାରଣ ହୋଇପାରେ। ଏହି ଗୁରୁତର ରୋଗର ଲକ୍ଷଣ ଜଣାପଡ଼ୁନଥିବାବେଳେ ଲିଭର ମଧ୍ୟରେ ଚର୍ବି ହେବାକୁ ଲାଗିଥାଏ। ଫଳରେ ଲିଭର ନଷ୍ଟ ହେବାର ଆଶଙ୍କା ରହେ।
-ମେଦବହୁଳତାର ଶିକାର ପିଲାଙ୍କର ହାଡ଼ ଭାଙ୍ଗିବାର ଆଶଙ୍କା ଅଧିକ ରହେ।
-ସମୟ ସମୟରେ ମେଦବହୁଳତାର ଶିକାର ପିଲା ଆଙ୍ଗଜାଇଟିର ଶିକାର ହୋଇଥାନ୍ତି। ଏହା ସେମାନଙ୍କର ଆତ୍ମବିଶ୍ୱାସକୁ କମାଇ ଦେଇଥାଏ।
ବାପା ମା’ କ’ଣ କରିବେ?
-ପିଲାଙ୍କୁ ସୁଗାରଯୁକ୍ତ ପାନୀୟ ପିଇବାକୁ ଦିଅନ୍ତୁ ନାହିଁ। ଫାଷ୍ଟଫୁଡ୍, ଛଣାଛଣି ଜାତୀୟ ଖାଦ୍ୟ, କେକ୍, ବିସ୍କୁଟ ପ୍ରଭୃତି ମେଦବହୁଳତାର କାରଣ ପାଲଟିଥାଏ।
-ପ୍ରଚୁର ପରିମାଣରେ ଫଳ ଏବଂ ପନିପରିବା ଖାଇବାକୁ ଦିଅନ୍ତୁ।
-୨ ବର୍ଷରୁ ଅଧିକ ପିଲାକୁ ୨ ଘଣ୍ଟାରୁ ଅଧିକ ଟିଭି ଦେଖିବା ଅଭ୍ୟାସ କରନ୍ତୁ ନାହିଁ।
-ପିଲା ଠିକ୍ ଭାବେ ଶୋଉଛି କି ନାହିଁ ତାହା ସୁନିଶ୍ଚିତ କରନ୍ତୁ।
-ପ୍ରତିଦିନ ନିଜେ ତାକୁ ନେଇ ଖେଳାନ୍ତୁ। ଅନ୍ୟ ପିଲାଙ୍କ ସହିତ ମିଶିବାକୁ ଦିଅନ୍ତୁ। ଏହାଦ୍ୱାରା ପିଲାର ମାନସିକ ଚାପ କମିବ। ସେ ମଧ୍ୟ ଟିଭି , ମୋବାଇଲ୍ ନଦେଖି ପିଲାଙ୍କ ସହ ଖେଳିବା ଶିଖିଯିବ।
ଚିକିତ୍ସା (Treatment for children who are obese in Odia)
ପିଲାଙ୍କୁ ମେଦବହୁଳତା ହୋଇଥିଲେ ବୟସ ଅନୁସାରେ ତାଙ୍କର ଚିକିତ୍ସା କରାଯାଇଥାଏ। ଅଧିକାଂଶ ସ୍ଥଳରେ ପିଲାର ଖାଦ୍ୟାଭ୍ୟାସରେ ପରିବର୍ତ୍ତନ କରାଯାଇଥାଏ। ୬-୧୧ ବର୍ଷ ବୟସର ପିଲାଙ୍କୁ ମାସିକ ୫୦୦ ଗ୍ରାମ୍ ଓଜନ କମାଇବାକୁ ପରାମର୍ଶ ଦିଆଯାଏ। ପିଲାର ବୟସ ୧୧ରୁ ଉର୍ଦ୍ଧ୍ୱ ହୋଇଥିଲେ ତାଙ୍କୁ ମାସିକ ୧ କିଲୋ ଲେଖାଏଁ ଓଜନ କମାଇବା ଲାଗି କୁହାଯାଏ। ସମୟ ସମୟରେ ପିଲାଙ୍କୁ ଓଜନ କମାଇବା ପାଇଁ ଔଷଧ ବି ଦିଆଯାଇଥାଏ।