ଆପଣ କ’ଣ ଟୁଥବ୍ରଶ ବଦଳାଇବା ପାଇଁ ତାର ବ୍ରିସଲ୍ସ ଖରାପ ହେବା ଯାଏ ଅପେକ୍ଷା କରନ୍ତି? ପାନିଆକୁ ଦୀର୍ଘ ଦିନ ଧରି ବ୍ୟବହାର କରନ୍ତି? ରୋଷେଇ ଘରର ସ୍ପଞ୍ଜକୁ ଖରାପ ହେବା ପରେ ଯାଇ ଫୋପାଡ଼ନ୍ତି କି? ଯଦି ଏଭଳି ଅଭ୍ୟାସ ଥିବ ତା’ ହେଲେ ଆପଣଙ୍କୁ ବିଭିନ୍ନ ପ୍ରକାର ରୋଗ ଶୀଘ୍ର ହେବାର ଆଶଙ୍କା ରହିବ।
- ଆପଣ ଜାଣିଛନ୍ତି କି ଟୁଥବ୍ରଶରେ ୧ କୋଟିରୁ ଅଧିକ ବ୍ୟାକ୍ଟେରିଆ ଥାଆନ୍ତି। ତେଣୁ ବ୍ରଶ ସଫା ରହିବା ନିହାତି ଆବଶ୍ୟକ। ଆମେରିକାନ୍ ଡେଣ୍ଟାଲ ଆସୋସିଏସନ୍ ଅନୁସାରେ ପ୍ରତି ୩-୪ ମାସରେ ଥରେ ଟୁଥବ୍ରଶ ବଦଳାଇଲେ ସଂକ୍ରମଣର ଆଶଙ୍କା ନଥାଏ।
- ଟୁଥବ୍ରଶକୁ ତ କିଛି ଲୋକ ନିୟମିତ ଭାବେ ବଦଳାଇଥାନ୍ତି। କିନ୍ତୁ ପାନିଆ କ୍ଷେତ୍ରରେ ଏହା ଲାଗୁ ହୁଏ ନାହିଁ। ସମୟ ସମୟରେ ଲୋକମାନେ ନିଜର ପ୍ରିୟ ପାନିଆକୁ ବର୍ଷ ବର୍ଷ ଧରି ବ୍ୟବହାର କରିଥାନ୍ତି। ପାନିଆ ତ ସଫା ହେଉଛି ତେଣୁ ବଦଳାଇବାର ଆବଶ୍ୟକତା ନାହିଁ ବୋଲି ସେମାନେ ଭାବନ୍ତି। ପ୍ରକୃତରେ କିନ୍ତୁ ଏହି ଅଭ୍ୟାସ ଦ୍ୱାରା ରୁପି ପରି କେଶରେ ବିଭିନ୍ନ ପ୍ରକାର ସଂକ୍ରମଣ ହୋଇଥାଏ। ତେଣୁ ପ୍ରତି ୬ ମାସରେ ପାନିଆକୁ ବଦଳାଇବା ଆବଶ୍ୟକ।
- ଆମେ ନିୟମିତ ଭାବେ ବଦଳାଉ ନଥିବା ଜିନିଷ ମଧ୍ୟରେ ରହିଥାଏ ରୋଷେଇ ଘରର ବାସନମଜା ସ୍ପଞ୍ଜ। ଟୁଥବ୍ରଶକୁ ଯେପରି ବଦଳାଇବା ପାଇଁ ତାର ବ୍ରିସଲ୍ସ ଖରାପ ହେବା ଯାଏ ଅପେକ୍ଷା କରିବାର ଆବଶ୍ୟକତା ନାହିଁ, ରୋଷେଇ ଘର ସ୍ପଞ୍ଜକୁ ସେହିପରି ଖରାପ ହେବା ଯାଏ ଅପେକ୍ଷା କରିବା କଥା ନୁହେଁ। ବରଂ ପ୍ରତି ୨-୪ ସପ୍ତାହରେ ତାକୁ ପରିବର୍ତ୍ତନ କରିବା ଆବଶ୍ୟକ। ଏହାର କାରଣ ହେଲା ଅଧିକାଂଶ ସମୟରେ ସ୍ପଞ୍ଜରେ ଅଇଁଠା ଲାଗି ରହିଯାଏ। ପରବର୍ତ୍ତୀ ସମୟରେ ସେହି ସ୍ପଞ୍ଜରେ ବାସନସଫା କଲେ ଅନ୍ୟ ବାସନରେ ସେଥିରେ ଥିବା ବ୍ୟାକ୍ଟେରିଆ ଲାଗି ରହିଯାଏ।
- କିଚେନ୍ ସ୍ପଞ୍ଜ ପରି ଚପିଂ ବୋର୍ଡ ବା କଟିଙ୍ଗ୍ ବୋର୍ଡକୁ ମଧ୍ୟ ପ୍ରତି ୩ ମାସରେ ବଦଳାଇବାର ଆବଶ୍ୟକତା ରହିଛି। କାରଣ ଏଥିରେ ଯେତେ ଧୋଇଲେ ମଧ୍ୟ ବ୍ୟାକ୍ଟେରିଆ ଲାଗି ରହିଥାଏ। ଅନ୍ୟପଟେ କାଠ ପରିବର୍ତ୍ତେ ପ୍ଲାଷ୍ଟିକ୍ କିମ୍ବା ଅନ୍ୟ ପଦାର୍ଥ ଦ୍ୱାରା ନିର୍ମିତ ଚପିଂ ବୋର୍ଡ ବ୍ୟବହାର କରିବା ଭଲ।
- ନିଜର ତକିଆକୁ ସମସ୍ତେ ଖୁବ୍ ଭଲ ପାଆନ୍ତି। ତାକୁ ଅନ୍ୟ କାହାରିକୁ ବ୍ୟବହାର କରିବା ଲାଗି ଦିଅନ୍ତି ନାହିଁ। ତେବେ ତାକୁ ମଧ୍ୟ ପ୍ରତି ବର୍ଷେ କିମ୍ବା ଦୁଇବର୍ଷ ପରେ ବଦଳାଇବାର ଆବଶ୍ୟକତା ରହିଛି। କାରଣ ଶୋଇବା ସମୟରେ ତକିଆରେ ଆମ କେଶରୁ ତେଲ, କେଶ ପ୍ରଭୃତି ଝଡ଼ି ଲାଗିଥାଏ। ଏହାଦ୍ୱାରା ସେଥିରେ ବ୍ୟାକ୍ଟେରିଆର ସଂଖ୍ୟା ବୃଦ୍ଧି ହୋଇଥାଏ। ତେଣୁ ତକିଆ ଖୋଳକୁ ଯେତେ ସଫା କଲେ ମଧ୍ୟ ତକିଆକୁ ବଦଳାଇବା ନିହାତି ଦରକାର।
- ଅଧିକାଂଶ ଝିଅଙ୍କର ମୁହଁରେ ବ୍ରଣ ହେବାର ମୁଖ୍ୟ କାରଣ ହେଲା ସେମାନେ ବ୍ୟବହାର କରୁଥିବା ମେକଅପ୍ ବ୍ରଶ ପ୍ରଭୃତି ଜିନିଷ। ସେହିସବୁ ଜିନିଷରେ ଖୁବ୍ ଅଧିକ ବ୍ୟାକ୍ଟେରିଆ ଥାଏ ଯାହାଦ୍ୱାରା ମୁହଁରେ ବ୍ରଣ ହେବା ସହିତ ତ୍ୱଚା କୁଣ୍ଡାଇ ହୁଏ। ଜଳାପୋଡ଼ା କରେ। ଏପରିସ୍ଥଳେ ସେଗୁଡ଼ିକୁ ପ୍ରତି ୩ ମାସରେ ବଦଳାଇ ଦିଅନ୍ତୁ।
ସ୍ୱାସ୍ଥ୍ୟ ପ୍ଲସ୍ ହେଲଥ କ୍ଲବ୍ ଫେସବୁକ୍ ଗ୍ରୁପରେ ଜଏନ କରନ୍ତୁ, ମାଗଣାରେ ଉପାଦେୟ ସ୍ୱାସ୍ଥ୍ୟ ସୂଚନା ଓ ପରାମର୍ଶ ଲାଭ କରନ୍ତୁ ଏବଂ ଅନ୍ୟମାନଙ୍କ ସହିତ ଭାବର ଆଦାନପ୍ରଦାନ କରନ୍ତୁ! www.facebook.com/groups/swasthyaplus