ଡାକ୍ତର କାନ୍ତୀ ନାୟକ

ବୃଦ୍ଧି ପାଇଛି ସିଜରିଆନ୍ ଡେଲିଭରି। ହ୍ରାସ ପାଇଲାଣି ନର୍ମାଲ ଡେଲିଭରି ହାର। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯଦିଓ ଜରୁରୀକାଳୀନ ଭିତ୍ତିରେ ୧୦ରୁ ୧୫ ପ୍ରତିଶତ ସିଜରିଆନ୍ ଡେଲିଭରିକୁ ଅନୁମତି ଦେଇଥିଲା, ହେଲେ ଆଜିକାଲି ଏହାର ହାର ବୃଦ୍ଧି ପାଇଛି। ନର୍ମାଲ ଡେଲିଭରି ପରିବର୍ତ୍ତେ ସିଜରିଆନ ଡେଲିଭରିର ପିଲାଙ୍କୁ ଅଧିକ ଦେଖିବାକୁ ମିଳୁଛି। ବିଶେଷକରି ଉଭୟ ବିକାଶ ଓ ବିକାଶଶୀଳ ଦେଶରେ ସିଜରିଆନ ଡେଲିଭରି ଦ୍ରୁତ ବେଗରେ ବୃଦ୍ଧି ପାଉଛି। ଭାରତରେ ଏହାର ହାର ୪୦ରୁ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ତେବେ ଏହାର କାରଣ କ’ଣ ହୋଇପାରେ?

4th Month of pregnancy

ଅଧିକ ସିଜରିଆନ ଡେଲିଭରିର କାରଣ:

ଉପଯୁକ୍ତ ଭାବରେ ପ୍ରସବ ଯନ୍ତ୍ରଣା ହେଲେ ପିଲାଟି ନର୍ମାଲ ଡେଲିଭରିରେ ଜନ୍ମ ହୋଇଥାଏ। ହେଲେ ଯଦି ପ୍ରସବ ଯନ୍ତ୍ରଣା ହେଉଥିବ କିନ୍ତୁ ପିଲାଟି ନର୍ମାଲରେ ଜନ୍ମ ହେବା ପାଇଁ ଯନ୍ତ୍ରଣାରେ ଆବଶ୍ୟକ ଚାପ ନଥିବ, ତାହାଲେ ପିଲାଟି ନର୍ମାଲରେ ଜନ୍ମ ହେବାରେ ଅସୁବିଧା ହୁଏ। ଏହି ସମୟରେ ଡାକ୍ତର ବାଧ୍ୟ ହୁଅନ୍ତି ସିଜରିଆନ୍ ଡେଲିଭରି କରିବାକୁ। ପ୍ରସବ ସମୟକୁ ଯଦି ଗର୍ଭସ୍ଥ ଶିଶୁର ଅବସ୍ଥା ଠିକ ଭାବରେ ଥାଏ, ଅର୍ଥାତ୍ ପିଲାର ମୁଣ୍ଡ ଯଦି ପ୍ରସବ ଦ୍ୱାରକୁ ଥାଏ, ତେବେ ପିଲାଟି ନର୍ମାଲରେ ଜନ୍ମ ହୋଇଯାଏ। ଯଦି ଶିଶୁ ଗର୍ଭାଶୟ ମଧ୍ୟରେ କଡମାଡ଼ି ରହିଯାଇଥାଏ, ତାହାଲେ ସିଜରିଆନ୍ କରିବାକୁ ବାହାରକୁ ଆଣିବାକୁ ପଡ଼ିଥାଏ। ଯଦି ଗର୍ଭରେ ଯମଜ ଶିଶୁଥାଆନ୍ତି, ତାହାଲେ ସିଜରିଆନ କରି ପିଲାଙ୍କୁ ନିରାପଦରେ ବାହାରକୁ ଆଣିବା ସବୁଠୁ ଉତ୍ତମ। ଦୁଇ କିମ୍ବା ତିନୋଟି ପିଲା ଗର୍ଭରେ ଥିଲେ ନର୍ମାଲରେ ଡେଲିଭରିରେ ଜନ୍ମ ହେବା କଷ୍ଟକର ହୋଇଥାଏ। ଏଭଳି ପରିସ୍ଥିତିରେ ରିକ୍ସ ନନେଇ ସିଜରିଆନ୍ କରିବା ଦରକାର। ନର୍ମାଲ ଡେଲିଭରି ପାଇଁ ଗର୍ଭବତୀ ତଥା ମା’ର ସ୍ୱାସ୍ଥ୍ୟ ଅବସ୍ଥା ଉତ୍ତମ ଥିବା ଆବଶ୍ୟକ। ଏହାଦ୍ୱାରା ସେ ପିଲାକୁ ସାଧାରଣ ପ୍ରସବରେ ଜନ୍ମ ଦେବାକୁ ସକ୍ଷମ ହୋଇପାରିବ। ଯଦି ମା’ଠାରେ ହୃଦ୍‌ରୋଗ, ରକ୍ତହୀନତା, ରକ୍ତଚାପ, ଆଜ୍‌ମା, ଚିନ୍ତାଗ୍ରସ୍ତ ଜନିତ ରୋଗ ଆଦି ଥିଲେ ସିଜରିଆନ ଡେଲିଭରି ନିରାପଦ ହୋଇଥାଏ। ଏଚ୍ଆଇଭି ପଜେଟିଭ୍ ଥିଲେ ମଧ୍ୟ ସିଜରିଆନ ଡେଲିଭରି କରାଯାଏ। ନଚେତ୍ ଏହାଦ୍ୱାରା ପିଲାକୁ ଇନ୍‌ଫେକ୍‌ସନ ହୋଇପାରେ। ଯଦି ପ୍ରଥମ ପିଲା ସିଜରିଆନ ହୋଇ ଜନ୍ମ ହୋଇଥାଏ, ତେବେ ଦ୍ୱିତୀୟ ପିଲା ଜନ୍ମ ସମୟରେ ସିଜରିଆନ କରିବାକୁ ପଡ଼ିଥାଏ। କାରଣ ପ୍ରଥମ ସିଜରିଆନ ପରେ ଦ୍ୱିତୀୟ ପିଲା ନର୍ମାଲରେ ଜନ୍ମ କଷ୍ଟକର ହୋଇଥାଏ।

premature baby

ଗର୍ଭସ୍ଥ ପିଲାର ଓଜନ ବଢ଼ିଯାଇଥିଲେ ଅବା ପିଲା ମୁଣ୍ଡର ଆକାର ବଡ଼ ହୋଇଥିଲେ, ତେବେ ସିଜରିଆନ କରିବାକୁ ପଡ଼େ। କାରଣ ପିଲାର ଓଜନ ଅଧିକ ହେତୁ ନର୍ମାଲରେ ଜନ୍ମ ହେବା ମା’ ଓ ଶିଶୁ ପାଇଁ ବିପଦ। ଆଜିକାଲି ମା’ମାନେ ପ୍ରସବଜନିତ ଯନ୍ତ୍ରଣାକୁ ସହ୍ୟ କରିବାକୁ ରାଜି ନୁହନ୍ତି। ଏତେ ସମୟ ଯନ୍ତ୍ରଣା ସହିବାକୁ ତାଙ୍କ ପାଖରେ ଧୈର୍ଯ୍ୟ ନାହିଁ। ଏମିତିରେ ବି ଅଭିଭାବକମାନେ ମଧ୍ୟ ଧୈର୍ଯ୍ୟ ଶକ୍ତି ହରାଇ ଡାକ୍ତରଙ୍କୁ ସିଜରିଆନ କରିବାକୁ ବାଧ୍ୟ କରିଥାନ୍ତି। ଡାକ୍ତରମାନେ କେତେକ ସମୟରେ ନର୍ମାଲରେ ଡେଲିଭରି ହୋଇପାରିବ ବୋଲି ପରାମର୍ଶ ଦେଇଥିଲେ ବି ଗର୍ଭବତୀ ଓ ତାଙ୍କର ନିଜ ଲୋକମାନେ ଏଥିରେ ବିଶ୍ୱାସ ନକରି ସିଜରିଆନ କରିବାକୁ ଡାକ୍ତରଙ୍କୁ ଏକ ପ୍ରକାର ବାଧ୍ୟ କରିଥାନ୍ତି। ଏଣୁ କେତେକ କେସ୍‌ରେ ନର୍ମାଲରେ ହୋଇପାରୁଥିବା ଡେଲିଭରିକୁ ସିଜରିଆନ କରିବାକୁ ପଡ଼େ। ଏହା ବ୍ୟତୀତ ଆଜିକାଲିର ଅତ୍ୟାଧୁନିକ କୌଶଳ ମାଧ୍ୟମରେ ତ ସହଜରେ ପିଲା ବାହାରକୁ ଆସିପାରୁଛି, କାହିଁକି ବା ଗର୍ଭବତୀ ଏତେ କଷ୍ଟ ସହ୍ୟ କରି ଜୀବନକୁ ବିପଦ ମଧ୍ୟକୁ ଟାଣିବ। ପୂର୍ବରୁ ଝିଅମାନେ କମ୍ ବୟସରେ ବିବାହ କରୁଥିଲେ। ଫଳରେ କମ୍ ବୟସ ତଥା ୨୧ ରୁ ୨୫ ବର୍ଷ ମଧ୍ୟରେ ମା’ ହୋଇଯାଉଥିଲେ। ଏହାଦ୍ୱାରା ମା’ର ପ୍ରସବ ଦ୍ୱାର ନମନୀୟ ଥାଏ, ଫଳରେ ପିଲା ନର୍ମାଲରେ ଜନ୍ମ ହେବା ସହଜ ହୋଇଥାଏ। ହେଲେ ଆଜିକାଲି ପ୍ରାୟତଃ ଝିଅ ପାଠ ପଢ଼ୁଆ ଆଉ କର୍ମଜୀବୀ। ଫଳରେ ୩୦ପୂର୍ବରୁ ବିବାହ କରୁନାହାନ୍ତି। ଏହାଦ୍ୱାରା ମା’ ମଧ୍ୟ ବିଳମ୍ବରେ ହେଉଛନ୍ତି। ଅଧିକ ବୟସ ହେତୁ ପ୍ରସବ ଦ୍ୱାର ଏତେ ନମନୀୟ ନଥାଏ ତେଣୁ ସିଜରିଆନ କରିବାକୁ ପଡ଼ିଥାଏ।

ସିଜରିଆନ ଡେଲିଭରି ହେବା ଦ୍ୱାରା ଉଭୟ ମା’ ପିଲା ଅଳ୍ପ ସମୟ ମଧ୍ୟରେ ବିପଦ ମୁକ୍ତ ହୋଇପାରନ୍ତି ସତ, ଏହାଦ୍ୱାରା ମାତୃ ଓ ଶିଶୁ ମୃତ୍ୟୁ ହାରକୁ ରୋକାଯାଇପାରୁଛି ସତ, ହେଲେ ଏହାର ମଧ୍ୟ କେତେକ ନକରାତ୍ମକ ପ୍ରଭାବ ରହିଛି ଯାହାକି ମା’ ଓ ପିଲା ଉଭୟଙ୍କ ଉପରେ ପଡ଼ିଥାଏ। ସେହି ନକରାତ୍ମକ ପ୍ରଭାବଗୁଡ଼ିକ ହେଲା : – ସିଜରିଆନରେ ହୋଇଥିବା କ୍ଷତ ଶୁଖିବା ପାଇଁ ନର୍ମାଲ ଡେଲିଭରି ଠାରୁ ଅଧିକ ସମୟ ଲାଗେ।  ମା’ ଦେହରୁ ଅଧିକ ରକ୍ତ ବାହାରିଯାଏ। ହେଲେ ନର୍ମାଲ ଡେଲିଭରିରେ ଏତେ ରକ୍ତସ୍ରାବ ହୁଏନାହିଁ। ସିଜରିଆନ ଡେଲିଭରି ଯୋଗୁଁ ପିଲାଟିର ଅସ୍ଥି ଏତେ ଶକ୍ତିଶାଳୀ ହୋଇନଥାଏ। ଏହା ଯୋଗୁଁ ମଧ୍ୟ ପିଲାର ତ୍ୱଚାରେ ପ୍ରଭାବ ପଡ଼ିଥାଏ। ଅସ୍ତ୍ରୋପଚାର ସମୟରେ ପିଲାର ତ୍ୱଚା ଏକ ଧକ୍କା ପାଇଥାଏ। ସିଜରିଆନ ଯୋଗୁଁ ମଧ୍ୟ ମା’ଠାରେ ଇନ୍‌ଫେକ୍ସନ ଦେଖାଯାଏ। ୧୨ଜଣ ମହିଳାଙ୍କ ମଧ୍ୟରୁ ଜଣେ ଏହାର ଶିକାର ହୁଅନ୍ତି। ଅସ୍ତ୍ରୋପଚାର ହୋଇଥିବା ସ୍ଥାନ ଇନ୍‌ଫେକ୍ସନ ହୋଇଯିବା ଯୋଗୁଁ ସ୍ଥାନରୁ ପୂଜ ବାହାରେ, କୁଣ୍ଡାଇ ହୁଏ ଆଦି। ଯଦି ଡାଇବେଟିସ୍ ଅବା ଅତ୍ୟଧିକ ଓଜନ ହୋଇଥାଏ, ତାହାଲେ ଏହି ସମସ୍ୟା ଅଧିକ ଦେଖାଯାଏ। ସିଜରିଆନ ଡେଲିଭରିର ନକରାତ୍ମକ ପ୍ରଭାବ ଥିଲେ ବି ଆଜିକାଲି ଅତ୍ୟାଧୁନିକ ଡାକ୍ତରୀ ବିଦ୍ୟା ଯୋଗୁଁ ଏହାକୁ ଦୂର କରାଯାଇପାରୁଛି। ଉଭୟ ମା’ ଓ ପିଲା ସୁସ୍ଥ ରହିପାରୁଛନ୍ତି।

କିପରି ହେବ ନର୍ମାଲ?

ସିଜରିଆନ ପରେ ବହୁତ ଦେଖାଶୁଣା ଆବଶ୍ୟକ ପଡ଼ିଥାଏ। ଯଦି ଠିକ୍ ଭାବରେ ଦେଖାରଖା ନ କରିପାରିବେ, ତେବେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏଥିପାଇଁ ଯେତେ ସମ୍ଭବ ନର୍ମାଲ ଡେଲିଭରି କରିବା ଦରକାର। ଏହାଦ୍ୱାରା ଆପଣଙ୍କ ଶରୀର ଠିକ୍ ରହିବା ସହିତ ଆପଣଙ୍କୁ କମ୍ ବିପଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ନର୍ମାଲ ଡେଲିଭରି ସିଜରିଆନ ଡେଲିଭରି ଠାରୁ ବହୁ ଗୁଣରେ ଭଲ। କାରଣ ସିଜରିଆନ ଡେଲିଭରିରେ ଉଭୟ ମା’ ଓ ପିଲାଙ୍କ ପାଇଁ ଅଧିକ ସମସ୍ୟା ଥାଏ। ସିଜରିଆନ ପରେ ଷ୍ଟ୍ରେଚ୍ ମାର୍କ ପଡ଼ିଯାଏ। ଏହାସହିତ କେତେକ ଦିଗ ପ୍ରତି ସତର୍କ ରହିବାକୁ ପଡ଼ିଥାଏ ଯାହାକି ନର୍ମାଲ ଡେଲିଭରିରେ ନଥାଏ। ଏଣୁ ଅଧିକାଂଶ ମା’ ନର୍ମାଲ ଡେଲିଭରିକୁ ପସନ୍ଦ କରିଥାନ୍ତି। ହେଲେ ଯେଉଁଠାରେ ମା’ ଓ ପିଲା ଉଭୟଙ୍କ ଜୀବନ ପ୍ରତି ବିପଦ ଥାଏ, ସେଠାରେ ସିଜରିଆନ ଡେଲିଭରି ଉତ୍ତମ।

SwasthyaPlus

ତେବେ ଆସନ୍ତୁ ଜାଣିବା କିପରି ହେବ ନର୍ମାଲ ଡେଲିଭରି। ପିଲାକୁ ଜନ୍ମ ଦେବା ସମୟରେ ବହୁତ କଷ୍ଟ ସହିବାକୁ ପଡ଼ିଥାଏ। ଏହା ସହଜ କଥା ନୁହେଁ। ଯଦି ଗର୍ଭବତୀ ଦୁର୍ବଳ ଅବା ରକ୍ତହୀନତା ହୋଇଥାଏ, ତେବେ ବହୁତ ଅସୁବିଧା ହେବ। ଏଣୁ ଗର୍ଭବତୀ ଥିବା ସମୟରେ ସ୍ୱାସ୍ଥ୍ୟର ପୁରା ଧ୍ୟାନ ରଖିବା ଦରକାର। ଏହାଦ୍ୱାରା ବହୁତ କମ୍ କଷ୍ଟ ହୋଇଥାଏ। ଗର୍ଭାବସ୍ଥା ସମୟରେ ଡାକ୍ତରଙ୍କ ଅନୁଯାୟୀ ଭୋଜନ କରନ୍ତୁ। ନର୍ମାଲ ଡେଲିଭରିରେ ଶରୀରରୁ ଦୁଇରୁ ଚାରି ଶହ ଏମ୍.ଏଲ୍ ରକ୍ତ ବାହାରିଯାଏ। ଏଥିପାଇଁ ପୁଷ୍ଟି ଓ ପୋଷଣ ଯୁକ୍ତ ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ। ଗର୍ଭଧାରଣ ସମୟରେ ଆଇରନ ଓ କ୍ୟାଲସିୟମ ପ୍ରଚୁର ପରିମାଣରେ ଆବଶ୍ୟକ। ଏଣୁ ଯେତେ ସମ୍ଭବ ଭୋଜନରେ ଆଇରନ ଓ କ୍ୟାଲସିୟମ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ଗର୍ଭାଶୟରେ ଶିଶୁ ତରଳ ପଦାର୍ଥରେ ଭରା ଏକ ଝୋଲିରେ ରହିଥାଏ। ଏହାଦ୍ୱାରା ହିଁ ଶିଶୁକୁ ଶକ୍ତି ମିଳିଥାଏ। ଏଥିପାଇଁ ଆପଣଙ୍କୁ ପ୍ରତିଦିନ ୮ରୁ ୧୦ ଗ୍ଲାସ ପାଣି ପିଇବା ବହୁତ ଆବଶ୍ୟକ। ଏହି ସମୟରେ ଶରୀରରୁ ପାଣି ଆଦୌ କମ୍ ହେବା ଅନୁଚିତ। ଗର୍ଭବତୀ ମହିଳାଙ୍କ ପାଇଁ ଆରାମ କରିବା ଏକାନ୍ତ ଆବଶ୍ୟକ। ଏହାର ଅର୍ଥ ନୁହେଁ ଆଦୌ କାମ ନକରି ବସି ରହିବା ଅବା ଶୋଇ ରହିବା। ଭାରି କାମ ନକରି ହାଲୁକା କାମ କରିପାରିବେ। ଏକ କିମ୍ବା ଦୁଇ କିଲୋମିଟର ଚାଲିପାରିବେ। ଏହାସହ ଏକ୍ସରସାଇଜ ଏକାନ୍ତ ଆବଶ୍ୟକ। ଡାକ୍ତରଙ୍କ ପରାମର୍ଶରେ ଏକ୍ସରସାଇଜ କରିବେ। ଏହାଦ୍ୱାରା ପ୍ରସବ ଦ୍ୱାର ନମନୀୟ ହୋଇରହିବ। ପ୍ରସବ ସମୟକୁ ନର୍ମାଲ ଡେଲିଭରି ପାଇଁ ସମସ୍ୟା ସୃଷ୍ଟି ହେବନାହିଁ।