୨୦୨୫ ସୁଦ୍ଧା ଯକ୍ଷ୍ମା ବା ଟ୍ୟୁବରକ୍ୟୁଲୋସିସ୍ (ଟିବି)ର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ନିମନ୍ତେ ଭାରତ ଲକ୍ଷ୍ୟ ରଖିଛି। ଏହି ରୋଗ ସହ ଯୁଦ୍ଧ କରିବା ପାଇଁ କ୍ୟାଟରିଜ ବ୍ୟବହୃତ ନ୍ୟୁକ୍ଲି ଏସିଡ୍ ଆମ୍ପ୍ଲିଫିକେସନ୍ ଟେଷ୍ଟ(ସିବିନାଟ) ମେସିନ୍ର ବ୍ୟବହାର ଖୁବ୍ ଶକ୍ତିଶାଳୀ ଅସ୍ତ୍ର ଭାବେ ଉଭା ହୋଇପାରିଛି।
ଓଡ଼ିଶାର ସମସ୍ତ ଜିଲ୍ଲାରେ ଅତି କମ୍ରେ ଗୋଟିଏ ଲେଖାଏଁ ଟ୍ୟୁବରକ୍ୟୁଲୋସି ମେସିନ୍ ରଖାଯାଇଛି, ଯାହାକି କିଛି ଘଣ୍ଟା ମଧ୍ୟରେ ଡ୍ରଗ୍ସ ରେଜିଷ୍ଟାଂଟ ଟିବିକୁ ଚିହ୍ନଟ କରିପାରିବ ବୋଲି ମାଇକ୍ରୋବାୟୋଲୋଜିଷ୍ଟ ଡାକ୍ତର ପରେଶ ମହାନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ପଲମୋନାରୀ ମେଡିସିନ ବିଭାଗ ପକ୍ଷରୁ ଆୟୋଜିତ କଣ୍ଟିନ୍ୟୁଇଙ୍ଗ ମେଡିକାଲ ଏଜୁକେସନ (ସିଏମଇ) କାର୍ଯ୍ୟକ୍ରମରେ ଯୋଗ ଦେଇ ଡାକ୍ତର ମହାନ୍ତି ଏହା କହିଛନ୍ତି।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପୃଥିବୀରୁ ୨୦୩୦ ସୁଦ୍ଧା ଟିବିର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ କେନ୍ଦ୍ର ସରକାର ୫ ବର୍ଷ ପୂର୍ବରୁ ଦେଶରୁ ଏହି ରୋଗକୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିବା ପାଇଁ ପଦକ୍ଷେପ ନେଉଥିବା ସୂଚନା ଦେଇଛନ୍ତି ଡାକ୍ତର ମହାନ୍ତି।
ଜାନୁଆରି ୧, ୨୦୨୦ରୁ ଆରମ୍ଭ ହୋଇଥିବା ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଆରଏନ୍ଟିସିପି)କୁ କେନ୍ଦ୍ର ସରକାର ତ୍ୱରାନ୍ୱିତ କରି ଜାତୀୟ ଯକ୍ଷ୍ମା ମୂଳୋତ୍ପାଟନ କାର୍ଯ୍ୟକ୍ରମ (ଏନଟିଇପି)କୁ ଅଧିକ ତୀବ୍ର କରିବାକୁ ଯୋଜନା ଆରମ୍ଭ କରିଛନ୍ତି ବୋଲି ସେ କହିଥିଲେ।
ଡାକ୍ତର ମହାନ୍ତି କହିଛନ୍ତି ଯେ, ବିଶ୍ୱରେ ୧ କୋଟି ଲୋକ ଯକ୍ଷ୍ମା ରୋଗରେ ପୀଡ଼ିତ ଥିବାବେଳେ ଏଥିମଧ୍ୟରୁ ଭାରତରେ ୨୭ ଲକ୍ଷ ଯକ୍ଷ୍ମା ରୋଗୀ ରହିଛନ୍ତି ଯେଉଁମାନଙ୍କ ମଧ୍ୟରୁ ୬୪ ପ୍ରତିଶତ ଲୋକ ବିଭିନ୍ନ ବେସରକାରୀ ଡାକ୍ତରଖାନା ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ତେବେ ଅଧିକାଂଶ ଯକ୍ଷ୍ମାରୋଗୀ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବାରୁ ଜାତୀୟ ଟ୍ୟୁବରକ୍ୟୁଲୋସିସ୍ (ଟି.ବି) ମୂଳୋତ୍ପାଟନ କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇପାରୁନାହିଁ। ତେଣୁ ଏହାଦ୍ୱାରା ଜାତୀୟ ସ୍ତରରେ ଏହି ରେଗୀମାନଙ୍କୁ ଚିହ୍ନଟ କରିବାରେ ସମସ୍ୟା ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି।
ଡେରିରେ ଚିକିତ୍ସା କରାଇଲେ ଡ୍ରଗ ରେଜିଷ୍ଟାଂଟ ଟିବିରେ ପୀଡ଼ିତ ରୋଗରେ ମୃତ୍ୟୁ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ମାତ୍ର ଏହି ସଂକ୍ରମଣକୁ ପରାସ୍ତ କରିବା ନିମନ୍ତେ ବେଡାକୁଇଲିନ ଓ ଡେଲାମାନିଡ ଭଳି ଔଷଧ ରହିଛି।