ସ୍ତନ କର୍କଟ ହେବାର କାରଣ କ’ଣ? ପ୍ରାରମ୍ଭିକ ଅବସ୍ଥାରୁ ଏହାକୁ ଚିହ୍ନିବା କେମିତି? ଆସନ୍ତୁ ଜାଣିବା ଏନେଇ ବିଶିଷ୍ଟ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜୀବ କୁମାର ମିଶ୍ର କ’ଣ କହୁଛନ୍ତି। (Breast Cancer: Causes, Symptoms and Treatment in Odia)
- କର୍କଟ ରୋଗ ବା କ୍ୟାନସର କ’ଣ?
- ବ୍ରେଷ୍ଟ୍ କ୍ୟାନସର ବା ସ୍ତନ କର୍କଟ ହେବାର କାରଣ କ’ଣ?
- ବ୍ରେଷ୍ଟ୍ କ୍ୟାନସରର ଲକ୍ଷଣ
- ପରୀକ୍ଷା ଦ୍ୱାରା ବ୍ରେଷ୍ଟ୍ କ୍ୟାନସରକୁ ଚିହ୍ନିବା
- ବ୍ରେଷ୍ଟ୍ କ୍ୟାନସରର ନିରାକରଣ
- ପ୍ରାରମ୍ଭିକ ଅବସ୍ଥାରୁ କେମିତି ଚିହ୍ନିବା?
- ବଂଶଗତ କାରଣରୁ ବ୍ରେଷ୍ଟ୍ କ୍ୟାନସର ହୋଇଥାଏ କି?
ମହିଳାଙ୍କଠାରେ ସବୁଠୁ ଅଧିକା ଦେଖାଯାଉଥିବା ରୋଗ ମଧ୍ୟରେ ସ୍ତନ କର୍କଟ ବା ବ୍ରେଷ୍ଟ୍ କ୍ୟାନସର ଅନ୍ୟତମ। ସ୍ତନର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ବିଭାଜନ ହେଲେ ସେଠାରୁ ଏକ ନୂତନ କୋଷିକା ସୃଷ୍ଟି ହୋଇଥାଏ, ଯାହାକୁ କର୍କଟ କୋଷ ବା କ୍ୟାନସର ସେଲ୍ କୁହାଯାଏ। ପ୍ରାରମ୍ଭିକ ଅବସ୍ଥାରୁ ସ୍ତନ କର୍କଟ ଚିହ୍ନଟ ହେଲେ ଏହାର ଚିକିତ୍ସା ସମ୍ଭବ।
ସ୍ତନ କର୍କଟ ହେବାର କାରଣ (Causes of Breast cancer in odia)
ସ୍ତନ କର୍କଟ ଅନ୍ୟ କ୍ୟାନ୍ସରଠାରୁ ଭିନ୍ନ। କାରଣ ଏହି କ୍ୟାନ୍ସର ହରମୋନ ପରିବର୍ତ୍ତନ ଉପରେ ନିର୍ଭର କରେ। ମନେକର ଯେ, ଜଣେ ମହିଳାଙ୍କର ଋତୁସ୍ରାବ ଅଳ୍ପ ବୟସରେ ହୋଇଛି ମେନୋପଜ୍ ଅଧିକ ବୟସରେ ହେଉଛି, ଅର୍ଥାତ୍ ଋତୁସ୍ରାବ ହେବାଠାରୁ ମେନୋପଜ ପର୍ଯ୍ୟନ୍ତ ଯେଉଁ ସମୟ ଥାଏ ଓ ଯେଉଁମାନଙ୍କର ଏହି ସମୟ ଅବଧି ଅଧିକ, ସେହି ମହିଳାଙ୍କର ସ୍ତନ କର୍କଟ ହେବାର ଆଶଙ୍କା ଅଧିକ। କାରଣ ଜଣେ ମହିଳାଙ୍କର ଜଲଦି ଋତୁସ୍ରାବ ହେବା ଓ ଡେରିରେ ମେନୋପଜ ହେବା ଯୋଗୁଁ ଶରୀରରେ ଇଷ୍ଟ୍ରୋଜେନ୍ ହରମୋନ୍ ଅଧିକ ସମୟ ପର୍ଯ୍ୟନ୍ତ ରହିଲା।
ଜଣେ ମହିଳା ଯାହାଙ୍କର ପିଲାଛୁଆ ହୋଇ ନାହିଁ, ସେମାନଙ୍କଠାରେ ବି ଅଧିକ ସମୟ ପର୍ଯ୍ୟନ୍ତ ଇଷ୍ଟ୍ରୋଜେନ୍ ହରମୋନ୍ ରହି ଥାଏ। କାରଣ ଗର୍ଭଧାରଣ ବେଳେ ପ୍ରୋଜେଷ୍ଟେରୋନ୍ ହରମୋନ୍ର ମାତ୍ରା ଅଧିକ ରହୁଛି ଓ ଇଷ୍ଟ୍ରୋଜେନ୍ କମ୍ ରହୁଛି। ପିଲା କ୍ଷୀର ଖାଇବା ବେଳେ ବି ଇଷ୍ଟ୍ରୋଜେନ୍ ହରମୋନ୍ କମିଯାଉଛି। କିନ୍ତୁ ଯେଉଁମାନଙ୍କ ଅଧିକ ସମୟ ପର୍ଯ୍ୟନ୍ତ ଇଷ୍ଟ୍ରୋଜେନ୍ ହରମୋନ୍ ରହୁଛି, ସେମାନଙ୍କୁ ସ୍ତନ କର୍କଟ ହେବାର ଆଶଙ୍କା ଥାଏ।
ସ୍ତନ କର୍କଟର ଲକ୍ଷଣ (Symptoms of Breast cancer in Odia)
ସାଧାରଣତଃ ସ୍ତନ କର୍କଟର ଏହି ସବୁ ଲକ୍ଷଣ ଦେଖାଦେଇଥାଏ।
ସ୍ତନରେ ଗେଟାଳିଆ ସଦୃଶ ଏକ ମାଂସପିଣ୍ଡୁଳା ହୋଇଥାଏ।
ବେଳେ ବେଳେ ମାଂସ ପିଣ୍ଡୁଳା ବଢ଼ିକରି ଘା’ ଭଳି ହୋଇଯାଏ।
କାଖରେ ଗେଟାଳିଆ ହୋଇ ବଥ ଭଳି ବାହାରିଥାଏ।
କିନ୍ତୁ କିଛିଟା କ୍ଷେତ୍ରରେ ଏହିସବୁ ଲକ୍ଷଣ ଦେଖାଦିଏ, ଯାହା ଆମେ ଜାଣିପାରି ନଥାଉ। ଯେପରିକି:
ପିଠି ବିନ୍ଧା ହେବା।
ପରୀକ୍ଷା ଦ୍ୱାରା କେମିତି ଚିହ୍ନିବା ସ୍ତନ କର୍କଟ (Diagnosis of breast cancer by examination in Odia)
ପ୍ରଥମେ ରୋଗୀଙ୍କର ମାମୋଗ୍ରାଫି କରି କ୍ୟାନ୍ସର ଅଛି କି ନାହିଁ ଜଣାପଡ଼ିଥାଏ। ଏହାପରେ ଏଫ୍ଏନ୍ଏସି ବା ବାୟୋପ୍ସି ପରୀକ୍ଷା କରାଯାଏ। ଯଦି ଏଥିରେ କ୍ୟାନ୍ସର ଚିହ୍ନଟ ହୁଏ, ତେବେ ମେଟାଷ୍ଟାଟିକ୍ ଓ୍ୱାର୍କଅପ୍ କରାଯାଇଥାଏ କାରଣ ଏହି ପରୀକ୍ଷାରୁ ଜଣାପଡ଼େ ଏହି କ୍ୟାନ୍ସର ସେଲ କେବଳ ସ୍ତନରେ ହୋଇଛି ନା ଶରୀରର ଅଲଗା ସ୍ଥାନକୁ ମାଡ଼ି ଯାଇଛି।
ସ୍ତନ କର୍କଟର ଚିକିତ୍ସା (Treatment of Breast cancer in Odia)
ଲୋକଙ୍କ ମନରେ ଭୟ ଥାଏ ଯେ, ସ୍ତନ କର୍କଟ ହେଲେ ସ୍ତନକୁ ପୂରାପୂରି କାଟିଦିଆଯାଏ। କିନ୍ତୁ ବର୍ତ୍ତମାନ ନୂଆ ପଦ୍ଧତିରେ ସ୍ତନକୁ ସମ୍ପୂର୍ଣ୍ଣ ଭାବେ କଟାଯାଏ ନାହିଁ। ଯେଉଁ ସ୍ଥାନରେ କ୍ୟାନ୍ସର ହୋଇଛି ସର୍ଜରୀ କରି ସେହି ମାଂସପିଣ୍ଡୁଳାକୁ ବାହାର କରାଯାଏ। ଯଦି ବଡ଼ ଟ୍ୟୁମର ଅଛି, ତେବେ କେମୋଥେରାପି ଦେଇ ଟ୍ୟୁମରକୁ ଛୋଟ କରାଯାଏ ଓ ପରେ ବ୍ରେଷ୍ଟ କନ୍ଜରଭେସନ୍ ସର୍ଜରୀ କରିଯାଏ।
ସର୍ଜରୀ ପରେ ଏହି କ୍ୟାନ୍ସର ପୁଣି ଥରେ ନ ହେବା ପାଇଁ ରେଡିଓଥେରାପି ଦିଆଯାଏ।
ସାଧାରଣତଃ ସ୍ତନ କର୍କଟ ଶରୀରର ହରମୋନ୍ ପରିବର୍ତ୍ତନ ଉପରେ ନିର୍ଭର କରିଥାଏ। ସ୍ତନ କର୍କଟ ହେଲେ ରୋଗୀଙ୍କର ଇଆର୍, ପିଆର୍ ଓ ଏଚ୍ଇଆର୍ ପରୀକ୍ଷା କରୁ। ଯଦି ହରମୋନ୍ ରିସେପ୍ଟର ପଜିଟିଭ ଅଛି, ତେବେ ଟମୋକ୍ସିଫେନ୍ ଟାବଲେଟ୍ ଖାଇବାକୁ ପରାମର୍ଶ ଦେଇଥାଉ।
ଅନେକ କ୍ଷେତ୍ରରେ କେବଳ ହରମୋନ୍ ଥେରାପି ଦିଆଯାଇ ବ୍ରେଷ୍ଟ କ୍ୟାନ୍ସର ଭଲ କରାଯାଏ।
ସ୍ତନ କର୍କଟର ନିରାକରଣ (Breast cancer prevention in Odia)
କ୍ୟାନ୍ସର ହେବାର କାରଣ ହେଉଛି ଆମ ଜୀବନଶୈଳୀ। ବର୍ତ୍ତମାନ ଲୋକେ ଗୋଟିଏ ଗୋଟିଏ ପିଲା ଜନ୍ମ କରୁଛନ୍ତି। ଏହାଛଡ଼ା ଅଧିକ ବୟସରେ ବିବାହ କରି ଗୋଟିଏ ପିଲା ବା ପିଲା ଜନ୍ମ କରୁ ନାହାନ୍ତି। ବ୍ୟସ୍ତବହୁଳ ଜୀବନ ଯୋଗୁଁ ସ୍ତନ୍ୟପାନ କରାଇବାକୁ ସମୟ ପାଉ ନାହାନ୍ତି। ପୂର୍ବରୁ ମହିଳାମାନେ ନିଜ ପିଲାଙ୍କୁ ଲମ୍ବା ସମୟ ପାଇଁ କ୍ଷୀର ଖୁଆନ୍ତି। ଫଳରେ ସ୍ତନ କର୍କଟ ଏତେଟା ହେଉ ନଥିଲା।
ସ୍ତନ କର୍କଟକୁ ପ୍ରାରମ୍ଭିକ ଅବସ୍ଥାରୁ କେମିତି ଚିହ୍ନିବା?
ପ୍ରାରମ୍ଭିକ ଅବସ୍ଥାରୁ ସ୍ତନ କର୍କଟ ଚିହ୍ନଟ ହେଲେ, ଭଲ ହେବାର ସମ୍ଭାବନା ଅଧିକ। ତେଣୁ ନିଜେ ନିଜେ ଘରେ ସ୍ତନର ପରୀକ୍ଷା କରିବା ଜରୁରୀ।
ମାସକୁ ଥରେ ନିଜ ସ୍ତନର ନିଜେ ପରୀକ୍ଷା କରିବେ। ଘରେ ଦର୍ପଣ ସାମ୍ନାରେ ଠିଆ ହୋଇ ଦୁଇ ସ୍ତନର ଉଚ୍ଚତା ସମାନ ଅଛି କି ନାହିଁ? ଦୁଇ ସ୍ତନର ନିପଲର ଆକାର ସମାନ ଅଛି କି ନାହିଁ? ନିଜ ହାତରେ ନିଜ ସ୍ତନକୁ ହାତ ମାରି ଦେଖିବେ ଯେ, କିଛି ଗୋଟାଳିଆ ବା ଗୁଳି ଭଳି ଲାଗୁଛି କି ନାହିଁ। ଯଦି ଏଭଳି କିଛି ଆକାରରେ ଭିନ୍ନତା ବା ଗେଟାଳିଆ ଭଳି ଲାଗେ, ତେବେ ଡାକ୍ତରଙ୍କ ପାଖକୁ ଯାଇ ପରାମର୍ଶ କରାଇନେବା ଜରୁରୀ।
ବଂଶଗତ କାରଣରୁ ସ୍ତନ କର୍କଟ ହୋଇଥାଏ କି? (Is breast cancer caused by hereditary causes?)
୧୦ ପ୍ରତିଶତ ମହିଳାଙ୍କ ସ୍ତନ କର୍କଟ ବଂଶଗତ କାରଣରୁ ହୋଇଥାଏ। ୩୦ରୁ ୪୦ ବର୍ଷ ବୟସର ମହିଳାଙ୍କ ମଧ୍ୟରେ ଯଦି ସ୍ତନ କର୍କଟ ହେଉଛି, ତେବେ ଏହା ବଂଶଗତ କାରଣ ହୋଇଥାଇପାରେ। ଯଦି ଜଣେ ମହିଳାଙ୍କର ସ୍ତନ କର୍କଟ ହୋଇଛି ତେବେ ତଙ୍କେ ଝିଅକୁ ହେବାର ଅଧିକ ଆଶଙ୍କା ରହିଛି।
ଯଦି ଜଣେ ମହିଳାଙ୍କର ସ୍ତନ କର୍କଟ ହୋଇଛି, ତାହାହେଲେ ବ୍ରାକା ପରୀକ୍ଷା କରାଯାଏ। ବ୍ରାକା ପଜିଟିଭ୍ ଆସିଲେ, ସମ୍ପୂର୍ଣ୍ଣ ପରିବାରର କାଉନସିଲିଂ କରାଯାଏ ଓ ସେମାନଙ୍କୁ ସତର୍କ କରିଦିଆଯାଏ ଯେ, ସେମାନଙ୍କୁ ହୁଏତଃ ସ୍ତନ କର୍କଟ ହୋଇପାରେ। ତେଣୁ ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ନେବା ଜରୁରୀ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସଞ୍ଜୀବ କୁମାର ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
(ଡାକ୍ତର ସଞ୍ଜୀବ କୁମାର ମିଶ୍ର ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ରେଡିଏସନ୍ ଅଙ୍କୋଲୋଜିଷ୍ଟ। କ୍ୟାନସର ବା କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ମିଶ୍ର ଭୁବନେଶ୍ୱରରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ ୯୯୩୮୬୬୮୮୪୩ ନମ୍ବରରେ କଲ୍ କରିପାରିବେ।)
Note: A brief medical advice, in Odia language, on causes, symptoms, treatment and treatment of Breast cancer, based on the interview with Dr. Sanjib Kumar Mishra, Radiation Oncologist.