ଡାକ୍ତର ମନୋଜ କୁମାର ସାହୁ

ସମ୍‌ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁ ‘ସ୍ୱାସ୍ଥ୍ୟ ପ୍ଲସ୍‌’କୁ ଦେଇଥିବା ସାକ୍ଷାତକାର ଆଧାରରେ।

ହେପାଟାଇଟିସ୍‌ ସଂକ୍ରମଣ, ହେପାଟାଇଟିସ୍‌-ବି ସଂକ୍ରମଣ କାରଣରୁ ଲିଭର ସମସ୍ୟା ଦେଖାଦେଇଥାଏ। ଓଡ଼ିଶାରେ ଲିଭର ସମସ୍ୟା ଦେଖାଦେବାର ପ୍ରମୁଖ କାରଣ ହେଉଛି ହେପାଟାଇଟିସ୍‌-ବି ଇନ୍‌ଫେକ୍ସନ।

ବର୍ତ୍ତମାନ ସମୟରେ ଲିଭର ସମସ୍ୟାର ମୁଖ୍ୟ କାରଣ ସାଜିଛି ଫ୍ୟାଟି ଲିଭର ଡିଜିଜ୍‌। ଆଜିକାଲିର ଯୁବପିଢ଼ିଙ୍କ ଲାଇଫ୍‌ଷ୍ଟାଇଲ୍‌ରେ ପରିବର୍ତ୍ତନ ଦେଖାଦେଉଛି। ଖାଇବା ପିଇବାରେ ଅନିୟମିତା, ଚର୍ବି ଜାତୀୟ ଖାଦ୍ୟର ବହୁଳ ବ୍ୟବହାର ଫଳରେ ଲିଭରରେ ଚର୍ବି ଜମୁଛି, ଯାହା ପରବର୍ତ୍ତୀ ସମୟରେ ଲିଭର ପାଇଁ ସମସ୍ୟା ସୃଷ୍ଟି କରିପାରେ। ସେହିପରି ମଦ୍ୟପାନ ମଧ୍ୟ ଲିଭରଜନିତ ସମସ୍ୟାର ଅନ୍ୟତମ ମୁଖ୍ୟ କାରଣ।

ଲିଭର ଜନିତ ଜଟିଳ ସମସ୍ୟା ହେଉଛି ‘ସିରୋସିସ୍‌ ଅଫ୍‌ ଲିଭର’। ସିରୋସିସ୍‌ ହେଲେ ଲିଭର ଆଉ ସାଧାରଣ ଅବସ୍ଥାକୁ ଫେରି ପାରେ ନାହିଁ। ରକ୍ତ ବାନ୍ତି ହେବା, ଜଣ୍ଡିସ୍‌ ହେବା, ପେଟରେ ପାଣି ଜମିବା, ଚେତା ବୁଡ଼ିଯିବା ଆଦି ହେଉଛି ସିରୋସିସ୍‌ ହେବାର ଲକ୍ଷଣ। ଲିଭର କ୍ୟାନସର ମଧ୍ୟ ସିରୋସିସ୍‌ର ଲକ୍ଷଣ। ସିରୋସିସ୍‌ ହେବା ଫଳରେ ଲିଭର ଫେଲ୍‌ୱର ହେବାର ଯଥେଷ୍ଟ ସମ୍ଭାବନା ଥାଏ, ଯାହା ମୃତ୍ୟୁର କାରଣ ଅଟେ।

ଏହା କହିଛନ୍ତି ସମ୍‌ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁ। ନିକଟରେ ଓଡ଼ିଶାରେ ପ୍ରଥମଥର ପାଇଁ ଲିଭର ଟ୍ରାନ୍ସପ୍ଲାଣ୍ଟେସନ ହୋଇଥିଲା। ଯଶୋଦା ହସ୍ପିଟାଲ ଏବଂ ସମ୍‌ ହସ୍ପିଟାଲର ମିଳିତ ଉଦ୍ୟମରେ ୪୦ ଜଣିଆ ଡାକ୍ତରୀ ଟିମ୍‌ ଏହାକୁ ସଫଳତାର ସହ କରିଥିଲେ। ଡାକ୍ତର ମନୋଜ କୁମାର ସାହୁ ଏହି ଲିଭର ଟ୍ରାନ୍ସପ୍ଲାଣ୍ଟେସନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।