ଫ୍ୟାଟି ଲିଭରକୁ କେମିତି ରୋକିପାରିବା? ଏନେଇ ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ସୁଶାନ୍ତ କୁମାର ସେଠୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ଲିଭର ବା ଯକୃତ ଆମ ଶରୀରର ଏକ ଅବିଚ୍ଛେଦ ଅଙ୍ଗ। ଏହା ଶରୀରର ଡାହାଣ ପାର୍ଶ୍ଵରେ ଥାଏ। ଏହାର ଓଜନ ପାଖାପାଖି୧.୨ରୁ ୧.୬ କିଲୋଗ୍ରାମ୍ ହୋଇଥାଏ। ଖାଦ୍ୟ ହଜମ ହେବାଠାରୁ ଆରମ୍ଭ କରି ଖାଦ୍ୟରେ ଥିବା ବିଷାକ୍ତ ପଦାର୍ଥକୁ ବିଶୁଦ୍ଧ କରିବା ହେଉଛି ଲିଭରର ମୁଖ୍ୟ କାର୍ଯ୍ୟ। ଏହା ଛଡ଼ା ଆମ ଶରୀରରେ ରକ୍ତ ତିଆରି ହେବାରେ ମଧ୍ୟ ଯକୃତ ସାହାଯ୍ୟ କରିଥାଏ। କୌଣସି କାରଣରୁ ଯକୃତର କୋଷଗୁଡ଼ିକରେ ଚର୍ବି ଜମାଟ ବାନ୍ଧିଲେ, ଏହା ସଠିକ୍ ଭାବେ କାର୍ଯ୍ୟ କରିପାରେ ନାହିଁ। ଏହି ସମସ୍ୟା ବା ରୋଗକୁ ଫ୍ୟାଟି ଲିଭର ବୋଲି କୁହାଯାଏ।
ଫ୍ୟାଟି ଲିଭର ଦୁଇ ପ୍ରକାର: ଆଲକହୋଲିକ୍ ଫ୍ୟାଟି ଲିଭର, ନନ୍ ଆଲକହୋଲିକ୍ ଫ୍ୟାଟି ଲିଭର।
କାହିଁକି ହୁଏ ଫ୍ୟାଟି ଲିଭର? (Causes of Fatty Liver in Odia)
ଫ୍ୟାଟ୍ ବା ଚର୍ବି ଲିଭରରେ ଜମା ହେବାକୁ ଫ୍ୟାଟି ଲିଭର କୁହାଯାଏ।
ଡାଏବେଟିସ୍ ବା ମଧୁମେହ ରୋଗୀଙ୍କଠାରେ ଫ୍ୟାଟି ଲିଭର ହେବାର ଆଶଙ୍କା ଅଧିକ ଥାଏ।
ମେଦବହୁଳତା ଫ୍ୟାଟି ଲିଭର ରୋଗର ଅନ୍ୟ ଏକ କାରଣ। ଏହାଛଡ଼ା ଟ୍ରାଇଗ୍ଲିସେରାଇଡ୍ ଶରୀରରେ ବେଶି ହେବା, କିଛି ସର୍ଜରୀ ଯୋଗୁଁ ବା କେତେକ ଔଷଧ ଯୋଗୁଁ ମଧ୍ୟ ଲିଭରରେ ଚର୍ବି ଜମା ହୋଇପାରେ।
ଅତ୍ୟଧିକ ମଦ୍ୟପାନ କରିବା ଫ୍ୟାଟି ଲିଭର ରୋଗର ଅନ୍ୟତମ ପ୍ରମୁଖ କାରଣ। ଏହାଦ୍ୱାରା ଲିଭରରେ ଚର୍ବି ଜମା ହୋଇଥାଏ। ଫଳରେ ଲିଭର ଠିକ୍ ଭାବେ କାମ କରିପାରେନାହିଁ। ଜଣେ ବ୍ୟକ୍ତି ଅତି କମ୍ରେ ୮ରୁ ୧୦ ବର୍ଷ ଧରି ୬୦-୮୦ ଗ୍ରାମ୍ର ମଦ ପାନ କଲେ ଯକୃତରେ ଚର୍ବି ଜମା ହୋଇଥାଏ। ଏହାକୁ ଆଲକହୋଲିକ୍ ଫ୍ୟାଟି ଲିଭର ବୋଲି କୁହାଯାଏ।
ଯଦି ଜଣେ ବ୍ୟକ୍ତି ମଦ୍ୟପାନ କରୁ ନାହିଁ, ତେବେ ମଧ୍ୟ ଯକୃତରେ ଚର୍ବି ଜମା ହୁଏ, ତାହାକୁ ନନ୍ ଆଲକହୋଲିକ୍ ଫ୍ୟାଟି ଲିଭର କୁହାଯାଏ।
ଅଧିକ ପଢ଼ନ୍ତୁ: ଲିଭରକୁ କେମିତି ରଖିବେ ସୁସ୍ଥ?
ଫ୍ୟାଟି ଲିଭରର ଲକ୍ଷଣ (Symptoms of Fatty Liver in Odia)
ଉଭୟ ଆଲକହୋଲିକ୍ ଏବଂ ନନ୍ ଆଲକହୋଲିକ୍ ଫ୍ୟାଟି ଲିଭରରେ କୌଣସି ପ୍ରକାର ଲକ୍ଷଣ ଦେଖାଯାଏ ନାହିଁ। ଅଲଟ୍ରାସାଉଣ୍ଡ କରି ଜାଣି ହୁଏ ଯେ, ଯକୃତରେ ଚର୍ବି ଜମା ହୋଇଛି କି ନାହିଁ। ଏହାସହ ଲିଭର ଫଙ୍କସନ୍ ଟେଷ୍ଟ କରି ଫ୍ୟାଟି ଲିଭର ସମସ୍ୟା ବିଷୟରେ ଜଣାପଡ଼େ।
କେତେକ କ୍ଷେତ୍ରରେ ଫ୍ୟାଟି ଲିଭର ସମସ୍ୟାର ଲକ୍ଷଣ ଜଣାପଡ଼େ। ଯେପରିକି, ପେଟ ଯନ୍ତ୍ରଣା ହେବା, ଭୋକ ନ ଲାଗିବା, ମାନ୍ଦା ଲାଗିବା ଭଳି ଲକ୍ଷଣ ଜଣାପଡ଼େ।
ଫ୍ୟାଟି ଲିଭର ଜଟିଳତା (Complications of Fatty Liver in Odia)
ନନ୍ ଆଲକୋହୋଲିକ୍ ଫ୍ୟାଟି ଲିଭର ରୋଗରେ ଶତକଡ଼ା ୧୫ ଭାଗ ବ୍ୟକ୍ତିଙ୍କଠାରେ ଭବିଷ୍ୟତରେ ଲିଭର ସିରୋସିସ୍, ଲିଭର କ୍ୟାନ୍ସର, ଲିଭର ଫେଲ୍ୟୁଅର ଆଦି ଜଟିଳ ରୋଗ ସୃଷ୍ଟି କରିପାରେ।
ଯଦି ଜଣେ ବ୍ୟକ୍ତିଙ୍କ ଫ୍ୟାଟି ଲିଭର ସମସ୍ୟା ଅଛି ଓ ସେ ମଦ୍ୟପାନ କରୁଛନ୍ତି, ତେବେ ଆଲକହୋଲିକ୍ ହେପାଟାଇଟିସ୍, ଆଲକହୋଲିକ୍ ସିରୋସିସ୍ ହୋଇଥାଏ। ଥରେ ସିରୋସିସ୍ ହେଲା ପରେ ଲିଭର କ୍ୟାନ୍ସର, ଲିଭର ଫେଲ୍ୟୁଅର ଭଳି ସମସ୍ୟା ସୃଷ୍ଟି କରିବାର ଆଶଙ୍କା ଥାଏ।
ଅଧିକ ପଢ଼ନ୍ତୁ: ଗୁରୁତର ହୋଇପାରେ ଫ୍ୟାଟି ଲିଭର ସମସ୍ୟା
କେଉଁ ପରୀକ୍ଷାରୁ ଚିହ୍ନିବା ଫ୍ୟାଟି ଲିଭର? (Diagnosis of Fatty Liver in Odia)
ଫ୍ୟାଟି ଲିଭର ସମସ୍ୟା ଜାଣିବା ପାଇଁ ଲିଭର ଫଙ୍କସନ୍ ଟେଷ୍ଟ କରାଯାଏ। କିନ୍ତୁ, କେବଳ ଅଲଟ୍ରାସାଉଣ୍ଡ ଦ୍ଵାରା ହିଁ ଜଣାପଡ଼େ ଯକୃତରେ ଚର୍ବି ଅଛି କି ନାହିଁ। ଏହାଛଡ଼ା ସିଟି ସ୍କାନ, ଏମ୍ଆର୍ଆଇ ଭଳି ବିଭିନ୍ନ ପଦ୍ଧତି ରହିଛି। କିନ୍ତୁ, ଚର୍ବି ବା ଫ୍ୟାଟ୍ ଯକୃତରେ ଥିବା କୋଷଗୁଡ଼ିକୂ ନଷ୍ଟ କରୁଥାଏ, ତେବେ ଲିଭର ବାୟୋପ୍ସି କରି ଯକୃତର ବିଭିନ୍ନ ଜଟିଳତା ବିଷୟରେ ଜଣାପଡ଼େ।
ଫ୍ୟାଟି ଲିଭରର ଚିକିତ୍ସା (Treatment of Fatty liver in Odia)
ଆଲକହୋଲିକ୍ ଫ୍ୟାଟି ଲିଭର ଅବସ୍ଥାରେ ଯଦି ଜଣେ ବ୍ୟକ୍ତି ମଦ ସମ୍ପୂର୍ଣ୍ଣ ବନ୍ଦ କରିଦେଉଛନ୍ତି, ହୁଏତ ଫ୍ୟାଟି ଲିଭର ସମ୍ପୂର୍ଣ୍ଣ ଭାବେ ଠିକ୍ ହୋଇଯାଇପାରେ ଏବଂ ପରିବର୍ତ୍ତି ଅବସ୍ଥାରେ କୌଣସି ଜଟିଳତା କରେ ନାହିଁ।
ଫ୍ୟାଟି ଲିଭର ଯୋଗୁଁ ଆଲକହୋଲିକ୍ ହେବାଟାଇଟିସ୍, ଆଲକହୋଲିକ୍ ସିରୋସିସ୍, ନନ୍ ଆଲକହୋଲିକ୍ ଷ୍ଟିଆଟୋହେପାଟାଇଟିସ୍, ନନ୍ ଆଲକହୋଲିକ୍ ସିରୋସିସ୍ ହୋଇପାରେ। ଯଦି ଜଣଙ୍କର ହେବାଟାଇଟିସ୍ ହୁଏ, ତେବେ ଚିକିତ୍ସା ଦରକାର ପଡ଼ିଥାଏ। ବ୍ୟକ୍ତିଙ୍କୁ ମଦ୍ୟପାନ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ହେବ।
ଫ୍ୟାଟି ଲିଭରର ନିରାକରଣ (Prevention of Fatty Liver in Odia)
ମଦ୍ୟପାନରୁ ନିବୃତ୍ତ ରହନ୍ତୁ।
ଡାଏବେଟିସ୍କୁ ନିୟନ୍ତ୍ରଣରେ ରଖନ୍ତୁ।
ମେଦବହୁଳତାକୁ କମାନ୍ତୁ।
ଶରୀରରେ ଟ୍ରାଇଗ୍ଲିସେରାଇଡ୍ ସ୍ତର ଅଧିକ ରହିଲେ ଚର୍ବି ଅଧିକ ମାତ୍ରାରେ ଜମା ହୁଏ। ତେଣୁ ଏହାକୁ ନିୟନ୍ତ୍ରଣରେ ରଖିବା ଜରୁରୀ।
ଚର୍ବି ଯୁକ୍ତ ଖାଦ୍ୟ, ଜଙ୍କ ଫୁଡ୍, ଛଣାଛଣି ଖାଦ୍ୟ, ଫାଷ୍ଟଫୁଡ୍ରୁ ଦୂରେଇ ରହନ୍ତୁ।
ସନ୍ତୁଳିତ ଖାଦ୍ୟ ଯେପରିକି କାର୍ବୋହାଇଡ୍ରେଟ୍, ପ୍ରୋଟିନ୍ ସହ ଭିଟାମିନ୍ ଓ ମିନେରାଲ୍ସ ସେବନ କରିବା ଦରକାର।
ପ୍ରତିଦିନ ୪୦ ମିନିଟ୍ ବ୍ୟାୟାମ କରିବା ଜରୁରୀ।
ଦୂଷିତ ପାଣି ପିଅନ୍ତୁ ନାହିଁ। ସବୁବେଳେ ସଫା ପାଣି ପିଅନ୍ତୁ।
ହାତ ପରିଷ୍କାର ରଖନ୍ତୁ।
ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ।
ଚାପମୁକ୍ତ ରହନ୍ତୁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସୁଶାନ୍ତ କୁମାର ସେଠୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Fatty liver, in Odia language, is based on an extensive interview with gastroenterologist, Dr Sushant Kumar Sethi.