ପେଟରେ ଗ୍ୟାସ ହେବା ସାଧାରଣ କଥା। ହେଲେ ଶିଶୁଙ୍କ କ୍ଷେତ୍ରରେ ଏହା ଶୀଘ୍ର ଜଣାପଡ଼ି ନଥାଏ। ଗ୍ୟାସ ଯୋଗୁଁ ପେଟରେ ଯନ୍ତ୍ରଣା ହୁଏ। ଫଳରେ ଶିଶୁ ସବୁବେଳେ କାନ୍ଦୁଥାଏ। ପିଲାଟି କାହିଁକି କାନ୍ଦୁଛି ଜାଣି ନପାରି ବାପା ମା’ ବ୍ୟସ୍ତ ହୋଇପଡ଼ନ୍ତି।
ଗ୍ୟାସ ହେବାର କାରଣ
ମା’ଠାରୁ ସ୍ତନ୍ୟପାନ କରିବା ସମୟରେ କିମ୍ବା ବୋତଲରେ ଖୁଆଇବା ସମୟରେ, ଶିଶୁମାନେ ପାଟି ଦେଇ ପବନ ଢୋକି ଦିଅନ୍ତି। ଫଳରେ ବାହାର ବାୟୁ ଶରୀର ଭିତରକୁ ପ୍ରବେଶ କରିଥାଏ। ଏହି କାରଣରୁ ଅନେକ ସମୟରେ ସେମାନଙ୍କ ପେଟ ଫାମ୍ପିବା ଭଳି ଦେଖାଯାଏ ଏବଂ ସେମାନେ ଅସହଜ ମନେ କରନ୍ତି।
ପ୍ରତିକାର
ଶିଶୁକୁ ସ୍ତନ୍ୟପାନ କରାଇବା ଅଥବା ବୋତଲରୁ ଖାଦ୍ୟ ଖୁଆଇବା ସମୟରେ ମା’ମାନେ ବିଶେଷ ଧ୍ୟାନ ଦେବା ଆବଶ୍ୟକ।
ବୋତଲର ନିପଲକୁ ଧରି ସାମାନ୍ୟ ଚିପି ଦିଅନ୍ତୁ, ଯାହାଦ୍ଵାରା ତା’ ଭିତରେ ଆଉ ବାୟୁ ଫୋଟକା ରହିବ ନାହିଁ। ଶିଶୁକୁ ଖୁଆଇବା ସମୟରେ ଶିଶୁଙ୍କ ପାଇଁ ମିଳୁଥିବା ତକିଆ ବ୍ୟବହାର କରନ୍ତୁ। ଏହାଦ୍ଵାରା ଶିଶୁର ମୁଣ୍ଡ ସାମାନ୍ୟ ଉଚ୍ଚରେ ରହିବ।
ଖାଇବା ପରେ ଶିଶୁକୁ ସିଧାକରି ଶୁଆଇଦିଅନ୍ତୁ। ସାଇକେଲ ଚଳାଇବା ଭଳି ତା’ର ଗୋଡ଼କୁ ଧରି ଆଗ ପଛ କରନ୍ତୁ। ଆବଶ୍ୟକସ୍ଥଳେ ଉଷୁମ ପାଣିରେ ଗାଧୋଇଦେବା ଫଳରେ ଗ୍ୟାସ ସମସ୍ୟାରୁ ଉପଶମ ମିଳିପାରିବ।
ଶିଶୁକୁ ଖୁଆଇ ସାରିବା ପରେ ଶିଶୁକୁ କାନ୍ଧ ଉପରକୁ ନେଇ ତା’ର ପଛ ଭାଗକୁ ଧୀରେ ଧୀରେ ଥାପଡ଼ାନ୍ତୁ। ଏଭଳି କରିବା ଦ୍ୱାରା ଗ୍ୟାସ ବାହାରି ଆସେ।
ମା’ ଖାଉଥିବା ଖାଦ୍ୟର ଉପାଦାନ କ୍ଷୀର ସହ ମିଶି ଶିଶୁ ପାଖକୁ ଯାଇଥାଏ। ମାତ୍ର ଶିଶୁ ସେସବୁ ହଜମ କରିପାରେନାହିଁ। ଏଭଳି କ୍ଷେତ୍ରରେ ମା’କୁ ମଧ୍ୟ ତାଙ୍କର ଖାଦ୍ୟ ଉପରେ ଧ୍ୟାନ ଦେବାକୁ ହେବ।
ଯଦି ଶିଶୁର ଗ୍ୟାସ ସମସ୍ୟା ରହୁଛି ତେବେ ଡାକ୍ତରଙ୍କ ସହିତ ତା’ର ଖାଦ୍ୟ ସମ୍ପର୍କରେ ଆଲୋଚନା କରନ୍ତୁ। କାରଣ ବେଳେବେଳେ ଶିଶୁଟି କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବା ପରେ ଅଧିକ ଗ୍ୟାସ ସମସ୍ୟା ସମ୍ମୁଖୀନ ହୁଏ।
ଶିଶୁର ଗ୍ୟାସ ସମସ୍ୟା ଦୀର୍ଘଦିନ ପର୍ଯ୍ୟନ୍ତ ଲାଗି ରହୁଛି ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ।