କୌଣସି ରୋଗରେ ଆକ୍ରାନ୍ତ ହୋଇ ପରେ ତାର ଚିକିତ୍ସା କରିବା ଅପେକ୍ଷା ସଜାଗ ରହିଲେ ଆପଣ ଏକ ସୁସ୍ଥ ଜୀବନ ବଞ୍ଚିପାରିବେ। କର୍କଟ ରୋଗ କ୍ଷେତ୍ରରେ ମଧ୍ୟ ଏହା ପ୍ରଯୁଜ୍ୟ। ଏଥିପାଇଁ ଡାଏଟ ଉପରେ ଧ୍ୟାନ ଦେବା ସହିତ ନିୟମିତ ଭାବେ ସ୍କ୍ରିନିଂ କରାନ୍ତୁ।

ତମାଖୁ ଜାତୀୟ ଉତ୍ପାଦ ଖାଆନ୍ତୁ ନାହିଁ

ତମାଖୁ ଜାତୀୟ କୌଣସି ଉତ୍ପାଦ ଖାଆନ୍ତୁ ନାହିଁ। ଏହା ମୁଖ ଗହ୍ୱର କର୍କଟ ସହିତ ଫୁସଫୁସ, ଗଳା, ପାନକ୍ରିୟାଜ, ବ୍ଲାଡର, ସର୍ଭିକ୍ସ ଏବଂ କିଡ୍‌ନିରେ କର୍କଟ ରୋଗ ସୃଷ୍ଟି କରିପାରେ। ସେହିପରି ନିଜେ ସିଗାରେଟ୍ ଟାଣୁନଥିଲେ ବି ସେକେଣ୍ଡହ୍ୟାଣ୍ଡ ସ୍ମୋକ ଅର୍ଥାତ୍ ଅନ୍ୟ କେହି ସିଗାରେଟ୍ ଟାଣୁଥିଲେ ସେ ପାଖରେ ରୁହନ୍ତୁ ନାହିଁ। ଏହା ଫୁସଫୁସ କର୍କଟର ଆଶଙ୍କାକୁ ବଢ଼ାଇଦେବ।

ମଦ ପିଅନ୍ତୁ ନାହିଁ

ତମାଖୁ ପରି ମଦ୍ୟପାନ ମଧ୍ୟ ଆପଣଙ୍କୁ କର୍କଟରେ ପୀଡ଼ିତ କରିବ। ଏହା ଲିଭରକୁ ସଂପୂର୍ଣ୍ଣ ଭାବେ ନଷ୍ଟ କରିଦେଇଥାଏ। ତେଣୁ ଲିଭର କ୍ୟାନସର ହୋଇପାରେ। ଏପରିସ୍ଥଳେ ମଦ ଛାଡ଼ିବା ଲାଗି ଆପଣ ଡାକ୍ତରଙ୍କ ପରାମର୍ଶ ନେଇପାରିବେ।

ଡାଏଟ ଉପରେ ଧ୍ୟାନ ଦିଅନ୍ତୁ

ଶରୀରକୁ ସୁସ୍ଥ ରଖିବାରେ ଡାଏଟ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କ’ଣ ଖାଉଛନ୍ତି ତା’ଉପରେ ନଜର ରଖିବା ଦରକାର। ଏଥିପାଇଁ ଆପଣ ଡାଏଟିସିଆନ୍‌ଙ୍କ ପରାମର୍ଶ ନେଇପାରିବେ। ଯଦି ଆପଣଙ୍କର ଓଜନ ବଢ଼ିଲା ତା’ ହେଲେ ଏହା ବିଭିନ୍ନ ପ୍ରକାର କର୍କଟ ରୋଗର କାରଣ ପାଲଟିବ।

ଏ କ୍ଷେତ୍ରରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାଂସ ନ ଖାଇବା। ମାଂସରେ ପ୍ରଚୁର ପରିମାଣର ପ୍ରୋଟିନ ଥାଏ। କିଛି କ୍ଷେତ୍ରରେ ଶରୀର ସେହି ପ୍ରୋଟିନକୁ ଗ୍ରହଣ କରିପାରେନାହିଁ। ତେଣୁ ତାହା ଚର୍ବି ପାଲଟିଯାଏ। ପରୋକ୍ଷରେ ଏହା କର୍କଟ ରୋଗର କାରଣ ପାଲଟେ।

ଅନ୍ୟପଟେ ମହିଳାମାନେ ସ୍ତନ କର୍କଟ ରୋଗରୁ ଦୂରେଇ ରହିବା ଲାଗି ସବୁବେଳେ ଅଲିଭ ଅଏଲ ବ୍ୟବହାର କରିବା ଆବଶ୍ୟକ। ମାଂସ ବଦଳରେ ସେମାନେ ମାଛ ଖାଇପାରିବେ।

ବ୍ୟାୟାମ କରିବା

ନିୟମିତ ଭାବେ ଶାରିରୀକ କାର୍ଯ୍ୟକଳାପ ଯେପରିକି ବ୍ୟାୟାମ, ପ୍ରାଣାୟମ, ଯୋଗ ପ୍ରଭୃତି କଲେ ସ୍ତନ, ପ୍ରୋଷ୍ଟେଟ୍‌, ଫୁସଫୁସ, ମଳଦ୍ୱାର ଏବଂ କିଡ୍‌ନି କର୍କଟର ଆଶଙ୍କା କମିଯାଏ। ତେଣୁ ଦିନକୁ ଅତି କମ୍‌ରେ ୩୦ ମିନିଟ୍ ସମୟ ଏଥିପାଇଁ ଦିଅନ୍ତୁ। ସପ୍ତାହରେ ୩ ଦିନ ବ୍ୟାୟାମ, ବାକି ୩ ଦିନ ଯୋଗ, ପ୍ରାଣାୟମ କରିପାରିବେ।

ସୂର୍ଯ୍ୟକିରଣରୁ ଦୂରେଇ ରୁହନ୍ତୁ

ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ ଯଥାସମ୍ଭବ ସୂର୍ଯ୍ୟକିରଣରୁ ଦୂରେଇ ରୁହନ୍ତୁ। କାରଣ ଏହି ସମୟରେ ସୂର୍ଯ୍ୟକିରଣରୁ ବାହାରୁଥିବା ଅତି ବାଇଗଣୀ ରଶ୍ମୀର ପରିମାଣ ଅଧିକ ଯାଏ। ପରବର୍ତ୍ତୀ ସମୟରେ ଏହା ଚର୍ମ କର୍କଟର କାରଣ ପାଲଟିଥାଏ। ତେବେ ଏହି ସମୟରେ ନିହାତି ବାହାରକୁ ବାହରୁଥିଲେ ଆଖିରେ ସନଗ୍ଲାସ ଦିଅନ୍ତୁ। ସୂର୍ଯ୍ୟକିରଣ ଶରୀରର ଯେଉଁ ଅଙ୍ଗରେ ପଡ଼ିବାର ଆଶଙ୍କା ଥାଏ ସେହି ସବୁ ସ୍ଥାନକୁ  ଘୋଡ଼ାଇ ରଖନ୍ତୁ। ଦୁଇ ହାତରେ ଗ୍ଲୋଭସ ପିନ୍ଧନ୍ତୁ। ଏହାଛଡ଼ା ବାହାରକୁ ବାହାରିବାର ଦୁଇ ଘଣ୍ଟା ପୂର୍ବରୁ ଏସପିଏଫ୍ ୩୦ ଯୁକ୍ତ ସନସ୍କ୍ରିନ୍ ଲୋସନ ଲଗାନ୍ତୁ।

ଟୀକା ନିଅନ୍ତୁ

କିଛି ପ୍ରକାର ଭାଇରାଲ ରୋଗର ସଂକ୍ରମଣ ଯୋଗୁ ମଧ୍ୟ କର୍କଟ ହୋଇଥାଏ। ସାଧାରଣତଃ ହେପାଟାଇଟିସ ବି ଲିଭର କ୍ୟାନସର ହେବାର ଆଶଙ୍କାକୁ ବଢ଼ାଇଦିଏ। ସେହିପରି ହ୍ୟୁମାନ ପାପିଲୋମା ଭାଇରସ ସର୍ଭାଇକାଲ କ୍ୟାନ୍ସରର କାରଣ ପାଲଟିଥାଏ। ଏ ସଂପର୍କରେ ଡାକ୍ତରଙ୍କ ସହ କଥା ହୋଇ ଟୀକା ନେଇପାରିବେ।

ନିୟମିତ ଭାବେ ଡାକ୍ତରଙ୍କ ସହ ଆଲୋଚନା କରନ୍ତୁ

ନିୟମିତ ଭାବେ ନିଜେ ନିଜର ପରୀକ୍ଷା ଏବଂ ଡାକ୍ତରଙ୍କ ସହ ପରାମର୍ଶ କଲେ ଆପଣ ଚର୍ମ କର୍କଟ, କଲୋନ, ସର୍ଭିକ୍ସ ଏବଂ ସ୍ତନ କର୍କଟରୁ ରକ୍ଷା ପାଇପାରିବେ।