ବର୍ତ୍ତମାନ ସ୍ତନ କର୍କଟ ଏକ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ତେବେ ସ୍ତନ କର୍କଟର କାରଣ କ’ଣ? ଲକ୍ଷଣରୁ କେମିତି ଚିହ୍ନିବା ସ୍ତନ କର୍କଟ? ଏହାର ଚିକିତ୍ସାକୁ ନେଇ ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଦୀପକ କୁମାର ଦାସ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (Breast cancer: causes, symptoms & treatment in odia)

  • ସ୍ତନ କର୍କଟର ଲକ୍ଷଣ
  • ସ୍ତନ କର୍କଟର କାରଣ?
  • ବଂଶଗତ କାରଣରୁ ସ୍ତନ କର୍କଟ ହୁଏ କି?
  • ପୁରୁଷଙ୍କୁ ହୋଇଥାଏ ସ୍ତନ କର୍କଟ
  • ସ୍ତନ କର୍କଟର କେମିତି କରାଯାଏ ଚିକିତ୍ସା?

ଉଭୟ ପୁରୁଷ ଓ ମହିଳାଙ୍କୁ ହୋଇଥାଏ ସ୍ତନ କର୍କଟ। ସ୍ତନର କିଛି ଭାଗର କୋଷିକା ଅନିୟନ୍ତ୍ରିତ ଭାବେ ବଢ଼ିଲେ ସ୍ତନ କର୍କଟ ହୁଏ। ଫଳରେ ରୋଗୀ ନିଜ ସ୍ତନରେ, କାଖରେ ବା କାନ୍ଧରେ ଗେଟା ଭଳି ଅନୁଭବ କରିପାରନ୍ତି। ଏହାସହ ସ୍ତନର ଅଗ୍ରଭାଗ ସଙ୍କୁଚିତ ହୋଇଯାଇଥାଏ। କର୍କଟ କୋଷିକା ଫୁସ୍‌ଫୁସ୍‌କୁ ବ୍ୟାପିଲେ କାଶ, କଫ ବା ଛାତି ଯନ୍ତ୍ରଣା ହୋଇପାରେ। କର୍କଟ କୋଷିକା ହାଡ଼କୁ ବ୍ୟାପିଲେ ଗଣ୍ଠିବାତ ହେବ। ମସ୍ତିଷ୍କକୁ ବ୍ୟାପିଲେ ମୁଣ୍ଡ ବିନ୍ଧା ବାନ୍ତି ହୋଇପାରେ।

ବୟସ ବଢ଼ିବା ସହ ସ୍ତନ କର୍କଟ ହେବାର ଆଶଙ୍କା ବଢ଼ିଥାଏ। ୮୦ ବର୍ଷ ବୟସ ଯାଏଁ ସ୍ତନ କର୍କଟ ରୋଗର ଆଶଙ୍କା ଥାଏ।

breast cancer effects

ସ୍ତନ କର୍କଟର କାରଣ? (Causes of Breast cancer in Odia)

ମହିଳାଙ୍କର ଗର୍ଭଧାରଣ ନ ହେଲେ ସ୍ତନ କର୍କଟ ହେବାର ଆଶଙ୍କା ଥାଏ।

କମ୍‌ ବୟସରେ ୠତୁସ୍ରାବ ଆରମ୍ଭ ହେବା ଏବଂ ଅଧିକ ବୟସରେ ୠତୁସ୍ରାବ ବନ୍ଦ ହେବା ସ୍ତନ କର୍କଟର କାରଣ ହୋଇଥାଏ।

ସ୍ତନ କର୍କଟର ଅନ୍ୟ ଏକ କାରଣ ହେଉଛି ଆମ ଲାଇଫ୍‌ଷ୍ଟାଇଲ୍‌। ମେଦ ବହୁଳତା, ମଦ୍ୟପାନ, ଧୂମପାନ ସ୍ତନ କର୍କଟର ଆଶଙ୍କାକୁ ବଢ଼ାଇ ଦେଉଛି।

ଯଦି କୌଣସି ଲୋକ ହରମୋନାଲ ରିପ୍ଲେସମେଣ୍ଟ ଥେରାପି ନେଉଛନ୍ତି, ତାଙ୍କୁ ଏହି ରୋଗ ହୋଇପାରେ।

ବଂଶଗତ କାରଣ ଯୋଗୁଁ ମଧ୍ୟ ସ୍ତନ କର୍କଟ ହୋଇପାରେ।

ଯେଉଁମାନଙ୍କ ମା’ କିମ୍ବା ମାଉସୀ, ଭଉଣୀଙ୍କୁ ସ୍ତନ କକର୍ଟ ହୋଇଥାଏ, ତେବେ ତାଙ୍କ ପର ପିଢ଼ିଙ୍କଠାରେ ସ୍ତନ କର୍କଟ ହେବାର ଆଶଙ୍କା ଅଧିକ ଥାଏ। ଏହି ମହିଳାମାନେ ସ୍ତନ କର୍କଟ ପାଇଁ ଅଧିକ ସଚେତନ ହେବା ଜରୁରୀ।

ବିଆରସିଏ-୧ ଓ ବିଆରସିଏ-୨ ଜିନ୍ ସ୍ତନ କର୍କଟ ରୋଗର କାରଣ। ଏହି ଜିନ୍‌ ପଜିଟିଭ ଥିଲେ ସ୍ତନ କର୍କଟ ହେବାର ୫୦ରୁ ୬୦ ପ୍ରତିଶତ ଆଶଙ୍କା ରହିଛି।

ଏଭଳି କ୍ଷେତ୍ରରେ ବିଆରସିଏ ପରୀକ୍ଷା କରିବା କରିବା ଆବଶ୍ୟକ ଯଦି ପରିବାରରେ କିଏ ବିଆରସିଏ ପଜିଟିଭ ଅଛି, ତେବେ ତାଙ୍କ ପରିବାର ଲୋକ ବିଆରସିଏ ପରୀକ୍ଷା କରାଇନେବା ଜରୁରୀ।

ଯଦି ଜଣେ ମହିଳାଙ୍କର ଓଭାରି ଟ୍ୟୁମର ବା ହାଲୋପିଆନ୍‌ ଟ୍ୟୁମର କିମ୍ବା ପେରିଟୋନିଆଲ କ୍ୟାନ୍‌ସର ଅଛି ଅଥବା ଜଣେ ମହିଳାଙ୍କର ୪୦ ବର୍ଷ ଭିତରେ ସ୍ତନ କର୍କଟ ହୋଇଛି, ତେବେ ସେମାନଙ୍କୁ ବିଆରସିଏ ପରୀକ୍ଷା କରିବାକୁ ହେବ। ଏହାଛଡ଼ା ଯଦି ଜଣେ ପୁରୁଷର ସ୍ତନ କର୍କଟ ହୁଏ ତାଙ୍କୁ ବି ବିଆରସିଏ ପରୀକ୍ଷା କରିବାକୁ ପଡ଼ିବ।

ଏହାସହ ଯଦି ଜଣକୁ କ୍ୟାନ୍‌ସର ହୋଇ ନାହିଁ କିନ୍ତୁ ପରିବାରରେ କାହାକୁ କ୍ୟାନ୍‌ସର ହୋଇଛି ତାହେଲେ ବି ବିଆରସିଏ ପରୀକ୍ଷା କରିବାକୁ ହେବ।

ସ୍ତନ କର୍କଟର ସ୍କ୍ରିନିଂ?

ସ୍କ୍ରିନିଂ ଦ୍ୱାରା ପ୍ରାଥମିକ ଅବସ୍ଥାରୁ ଜାଣିହୁଏ ସ୍ତନ କର୍କଟ ବିଷୟରେ। ବାଇଲାଟେରାଲ ମାମୋଗ୍ରାଫି ଜରିଆରେ ସ୍ତନର ସ୍କ୍ରିନିଂ କରାଯାଏ। ୪୦ରୁ ୫୦ ବର୍ଷ ବୟସ ପରେ ମାମୋଗ୍ରାଫି ସ୍କ୍ରିନିଂ କରିପାରିବେ। ପ୍ରତି ୨ ବର୍ଷରେ ଥରେ ଏହି ସ୍କ୍ରିନିଂ କରିବା ଆବଶ୍ରକ ରହିଛି।

ସ୍ତନ କର୍କଟର ଚିକିତ୍ସା (Treatment of Breast Cancer in Odia)

ସ୍ତନ କର୍କଟର କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଦରକାର। ପ୍ରଥମେ ଡାକ୍ତର ମାମୋଗ୍ରାଫି କରିବେ। ସିଟି ସ୍କାନ ଓ ପୋନ୍‌ ସ୍କାନ କରି ରୋଗର ପର୍ଯ୍ୟାୟ ନିରୂପଣ କରାଯାଏ। କ୍ୟାନ୍‌ସର ଷ୍ଟେଜ୍‌-୧ରୁ ଷ୍ଟେଜ୍‌-୩ ଏ’ ମଧ୍ୟରେ ଥିଲେ ସର୍ଜରୀ କରାଯାଏ। ଧରନ୍ତୁ ଷ୍ଟେଜ୍‌ ୩ ବି ବା ସିରେ ଥିଲେ ପ୍ରଥମେ କେମୋଥେରାପି ଦିଆଯାଏ। ଯଦି କେମୋଥେରାପିରେ କିଛି ଉନ୍ନତି ଆସିଲା, ତେବେ ସର୍ଜରୀ କରାଯାଏ।

ଷ୍ଟେଜ୍‌-୪ରେ କ୍ୟାନ୍‌ସର ଥିଲେ କେବଳ କେମୋଥେରାପି ଦେଇ ଚିକିତ୍ସା କରାଯିବ। ଡାକ୍ତରମାନେ ରୋଗୀଙ୍କ ଅବସ୍ଥାକୁ ଦେଖି ଭିନ୍ନ ଭିନ୍ନ ଚିକିତ୍ସା କରିଥା’ନ୍ତି।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଦୀପକ କୁମାର ଦାସଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on Breast Cancer with their causes, symptoms & treatment based on the interview with Dr Deepak Kumar Das, Consultant, Radiation oncologist.