କୌଣସି ରୋଗ ସହ ଲଢ଼ିବାକୁ ହେଲେ ରୋଗ ପ୍ରତିରୋଧକ ଶକ୍ତିର ଆବଶ୍ୟକତା ରହିଛି। ତେବେ, ଶରୀରରେ କେମିତି ବଢ଼ାଇବା ଏହି ରୋଗ ପ୍ରତିରୋଧକ ଶକ୍ତି।
ଦିନକୁ ଦିନ ନୂଆ ନୂଆ ଭୂତାଣୁ ସଂକ୍ରମଣ ହେଉଛି। ଏହି ଭୂତାଣୁ ସହ ଲଢ଼ିବାକୁ ହେଲେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିର ଭୂମିକା ରହିଛି। କେବଳ କରୋନା ନୁହେଁ ଅନ୍ୟ ରୋଗଠାରୁ ରକ୍ଷା ପାଇବା ପାଇଁ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ହେବା ଦରକାର। ସୁଷମ ଖାଦ୍ୟ ସହ ଅନ୍ୟ କେତେକ ଦିଗ ଉପରେ ଧ୍ୟାନ ଦେଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।
-ପ୍ରତିଦିନ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ।
-ଆମେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟଯୁକ୍ତ ଖାଦ୍ୟ ଖାଇବା ଦରକାର। ଆଣ୍ଟିଅକ୍ସିଡାଣ୍ଟ ଖାଦ୍ୟ ଆମ ଶରୀରର ବିଷାକ୍ତ ପଦାର୍ଥକୁ ନଷ୍ଟ କରିଦିଏ। କ୍ୟାଲସିୟମ, ବି୨, ବି୬, ଭିଟାମିନ ଡି ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଉଷୁନା ଭାତ, ରୁଟି,କ୍ଷୀର, ଦହି, ଛତୁ, ରାଶି, ପାଳଙ୍ଗ, ଫୁଲକୋବି, ଗାଜର, ବାଦାମ ଆଦି ଖାଇଲେ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ।
-ଭିଟାମିନ ସି’ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ଅନ୍ୟ ସଂକ୍ରମଣରୁ ଆମକୁ ରକ୍ଷା କରିଥାଏ। ଅଁଳା, ଲେମ୍ବୁ, କମଳାରେ ଭିଟାମିନ ସି ଅଧିକ ମାତ୍ରାରେ ଥାଏ। ବ୍ରୋକଲି, ବନ୍ଧାକୋବି ତରକାରୀ, ଫୁଲକୋବିରେ ମଧ୍ୟ ଭିଟାମିନ ସି ମିଳିଥାଏ।
-ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ଆଣ୍ଟି ଇନଫ୍ଲାମେଟୋରିଯୁକ୍ତ ଖାଦ୍ୟ ଖାଆନ୍ତୁ। ହଳଦୀରେ ପ୍ରଚୁର ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଛି ଯାହା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ।
-ଆମ ଶରୀର ପାଇଁ ଭିଟାମିନ ଡି ଲାଭଦାୟକ। ଭିଟାମିନ ଡି ଶରୀରରେ ଏପରି ଏକ ପ୍ରୋଟିନ ସୃଷ୍ଟି କରେ ଯାହା ବ୍ୟାକ୍ଟେରିଆ ଏବଂ ଭୂତାଣୁକୁ ନଷ୍ଟ କରିଦିଏ। ଏହା ଶରୀରର ଶ୍ଵେତ ରକ୍ତ କଣିକାର କାର୍ଯ୍ୟକାରିତା ଏବଂ ସଂଖ୍ୟାକୁ ପ୍ରଭାବିତ କରିଥାଏ। ସୂର୍ଯ୍ୟ କିରଣରୁ ଭିଟାମିନ ଡି ପ୍ରଚୁର ପରିମାଣରେ ମିଳେ। ଅଣ୍ଡା, ଛତୁ ଖାଇଲେ ଭିଟାମିନ ଡିର ଆବଶ୍ୟକତା ପୂରଣ ହୋଇପାରିବ।
-ଦହି ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।
-ଓଟ୍ସରେ ଫାଇବର ଏବଂ ଆଣ୍ଟି ମାଇକ୍ରୋବିଆଲ ଗୁଣ ରହିଛି, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିଥାଏ।
-କଞ୍ଚା ରସୁଣରେ ଏଲସିନ, ସୋଡିୟମ, ଭିଟାମିନ ସି ଏବଂ ବି ଥିବାରୁ ଏହାକୁ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।
-ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ତୁଳସୀ ଉତ୍ତମ ଉତ୍ସ।
-ପ୍ରଚୁର ପରିମାଣର ପ୍ରୋଟିନଯୁକ୍ତ ଖାଦ୍ୟ ଖାଇଲେ ଶରୀରରେ ଆଣ୍ଟିବଡି ତିଆରି ହୁଏ।
-ସବୁବେଳେ କୌଣସି ନା କୌଣସି ଶାରୀରିକ କାମ କରନ୍ତୁ। ଆପଣ ସକ୍ରିୟ ରହିଲେ ରୋଗଗ୍ରସ୍ଥ ହେବାର ଆଶଙ୍କା କମିଯାଏ।
-ପ୍ରତିଦିନ ଅଧ ଘଣ୍ଟା ବ୍ୟାୟାମ କରନ୍ତୁ।
-କିଛି ସମୟ ଖରାରେ ଭ୍ରମଣ କରନ୍ତୁ।
-ଦିନକୁ ପ୍ରାୟ ସାତ ଆଠ ଘଣ୍ଟା ଶୁଅନ୍ତୁ।
-ନିଜକୁ ଚାପ ମୁକ୍ତ ରଖନ୍ତୁ।