ଗୀତା ଦାସ
ଆପଣ ନିଜର ଦୈନନ୍ଦିନ କାମ ନେଇ ଚାପଗ୍ରସ୍ତ ମନେ କରୁଛନ୍ତି କି? ଜାଣନ୍ତୁ ଆପଣ ନିଜେ ହୋଇପାରନ୍ତି ଏହାର ମୂଳ କାରଣ!
୧- କେତେ ଲୋକ ଅଛନ୍ତି, ସେମାନେ କାମ କମେଇବା ଦରକାର ବୋଲି ଜାଣନ୍ତି। କିନ୍ତୁ କାମ କଲା ବେଳେ କାମ ସଂକ୍ଷେପରେ କରିବେ କ’ଣ, ବଢ଼େଇବାରେ ଲାଗନ୍ତି। କେଉଁ କାମଟା ସାଙ୍ଗେ ସାଙ୍ଗେ କରିବା ଦରକାର ଓ କେଉଁଟା ଡେରିରେ କରିହେବ, ସେ କଥା ବିବେଚନା କରିପାରନ୍ତି ନାହିଁ। ଗୋଟାଏ କାମ କରିବାକୁ କେତେ ସମୟ ଲାଗେ, ସେକଥା ଭାବି ଓ ସେହି ଅନୁସାରେ ଦିନଟାଯାକର ବିଭିନ୍ନ କାମ ସାରିବାକୁ କେତେ ବେଳ ଲାଗିବ, ସେ କଥା ଭାବି ସେମାନେ କର୍ମପନ୍ଥା ସ୍ଥିର କରିପାରନ୍ତି ନାହିଁ। ନିଜର କାମରେ ଶୃଙ୍ଖଳା ନ ଥିବାରୁ ସାଧ୍ୟାତିରିକ୍ତ କାମ କରି ସେମାନେ ଚାପଗ୍ରସ୍ତ ହୁଅନ୍ତି।
୨- କେତେକ ଲୋକ ଅଛନ୍ତି, ଯାହାଙ୍କର ଅନ୍ୟର କାମ ଉପରେ ଭରସା ନ ଥାଏ। ସେମାନେ ସବୁବେଳେ ଭାବନ୍ତି- ‘ମୁଁ ନ କଲେ କାମଟା ଠିକ୍ ଭାବରେ ହୋଇପାରିବ ନାହିଁ’ କିମ୍ବା ‘ଅନ୍ୟ ଲୋକଦ୍ୱାରା ଏସବୁ କାମ ହୁଏ ନାହିଁ।’ ଏପରି ଭାବିବା ଯୋଗୁଁ ସେମାନେ ବହୁ ଦାୟିତ୍ୱ ନିଜ ଉପରକୁ ନିଅନ୍ତି। ଅନ୍ୟମାନଙ୍କ କାମ ନିର୍ଭୁଲ ଓ ନିଖୁଣ ନ ହେଲେ ସେପରି କାମ ପସନ୍ଦ ହୁଏ ନାହିଁ। ସେମାନଙ୍କର ବିଶ୍ୱାସ ଯେ ତାଙ୍କ ଛଡ଼ା ଅନ୍ୟ ସମସ୍ତେ ଦାୟିତ୍ୱ ତୁଲାଇବା ଦିଗରେ ଅବହେଳା କରନ୍ତି। ଫଳରେ ନିଜେ ବେଶି କାମ ଆବୋରି ବସନ୍ତି।
୩- କେତେ ଲୋକ ସ୍ୱଭାବତଃ ବୁଦ୍ଧିମାନ୍, ଉଦ୍ୟୋଗୀ, କର୍ମଠ ଓ ଉନ୍ନତିକାମୀ ହୋଇଥିବାରୁ ଜୀବନର ପ୍ରଥମ ଅବସ୍ଥାରେ ସାଫଲ୍ୟ ଓ କୃତିତ୍ୱ ଅର୍ଜନ କରି ବହୁତ ଉପରକୁ ଉଠିଥାନ୍ତି। ମାତ୍ର ମଧ୍ୟ ବୟସରେ ଯେତେବେଳେ କର୍ମୋନ୍ନତିର ପଥ ବାଧା ପାଏ ଓ ଅଗ୍ରଗତି ପରିବର୍ତ୍ତେ ସ୍ଥିର ଗତିରେ ଜୀବନ ଚାଲେ, ସେତେବେଳେ ଏଇ ପରିବର୍ତ୍ତିତ ଅବସ୍ଥା ସହିତ ନିଜକୁ ଚଳେଇ ନ ପାରି ସେମାନେ ମନସ୍ତାପରେ ପଡ଼ନ୍ତି ଓ ମାନସିକ ଚାପର ଶିକାର ହୁଅନ୍ତି। ନିଜର ବୁଦ୍ଧିମତ୍ତା, ପରିଶ୍ରମ ଓ ଅନ୍ୟାନ୍ୟ ଭଲ ଗୁଣ ପାଇଁ ସେମାନେ ପ୍ରଶଂସିତ ଓ ପୁରସ୍କୃତ ହେବା ଲାଗି ଆଶା କରୁଥିବାରୁ ଯେତେବେଳେ ଆଶାନୁରୂପ ଫଳ ନ ପାଆନ୍ତି, ସେତେବେଳେ ମାନସିକ ଅଶାନ୍ତିଗ୍ରସ୍ତ ହୁଅନ୍ତି। ଏପରି ହେବା ସ୍ୱାଭାବିକ। ମାତ୍ର ମାନସିକ ଚାପ କମେଇବାକୁ ପଡ଼ିଲେ ନିଜ ଜୀବନର ଲକ୍ଷ୍ୟ କ’ଣ, କାମନା କ’ଣ- ସେ କଥା ଆଉ ଥରେ ଚିନ୍ତା କରି ଜୀବନର ଆଭିମୁଖ୍ୟ ବଦଳେଇବାକୁ ପଡ଼େ।୪- ଯେଉଁ ଲୋକ ମନରେ କୌଣସି କାରଣରୁ ବହୁତ ରାଗ ଥାଏ, ସେପରି ଲୋକ ମାନସିକ ଚାପ ଭୋଗନ୍ତି। ପ୍ରଚ୍ଛନ୍ନ ରାଗର ଲକ୍ଷଣ ହେଲା ମନର କ୍ଷୋଭ, ବଞ୍ଚିତ ଭାବ, ପରଶ୍ରୀକାତରତା, ମନର ଅକ୍ଷମଣୀୟ ଭାବ, ଅନ୍ୟ ପ୍ରତି ତାତ୍ସଲ୍ୟ ଭାବ ଓ ଅନ୍ୟକୁ ବିଦ୍ରୂପ କରିବା। ପ୍ରକାଶ୍ୟ ରାଗର ଲକ୍ଷଣ ହେଲା ଗାଳିଗୁଲଜ କରିବା, ଜିନିଷପତ୍ର ଫୋପାଡ଼ିବା, ବାଡ଼େଇବା, ପ୍ରତିହିଂସା ଏବଂ ଅନ୍ୟକୁ ଶାରୀରିକ ଓ ମାନସିକ କଷ୍ଟ ଦେବା। ରାଗୀ ଲୋକ ନିଜ ମନୋଭାବ ପ୍ରକାଶ କରୁଥିବାରୁ ଅନେକେ ଭାବନ୍ତି ଯେ ଏପରି ଲୋକଙ୍କର ମାନସିକ ଚାପ କମ୍। ମାତ୍ର ବାସ୍ତବରେ ରାଗର ଉତ୍ତେଜନା ଯୋଗୁଁ ଶାରୀରିକ ଓ ମାନସିକ ଚାପ ବୃଦ୍ଧି ପାଏ।
(ଗୀତା ଦାସ ଜଣେ ପରିଚିତ ଓଡ଼ିଆ ଲେଖିକା ଏବଂ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମନସ୍ତତ୍ୱବିଦ। ୧୮୬୮ ମସିହାରୁ ସେ କାନାଡ଼ାରେ ରହୁଛନ୍ତି। ‘ମନର ଅନ୍ଧାର ମାନସିକ ସମସ୍ୟା’ ପୁସ୍ତକରେ ଶ୍ରୀମତି ଦାସ ମଣିଷର ଦୈନନ୍ଦିନ ଓ ପେସାଦାର ଜୀବନରେ ଆସୁଥିବା ବିଭିନ୍ନ ମାନସିକ ସମସ୍ୟାର ଲକ୍ଷଣ, କାରଣ ଏବଂ ଉପଚାର ସମ୍ପର୍କରେ ବର୍ଣ୍ଣନା କରିଛନ୍ତି।)
(ସୌଜନ୍ୟ: ମନର ଅନ୍ଧାର ମାନସିକ ସମସ୍ୟା)