ମହିଳା ହୁଅନ୍ତୁ ବା ପୁରୁଷ ସମସ୍ତେ ତ୍ୱଚାକୁ ସୁନ୍ଦର କରିବା ପାଇଁ ଅନେକ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥା’ନ୍ତି। କିନ୍ତୁ ଏହିସବୁ ସାମଗ୍ରୀ ସ୍ୱଳ୍ପ ସମୟ ପାଇଁ ଚମକ ଦେଇଥାଏ, ହେଲେ ପରବର୍ତ୍ତୀ ସମୟରେ ଏହା ତ୍ୱଚାକୁ ଖରାପ କରିଦିଏ

କେତେକ ଲୋକ ଗୋରା ହେବା ଲୋଭର ବଜାରରେ ମିଳୁଥିବା ଷ୍ଟିରୋଏଡ୍‌ ମିଶ୍ରିତ ପ୍ରଡକ୍ଟ ଆଣି ତ୍ୱଚାରେ ବ୍ୟବହାର କରିଥା’ନ୍ତି। ଯାହା ପ୍ରଥମେ ପ୍ରଥମେ ତ୍ୱଚାରେ ମ୍ୟାଜିକ୍‌ ଭଳି କାମ କରିଥାଏ। ହେଲେ ଧୀରେ ଧୀରେ କରି ଏହା ତ୍ୱଚାକୁ ଖରାପ କରିଦେଇଥାଏ। ଏହି କ୍ରିମ୍‌ଗୁଡ଼ିକ ତ୍ୱଚା ଗ୍ରହଣ କରିନେଇଥାଏ ଫଳରେ ହଠାତ୍‌ ଛାଡ଼ିବା ଦ୍ୱାରା ଏହା ତ୍ୱଚାକୁ ଅତ୍ୟଧିକ କ୍ଷତି କରିଦେଇଥାଏ ଏବଂ ଆପଣ ବାଧ୍ୟ ହୋଇ ସେଂି କ୍ରିମ୍‌କୁ ପୁଣି ବ୍ୟବହାର କରିବେ। ଏହାକୁ ଟୋପିକାଲ ଷ୍ଟିରୋଏଡ୍‌ ଡ୍ୟାମେଜ୍ଡ ଫେସ୍‌ (TSDF)।  ଫଳରେ ଖରାକୁ ଗଲେ ତ୍ୱଚା ନାଲି ପଡ଼ିଯିବ, ବ୍ରଣ ବାହାରିଯିବ, ମୁହଁ ପୋଡ଼ିବା ଭଳି ଲକ୍ଷଣ ଦେଖାଦିଏ।

ଯୁବାସ୍ଥାରେ ଟିଏସ୍‌ଡିଏଫ୍‌ ସମସ୍ୟା ଅଧିକ ଦେଖାଯାଏ।

ଟିଏସ୍‌ଡିଏଫ୍‌ର କାରଣ କ’ଣ?

ଡାକ୍ତରୀ ବିଜ୍ଞାନରେ ତ୍ଵଚା ୬ ପ୍ରକାରର। ମନ ଇଛା ଯେ କୌଣସି ପ୍ରଡକ୍ଟ ତ୍ୱଚାରେ ଲଗାଇଲେ ଏହା ଆପଣଙ୍କ ତ୍ୱଚାରେ ଭଲ ପ୍ରଭାବ ନ ଦେଖାଇପାରେ। ତ୍ୱଚାର ପ୍ରକାର ଓ ଆପଣଙ୍କ ଜୀବନଶୈଳୀକୁ ଦେଖି ତ୍ୱଚାରେ ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ଦରକାର। ସାଧାରଣତଃ ଷ୍ଟିରୋଏଡ୍‌କୁ ଏଗ୍‌ଜିମା ପାଇଁ ବ୍ୟବହାର କରାଯାଏ। ଯଦି ପତଳା ତ୍ୱଚାରେ ଷ୍ଟିରୋଏଡକୁ ବ୍ୟବହାର କରାଯାଏ ତେବେ ଏହା ଆହୁରି ପତଳା ହୋଇଯାଏ। ଫଳରେ ତ୍ୱଚା ସମ୍ବେଦନଶୀଳ ହୋଇଯାଏ।

ଟିଏସ୍‌ଡିଏଫ୍‌ର ଲକ୍ଷଣ

ତ୍ୱଚା ପୋଡ଼ିବ

ତ୍ୱଚା ନାଲି ପଡ଼ିଯିବ

ଷ୍ଟ୍ରେଚ୍‌ ମାର୍କ ପଡ଼ିଯିବା

ଧୋଡ଼ି ଓ ତାଳୁ ନାଲି ଦେଖାଯିବ

ତ୍ୱଚାରେ ଛୋଟ ଛୋଟ ଶିରା ପ୍ରଶିରା ଦେଖାଯିବ

ତ୍ୱଚାରେ କେଶ ବି ଉଠିପାରେ

କେଉଁ କ୍ରିମ୍‌ ତ୍ୱଚା ପାଇଁ ହାନିକାରକ କେମିତି ଜାଣିବେ?

ଧରନ୍ତୁ, ଗୋଟେ କ୍ରିମ୍‌ରେ ବ୍ୟବହାର କରାଯାଇଥିବା ଉପାଦାନଗୁଡ଼ିକର ଶେଷକୁ ଏସ୍‌ଓଏନ୍‌ଇ (SONE) ବା ଏସ୍‌ଓଏଏଲ୍‌ (SOL) ଲେଖାଯାଇଛି, ତେବେ ସେହି କ୍ରିମ୍‌ ବ୍ୟବହାର କରନ୍ତୁ ନାହିଁ।

dry skin of diabetes patient

ତ୍ୱଚାକୁ ସୁରକ୍ଷିତ କେମିତି ରଖିବେ?

ଟୋପିକାଲ ଷ୍ଟିରୋଏଡ୍‌ ଡ୍ୟାମେଜ୍ଡ ଫେସ୍‌ ସମସ୍ୟା ଥିବା ବ୍ୟକ୍ତିଙ୍କୁ ଖରାକୁ ଯିବାକୁ ମନା କରାଯାଏ। ଥଣ୍ଡା ପରିବେଶ କିମ୍ବା ଏସିରେ ରହିବାକୁ ଡାକ୍ତର ପରାମର୍ଶ ଦେଇଥା’ନ୍ତି। ବାହାରକୁ ଯାଉଥିଲେ ତ୍ଵଚାରେ କଳା ରଙ୍ଗର ପଲିଷ୍ଟର କିମ୍ବା ସିଲ୍କ କପଡ଼ା ଘୋଡ଼ାଇ ଯଆନ୍ତୁ।

ଟୋପିକାଲ ଷ୍ଟିରୋଏଡ୍‌ ଡ୍ୟାମେଜ୍ଡ ଫେସ୍‌ ସମସ୍ୟା ଥିବା ବ୍ୟକ୍ତିଙ୍କର ଚମଡ଼ା ପତଳା ହୋଇଯାଇଥାଏ ଏବଂ ପତଳା ଚମଡ଼ା ଜଲଦି ଶୁଷ୍କ ହୋଇଯାଏ। ତେଣୁ ଦିନକୁ ୪ରୁ ୫ ଥର ଭଲ ମଏଶ୍ଚରାଇଜର ଲଗାଇ ତ୍ୱଚାକୁ ବିଶ୍ରାମ ଦେବାକୁ ପଡ଼ିଥାଏ। ଅଧିକ ପାଣି ପିଇବାକୁ ବ୍ୟକ୍ତିଙ୍କୁ ପରାମର୍ଶ ଦିଆଯାଇଥାଏ।

ଷ୍ଟିରୋଏଡ୍‌ ମିଶ୍ରିତ କ୍ରିମ୍‌ ଲଗାଇବା ଦ୍ୱାରା ତ୍ୱଚା ଏହାକୁ ଗ୍ରହଣ କରିନେଇଥାଏ। ତେଣୁ ଏହି କ୍ରିମ୍‌କୁ ହଠାତ୍‌ ନଛାଡ଼ି ଧୀରେ କରି ଛାଡ଼ିବାକୁ ପଡ଼ିଥାଏ। ପ୍ରଥମେ ସେହି କ୍ରିମ୍‌କୁ ସପ୍ତାହକୁ ୩ ଥର, ତାହାପରେ ସପ୍ତାହକୁ ଦୁଇଥର ଓ ଧୀରେ ଧୀରେ କରି କ୍ରିମ୍‌କୁ ସମ୍ପୂର୍ଣ୍ଣ ଛାଡ଼ିବାକୁ ପଡ଼ିଥାଏ।

କୌଣସି କ୍ରିମ୍‌ କିଣିବା ପୂର୍ବରୁ ଚେକ୍‌ କରନ୍ତୁ

ବଜାରରୁ କୌଣସି କ୍ରିମ୍‌ କିଣିଲେ ପ୍ରଥମେ ପ୍ୟାଚ୍‌ ଟେଷ୍ଟ କରାନ୍ତୁ। ଏହାର ଅର୍ଥ ହେଉଛି କ୍ରିମ୍‌ କିଣିବା ପରେ ପ୍ରଥମେ ଅଳ୍ପ ପରିମାଣର କ୍ରିମ୍‌କୁ କାନ ପଛରେ ଲଗାନ୍ତୁ। କ୍ରିମ୍‌କୁ ଅଧଘଣ୍ଟା, ଘଣ୍ଟେ କିମ୍ବା ଗୋଟେ ଦିନ ଯାଏଁ ଛାଡ଼ି ଦିଅନ୍ତୁ। ଯଦି ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନ ହୁଏ, ତେବେ ଏହାକୁ ବ୍ୟବହାର କରିପାରିବେ।

ହେଲେ ମନେ ରଖନ୍ତୁ, ଷ୍ଟିରୋଏଡ୍‌ ମିଶ୍ରିତ କ୍ରିମ୍‌ ଯଦି ଆପଣ ବ୍ୟବହାର କରିଛନ୍ତି, ତେବେ ଏହା ଗୋଟେ ଦିନରେ କୌଣସି ପ୍ରଭାବ ଦେଖାଏ ନାହିଁ। ତେଣୁ କୌଣସି କ୍ରିମ୍‌ ତ୍ୱଚାରେ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ କରନ୍ତୁ।