ଅଧିକାଂଶ ସମୟରେ ପରୀକ୍ଷାକୁ ନେଇ ପିଲାମାନଙ୍କ ମନରେ ଏକ ଅଜଣା ଭୟ ରହିଥାଏ। ଏପରିସ୍ଥଳେ ବାପା ମା’ ଓ ଶିକ୍ଷକମାନଙ୍କର ଦାୟିତ୍ୱ ହେଲା ସେମାନଙ୍କ ମନରୁ ଏହି ଅଜଣା ଭୟ ଦୂର କରିବା ଲାଗି ଉଦ୍ୟମ କରିବା। ଏହି ନକରାତ୍ମକ ଚିନ୍ତାଧାରାର ପ୍ରଭାବ ଯେପରି ସେମାନଙ୍କ ଉପରେ ନ ପଡ଼ିବ ତାର ବ୍ୟବସ୍ଥା କରିବା।

ବାପା ମା’ କ’ଣ କରିବେ: ପରୀକ୍ଷା ସମୟରେ ବାପା ମା’ ହିଁ ପିଲାର ସବୁଠୁ ଭଲ ଗାଇଡ୍ ପାଲଟିଥାନ୍ତି। ତେଣୁ ପିଲାକୁ ଯଥାସମ୍ଭବ ସକାରାତ୍ମକ ବାତାବରଣ ଦେବାକୁ ଉଦ୍ୟମ କରନ୍ତୁ। ତାର ଖାଦ୍ୟପେୟଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କାରଣ ପିଲା ଯେତେ ମେଧାବୀ ହୋଇଥିଲେ ବି ପରୀକ୍ଷା ସମୟରେ ଶରୀର ଅସୁସ୍ଥ ହେଲେ ସେ ପରୀକ୍ଷାରେ ଶତ ପ୍ରତିଶତ ପ୍ରଦର୍ଶନ କରିପାରିବ ନାହିଁ। କୌଣସି ବିଷୟରେ ପିଲା ଦୁର୍ବଳ ଥିଲେ ପିଲାର ମାନସିକ ସ୍ଥିତିକୁ ବୁଝାନ୍ତୁ। ସେଥିପାଇଁ ତାକୁ ଦାୟୀ କରି ଗାଳି ଦେବା ପରିବର୍ତ୍ତେ ସେହି ବିଷୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପ୍ରେରିତ କରନ୍ତୁ। ପିଲାର ପାଠପଢ଼ା ରୁଟିନ୍ ଠିକ୍ ଭାବେ ପାଳିତ ହେଉଛି କି ନାହିଁ ତାହା ଦେଖନ୍ତୁ। ଯଦି ତାକୁ କାର୍ଟୁନ, ଫିଲ୍ମ ଦେଖିବାକୁ ବାରଣ କରୁଛନ୍ତି ତା’ ହେଲେ ନିଜେ ମଧ୍ୟ ତାହା କରନ୍ତୁ ନାହିଁ। ପରୀକ୍ଷା ସମୟରେ ଅଧିକ ଭଲ ପ୍ରଦର୍ଶନ କରିବା ଲାଗି ପିଲାକୁ ୨୪ ଘଣ୍ଟା ବସି ପଢ଼ିବା, ଗାଳି ମାଡ଼ ଦେବା ଇତ୍ୟାଦି ଆଚରଣ ପ୍ରଦର୍ଶନ କରନ୍ତୁ ନାହିଁ। ଏହା ପିଲାର ମାନସିକ ସ୍ଥିତି ଉପରେ ପ୍ରଭାବ ପକାଇବା ସହିତ ପିଲାଟି ଭୟଭୀତ ହୋଇଯିବ। ଏହାଦ୍ୱାରା ତାର ପେଟ ଦରଜ, ଶ୍ୱାସକ୍ରିୟାରେ ସମସ୍ୟା ବି ହୋଇପାରେ। ସେହିପରି ସକାଳୁ ଶୀଘ୍ର ପଢ଼ିବା ଲାଗି ପିଲାକୁ ଡାକୁଥିଲେ ରାତିରେ ସେ ଯେପରି ଠିକ୍ ସମୟରେ ଶୋଇବ ତାହା ସୁନିଶ୍ଚିତ କରନ୍ତୁ। ଘର, ପରିବାର, ଅଫିସର ସମୟ ବାହାର କରି ପିଲାର ପାଠପଢ଼ା ପ୍ରତି ଧ୍ୟାନ ଦିଅନ୍ତୁ। କାରଣ ସ୍କୁଲ, କଲେଜ, ଟ୍ୟୁସନ୍ ଅପେକ୍ଷା ପିଲା ଘରେ ହିଁ ଅଧିକ ଭଲ ଭାବେ ପାଠକୁ ଅଭ୍ୟାସ କରେ। ଅଭିଭାବକମାନଙ୍କୁ ପିଲାର ଶ୍ରେଣୀ ଶିକ୍ଷକଙ୍କୁ ପରୀକ୍ଷା ପୂର୍ବରୁ ନିଶ୍ଚିତ ଭାବେ ସାକ୍ଷାତ କରିବା ଆବଶ୍ୟକ। ଏହାଦ୍ୱାରା ହିଁ ପିଲା କେଉଁ ବିଷୟରେ ଦୁର୍ବଳ ତାହା ଆପଣ ଜାଣିପାରିବେ। ପିଲାର ଅତିରିକ୍ତ ଯତ୍ନ ନେବାରେ ଏହା ଆପଣଙ୍କୁ ସହାୟକ ହେବ।

student and teacher

ଶିକ୍ଷକମାନେ କ’ଣ କରିବେ: ପରୀକ୍ଷା ପୂର୍ବରୁ ଶିକ୍ଷକମାନେ ଅଭିଭାବକମାନଙ୍କୁ ପିଲାମାନଙ୍କର ପ୍ରସ୍ତୁତି ସଂପର୍କରେ ଅବଗତ କରାଇବା ଆବଶ୍ୟକ। ଶିକ୍ଷକ-ଅଭିଭାବକ ବୈଠକରେ ପିଲାକୁ ଦିଆଯାଇଥିବା ରିପୋର୍ଟ, ଇମପ୍ରୁଭମେଣ୍ଟ ଇତ୍ୟାଦିକୁ ଯାଞ୍ଚ କରି ସେ ଅନୁସାରେ ବାପା ମା’ଙ୍କ ମାର୍ଗଦର୍ଶନ କରିବା ଦରକାର। ପରୀକ୍ଷା ସମୟରେ ପିଲାର କେଉଁ ବିଷୟ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ ତାହା ବାପା ମା’ଙ୍କୁ ବୁଝାନ୍ତୁ। ଏହାଦ୍ୱାରା ସେମାନେ ମଧ୍ୟ ପିଲା ପ୍ରତି ଯତ୍ନଶୀଳ ହୋଇପାରିବେ। ସେହିପରି ପିଲା ମନରୁ ପରୀକ୍ଷା ରୂପକ ଫୋବିଆକୁ ଦୂର କରିବାରେ ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥାଏ। କାରଣ ସବୁ ପିଲା ପରସ୍ପରଠାରୁ ଭିନ୍ନ ଏବଂ ସ୍ୱତନ୍ତ୍ର ହୋଇଥାନ୍ତି। ଯେଉଁ ପିଲାମାନେ ପରୀକ୍ଷାରେ ୯୦-୯୫ ପ୍ରତିଶତ ନମ୍ବର ରଖୁଛନ୍ତି ସେମାନେ ଯେ ଜୀବନରେ ସବୁବେଳେ ସଫଳ ହେବେ ତାର ମଧ୍ୟ କିଛି ମାନେ ନାହିଁ। କିନ୍ତୁ ପାଠ୍ୟପୁସ୍ତକର ବିଷୟକୁ ନିଷ୍ଠାର ସହ ପଢ଼ିଲେ ଜୀବନରେ ନିଶ୍ଚିତ ଭାବେ ଉନ୍ନତି ହେବ ବୋଲି ପିଲାମାନଙ୍କୁ ବୁଝାନ୍ତୁ। ସେମାନେ ପାଠ୍ୟପୁସ୍ତକକୁ ଭଲ ପାଇଲେ ପରୀକ୍ଷା ଫଳ ନିଶ୍ଚିତ ଭାବେ ଭଲ ହେବ।