ଆଜିକାଲି ଫାଷ୍ଟଫୁଡ୍ର ଚାହିଦା ବେଶୀ। ଛୁଆ ହୁଅନ୍ତୁ ବା ବୁଢ଼ା ସମସ୍ତେ ସେମାନଙ୍କର ନିତିଦିନିଆ ଖାଦ୍ୟଶୈଳୀରେ ଫାଷ୍ଟଫୁଡ୍ ଖାଉଛନ୍ତି। ହେଲେ ଏହା ସ୍ୱାସ୍ଥ୍ୟ ପାଇଁ କେତେ ଖରାପ ଜାଣିଛନ୍ତି କି?
ଫାଷ୍ଟଫୁଡ୍ର ଅର୍ଥ ହେଉଛି ଫାଷ୍ଟ ତିଆରି ହୋଇଥିବା ଖାଦ୍ୟ ବା ଶୀଘ୍ର ପସ୍ତୁତ ହୋଇପାରୁଥିବା ଖାଦ୍ୟ। ଏଥିରେ ପୋଷକତତ୍ୱ, ତନ୍ତୁ, ଖାଦ୍ୟସାର, ଭିଟାମିନ୍ ଓ ମିନେରାଲ୍ସ କମ୍ ଥାଏ। ଫାଷ୍ଟଫୁଡ୍ର ପ୍ରଭାବ ଶରୀର ଉପରେ ଗୋଟେ କିମ୍ବା ଦୁଇ ଦିନରେ ପଡ଼ିବ ନାହିଁ। ବହୁତ ଦିନ ଧରି ଖାଇଲେ ଏହା ମେଦବୃଦ୍ଧିର କାରଣ ପାଲଟିବ। ମେଦ ବୃଦ୍ଧି ହେଲେ ଗ୍ୟାଷ୍ଟ୍ରିକ୍, କୋଲେଷ୍ଟ୍ରେଲ, ମଧୁମେହ, ଉଚ୍ଚ ରକ୍ତଚାପ ଓ ଅନେକ ସମସ୍ୟାର କାରଣ ହୋଇଥାଏ।
ଅଧିକ ପଢ଼ନ୍ତୁ: ଭିଟାମିନ୍ ସି’ କେଉଁ ଖାଦ୍ୟରୁ ମିଳିଥାଏ ଜାଣନ୍ତୁ
ନିୟମିତ ଫାଷ୍ଟଫୁଡ୍ ଖାଇବା ଦ୍ୱାରା ମୋଟାପଣ, ମୁହଁରେ ବ୍ରଣ ବାହାରିବା, କେଶ ଝଡ଼ିବା, ମୁଣ୍ଡ ବିନ୍ଧିବା ଭଳି ସମସ୍ୟା ଦେଖାଦେଇଥାଏ। ଫାଷ୍ଟଫୁଡ୍ ଖାଇବା ଦ୍ୱାରା ମହିଳାଙ୍କର ମାସିକ ଋତୁଚକ୍ର ଅନିୟମିତ ହୋଇପାରେ। କାରଣ ଏହି ଫାଷ୍ଟଫୁଡ୍ ଖାଦ୍ୟ ତିଆରି କରିବା ପାଇଁ ଖରାପ ତେଲ, ମଇଦା, ଅତ୍ୟଧିକ ଲୁଣ, ମସଲା, କୃତ୍ରିମ ରଙ୍ଗ ଓ ବିଭିନ୍ନ ସସ୍ର ବ୍ୟବହାର କରାଯାଇଥାଏ।
ଫାଷ୍ଟଫୁଡ୍ ପ୍ରସ୍ତୁତି ସମୟରେ କିଛି ପରିବା ଯେପରିକି ବନ୍ଧାକୋବି, ଗାଜର ପ୍ରଭୃତିକୁ ଭଲ ଭାବେ ସିଝାଯାଏ ନାହିଁ। ଏହାଯୋଗୁଁ ପେଟରେ ଗ୍ୟାସ୍ ସୃଷ୍ଟି ହୋଇଥାଏ।
ସେହିପରି ଅତ୍ୟଧିକ ଫାଷ୍ଟଫୁଡ୍ ଖାଇବା ଦ୍ୱାରା ଏଥିରେ ଥିବା ଟ୍ରାନ୍ସଫ୍ୟାଟ୍ ଶରୀରରେ ଥିବା ଉପକାରୀ ଫ୍ୟାଟକୁ ହଟାଇ ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ ପ୍ରଭାବିତ କରିଥାଏ। ଏହାଯୋଗୁଁ କୋଷ୍ଠକାଠିନ୍ୟ, ମାନସିକ ଚାପ, ମୁଣ୍ଡବିନ୍ଧା, ପେଟ ସମ୍ବନ୍ଧୀୟ ରୋଗ ହୋଇଥାଏ।