ଖରାଦିନେ ଖାଦ୍ୟପେୟରେ ସାମାନ୍ୟ ଅବହେଳା କଲେ ବଦ୍‌ହଜମୀ, ଏସିଡିଟି, ଡାଇରିଆ, ଫୁଡ୍‌ ପଏଜନିଂ ଭଳି ସମସ୍ୟା ଉପୁଜିପାରେ।

ଖରାଦିନରେ ଅଧିକ ତାପମାତ୍ରା ଯୋଗୁଁ ଫଳ, ପନିପରିବା ତଥା ରନ୍ଧା ଖାଦ୍ୟ ଅତିଶୀଘ୍ର ଖରାପ ହୋଇଯାଏ। ଏହି ଖାଦ୍ୟ ଖାଇବା ଦ୍ୱାରା ପେଟ ଖରାପ ହବା, ଗ୍ୟାସ୍ ହେବା, ଝାଡ଼ା ବାନ୍ତି ଆଦି ହୋଇଥାଏ।

ଖରାଦିନେ ଛଣାଛଣି, ତେଲମସଲା ଜାତୀୟ ଖାଦ୍ୟଠୁ ଦୂରେଇ ରହିବା ଆବଶ୍ୟକ। ଏହାଛଡ଼ା ଫ୍ରିଜରେ ୨-୩ ଦିନ ଧରି ରଖାଯାଇଥିବା ଖାଦ୍ୟ ମଧ୍ୟ ଖାଇବା ଉଚିତ ନୁହେଁ। ଏପରି ଖାଦ୍ୟ ଖାଇଲେ ଗ୍ୟାସ୍ ସମସ୍ୟା ଉପୁଜିପାରେ।

ଖରାଦିନେ ବାସି ଖାଦ୍ୟ ଖାଆନ୍ତୁ ନାହିଁ। ଏହାଦ୍ୱାରା ଫୁଡ୍‌ ପଏଜନିଂ ହେବାର ଆଶଙ୍କା ରହିଛି।

ଡାକ୍ତରଙ୍କ କହିବା ଅନୁସାରେ ଗରମଦିନରେ ୪ରୁ ୫ ଘଣ୍ଟା ପୂର୍ବରୁ ତିଆରି ହୋଇଥିବା ଖାଦ୍ୟକୁ ଖାଇବା ଅନୁଚିତ। ଏହାଦ୍ୱାରା ଫୁଡ୍ ପଏଜନିଂ ହେବାର ଆଶଙ୍କା ରହିଥାଏ। ଏହି ସମୟରେ ବାୟୁମଣ୍ଡଳରେ ତାପମାତ୍ରା ଅଧିକ ଥିବାରୁ ବ୍ୟାକ୍ଟେରିଆ ଶୀଘ୍ର ସୃଷ୍ଟି ହୋଇଥା’ନ୍ତି।

ଏପରିକି ଘଣ୍ଟାକୁ ଏହା ୨ରୁ ୩ ଗୁଣା ବୃଦ୍ଧି ହୋଇଯାଇଥା’ନ୍ତି, ଯାହାଦ୍ୱାରାକି ଖାଦ୍ୟ ବିଷାକ୍ତ ହୋଇଥାଏ। ଏଭଳି ଖାଦ୍ୟ ଖାଇଲେ ଝାଡ଼ା, ବାନ୍ତି ହୋଇପାରେ। ଏହାଛଡ଼ା ପରିବା ଓ ଫଳକୁ ଖାଇବା ସମୟରେ ହିଁ କାଟିବା ଆବଶ୍ୟକ। ପୂର୍ବରୁ ଫଳ ଓ ପରିବାକୁ କାଟି ରଖିଲେ ଏଥିରେ ଜୀବାଣୁ ବସିଯାଆନ୍ତି।

ସେହିପରି ବାସି କ୍ଷୀର ମଧ୍ୟ ଶରୀର ପାଇଁ ହାନିକାରକ। ଫ୍ରିଜରେ ଥିବା ୨ରୁ ୩ ଦିନର କ୍ଷୀରକୁ ବ୍ୟବହାର କରିବା ଅନୁଚିତ। କ୍ଷୀର କିଣିବା ପରେ ଏହାକୁ ଗରମ କରି ବ୍ୟବହାର କରନ୍ତୁ ଏବଂ ଅଧିକ ସମୟ ଧରି ରଖନ୍ତୁ ନାହିଁ। ପ୍ୟାକେଟ୍‌ କ୍ଷୀର କିଣିବା ସମୟରେ ଏକ୍ସପାୟରି ଡେଟ୍ ଦେଖି କିଣନ୍ତୁ।

ଖରାଦିନେ ଫାଷ୍ଟଫୁଡ୍‌, ଜଙ୍କଫୁଡ୍‌, ରାସ୍ତା କଡ଼ରେ ମିଳୁଥିବା ଖାଦ୍ୟ ଖାଆନ୍ତୁ ନାହିଁ। ବଜାରରେ ମିଳୁଥିବା ଫ୍ରୋଜେନ୍‌ ଫୁଡ୍‌ କିଣନ୍ତୁ ନାହିଁ।