ଅଧିକ ପଢ଼ନ୍ତୁ: ଋତୁସ୍ରାବ ସମୟରେ ମାନନ୍ତୁ ଏହି ୭ଟି ଟିପ୍ସ
ଋତୁଚକ୍ର ହେଉଛି ନାରୀମାନଙ୍କ ଶରୀରରେ ପ୍ରତି ମାସରେ ଘଟୁଥିବା ଏକ ପ୍ରାକୃତିକ ଘଟଣା। ଏହା ନାରୀମାନେ ପ୍ରଜନନକ୍ଷମ ହେବା ଦର୍ଶାଇଥାଏ। ଭାରତୀୟ ନାରୀଙ୍କ ଜୀବନର ପ୍ରାୟ ୩୮ ବର୍ଷ ପ୍ରଜନନକ୍ଷମ ହୋଇଥିବା ବେଳେ ଏହି ସମୟରେ ସେ ହାରାହାରି ୪୫୬ ଥର ଋତୁଚକ୍ରର ସାମ୍ନା କରିଥାଏ। ନିଜ ଜୀବନକାଳର ପ୍ରାୟ ୨୨୮୦ ଦିନ କିମ୍ବା ବର୍ଷରେ ହିସାବ କଲେ, ପ୍ରାୟ ୬.୨୫ ବର୍ଷ ଋତୁଚକ୍ର ପାଇଁ ସମର୍ପିତ। (ସ୍ଥଳ ବିଶେଷରେ ସଂଖ୍ୟାଗୁଡିକ କମ୍ ବା ବେଶୀ ହୋଇପାରେ)। କେବଳ ପ୍ରଜନନକ୍ଷମତା ନୁହେଁ, ନାରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଏହା ଉପରେ ନିର୍ଭର କରିଥାଏ।
ଅଧିକ ପଢ଼ନ୍ତୁ: ଜାଣନ୍ତୁ, ଋତୁସ୍ରାବର ଅନିୟମିତତା ହେବାର କାରଣ
ଋତୁଚକ୍ର କ’ଣ?
ସଂକ୍ଷେପରେ କହିଲେ ଋୁତୁସ୍ରାବ ହେଉଛି ଶରୀର ପାଇଁ ଅନାବଶ୍ୟକ ତନ୍ତୁଗୁଡ଼ିକୁ ଶରୀରରୁ ବାହାର କରିବା ପାଇଁ ଏକ ପ୍ରକ୍ରିୟା। ଏହା ହର୍ମୋନ୍ରେ ପରିବର୍ତ୍ତନ ଯୋଗୁଁ ଘଟିଥାଏ। ହର୍ମୋନ୍ଗୁଡ଼ିକ ହେଉଛି ଶରୀରର ରାସାୟନିକ ଦୂତ। ହର୍ମୋନ୍ ପ୍ରଭାବରେ ଗର୍ଭାଶୟର ଝିଲ୍ଲୀରେ କେତେକ ପରିବର୍ତ୍ତନ ଘଟିଥାଏ। ଝିଲ୍ଲୀ ଫୁଲି ମୋଟା ହୋଇଯାଏ ଓ ସେଥିରେ ରକ୍ତ ସରବରାହ ବଢ଼ିଯାଏ। ଡିମ୍ବାଣୁ ସହିତ ଶୁକ୍ରାଣୁର ଗର୍ଭାଧାନ ସମ୍ଭବ ହୋଇପାରିଲେ ତାହା ମୋଟା ଝିଲ୍ଲୀ ଯୁକ୍ତ ଗର୍ଭାଶୟରେ ସ୍ଥାପିତ ହୋଇ ବିକାଶ ଲାଭ କରେ। କିନ୍ତୁ ଯଦି ଗର୍ଭାଧାନ କ୍ରିୟା ସମ୍ପାଦିତ ହୋଇପାରେ ନାହିଁ, ତେବେ ଗର୍ଭାଶୟର ଝିଲ୍ଲୀ ତନ୍ତୁ ଓ ଡିମ୍ବାଣୁ ଯୋନି ପଥରେ ଶରୀରରୁ ବାହାରି ଆସନ୍ତି, ଯାହାକୁ ଋତୁସ୍ରାବ କୁହାଯାଏ।
ଗର୍ଭାଶୟ ଚାରିପାଖରେ ଝିଲ୍ଲୀର ଏକ ମୋଟା ଆସ୍ତରଣ ସୃଷ୍ଟି ହେବା ପାଇଁ ଓ ଗର୍ଭାଧାନ ନ ହୋଇ ପାରିଲେ ତାହା ନଷ୍ଟ ହେବା ଓ ସେହି ଅଦରକାରୀ ତନ୍ତୁ ସବୁ ଶରୀରରୁ ବାହାରି ଆସିବା ପାଇଁ ପ୍ରାୟ ଏକ ମାସ ସମୟ ଲାଗିଥାଏ। ପ୍ରଜନନକ୍ଷମ ଅବସ୍ଥାରେ ଏହି ପ୍ରକ୍ରିୟା ପ୍ରତିମାସରେ ସଂଗଠିତ ହୋଇଥାଏ। ମହିଳାମାନଙ୍କ କ୍ଷେତ୍ରରେ ଋତୁସ୍ରାବ ଆରମ୍ଭ ହେବା ଦିନଠାରୁ ପରବର୍ତ୍ତୀ ଋତୁସ୍ରାବ ଆରମ୍ଭ ହେବାର ପୂର୍ବ ଦିନ ପର୍ଯ୍ୟନ୍ତ ସମୟକୁ ଋତୁଚକ୍ର ବା ମେନ୍ଷ୍ଟ୍ରୁଆଲ୍ ସାଇକେଲ୍ ବୋଲି କୁହାଯାଏ।
ସାଧାରଣତଃ ୯-୧୫ ବର୍ଷ ବୟସ ମଧ୍ୟରେ ଯେକୌଣସି ସମୟରେ ଝିଅମାନଙ୍କଠାରେ ଋତୁସ୍ରାବ ଆରମ୍ଭ ହୋଇପାରିବ। ଋତୁସ୍ରାବକୁ ଇଂରାଜୀରେ ‘ମେନ୍ଷ୍ଟ୍ରୁଏସନ୍’ ବା ସଂକ୍ଷେପରେ ‘ମେନ୍ସ’ ବୋଲି କୁହାଯାଏ। ମେନ୍ସ୍ ଶବ୍ଦଟି ଲାଟିନ୍ ଶବ୍ଦ ‘ମେନ୍ସିସ୍ରୁ’ ଆସିଛି। ମେନ୍ସିସର ଅର୍ଥ ହେଉଛି ମାସ। ଋତୁସ୍ରାବ ପ୍ରାୟ ଏକ ମାସ ବ୍ୟବଧାନରେ ସଂଗଠିତ ହେଉଥିବାରୁ ଏହାକୁ ମାସିକିଆ ବୋଲି ମଧ୍ୟ କୁହାଯାଏ। ଥରେ ଆରମ୍ଭ ହେଲେ ୨-୭ ଦିନ ପର୍ଯ୍ୟନ୍ତ ଋତୁସ୍ରାବ ହୋଇଥାଏ। ଏହି ସମୟରେ ଜଣେ ମହିଳାଙ୍କ ଶରୀରରୁ ପ୍ରାୟ ୩୫ ଏମ୍ଏଲ୍ ରୁ ୫୦ ଏମ୍ଏଲ୍ ପର୍ଯ୍ୟନ୍ତ ରକ୍ତ ଶରୀର ବାହାରକୁ ଚାଲିଆସେ। ଏକ ସାଧାରଣ ଚକ୍ର ପ୍ରତି ୨୮ଦିନ ବିଶିଷ୍ଟ ହୋଇଥିବା ବେଳେ ଏହା ୨୧-୪୨ଦିନ ବିଶିଷ୍ଟ ମଧ୍ୟ ହୋଇପାରିବ।
୪୦-୫୦ ବର୍ଷ ମଧ୍ୟରେ ଏହି ଋତୁଚକ୍ର ବନ୍ଦ ହୋଇଯାଏ। ଏହାକୁ ଋତୁଅସ୍ତ ବୋଲି ମଧ୍ୟ କୁହାଯାଏ। ଇଂରାଜୀରେ ଏହାକୁ ମେନୋପୋଜ୍ କୁହାଯାଏ। ଋତୁସ୍ରାବ ଆରମ୍ଭ ହେବା ସହିତ ନାରୀମାନେ ଗର୍ଭଧାରଣ କରିବା ଯୋଗ୍ୟ ହୋଇପାରିଥିବା ବେଳେ ଋତୁଅସ୍ତ ଅବସ୍ଥାରେ ପହଞ୍ଚିଗଲେ ଗର୍ଭଧାରଣ ସମ୍ଭବ ହୁଏ ନାହିଁ।
ଅଧିକ ପଢ଼ନ୍ତୁ: ଜାଣନ୍ତୁ, ମହିଳାମାନଙ୍କ ଋତୁସ୍ରାବର ପ୍ରକାର ଭେଦ ବାବଦରେ
ଋତୁଚକ୍ରରେ କ’ଣ ହୁଏ?
ଋତୁଚକ୍ର ପ୍ରକ୍ରିୟା ବୁଝିବା ପାଇଁ, ଆମକୁ ପ୍ରଥମେ ସ୍ତ୍ରୀମାନଙ୍କ ଜନନାଙ୍ଗ ବିଷୟରେ ଜାଣିବାକୁ ହେବ। ସେଗୁଡ଼ିକ ହେଉଛି :
- ଦୁଇଟି ଡିମ୍ବାଶୟ ବା ଓଭାରି – ଯେଉଁଠି ଅସଂଖ୍ୟ ଡିମ୍ବାଣୁ ରହିଥା’ନ୍ତି
- ଗର୍ଭାଶୟ (ୟୁଟ୍ରେସ୍) – ଯେଉଁଠାରେ ଭ୍ରୁଣ ସ୍ଥାପିତ ହୋଇଥାଏ ଓ ବିକଶିତ ହୋଇଥାଏ
- ଡିମ୍ବବାହୀ ନଳୀ (ଫାଲୋପିଆନ୍ ଟ୍ୟୁବ୍) – ଡିମ୍ବାଶୟକୁ ଗର୍ଭାଶୟ ସହିତ ଯୋଡ଼ୁଥିବା ଦୁଇଟି ସଂକୀର୍ଣ୍ଣ ନଳୀ
- ସର୍ଭିକ୍ସ – ଯୋନି ଓ ଗର୍ଭାଶୟ ମଧ୍ୟରେ ଥିବା ପ୍ରବେଶ ଦ୍ୱାର
- ଯୋନି ବା ଭାଜାଇନା
ଋତୁଚକ୍ର ହର୍ମୋନ୍ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଏଷ୍ଟ୍ରୋଜେନ୍ ହର୍ମୋନ୍ର ପ୍ରଭାବରେ ଡିମ୍ବାଶୟରେ ଥିବା ଡିମ୍ବାଣୁଗୁଡ଼ିକ ପରିପକ୍ୱ ହୁଅନ୍ତି। ଏହି ପରିପକ୍ୱ ଡିମ୍ବାଣୁଗୁଡ଼ିକର ଶୁକ୍ରାଣୁ ସହିତ ମିଳନ ହେବା ଯୋଗୁଁ ଭ୍ରୁଣ ବିକଶିତ ହୋଇଥାଏ, ଯାହାକୁ ଗର୍ଭାଧାନ କୁହାଯାଏ। ଏହି ଭ୍ରୁଣ ତାପରେ ଗର୍ଭାଶୟରେ ସ୍ଥାପିତ ହୋଇଥାଏ ଓ ବିକଶିତ ହୋଇଥାଏ। ଭ୍ରୁଣଟିକୁ ଗର୍ଭାଶୟ ଥଳିରେ ଏକ ନିରାପଦ ସ୍ଥାନ ଯୋଗାଇବା ପାଇଁ ଗର୍ଭାଶୟରେ କେତେକ ପରିବର୍ତ୍ତନ ହୋଇଥାଏ। ଏହାର ଝିଲ୍ଲୀ ଫୁଲି ମୋଟା ହୋଇଯାଏ ଓ ଏଥିରେ ରକ୍ତ ସରବରାହ ମାତ୍ରା ବଢିଯାଏ। ଏହି ଝିଲ୍ଲୀରେ ସାଧାରଣତଃ ତନ୍ତୁ ଓ ରକ୍ତ ରହିଥାଏ।
ଋତୁଚକ୍ର ଅଧା ହୋଇଥିବା ବେଳେ, ଅର୍ଥାତ୍ ଚତୁର୍ଦ୍ଦଶରୁ ଷୋଡଶ ଦିବସ ମଧ୍ୟରେ, ଅନ୍ୟ ଏକ ହର୍ମୋନ୍ ପ୍ରୋଜେଷ୍ଟେରନ୍ ପ୍ରଭାବରେ ଡିମ୍ବାଶୟରୁ ପରିପକ୍ୱ ଡିମ୍ବ ନିର୍ଗତ ହୋଇଥାଏ। ଏହି ଡିମ୍ବ ତାପରେ ଡିମ୍ବାଣୁବାହୀ ନଳୀରେ ଗର୍ଭାଶୟ ଆଡକୁ ଗତି କରିଥାଏ। ଡିମ୍ବାଣୁବାହୀ ନଳୀରେ ଡିମ୍ବାଣୁ ପ୍ରାୟ ୨୪ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିଥାଏ। ଏହି ନଳୀରେ ଥିବା ବେଳେ ଯଦି ଡିମ୍ବାଣୁ ଓ ଶୁକ୍ରାଣୁର ମିଳନ ସମ୍ଭବ ହୁଏ, ତେବେ ସେମାନଙ୍କ ମିଳନରୁ ଭ୍ରୁଣ (ଯାହାକୁ ନିଷିକ୍ତ ଭ୍ରୁଣ କୁହାଯାଏ) ସୃଷ୍ଟି ହୋଇଥାଏ, ଯାହାକୁ ଗର୍ଭଧାରଣ କୁହାଯାଏ। ଏହି ଭ୍ରୁଣ ଡିମ୍ବବାହୀ ନଳୀରେ ଧୀରେ ଧୀରେ ଗତି କରି ଗର୍ଭାଶୟରେ ପହଞ୍ଚେ ଓ ସେଠାରେ ନିଜକୁ ସ୍ଥାପିତ କରି ବିକଶିତ ହୁଏ।
ଯଦି ଗର୍ଭଧାରଣ ସମ୍ଭବ ହୋଇପାରେ ନାହିଁ, ତେବେ ପ୍ରୋଜେଷ୍ଟେରନ୍ ଓ ଏଷ୍ଟ୍ରୋଜେନ୍ ସ୍ତର କମିଯାଏ, ଉକ୍ତ ଡିମ୍ବାଣୁ ଓ ଗର୍ଭାଶୟର ଝିଲ୍ଲୀ ତନ୍ତୁ ଋତୁସ୍ରାବ ଭାବେ ଗର୍ଭାଶୟ ଯୋନି ଦେଇ ବାହାରି ଆସେ।