ସୁସ୍ଥ ଶରୀର ପାଇଁ ପନିପରିବାର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଦୈନିକ ଖାଦ୍ୟ ତାଲିକାରେ ପନିପରିବା ସାମିଲ କରିବା ଦ୍ଵାରା ଶରୀରକୁ ଉଚିତ୍ ପୋଷଣ ଓ ଶରୀର ଦରକାର କରୁଥିବା ଭିଟାମିନ୍, ଖଣିଜ ପଦାର୍ଥ ଓ ମିନେରାଲ୍ସ ମିଳିପାରିଥାଏ।
ପନିପରିବାରେ ସବୁଠାରୁ କମ୍ ଫ୍ୟାଟ୍ ଓ କମ୍ କ୍ୟାଲୋରି ଥାଏ, ଯାହା ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏଥିସହ ପରିବାରେ ପାଣିର ମାତ୍ରା ଅଧିକ ଥାଏ, ଯାହା ଶରୀରରେ ଜଳୀୟଅଂଶକୁ ସନ୍ତୁଳିତ ରଖିଥାଏ।
ସବୁଜ ପନିପରିବାରେ ମ୍ୟାଗ୍ନେସିୟମ୍, ଭିଟାମିନ୍ କେ’ ମାତ୍ରା ଅଧିକ ଥାଏ ଓ ଗ୍ଲାଇସେମିକ୍ ଇଣ୍ଡେକ୍ସର ମାତ୍ରା କମ୍ ଥାଏ, ଯାହାକି ମଧୁମେହ ସ୍ତରକୁ କମ୍ କରିବାରେ ସହାୟକ ହୋଇଥାଏ। ସବୁଜ ପନିପରିବାରେ ଆଇରନ୍ ଓ କ୍ୟାଲ୍ସିୟମ୍ ଭରପୂର ମାତ୍ରାରେ ଥାଏ।
ଫଳ, ପନିପରିବାକୁ ନିୟମିତ ଭାବେ ସେବନ କରିବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ପ୍ରତ୍ୟେହ ପରିବା କିମ୍ବା ଫଳ ସାଲାଡ ଖାଇବା ଦ୍ୱାରା ଶରୀରକୁ ଉପଯୁକ୍ତ ପୋଷଣ, ଜଳୀୟଅଂଶ ଓ ଭିଟାମିନ୍ ମିଳିବା ସହ ଓଜନ ନିୟନ୍ତ୍ରଣରେ ରହିଥାଏ।
ସବୁଜ ପନିପରିବାରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏ, ଭିଟାମିନ୍ ସି ଭରି ରହିଥାଏ।
ଆମିଷ ଅପେକ୍ଷା ଫଳମୂଳ ଓ ସବୁଜ ପନିପରିବା ଶୀଘ୍ର ହଜମ ହୋଇଥାଏ। ଏହା ଏସିଡିଟି ଓ ଗ୍ୟାସ୍ କରାଇନଥାଏ। ତେଣୁ ଖାଦ୍ୟରେ ଅଧିକ ମାତ୍ରାରେ ସବୁଜ ପନିପରିବା ଖାଇବା ଲାଭଦାୟକ।
କାକୁଡ଼ି, ଟମାଟୋ, ମୂଳା, ପିଆଜ, ଲେମ୍ବୁ, ସାଲାଡ୍ ସହିତ ବିଭିନ୍ନ ପରିବା ସିଝା ବା ତରକାରୀ ଯେପରିକି ବନ୍ଧାକୋବି, ବିନ୍, ବାଇଗଣ, ଜହ୍ନି, ପୋଟଳ, ଅମୃତଭଣ୍ଡା ଖାଦ୍ୟରେ ସାମିଲ କରନ୍ତୁ।
ସବୁବେଳେ ଋତୁ ଅନୁଯାୟୀ ଫଳ ପରିବା ସେବନ କରନ୍ତୁ। ଧ୍ୟାନ ରଖିବେ, ଆପଣ କିଣୁଥିବା ଫଳ ତାଜା ଓ ସତେଜ ଥିବା ଆବଶ୍ୟକ।