ଅନେକ ପ୍ରକାର ରୋଗ ଓ ସଂକ୍ରମଣକୁ ସୋୟାବିନ୍ ଦୂର କରେ। ଏହା ପ୍ରୋଟିନ୍, ଭିଟାମିନ୍ ବି କଂପ୍ଲେକ୍ସ ଏବଂ ଭିଟାମିନ୍ ଏ’ର ଏକ ଭଲ ସ୍ରୋତ। ଏହାକୁ ନିୟମିତ ଭାବେ ଖାଇଲେ କି ଉପକାର ମିଳିବ ଜାଣନ୍ତୁ।
ସୋୟାବିନରେ ପ୍ରୋଟିନ୍ ବ୍ୟତୀତ ଫାଇବର, ମିନେରାଲସ, ଫାଇଟୋଆଷ୍ଟ୍ରୋଜନ୍ସ ଭରପୁର ମାତ୍ରାରେ ଥାଏ। ଏହାଛଡ଼ା ସାଚ୍ୟୁରେଟେଡ୍ ଫ୍ୟାଟର ମାତ୍ରା ବି କମ୍ ଥାଏ। କେବଳ ସେତିକି ନୁହେଁ, ଆଇରନ୍, ମାଙ୍ଗାନିଜ, ଫସଫରସ, କପର ଓ ଜିଙ୍କରେ ଏହା ଭରପୁର। ସୋୟାବିନର ସବୁଠୁ ବଡ଼ ଉପକାରିତା ହେଉଛି ଏଥିରେ କୋଲେଷ୍ଟେରୋଲ୍ ନଥାଏ।
ସୋୟାବିନରେ ଫାଇବର ଓ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ଥିବାରୁ ଉଭୟ ଓଜନ ବଢାଇବାକୁ ଚାହୁଁଥିବା ଏବଂ ଓଜନ କମାଇବାକୁ ଚାହୁଁଥିବା ଲୋକମାନେ ଏହାକୁ ଖାଦ୍ୟ ତାଲିକାରେ ସାମିଲ କରିପାରିବେ। ତେବେ ଏହାକୁ କେତେ ପରିମାଣରେ ଖାଇବେ ସେ ସଂପର୍କରେ ଡାଇଟିସିଆନଙ୍କ ସହ ପରାମର୍ଶ କରନ୍ତୁ।
ହୃଦରୋଗ ଓ ମଧୁମେହର ଆଶଙ୍କାକୁ ଏହା କମାଇଥାଏ। ଏଥିରେ ଥିବା ଅନସାଚ୍ୟୁରେଟେଡ୍ ଫ୍ୟାଟ୍ସ ଖରାପ କୋଲେଷ୍ଟେରୋଲର ମାତ୍ରାକୁ କମ୍ କରେ। ଏହାଯୋଗୁ ହୃଦରୋଗର ଆଶଙ୍କା କମିଥାଏ।
ନିୟମିତ ଭାବେ ସୋୟାବିନ୍ ଖାଇଲେ ଅନେକ ପ୍ରକାର କର୍କଟ ରୋଗରୁ ରକ୍ଷା ମିଳେ। ଆମେରିକାର କ୍ୟାନସର ଗବେଷଣା କେନ୍ଦ୍ର ଅନୁସାରେ ଏଥିରେ ଥିବା ଫାଇବର କଲୋନ୍ କ୍ୟାନସରର ଆଶଙ୍କାକୁ କମ୍ କରେ।
ମହିଳାମାନେ ଅଧିକାଂଶ ସମୟରେ ଗଣ୍ଠି ଦରଜ, ଗଣ୍ଠିବିନ୍ଧା ପ୍ରଭୃତିର ଶିକାର ହୋଇଥାନ୍ତି। ତେଣୁ ସେମାନଙ୍କ ପାଇଁ ସୋୟାବିନ୍ ଖାଇବା ବହୁତ ଆବଶ୍ୟକ। ଏଥିରେ କ୍ୟାଲସିୟମ୍ ଏବଂ ଲୌହ ରହିଥିବାରୁ ହାଡ଼କୁ ମଜଭୁତ କରିବାରେ ଏହା ସହାୟକ ହୁଏ।
ଗର୍ଭବତୀ ମହିଳାମାନେ ଏହା ଖାଇବା ନିତ୍ୟାନ୍ତ ଆବଶ୍ୟକ। କାରଣ ଏହା ପିଲାର ଜନ୍ମଗତ ତ୍ରୁଟିକୁ ଦୂର କରେ। କେବଳ ସେତିକି ନୁହେଁ, ଶିଶୁର ମାନସିକ ବିକାଶରେ ସହାୟକ ହୁଏ। ଅବଶ୍ୟ ତାକୁ ସୀମିତ ଭାବେ ଖାଇବା ଆବଶ୍ୟକ।