ମାନସିକ ରୋଗ ସାଇକୋସିସ୍ କ’ଣ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ରଙ୍କଠାରୁ ଅଧିକ ଜାଣନ୍ତୁ।
ହ୍ୱାଟ୍ସଆପ୍ରେ ମାଗଣାରେ ପାଆନ୍ତୁ ଓଡ଼ିଆ ଡିଜିଟାଲ ସ୍ୱାସ୍ଥ୍ୟ ମାଗାଜିନ୍। ଲିଙ୍କରେ କ୍ଲିକ୍ କରନ୍ତୁ:https://bit.ly/SubscribeToSwasthyaPlusOdia
ମାନସିକ ରୋଗ ସାଇକୋସିସ୍ କ’ଣ? (What is Acute Psychosis in Odia)
ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଆକ୍ୟୁଟ୍ ସାଇକୋସିସ୍ ସମସ୍ୟା ଅଧିକ ଦେଖାଦିଏ। ଏହା ଏକ ପ୍ରକାର ମାନସିକ ସମସ୍ୟା। ଏହି ରୋଗ ହେଲେ ବ୍ୟକ୍ତିର ବ୍ୟବହାର ଓ ଚିନ୍ତା କରିବାର ଶକ୍ତିରେ ହଠାତ୍ ପରିବର୍ତ୍ତନ ଆସିଥାଏ। ସାଧାରଣତଃ ଏହା ୨୦ରୁ ୩୦ ୧ର୍ଷ ବୟସରେ ହୋଇଥାଏ।
ସାଇକୋସିସ୍ ରୋଗର ଲକ୍ଷଣ (Symptoms of Psychosis in Odia)
ସାଇକୋସିସ୍ ରୋଗ ହେଲେ ବ୍ୟକ୍ତିଙ୍କ ବ୍ୟବହାରରେ ହଠାତ୍ ପରିବର୍ତ୍ତନ ଆସିଥାଏ। ଗୋଟେ ଶାନ୍ତ ଥିବା ବ୍ୟକ୍ତି ହଠାତ୍ ଉତ୍ତେଜିତ ହୋଇଯାଏ, ହଠାତ୍ ରାଗିଯାଏ, ମନରେ ସନ୍ଦେହ ଓ ଭୟର ଭାବନା ଉଙ୍କିମାରେ, ରୋଗୀଙ୍କୁ ଲାଗିଥାଏ ସମସ୍ତେ ତାଙ୍କ ବିଷୟରେ କଥା ହେଉଛନ୍ତି।
ବେଳେ ବେଳେ ରୋଗୀ ନିଜ ପରିବାର ଲୋକଙ୍କୁ ସନ୍ଦେହ କରିଥା’ନ୍ତି ଓ ଏମିତି ବି ଲାଗିଥାଏ ଯେ ତାଙ୍କ ପରିବାର ଲୋକ ତାଙ୍କୁ ମାରି ଦେବା ପାଇଁ ଚେଷ୍ଟା କରୁଛନ୍ତି। ଏହି ସନ୍ଦେହର ଭାବନାକୁ ଡିଲ୍ୟୁଜନ୍ ବୋଲି କୁହାଯାଏ।
ଏହାଛଡ଼ା ବ୍ୟକ୍ତିଙ୍କୁ ଶୂନ୍ୟବାଣୀ ହେଲା ଭଳି ମନେ ହୁଏ। ବେଳେ ବେଳେ ତାଙ୍କୁ ଲାଗେ ତାଙ୍କ ବିଷୟରେ ଲୋକେମାନେ ଗପୁଛନ୍ତି ବା କିଛି ଖରାପ କହୁଛନ୍ତି, ଯାହାକୁ ଅଡିଟୋରି ହାଲୋସିନେସନ୍ କୁହାଯାଏ।
କେତେକ ଲୋକଙ୍କଠାରେ ଭିଜୁଆଲ ହାଲୋସିନେସନ୍ ଦେଖାଦେଇଥାଏ। ତାଙ୍କୁ କେତେକ ଲୋକଙ୍କା ଚେହେରା ଦେଖାଯାଇଥାଏ।
କେତେକ ରୋଗୀ ହଠାତ୍ ଶାନ୍ତ ହୋଇଯାଆନ୍ତି, ଏକୁଟିଆ ରହିବାକୁ ଆରମ୍ଭ କରିଥାଆନ୍ତି ଏବଂ ଅନ୍ୟମାନଙ୍କ ସହ ମିଳାମିଶା କରିନଥାଆନ୍ତି।
ସାଇକୋସିସ୍ ରୋଗ ହେଲେ କେତେକ ରୋଗୀ ମୂର୍ତ୍ତି ସଦୃଶ ସ୍ଥିର ହୋଇଯାଆନ୍ତି। ଗୋଟେ ସ୍ଥାନରେ ବସିରହିଥିବେ, ଦୀର୍ଘ ଦିନ ଧରି ଶୋଇରହିଥିବେ, ସେମାନଙ୍କର ଖାଇବା କମିଯିବ। ଏହି ଲକ୍ଷଣ ଦେଖାଗଲେ ତା’କୁ କାଟାଟୋନିଆ ବୋଲି କହିଥାଉ। ଏହା ଆକ୍ୟୁଟ୍ ସାଇକୋସିସ୍ର ଗୁରୁତର ଲକ୍ଷଣ।
୨୦ରୁ ୪୦ ପ୍ରତିଶତ ଆକ୍ୟୁଟ୍ ସାଇକୋସିସ୍ ରୋଗୀଙ୍କ ମଧ୍ୟରେ ଆତ୍ମହତ୍ୟାର ମଧ୍ୟ ବିଚାର ଆସିଥାଏ ଏବଂ ୫ରୁ ୧୦ ପ୍ରତିଶତ ରୋଗୀ ଆତ୍ମହତ୍ୟା ମଧ୍ୟ କରିଥାଆନ୍ତି।
ଅଧିକ ପଢ଼ନ୍ତୁ: ଦୀର୍ଘ ଦିନ ଧରି ଶାରୀରିକ ଯନ୍ତ୍ରଣା ଲାଗି ରହୁଛି କି? ହୋଇପାରେ ସୋମାଟୋଫର୍ମ ରୋଗ
ସାଇକୋସିସ୍ ରୋଗ ହେବାର କାରଣ (Causes of Psychosis in Odia)
ମସ୍ତିଷ୍କରେ କେତେକ ନ୍ୟୁରୋକେମିକାଲର ମାତ୍ରା ବୃଦ୍ଧି ହେଲେ ମାନସିକ ରୋଗ ସାଇକୋସିସ୍ ହୋଇଥାଏ। ନ୍ୟୁରୋଟ୍ରାନ୍ସମିଟର ବୃଦ୍ଧି ହେବାର ମୁଖ୍ୟ କାରଣ ହେଉଛି ବଂଶଗତ କାରଣ।
ଦ୍ୱିତୀୟ କାରଣ ହେଉଛି ପାରିବାରିକ ଓ ସାମଜିକ ଚାପ।
ତୃତୀୟ କାରଣ ହେଉଛି ଅଧିକ ମାତ୍ରାରେ ନିଶାଦ୍ରବ୍ୟର ସେବନ ଯେପରିକି ଗଞ୍ଜେଇ ଓ ଭାଙ୍ଗ ସେବନ କରିବା ଫଳରେ ଆକ୍ୟୁଟ୍ ସାଇକୋସିସ୍ ଦେଖାଦେଇଥାଏ।
କେତେକ ମହିଳାଙ୍କୁ ପ୍ରସବ ପରେ ଆକ୍ୟୁଟ୍ ସାଇକୋସିସ୍ ହେବାର ଆଶଙ୍କା ଥାଏ, ଯାହାକୁ ପୋଷ୍ଟ ପାର୍ଟମ ସାଇକୋସିସ୍ କୁହାଯାଏ।
ଯେଉଁ ବୟସ୍କ ଲୋକଙ୍କଠାରେ ପାର୍କିନ୍ସନ୍ କିମ୍ବା ଅଲଝାଇମର୍, ଡିମେନ୍ସିଆ ଅଛି ସେମାନଙ୍କଠାରେ ମଧ୍ୟ ଆକ୍ୟୁଟ୍ ସାଇକୋସିସ୍ ହେବାର ଆଶଙ୍କା ରହିଛି।
ଏପିଲେପ୍ସି ହୋଇଥିବା ଲୋକଙ୍କଠାରେ ସାଇକୋସିସ୍ ସମସ୍ୟା ହୋଇପାରେ, ଯାହାକୁ ପୋଷ୍ଟଇକ୍ଟାଲ ସାଇକୋସିସ୍ ବୋଲି କୁହାଯାଏ।
ମସ୍ତିଷ୍କରେ କୌଣସି ସଂକ୍ରମଣ ହେଲେ ସାଇକୋସିସ୍ ହୋଇପାରେ। କେତେକ ଲୋକଙ୍କଠାରେ କୌଣସି କାରଣ ନଥାଇ ମଧ୍ୟ ଏହି ସମସ୍ୟା ହୋଇଥାଏ, ଯାହାକୁ ଇଡିଓପାଥିକ୍ ସାଇକୋସିସ୍ କୁହାଯାଏ।
ଅଧିକ ପଢ଼ନ୍ତୁ: ରାତିରେ ନିଦ ନ ହେବାର କାରଣ କ’ଣ?
ସାଇକୋସିସ୍ ରୋଗର ଚିକିତ୍ସା କେମିତି ହୁଏ? (Treatment of Psychosis in Odia)
ଘରେ କାହାର ବ୍ୟବହାରରେ କୌଣସି ବଡ଼ ପରିବର୍ତ୍ତନ ହେଲେ ବ୍ୟତିବ୍ୟସ୍ତ ନ ହୋଇ ମାନସିକ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ। ଏହି ରୋଗର ଚିକିତ୍ସା ପାଇଁ ଆଣ୍ଟି-ସାଇକୋଟିକ୍ ଔଷଧ ଦିଆଯାଇଥାଏ। ଯଦି ରୋଗୀ ଔଷଧ ନେବାକୁ ଅରାଜି ହେଉଛନ୍ତି, ତେବେ ଇଞ୍ଜେକ୍ସନ୍ ଦିଆଯାଇଥାଏ।
ସନ୍ଦେହ କାରଣରୁ କେତେକ ରୋଗୀ ମେଡିସିନ୍ ଖାଇବାକୁ ମନା କରିଥାଆନ୍ତି। ଏଭଳି କ୍ଷେତ୍ରରେ ଗନ୍ଧହୀନ, ରଙ୍ଗହୀନ ଓ ସ୍ୱାଦହୀନ ମେଡିସିନ୍ ରହିଛି, ଯାହାକୁ ଖାଦ୍ୟ କିମ୍ବା ପାଣିରେ ମିଶାଇ ରୋଗୀଙ୍କୁ ଖାଇବାକୁ ଦିଆଯାଇଥାଏ।
ଔଷଧ ଖାଇଲା ପରେ ବି ଯଦି ରୋଗୀର ଅବସ୍ଥାରେ ପରିବର୍ତ୍ତନ ନ ହୁଏ କିମ୍ବା ରୋଗୀର ଖାଦ୍ୟପେୟ କମିଯାଏ କିମ୍ବା ରୋଗୀର ଆତ୍ମହତ୍ୟା ପ୍ରବଣତା ବଢ଼ିଯାଏ, ତାହାହେଲେ ବୈଦ୍ୟୁତିକ ଚିକିତ୍ସା ପଦ୍ଧତି ମାଧ୍ୟମରେ ଚିକିତ୍ସା କରାଯାଏ। ଆଜିକାଲି ବ୍ୟବହାର କରାଯାଉଥିବା ଇଲେକ୍ଟ୍ରୋକନ୍ଭଲ୍ସିଭ୍ ଥେରାପି ସମ୍ପୂର୍ଣ୍ଣ ସୁରକ୍ଷିତ।
ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଛାଡ଼ନ୍ତୁ ନାହିଁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସତ୍ୟକାମ ମହାପାତ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Acute Psychosis Disorder, in Odia language, is based on an extensive interview with Neuropsychiatrist Dr. Satyakam Mohapatra.
ଡାକ୍ତର ସତ୍ୟକାମ ମହାପାତ୍ର ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ମାନସିକ ରୋଗ ବିଶେଷଜ୍ଞ। ବିଭିନ୍ନ ମାନସିକ ରୋଗ ଓ ଏହାର ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ମହାପାତ୍ର କଟକରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ 8895293997 ନମ୍ବରରେ କଲ୍ କରିପାରିବେ।